ନିଜ ନୀତିରେ ନିଜେ ଶିକାର

ପ୍ରକାଶ ତ୍ରିପାଠୀ

ଆଉ ୨ଦିନ ଯାଇଥିଲେ ସ୍କୁଲରେ ଖରାଦିନିଆ ଛୁଟି ହୋଇଥାନ୍ତା। ପିଲାମାନେ ମନଖୁସିରେ ଛୁଟି ମନାଇ ଥାନ୍ତେ। ବିଭିନ୍ନ ଦର୍ଶନୀୟ ସ୍ଥାନ ଭ୍ରମଣରେ ଯାଇଥାନ୍ତେ ଅବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ ଛୁଟି କଟାଇଥାନ୍ତେ। ହେଲେ ବିଧିର ବିଧାନ କିଛି ଅଲଗା। ସ୍କୁଲରେ ପଢୁଥିବାବେଳେ ସେମାନଙ୍କ ଜୀବନ ପ୍ରଦୀପ ଲିଭିଗଲା। ଆତତାୟୀଙ୍କ ଗୁଳିମାଡ଼ରେ ସେମାନଙ୍କ ନିରୀହ ପ୍ରାଣ ଚାଲିଗଲା। ଏଭଳି ହୃଦୟ ବିଦାରକ ଘଟଣା ଘଟାଇଛି ଅଧିକ ସଭ୍ୟ ଓ ଶିକ୍ଷିତ କୁହାଯାଉଥିବା ଦେଶ ଆମେରିକାରେ। ଟେକ୍ସାସର ଇଭାଲ୍‌ଡେ ସହରସ୍ଥିତ ରୋବ ପ୍ରାଥମିକ ସ୍କୁଲରେ ଗତ ମେ ୨୪ରେ ଜଣେ ସ୍କୁଲ ଛାତ୍ରଙ୍କ ଗୁଳିମାଡ଼ରେ ୧୯ ଜଣ ଶିଶୁ ଓ ୨ ଜଣ ଶିକ୍ଷୟିତ୍ରୀ ମୋଟ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଶିଶୁମାନଙ୍କ ବୟସ ୫ ରୁ ୧୧ ବର୍ଷ ମଧ୍ୟରେ ହେବ। ଏଭଳି ନାରକୀୟ କାଣ୍ଡ ଘଟାଇଛନ୍ତି ଜଣେ ୧୮ ବର୍ଷୀୟ ହାଇସ୍କୁଲ ଛାତ୍ର ସାଲ୍‌ଭେଡର ରାମୋସ। ଅବଶ୍ୟ ସୁରକ୍ଷା କର୍ମୀଙ୍କ ଗୁଳିମାଡ଼ରେ ରାମୋସଙ୍କ ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ରାମୋସଙ୍କ ହାତରେ ଥିଲା ଏକ ସେମି ଅଟୋମେଟିକ ରାଇଫଲ ଓ ପାଖରେ ମହଜୁଦ ଥିଲା ହ୍ୟାଣ୍ଡ ଗନ୍‌ ଓ କିଛି ଗୁଳି ଭର୍ତ୍ତି ମାଗ୍‌ଜିନ। ଗତ କିଛିଦିନ ତଳେ ସେ ତା’ର ଜନ୍ମଦିନରେ ଦୁଇଟି ବନ୍ଧୁକ ଉପହାର ଭାବେ ପାଇଥିଲା। ଉକ୍ତ ଦିନ ପ୍ରଥମେ ସେ ଏହି ବନ୍ଧୁକ ଯୋଗେ ତା’ର ଜେଜେମା ଉପରକୁ ଗୁଳି ଚଳାଇଥିଲା ଓ ସୌଭାଗ୍ୟକ୍ରମେ ଗୁଳିଟି ଜେଜେମା’ଙ୍କ ଦେହରେ ବାଜି ନ ଥିଲା। ଏହାପରେ ସେ ନିଜ କାର ଯୋଗେ ନିକଟସ୍ଥ ସ୍କୁଲ ଭିତରକୁ ଯାଇ ଗୋଟିଏ ଶ୍ରେଣୀଗୃହରେ ଆଖିବୁଜା ଗୁଳି ଚଳାଇ ଥିଲା। ଯଦି ତୁରନ୍ତ ତାକୁ ସୁରକ୍ଷା କର୍ମୀମାନେ ହତ୍ୟା କରି ନ ଥାନ୍ତେ , ତେବେ ମୃତ୍ୟୁ ସଂଖ୍ୟା ଯେ କେତେ ହୋଇଥାନ୍ତା ତାହା କଳ୍ପନା କରିହୋଇ ନ ଥାନ୍ତା। ପ୍ରକାଶଯୋଗ୍ୟ, ଏହାର ମାତ୍ର ୧୦ ଦିନ ପୂର୍ବରୁ ଅର୍ଥାତ୍‌ ମେ ୧୪ରେ ନ୍ୟୁୟର୍କର ବଫାଲୋ ସହରରେ ଥିବା ଏକ ସୁପର ମାର୍କେଟରେ ୧୮ ବର୍ଷୀୟ ଜଣେ ଯୁବକଙ୍କ ଆଖିବୁଜା ଗୁଳି ଚାଳନାରେ ୧୦ ଜଣଙ୍କ ଜୀବନ ଯାଇଥିଲା।
ଆମେରିକାରେ ବନ୍ଧୁକ ଧରିବା ଏକ ସାଧାରଣ କଥା ଓ ତଜ୍ଜନିତ ଗୁଳିକାଣ୍ଡ ଘଟଣା ବି ଅନୁରୂପ ସାଧାରଣ। ମାତ୍ର ୧୦ ଦିନରେ ୩୦ ରୁ ଅଧିକ ଜୀବନ ଯିବା ତଥା ଶପିଂ ମଲ୍‌ ଓ ପ୍ରାଥମିକ ସ୍କୁଲରେ ବିନା କାରଣରେ ଗୁଳିକାଣ୍ଡ ଘଟାଇବା ଏହାର ସଦ୍ୟତମ ଉଦାହରଣ। ଅତି ଉନ୍ନତ ମସ୍‌କେଟ ବନ୍ଧୁକଠାରୁ ମେଶିନ ଗନ୍‌ ପର୍ଯ୍ୟନ୍ତ ଆମେରିକୀୟଙ୍କ ନିକଟରେ ରହିବା ଅତି ସାଧାରଣ କଥା। ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ଭଳି ବନ୍ଧୁକ ସେଠାରେ କିଣାଯାଇଥାଏ। ଆମେରିକାର ଜନସଂଖ୍ୟା ୩୩୨ ନିୟୁତ, ହେଲେ ସାଧାରଣ ନାଗରିକ ପାଖରେ ରହିଛି ୩୯୩ ନିୟୁତ ବନ୍ଧୁକ। ଅନୁସନ୍ଧାନ କୁହେ, ପ୍ରତିବର୍ଷ ଆମେରିକାରେ ଗୁଳିକାଣ୍ଡଜନିତ ମୃତ୍ୟୁସଂଖ୍ୟା ପ୍ରାୟ ୩୦ ହଜାର। ଏହାର ପ୍ରାୟ ୨୦ ହଜାର ମୃତ୍ୟୁ ହେଉଛି ଆତ୍ମହତ୍ୟା, ଯେଉଁମାନେ କି ନିଜ ବନ୍ଧୁକ ଯୋଗେ ପ୍ରାଣ ହରାଇଥାନ୍ତି। ବନ୍ଧୁକ ପାଖରେ ରଖିବାକୁ ସେଠାରେ ଏକ ମୌଳିକ ଅଧିକାର ଭାବେ ଗ୍ରହଣ କରାଯାଏ। ଜରୁରୀ ପରିସ୍ଥିତିରେ ସାଧାରଣ ନାଗରିକଙ୍କୁ ନିଜ ପାଖରେ ଆତ୍ମରକ୍ଷା ନିମନ୍ତେ ବନ୍ଧୁକ ରଖିବାକୁ ସେଠାରେ ଅନୁମତି ଦିଆଯାଇଥାଏ। ଆମେରିକାର ବନ୍ଧୁକ ନୀତି ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ରହିଛି। ଅତୀତରେ ଏହିପରି ଅନେକ ଗୁଳିକାଣ୍ଡ ଘଟିବା ପରେ ପରେ ସେଠାକାର ରାଷ୍ଟ୍ରପତିମାନେ ବନ୍ଧୁକ ନୀତିରେ ପରିବର୍ତ୍ତନ ପାଇଁ ଘୋଷଣା କରିଥାନ୍ତି, ମାତ୍ର ପର ମୁହୂର୍ତ୍ତରେ ମୌନତା ଅବଲମ୍ବନ କରିଥାନ୍ତି। ଏବର ଗୁଳିକାଣ୍ଡ ଘଟଣାକୁ ଅନ୍ତର୍ଜାତୀୟ ଲଜ୍ଜା ଭାବେ ଅଭିହିତ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ବହୁତ ହୋଇଗଲା, ଆଉ ନୁହେଁ। ଗୁଳିକାଣ୍ଡ ଯୋଗୁ ନିରୀହ ଶିଶୁ ଓ ନାଗରିକଙ୍କ ମୃତ୍ୟୁ ଉପରେ ସେ ବାରମ୍ବାର ମନ୍ତବ୍ୟ ଦେଇ ଦେଇ ଥକି ପଡ଼ିଲେଣି। କେବଳ ଆମେରିକା ନୁହେଁ, ସବୁ ରାଷ୍ଟ୍ରରେ ନାଗରିକ ମାନଙ୍କ ମାନସିକ ସମସ୍ୟା ରହିଛି, ପାରିବାରିକ ବିବାଦ ରହିଛି। ହେଲେ ଏଭଳି ହିଂସା କେଉଁଠାରେ ହେଉନାହିଁ। କାହିଁକି ଆମେମାନେ ଏଭଳି ଗୁଳିକାଣ୍ଡ ଭଳି ଏକ ଅତି ହିଂସାତ୍ମକ ବାତାବରଣରେ ବାରମ୍ବାର ରହୁଛେ। ପ୍ରତ୍ୟେକ ମାତାପିତାଙ୍କ ପୀଡ଼ା କମ୍‌ ପାଇଁ, ଏ ଦେଶର ପ୍ରତ୍ୟେକ ନାଗରିକଙ୍କ ପୀଡ଼ା କମ୍‌ କରିବା ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେ ଆଉ ମନ୍ତବ୍ୟ ପ୍ରଦାନ ନୁହେଁ, ପଦକ୍ଷେପ ନେବାର ସମୟ ଆସିଯାଇଛି। ଠିକ୍‌ ଏହିଭଳି ମନ୍ତବ୍ୟ ବାଇଡେନ ଦେଇଥିଲେ ୨୦୨୧ ଏପ୍ରିଲ ୮ ରେ ଯେତେବେଳେ ସାଉଥ କାରୋଲିନାସ୍ଥିତ ରକ୍‌ ହିଲ୍‌ ବାସଭବନରେ ୭୦ ବର୍ଷୀୟ ଡାକ୍ତରଙ୍କ ସହ ତାଙ୍କ ପରିବାରର ୪ ସଦସ୍ୟଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। କିନ୍ତୁ ଏହାପରେ ବନ୍ଧୁକ ନିୟନ୍ତ୍ରଣ ଉପରେ କୌଣସି ପଦକ୍ଷେପ ନେବା ତ ଦୂରର କଥା ଆଲୋଚନା ମଧ୍ୟ ହୋଇ ନ ଥିଲା। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଶାସନ କାଳରେ ଅନେକ ଥର ବନ୍ଧୁକ ନୀତି ସଂଶୋଧନ ପାଇଁ ମନ୍ତବ୍ୟ ପ୍ରଦାନ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ।
ରାଷ୍ଟ୍ରପତି ବାଇଡେନ ଆଜି ଯେଉଁ ଚିନ୍ତା ପ୍ରକଟ କରିଛନ୍ତି, ସେଭଳି ଚିନ୍ତା ୫୦ ବର୍ଷ ପୂର୍ବେ ତତ୍କାଳୀନ ରାଷ୍ଟ୍ରପତି ଲିନ୍‌ଡେନ ଜନ୍‌ସନ ବି ପ୍ରକଟ କରିଥିଲେ। ସେବେଠାରୁ ଗୁଳିକାଣ୍ଡ ଓ ଅବାଧ ବନ୍ଧୁକ ବ୍ୟବହାରକୁ ନେଇ ରାଷ୍ଟ୍ରପତିମାନେ କେବଳ ଚିନ୍ତା ପ୍ରକଟ କରିଆସିଛନ୍ତି, ମାତ୍ର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଫଳ ସ୍ବରୂପ ଆମେରିକାରେ ବିଗତ ୫୦ ବର୍ଷ ମଧ୍ୟରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଲାଣି। ଆମେରିକାରେ ସାଧାରଣ ନାଗରିକମାନେ ନିଜ ପାଖରେ ବନ୍ଧୁକ ରଖିବା ନିମନ୍ତେ ଥିବା ଆଇନ ଏକ ବଡ଼ ରାଜନୈତିକ ପ୍ରସଙ୍ଗ। ଏଭଳି ଆଇନରେ ସଂଶୋଧନ ବାବଦରେ ୨୦୨୦ ରେ ଏକ ସର୍ଭେ ହୋଇଥିଲା ଓ ସଂଶୋଧନ ସପକ୍ଷରେ ୫୨ ପ୍ରତିଶତ ନାଗରିକ ମତ ଦେଇଥିବା ବେଳେ ଏହାକୁ ବିରୋଧ କରିଥିଲେ ୩୫ ପ୍ରତିଶତ ନାଗରିକ। ଡେମୋକ୍ରାଟିକ ଦଳର ୯୧ ପ୍ରତିଶତ ସମର୍ଥକ ବନ୍ଧୁକ ରଖିବା ଆଇନକୁ ଅଧିକ କଡ଼ାକଡ଼ି କରିବାକୁ ମତ ଦେଇଥିବା ବେଳେ ରିପବ୍ଳିକନ୍‌ ଦଳର ମାତ୍ର ୨୪ ପ୍ରତିଶତ ଏହା ସପକ୍ଷରେ ଥିଲେ। ସୂଚନାଯୋଗ୍ୟ, ନ୍ୟାଶନାଲ ରାଇଫଲ ଆସୋସିଏସନ ଆମେରିକାରେ ନାଗରିକମାନେ ବନ୍ଧୁକ ରଖିବାରେ ଥିବା ଆଇନ ସପକ୍ଷରେ ବଡ଼ ଲବି ଭାବେ କାର୍ଯ୍ୟ କରିଥାଏ। ଏହି ଆସୋସିଏସନ ନିଜର ଅର୍ଥ ବଳରେ ଆମେରିକାର ସାଂସଦମାନଙ୍କୁ ପ୍ରଭାବିତ କରିଥାଏ। ଏଇଥିପାଇଁ ଆମେରିକାର ବନ୍ଧୁକ ନୀତିରେ ସଂଶୋଧନ କିମ୍ବା ଏହା ବିରୋଧରେ କୌଣସି ପଦକ୍ଷେପ ନେବାର ସୁଯୋଗ ଆସେନାହିଁ।
ନିରୀହ ଶିଶୁମାନଙ୍କ ଅକାଳ ମୃତ୍ୟୁର ଦୁଃଖରେ ହ୍ବାଇଟ ହାଉସରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି। ପୂର୍ବରୁ ୨୦୧୨ରେ ନ୍ୟୁ ଟାଉନର ସାଣ୍ଡିହୁକ ପ୍ରାଥମିକ ବିଦ୍ୟାଳୟରେ ଜଣେ କିଶୋରଙ୍କ ଅଚାନକ ଗୁଳିଚାଳନାରେ ୨୦ ଜଣ ଶିଶୁଙ୍କ ସମେତ ୨୬ ଜଣଙ୍କ ଅକାଳ ମୃତ୍ୟୁ ଘଟିବା ପରେ ଏହିପରି ଜାତୀୟ ଶୋକ ପାଳନ କରାଯାଇଥିଲା। ଏଭଳି ନିରୀହ ଶିଶୁଙ୍କୁ ଶିକ୍ଷାନୁଷ୍ଠାନଗୁଡିକରେ ଗୁଳିକରି ଗଣହତ୍ୟା କରିବା ଘଟଣା ଆମେରିକାରେ ବାରମ୍ବାର ଘଟୁଥିଲେ ମଧ୍ୟ ସେଠାକାର ସରକାର ବନ୍ଧୁକ ନୀତିରେ ପରିବର୍ତ୍ତନ ନ ଆଣିବା ଏକ ଆଶ୍ଚର୍ଯ୍ୟ ଘଟଣା। ନିଜ ବନ୍ଧୁକ ନୀତିରେ ନିଜେ ଆମେରିକା ଶିକାର ହେବା ସାର ହେଉଛି। ଦେଖାଯାଉ, ରାଷ୍ଟ୍ରପତି ବାଇଡେନ ଆମେରିକାରେ ଥିବା କୋହଳ ବନ୍ଧୁକ କିଣା ନୀତିରେ କିଛି କଟକଣା ଲଗାଉଛନ୍ତି କି ପୁଣି ପୂର୍ବ ଭଳି ଆଉ ଏକ ଦୁଃଖଦ ଦୁର୍ଘଟଣା ଘଟିବାକୁ ଅପେକ୍ଷା କରୁଛନ୍ତି।
ମୋ- ୯୪୩୭୨୩୨୪୬୩
prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri