ନୂଆଦିଲ୍ଲୀ,୨୭।୧୧: ୨୦୨୬ରେ ସୁନା ଓ ରୁପା ଦରରେ ବଡ଼ ଧରଣର ହ୍ରାସ ରେକର୍ଡ ହୋଇଛି। ଜୁନ ୨୦୧୩ ପରଠାରୁ ଏହାକୁ ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଉଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ର ତଥ୍ୟ ଅନୁସାରେ, ଫ୍ୟୁଚର୍ସ ବଜାରରେ ସୁନା ନିଜ ସର୍ବୋଚ୍ଚ ଦରଠାରୁ ପ୍ରାୟ ୭୨ ହଜାର ଟଙ୍କା ପ୍ରତି ୧୦ ଗ୍ରାମ ଶସ୍ତା ହୋଇଛି। ସେହିପରି ରୁପା ଦର କିଲୋଗ୍ରାମ ପିଛା ପ୍ରାୟ ୨.୭୫ ଲକ୍ଷ ଟଙ୍କା ହ୍ରାସ ପାଇଛି।
ବଜାର ତଥ୍ୟ ଅନୁସାରେ, ସୁନା ଏବେ ଏହାର ୨୦୦ ଦିନିଆ ମୁଭିଂ ଆଭରେଜଠାରୁ ପ୍ରାୟ ୨୦ ପ୍ରତିଶତ ତଳେ କାରବାର କରୁଛି। ରିପୋର୍ଟ ଅନୁସାରେ, ବୈଷୟିକ ଦୃଷ୍ଟିକୋଣରୁ ଜୁନ ୨୦୧୩ ପରଠାରୁ ସୁନା ଦରରେ ଏହା ସବୁଠାରୁ ବଡ଼ ହ୍ରାସ। ତେବେ ଗତ କିଛି ଦିନ ହେବ ସୁନା ଦରରେ ଧୀରେ ଧୀରେ ବୃଦ୍ଧି ଦେଖାଦେଇଛି। ଏହା ସତ୍ତ୍ୱେ ବଜାରରେ ବିକ୍ରି ଚାପ ଜାରି ରହିଛି।
ଆମେରିକାର ଫେଡେରାଲ ରିଜର୍ଭ (US Fed)ର ନୀତି ଏବଂ ମୁଦ୍ରାସ୍ଫୀତିକୁ ନେଇ ଚିନ୍ତା ସୁନା ଓ ରୁପା ବଜାର ଉପରେ ଚାପ ସୃଷ୍ଟି କରିଛି। ସୁଧହାର ଦୀର୍ଘ ସମୟ ପର୍ଯ୍ୟନ୍ତ ଉଚ୍ଚସ୍ତରରେ ରହିପାରେ ବୋଲି ସଙ୍କେତ ମିଳୁଛି। ଆମେରିକାରେ ମୁଦ୍ରାସ୍ଫୀତି ହାର ଫେଡେରାଲ ରିଜର୍ଭର ଧାର୍ଯ୍ୟ ୨ ପ୍ରତିଶତ ଲକ୍ଷ୍ୟଠାରୁ ଯଥେଷ୍ଟ ଅଧିକ ରହିଥିବାରୁ ଫେଡ ଅଧିକାରୀମାନେ ଚିନ୍ତା ପ୍ରକାଶ କରିଛନ୍ତି। ସଦ୍ୟ ତଥ୍ୟ ଅନୁସାରେ, ଅକ୍ଟୋବର ୨୦୨୬ରେ ଫେଡର ପସନ୍ଦର ମୁଦ୍ରାସ୍ଫୀତି ମାପକ ‘PCE Inflation’ ବାର୍ଷିକ ଆଧାରରେ ୩.୮ ପ୍ରତିଶତରେ ପହଞ୍ଚିଛି।
ନ୍ୟୁୟର୍କ ଫେଡର ଅଧ୍ୟକ୍ଷ ଜନ ୱିଲିୟମ୍ସ ଏବଂ ଫେଡ ଚେୟାରମ୍ୟାନ କେଭିନ ୱାର୍ଶ ମୁଦ୍ରାସ୍ଫୀତିକୁ ପୁଣି ୨ ପ୍ରତିଶତକୁ ଆଣିବା ସର୍ବୋଚ୍ଚ ପ୍ରାଥମିକତା ବୋଲି ଦୋହରାଇଛନ୍ତି। ରିପୋର୍ଟ ଅନୁସାରେ, ଡିସେମ୍ବର ୮ ଓ ୯, ୨୦୨୬ରେ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ସୁଧହାର ଅତିକମରେ ୦.୨୫ ପ୍ରତିଶତ ବା ୨୫ ବେସିସ ପଏଣ୍ଟ ବଢ଼ିପାରେ ବୋଲି ବଜାରରେ ଆକଳନ କରାଯାଉଛି।
ସୁନାରେ ନିବେଶ କଲେ କୌଣସି ସୁଧ କିମ୍ବା ଡିଭିଡେଣ୍ଡ ମିଳେ ନାହିଁ। ଅନ୍ୟପକ୍ଷରେ, ଆମେରିକାର ଫେଡେରାଲ ରିଜର୍ଭ ସୁଧହାର ଉଚ୍ଚସ୍ତରରେ ରଖିଲେ ସରକାରୀ ବଣ୍ଡ ଏବଂ ବ୍ୟାଙ୍କ ଜମା ଉପରେ ନିବେଶକଙ୍କୁ ଭଲ ରିଟର୍ନ ମିଳିପାରେ। ଏଭଳି ସ୍ଥିତିରେ ବଡ଼ ନିବେଶକମାନେ ସୁନା ବଦଳରେ ବଣ୍ଡରେ ଟଙ୍କା ଲଗାଇବାକୁ ଅଧିକ ଲାଭଦାୟକ ମନେ କରନ୍ତି। ଫଳରେ ସୁନାର ଚାହିଦା କମିବା ସହ ଦର ମଧ୍ୟ ହ୍ରାସ ପାଇଥାଏ।
୨୦୨୬ ଜାନୁଆରୀରେ ସୁନା ଓ ରୁପା ଐତିହାସିକ ସର୍ବୋଚ୍ଚ ଦର ଛୁଇଁଥିଲେ। ଏତେ ଦ୍ରୁତ ଦର ବୃଦ୍ଧି ପରେ ବିଶ୍ୱର ବଡ଼ ନିବେଶକ ଏବଂ ETF ଫଣ୍ଡଗୁଡ଼ିକ ବ୍ୟାପକ ଭାବେ ଲାଭ ଉଠାଇବା ଆରମ୍ଭ କରିଥିଲେ। ଏହି ଲାଭ ଉଠାଇବା ପ୍ରକ୍ରିୟା ଯୋଗୁ ବଜାରରେ ବିକ୍ରି ଚାପ ବଢ଼ିଥିଲା ଏବଂ ସୁନା-ରୁପା ଦର ତଳକୁ ଖସିଥିଲା।
Dharitri – Odisha’s No.1 Odia Daily

