କାକୁଡ଼ିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଶରୀର ପାଇଁ ବେଶ୍ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି ଯେ, ସ୍ମରଣ ଶକ୍ତିଜନିତ ସମସ୍ୟାର କେତେକାଂଶରେ ସମାଧାନ କରିବାରେ କାକୁଡ଼ି ସାହାଯ୍ୟ କରିଥାଏ। ଏଭଳି ବିଷୟବସ୍ତୁକୁ ନେଇ ଟୋକିଓ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ନିୟମିତ ଖାଦ୍ୟ ତାଲିକାରେ କାକୁଡ଼ି ସାମିଲ କରିବାକୁ ପରାମର୍ଶ ଦିଆଯାଇଥିଲା। କେବଳ ସେତିକି ନୁହେଁ, ଏହାର କି ପ୍ରକାର ପ୍ରଭାବ ସ୍ମରଣ ଶକ୍ତି ଉପରେ ପଡୁଛି ତାହାକୁ ତନ୍ନ ତନ୍ନ କରି ମଧ୍ୟ ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଅନୁଧ୍ୟାନ କରିଥିଲେ। ପରିଶେଷରେ ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ବ୍ୟକ୍ତିଙ୍କର ସ୍ମରଣ ଶକ୍ତିରେ ଉନ୍ନତି ଘଟିଥିବାର ସେମାନେ ଜାଣିବାକୁ ପାଇଥିଲେ। କେବଳ ସେତିକି ନୁହେଁ, ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରଖିବାରେ କାକୁଡି ଅନେକାଂଶରେ ସାହାଯ୍ୟ କରିଥାଏ। ଏଥିରେ ଫାଇବର ତତ୍ତ୍ୱ ଭରି ରହିଛି, ଯାହାଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ କେତେକାଂଶରେ ଦୂର ହୋଇଥାଏ। ସବୁଠାରୁ ଖାସ୍ କଥା ହେଲା, ଜଣେ ମଧୁମେହ ବା ଡାଇବେଟିସ୍ ରୋଗୀ ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର।

