
ଭୁବନେଶ୍ୱର, ୧୮ା୪: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଢେଙ୍କାନାଳ ଏବଂ କଟକ ଜିଲା ସହିତ କଟକ ସହର ପାଇଁ ମଧ୍ୟମ ଘଡ଼ଘଡ଼ି ସହ ବିଜୁଳି ଏବଂ ପ୍ରବଳ ପବନ ସମ୍ଭାବନା ଥିବା ସୂଚନା ଦେଇ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି।
ଆଜି ସକାଳ ୮:୪୦ରେ ଜାରି ହୋଇଥିବା ଆଇଏମଡି ବୁଲେଟିନ ଅନୁଯାୟୀ, ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ପବନର ବେଗ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ହେବ ଏବଂ ପ୍ରଭାବିତ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହେବ।
ପାଣିପାଗ ସ୍ଥିତି ଯୋଗୁଁ ତଳିଆ ଅଂଚଳ, ଅସୁରକ୍ଷିତ ଘର ଏବଂ କଦଳୀ ଗଛରେ କ୍ଷୁଦ୍ର କ୍ଷତି ହୋଇପାରେ। ପ୍ରବଳ ପବନ ଏବଂ ବର୍ଷା ଯୋଗୁଁ ଚାଷ ଜମିରେ ଥିବା ଫସଲରେ ମଧ୍ୟ କିଛି କ୍ଷତି ହୋଇପାରେ।
ଆଇଏମଡି ଲୋକଙ୍କୁ ସତର୍କ ରହିବାକୁ ଏବଂ ସର୍ବଶେଷ ପାଣିପାଗ ଅପଡେଟ୍ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି। ସେମାନଙ୍କୁ ଘର ଭିତରେ ରହିବାକୁ, ବିଜୁଳି ସମୟରେ ଖୋଲା ଅଞ୍ଚଳ ଏଡାଇବାକୁ ଏବଂ ସ୍ଥିତି ଖରାପ ହେଲେ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।