ନୂଆଦିଲ୍ଲୀ,୬।୯: UPI ପେମେଣ୍ଟ ଟଙ୍କା କାରବାରକୁ ବହୁତ ସହଜ ଏବଂ ଦ୍ରୁତ କରିଦେଇଛି। ତଥାପି, ବେଳେବେଳେ ତରବରିଆ ଭାବେ କିମ୍ୱା ଅସାବଧାନତା ଯୋଗୁଁ ଭୁଲ ନମ୍ୱର ବା ଅଜଣା QR କୋଡରେ ଟଙ୍କା ଟ୍ରାନ୍ସଫର ହୋଇଯାଏ। ଏପରି ପରିସ୍ଥିତିରେ ଭୟଭୀତ ନହୋଇ ତୁରନ୍ତ ସଠିକ ପଦକ୍ଷେପ ନେବା ଜରୁରୀ।
ଭୁଲ ଆକାଉଣ୍ଟକୁ ପଠାଯାଇଥିବା ଟଙ୍କା ସବୁଦିନ ପାଇଁ ବୁଡ଼ିଯାଏ ନାହିଁ। ଯଦିଓ UPI PIN ଦେଇ କରାଯାଇଥିବା କାରବାର ଆପଣଙ୍କ ଦ୍ୱାରା ଅନୁମୋଦିତ ବୋଲି ଧରାଯାଏ, ତେଣୁ ବ୍ୟାଙ୍କ ଏହାକୁ ନିଜେ ସିଧାସଳଖ ଫେରାଇ (Reverse) ପାରିବ ନାହିଁ। ଟଙ୍କା ଫେରି ମିଳିବ କି ନାହିଁ, ତାହା ଆପଣ କେତେ ଶୀଘ୍ର ଅଭିଯୋଗ କରୁଛନ୍ତି ତାହା ଉପରେ ର୍ନିଭର କରେ।
ଭୁଲ ପେମେଣ୍ଟ ହେଲେ ପ୍ରଥମେ ନିଜର UPI ଆପ (ଯେପରିକି PhonePe, Google Pay, Paytm ବା BHIM)କୁ ଯାଇ କାରବାରର ସ୍ଥିତି (Transaction Status) ଯାଞ୍ଚ କରନ୍ତୁ। ଯଦି କାରବାରଟି Pending ବା Processing ଦେଖାଉଛି ଏବଂ ପରେ ବିଫଳ (Fail) ହୋଇଯାଏ, ତେବେ ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରି ଆସିବ। ଯଦି ପେମେଣ୍ଟ ସଫଳ ହୋଇ ଆପଣଙ୍କ ବ୍ୟାଙ୍କରୁ ଟଙ୍କା କଟିଯାଇଛି, ତେବେ ଧରିନିଅନ୍ତୁ ଯେ ଟଙ୍କା ଗ୍ରହଣକାରୀଙ୍କ ଆକାଉଣ୍ଟରେ ଜମା ହୋଇସାରିଛି। ଏବେ ଏହା ଆପେ ଆପେ ଫେରିବାକୁ ଅପେକ୍ଷା କରନ୍ତୁ ନାହିଁ।
UPI ଆପ ଏବଂ ନିଜ ବ୍ୟାଙ୍କରେ ତୁରନ୍ତ ଅଭିଯୋଗ କରନ୍ତୁ: ଯେଉଁ ଆପ (GPay, PhonePe, Paytm, BHIM ଇତ୍ୟାଦି)ରୁ ପେମେଣ୍ଟ କରିଛନ୍ତି, ତାର Help & Support କିମ୍ୱା Raise Dispute/Complaint ସେକ୍ସନକୁ ଯାଇ ଟ୍ରାଞ୍ଜାକସନ ରିପୋର୍ଟ କରନ୍ତୁ।
ନିଜ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ: ଏହା ପରେ ତୁରନ୍ତ ନିଜ ବ୍ୟାଙ୍କର କଷ୍ଟମର କେୟାର୍ ସହ କଥା ହୁଅନ୍ତୁ କିମ୍ୱା ହୋମ ବ୍ରାଞ୍ଚ ଯାଆନ୍ତୁ। ବ୍ୟାଙ୍କକୁ UPI Transaction ID, Reference Number, ତାରିଖ ଏବଂ ସ୍କ୍ରିନସଟ ପ୍ରଦାନ କରନ୍ତୁ। ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ଶାଖା ସହିତ ଯୋଗାଯୋଗ କରି ଗ୍ରହଣକାରୀଙ୍କୁ ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିପାରିବ।
NPCI ପୋର୍ଟାଲରେ ଅଭିଯୋଗ ଦାଖଲ କରନ୍ତୁ: ଯଦି UPI ଆପ ବା ବ୍ୟାଙ୍କରୁ କୌଣସି ସମାଧାନ ନମିଳେ, ତେବେ National Payments Corporation of India (NPCI)ର ଅଫିସିଆଲ ୱେବସାଇଟ npci.org.in କୁ ଯାଇ ‘Dispute Redressal Mechanism’ ରେ ନିଜର ଅଭିଯୋଗ ଦାଖଲ କରନ୍ତୁ।
ଅନେକ ଲୋକ ଭାବନ୍ତି ଯେ ବ୍ୟାଙ୍କ ଅନ୍ୟ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଟଙ୍କା କାଟି ସିଧାସଳଖ ତାଙ୍କ ଆକାଉଣ୍ଟକୁ ପଠାଇ ଦେବ, କିନ୍ତୁ ପ୍ରକୃତରେ ତାହା ନୁହେଁ। ଯେହେତୁ ଆପଣ ନିଜେ UPI PIN ଦେଇ ପେମେଣ୍ଟ କରିଛନ୍ତି, ତେଣୁ ବ୍ୟାଙ୍କ ଗ୍ରହଣକାରୀଙ୍କ ଅନୁମତି ବିନା ତାଙ୍କ ଆକାଉଣ୍ଟରୁ ଟଙ୍କା କାଢ଼ି ପାରିବ ନାହିଁ। ବ୍ୟାଙ୍କ କେବଳ ସେହି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିପାରିବ କିମ୍ୱା ଆବଶ୍ୟକ ପଡ଼ିଲେ ତାର ଆକାଉଣ୍ଟ ଫ୍ରିଜ (ବ୍ଲକ) କରିପାରିବ। ଅଧିକାଂଶ କ୍ଷେତ୍ରରେ, ବ୍ୟାଙ୍କ ବୁଝାଇବା ପରେ ଲୋକମାନେ ନିଜ ଇଚ୍ଛାରେ ଟଙ୍କା ଫେରାଇ ଦିଅନ୍ତି। ଯଦି ସେହି ବ୍ୟକ୍ତି ଟଙ୍କା ଫେରାଇବାକୁ ମନା କରନ୍ତି, ତେବେ ଆଇନଗତ ପ୍ରକ୍ରିୟାରେ ସମୟ ଲାଗିପାରେ।

