Posted inଖେଳ

ଏସୀୟ ମହିଳା କ୍ରିକେଟରେ ଭାରତର ଆଧିପତ୍ୟ

ଏସିଆ କପ୍‌ ମହିଳା କ୍ରିକେଟର ଅଷ୍ଟମ ସଂସ୍କରଣ ନିକଟରେ ବାଂଲାଦେଶରେ ଅନୁଷ୍ଠିତ ହୋଇଯାଇଛି। ଟୁର୍ନାମେଣ୍ଟର ସବୁଠାରୁ ସଫଳ ଦଳଭାବେ ଭାରତ ସପ୍ତମ ଥରପାଇଁ ଚାମ୍ପିୟନ ହୋଇଛି। ଏସୀୟ କ୍ରିକେଟରେ ଭାରତୀୟ ମହିଳା ଦଳର ଆଧିପତ୍ୟ ଅବ୍ୟାହତ ରହିଥିବା ଏଥିରୁ ପ୍ରମାଣ ମିଳିଛି…

ଅନ୍ତର୍ଜାତୀୟ ଦୃଶ୍ୟପଟରେ ମହିଳା କ୍ରିକେଟର ଗୁରୁତ୍ୱ ବଢିଛି। ସେହି ଅନୁସାରେ ଦେଖିବାକୁ ଗଲେ ଭାରତରେ ମଧ୍ୟ ମହିଳା କ୍ରିକେଟ ବହୁ ଆଗକୁ ବଢ଼ିଛି। ମହିଳା ଏସିଆ କପ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଛି ଭାରତ। ଏ ପର୍ଯ୍ୟନ୍ତ ଖେଳାଯାଇଥିବା ୮ଟି ସଂସ୍କରଣ ମଧ୍ୟରୁ ୭ ଥର ଚାମ୍ପିୟନ ହେବାର ସୌଭାଗ୍ୟ ଅର୍ଜନ କରିଛି। ଏକଦା ମହିଳା କ୍ରିକେଟର ଆଦୌ ଗୁରୁତ୍ୱ ନ ଥିବା ବେଳେ ଗତ କିଛି ବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଏବଂ ବିଭିନ୍ନ ଦେଶର କ୍ରିକେଟ ବୋର୍ଡମାନେ ଏହାକୁ ପ୍ରାଧାନ୍ୟ ଦେବାରୁ ଅନେକ ଖ୍ୟାତିସମ୍ପନ୍ନ ଖେଳାଳି ସୃଷ୍ଟି ହୋଇ ପାରିଛନ୍ତି। ବିଭିନ୍ନ ଦେଶ ମଧ୍ୟରେ ଦ୍ୱିପାଖିକ ସିରିଜ ଆରମ୍ଭ ହୋଇଛି। ଏହା ସହିତ କ୍ରିକେଟର ୩ଟି ଫର୍ମାଟରେ ମଧ୍ୟ ପ୍ରତିଯୋଗିତା ହେଉଛି। ମହିଳାମାନେ ପ୍ରତିଯୋଗିତା ଗୁଡ଼ିକରେ ଚୟନକର୍ତ୍ତା, ଭାଷ୍ୟକାର, ମ୍ୟାଚ ରେଫରି ଏବଂ ଅମ୍ପାୟର ଦାୟିତ୍ୱ ମଧ୍ୟ ସଫଳତାର ସହ ନିର୍ବାହ କରୁଥିବାର ଦେଖାଯାଉଛି। ଯାହାକି କ୍ରିକେଟ ପରି ଏକ ଲୋକପ୍ରିୟ ଖେଳର ଗୁରୁତ୍ୱ ବଢାଇଛି।
ଏସିଆନ କାଉନସିଲ୍‌ ଅଫ୍‌ କ୍ରିକେଟ ଫର ଓମେନ୍ସ ଆନୁକୂଲ୍ୟରେ ପ୍ରତି ୨ବର୍ଷରେ ମହିଳା ଏସିଆ କପ୍‌ ଆୟୋଜନ ହେଉଛି। ଏଥିପାଇଁ ଆଇସିସି ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁଛି। ୨୦୦୪ରୁ ଆରମ୍ଭ ହୋଇଥିବା ମହିଳା ଏସିଆ କପ୍‌ର ପ୍ରଥମ ୪ଟି ସଂସ୍କରଣ ଏକଦିବସୀୟ ଫର୍ମାଟରେ ଖେଳାଯାଇଥିବା ବେଳେ ୨୦୧୨ରୁ ଏହା ଟି୨୦ ଫର୍ମାଟରେ ଅନୁଷ୍ଠିତ ହେଉଛି। ୨୦୦୪ରେ ପ୍ରଥମ ସଂସ୍କରଣ ଶ୍ରୀଲଙ୍କାଠାରେ ଖେଳାଯାଇଥିଲା। ଏଥିରେ ୨ଟି ଦଳ ଭାରତ ଓ ଶ୍ରୀଲଙ୍କା ଅଂଶ ଗ୍ରହଣ କରିଥିଲେ। ୫ ମ୍ୟାଚ ବିଶିଷ୍ଟ ଏକଦିବସୀୟକୁ ଭାରତୀୟ ଦଳ ୫-୦ରେ ଜିତିଥିଲା। ୨୦୦୬ରେ ଏହା ପାକିସ୍ତାନରେ ଆୟୋଜିତ ହୋଇଥିଲା। ଭାରତ ସହିତ ଶ୍ରୀଲଙ୍କା ଏବଂ ପାକିସ୍ତାନ ଏଥିରେ ଯୋଗ ଦେଇଥିଲେ। ଫାଇନାଲରେ ଶ୍ରୀଲଙ୍କାକୁ ୯୭ ରନ୍‌ରେ ହରାଇ ଭାରତ ୨ୟଥର ପାଇଁ ଚାମ୍ପିୟନ ହୋଇଥିଲା। ୨୦୦୬ରେ ଭାରତରେ ଆୟୋଜିତ ଏହି ଟୁର୍ନାମେଣ୍ଟରେ ଶ୍ରୀଲଙ୍କା ଫାଇନାଲରେ ଭାରତଠାରୁ ୮ ଉଇକେଟରେ ପରାସ୍ତ ହୋଇଥିଲା। ୨୦୦୮ରେ ଶ୍ରୀଲଙ୍କାକୁ ବିଶାଳ ରନ୍‌ ବ୍ୟବଧାନରେ ହରାଇ ଭାରତ ଚାମ୍ପିୟନ ହୋଇଥିଲା।
୨୦୧୨ଠାରୁ ଏହା ଟି୨୦ ଫର୍ମାଟକୁ ପରିବର୍ତ୍ତିତ ହୋଇଥିଲା। ୨୦୧୨ରେ ଚାଇନା ଏହାର ଆୟୋଜକ ହୋଇଥିଲା ଏବଂ ଭାରତ ଫାଇନାଲରେ ପାକିସ୍ଥାନକୁ ୧୯ ରନ୍‌ରେ ହରାଇ ଟାଇଟଲ ବଜାୟ ରଖିଥିଲା। ୨୦୧୬ରେ ଥାଇଲାଣ୍ଡ ଏହାର ଆୟୋଜକ ହୋଇଥିଲା ସେଠାରେ ମଧ୍ୟ ଭାରତ ଫାଇନାଲରେ ପାକିସ୍ଥାନକୁ ୧୭ ରନ୍‌ରେ ପରାସ୍ତ କରିଥିଲା। ମାତ୍ର ୨୦୧୮ରେ ମାଲେସିଆରେ ଅନୁଷ୍ଠିତ ପ୍ରତିଯୋଗିତାର ଫାଇନାଲରେ ବାଂଲାଦେଶ ୩ ଉଇକେଟରେ ବିଜୟୀ ହୋଇ ଭାରତର ବିଜୟ ଧାରାରେ ପ୍ରତିବନ୍ଧକ ଲଗାଇଥିଲା। କୋଭିଡ ପାଇଁ ୨ ବର୍ଷ ପ୍ରତିଯୋଗିତାର ଆୟୋଜନରେ ବ୍ରେକ୍‌ ଲାଗିଥିବାବେଳେ ୨୦୨୨ରେ ବାଂଲାଦେଶଠାରେ ଖେଳାଯାଇଥିବା ଟୁର୍ନାମେଣ୍ଟର ଫାଇନାଲରେ ଭାରତ ଶ୍ରୀଲଙ୍କାକୁ ୮ ଉଇକେଟରେ ପରାସ୍ତ କରି ପୁଣି ଟ୍ରଫି ମଣ୍ଡନ ଧାରାକୁ ଫେରିଛି।
ଟୁର୍ନାମେଣ୍ଟର ଗତ ସଂସ୍କରଣରେ ମୋଟ ୭ଟି ଦେଶ ଯୋଗ ଦେଇଥିବା ବେଳେ ୨୪ଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ଭାରତ ସହିତ ଆୟୋଜକ ବାଂଲାଦେଶ, ପାକିସ୍ଥାନ, ଶ୍ରୀଲଙ୍କା, ୟୁଏଇ, ଥାଇଲାଣ୍ଡ ଏବଂ ମାଲେସିଆ ଯୋଗଦେଇଥିଲେ। ଭାରତୀୟ ମହିଳା ଦଳ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ୪୫ ରନ୍‌ରେ ହରାଇଥିବା ବେଳେ ୨ୟ ମ୍ୟାଚରେ ମାଲେସିଆକୁ ଡିଏଲ ପଦ୍ଧତିରେ ୩୦ ରନ୍‌ରେ ପରାସ୍ତ କରିଥିଲା। ୩ୟ ମ୍ୟାଚରେ ୟୁଏଇକୁ ୧୦୪ରନ୍‌ରେ ହରାଇଥିଲେ ହେଁ ପରବର୍ତ୍ତୀ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ଥାନଠାରୁ ୧୩ରନ୍‌ରେ ହାରି ଯାଇଥିଲା। ତେବେ ୫ମ ମ୍ୟାଚରେ ବାଂଲାଦେଶକୁ ୫୯ ରନ୍‌ରେ ଏବଂ ୬ଷ୍ଠ ମ୍ୟାଚରେ ଥାଇଲାଣ୍ଡକୁ ୯ ଉଇକେଟରେ ହରାଇ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିଥିଲା।
ଭାରତ ଟୁର୍ନାମେଣ୍ଟର ପ୍ରଥମ ପର୍ଯ୍ୟାୟରେ ମୋଟ ୬ଟି ମ୍ୟାଚ ଖେଳି ୫ ବିଜୟ, ୧ ପରାଜୟ ସହ ୧୦ ପଏଣ୍ଟ ପାଇଥିଲା। ପାକିସ୍ଥାନ ୧୦ ପଏଣ୍ଟ ସହ ୨ୟ, ଶ୍ରୀଲଙ୍କା ୮ ପଏଣ୍ଟ ସହ ୩ୟ ଏବଂ ଥାଇଲାଣ୍ଡ ୬ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଥିଲା। ପ୍ରଥମ ସେମିଫାଇନାଲରେ ଭାରତ ୭୪ ରନ୍‌ରେ ଥାଇଲାଣ୍ଡକୁ ପରାସ୍ତ କରିଥିବା ବେଳେ ରୋମାଞ୍ଚକର ୨ୟ ସେମିରେ ଶ୍ରୀଲଙ୍କା ମାତ୍ର ୧ ରନରେ ପାକିସ୍ଥାନକୁ ହରାଇ ଟାଇଟଲ ପର୍ଯ୍ୟାୟରେ ପହଞ୍ଚତ୍ଥିଲା। ମାତ୍ର ଫାଇନାଲରେ ଭାରତ ଶୋଚନୀୟ ଭାବେ ଶ୍ରୀଲଙ୍କାକୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲା। ଚାମ୍ପିୟନ ଭାରତୀୟ ଦଳ ଟ୍ରଫି ସହ ପୁରସ୍କାର ଆକାରରେ ୧୬ଲକ୍ଷ ୪୮ହଜାର ଟଙ୍କା ପାଇଥିଲା। ଶ୍ରୀଲଙ୍କା ୧୦ଲକ୍ଷ ୩୦ହଜାର ଟଙ୍କା ସହ ରନର ଅପ୍‌ ପୁରସ୍କାର ପାଇଥିଲା।
ଭାରତ ପକ୍ଷରୁ ଜେଜିମା ରୋଡ୍ରିଗ୍ବେଜ ଟୁର୍ନାମେଣ୍ଟରେ ସର୍ବାଧିକ ୨୧୭ ରନ୍‌ ସ୍କୋର କରିଥିଲେ। ବ୍ୟକ୍ତିଗତ ସର୍ବାଧିକ ସ୍କୋର ଶ୍ରୀଲଙ୍କାର ହର୍ଷିତା ମାଧବୀ (୮୧ରନ୍‌)ଙ୍କ ନାମରେ ରହିଥିଲା। ରୋଡ୍ରିଗ୍ବେଜ ସର୍ବାଧିକ ୨ଟି ଅର୍ଦ୍ଧଶତକ ହାସଲ କରିଥିବାବେଳେ ଶେଫାଳୀ ବର୍ମା ସର୍ବାଧିକ ୬ଟି ଛକା ମାରିଥିଲେ। ଭାରତୀୟ ବୋଲର ଦୀପ୍ତି ଶର୍ମା ଏବଂ ଶ୍ରୀଲଙ୍କାର ଇନୋକା ରାନାୱିରା ୧୩ଟି ଲେଖାଏ ଉଇକେଟ ହାସଲ କରିଥିଲେ। ଗୋଟିଏ ଇନିଂସରେ ଶ୍ରେଷ୍ଠ ବୋଲିଂ ସଫଳତା ପାଇଥିଲେ ପାକିସ୍ତାନର ଓମାଇମା ସୋହେଲ (୫/୧୩)।
ଅନ୍ୟ ପକ୍ଷରେ ଦେଖିବାକୁ ହେଲେ ଓଡ଼ିଶା ମହିଳା ସିନିୟର କ୍ରିକେଟ ଦଳ ଗତ କିଛି ବର୍ଷ ହେବ ବିସିସିଆଇ ଦ୍ୱାରା ଆୟୋଜିତ ମହିଳା କ୍ରିକେଟ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ତାହା ପର୍ଯ୍ୟାପ୍ତ ହୋଇନାହିଁ। ଓଡ଼ିଶା ଦଳରେ ଅନେକ ଖ୍ୟାତି ସମ୍ପନ୍ନ ଏବଂ ପ୍ରତିଭାବାନ ମହିଳା ଖେଳାଳି ଅଛନ୍ତି। ସେମାନଙ୍କ ମଧ୍ୟରେ ମାଧୁରୀ ମେହେଟା, ସରିତା ମେହେର, ମଧୁସ୍ମିତା ବେହେରା, ପ୍ରିୟଙ୍କା ପ୍ରିୟଦର୍ଶିନୀ, ବନଲତା ମଲିକ, ସୁଜାତା ମଲିକ, ସୁଶ୍ରୀ ଦିବ୍ୟଦର୍ଶିନୀ, କାଜଲ ଜେନା, ରୋଶନାରା ପରବିନ ଅନ୍ୟତମ। ଗତ କିଛି ବର୍ଷ ହେବ ଓଡ଼ିଶା କ୍ରିକେଟ ଆସୋସିଏଶନ ମହିଳା କ୍ରିକେଟକୁ ବେଶ୍‌ ଗୁରୁତ୍ୱ ଦେଉଛି। ବଛାବଛା ଖେଳାଳିଙ୍କୁ ନେଇ ଓଡ଼ିଶା ଓମେନ୍ସ ପ୍ରିମିୟର ଲିଗ୍‌ ଆୟୋଜନ କରୁଛି। ଏଥିରୁ ଭଲ ଖେଳାଳି ମଧ୍ୟ ସୃଷ୍ଟି ହୋଇଛନ୍ତି। ଇତି ମଧ୍ୟରେ ଓଡ଼ିଶା ଟି୨୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣ ସରିଛି। ପ୍ରିୟଙ୍କା ପ୍ରିୟଦର୍ଶିନୀ, ସୁଶ୍ରୀ ପ୍ରିୟଦର୍ଶିନୀ, ସରିତା ମେହର, ମାଧୁରୀ ମେହେଟା ପ୍ରମୁଖ ଘରୋଇ ସିଜନ୍‌ରେ ଭଲ ପ୍ରଦର୍ଶନ କରି ସୁଯୋଗ ଅପେକ୍ଷାରେ ରହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri