ନୂଆଦିଲ୍ଲୀ, ୮।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମାକୁ ନେଇ ରହିଥିବା ବିବାଦର ସମାଧାନ ପାଇଁ କୂଟନୈତିକ ଏବଂ ସାମରିକ ମାଧ୍ୟମଗୁଡ଼ିକୁ ବ୍ୟବହାର ଜାରି ରଖିବାକୁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି। ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍ଏସି)ନିକଟରେ ଭୁଲ୍ ବୁଝାମଣା ଏବଂ ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ ଉଭୟ ଦେଶର ପ୍ରତିନିଧିମାନେ ବୈଠକରେ ମିଳିତ ଭାବେ ଆଲୋଚନା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଏକ ‘ସ୍ପଷ୍ଟ ଓ ମୁକ୍ତ’ ଆଲୋଚନା ବୋଲି କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତ-ଚାଇନା ସୀମା ବ୍ୟାପାର ପରାମର୍ଶ ଏବଂ ସମନ୍ବୟ କାର୍ଯ୍ୟର ୩୬ତମ ବୈଠକରେ ଏହି ଆଲୋଚନା ହୋଇଛି। ବୈଠକରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ବୈଦେଶିକ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜିତ୍ ଘୋଷ୍ ଏବଂ ବୈଦେଶିକ ମନ୍ତ୍ରଣାଳୟର ସୀମାନ୍ତ ଓ ମହାସାଗର ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ହୌ ୟାନ୍କି ଚାଇନା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

