Posted inଫୁରସତ

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ ନ ଥିଲେ…

ପ୍ରେମିକ କହିବା ମାତ୍ରେ ହିଁ ଆମେ କଳ୍ପନା କରିଥାଉ ଜଣେ ନରମ ସ୍ବଭାବର ପୁରୁଷ, କିନ୍ତୁ ସମଗ୍ର ବିଶ୍ୱର ଆତଙ୍କ ତଥା ନାଜି ବାହିନୀର ଲିଡର୍‌ ସ୍ବେଚ୍ଛାଚାରୀ ହିଟଲର୍‌ଙ୍କ ଜୀବନରେ ବି ପ୍ରେମ ଥିଲା ସେକଥା ଶୁଣିବା ମାତ୍ରେ ଅବାକ୍‌ ହେବାକୁ ପଡ଼ିଥାଏ।
ଭୟଙ୍କର ମଣିଷଙ୍କ ପ୍ରେମରେ ପଡ଼ିଥିଲେ ଏକାଧିକ ନାରୀ । ସେମାନଙ୍କ ମଧ୍ୟରୁ ଇଭା ବ୍ରାଉନ ଥିଲେ ଅନ୍ୟତମ ।
ଯେତେବେଳେ ଇଭାଙ୍କ ସହିତ ହିଟ୍‌ଲରଙ୍କ ପରିଚୟ ହୋଇଥିଲା ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୧୭ ବର୍ଷ ଏବଂ ହିଟଲର୍‌ ଥିଲେ ୪୦ବର୍ଷର ଯୁବକ । ସେତେବେଳେ ଇଭା ଜଣେ ଫଟୋଗ୍ରାଫରଙ୍କ ସହକାରୀ ଓ ମଡେଲ ଭାବରେ କାମ କରୁଥିଲେ । ପ୍ରଥମ ସାକ୍ଷାତ୍‌ ବେଳେ ହିଟ୍‌ଲରଙ୍କ ଅସଲ ପରିଚୟ ଜାଣି ନ ଥିଲେ ଇଭା । ତଥାପି ପ୍ରଥମ ସାକ୍ଷାତ୍‌ରେ ହିଁ ସେ ହିଟଲରଙ୍କ ପ୍ରେମରେ ପଡ଼ିଥିଲେ । ହିଟ୍‌ଲର ମଧ୍ୟ ତାଙ୍କ ସୁନ୍ଦର ଆଖି ଦେଖି ରହିଯାଇଥିଲେ । ଏହାପରେ ଧୀରେ ଧୀରେ ହିଟ୍‌ଲରଙ୍କ ସହିତ ଇଭାଙ୍କର ଦେଖାସାକ୍ଷାତ୍‌ ବଢୁଥାଏ। ଆଉ ତା’ଭିତରେ ସେମାନଙ୍କ ଭିତରର ପ୍ରେମ ବି। ସେତେବେଳେ ଅବଶ୍ୟ ହିଟଲର୍‌ ସ୍ବେଚ୍ଛାଚାରୀ ନ ଥିଲେ ।
ଅନେକଙ୍କ ମତରେ ଇଭାଙ୍କ ସହିତ ଜଡିତ ହେବା ପୂର୍ବରୁ ହିଟ୍‌ଲର ତାଙ୍କର ସାବତ ଭଉଣୀ ଏଞ୍ଜେଲାଙ୍କ ଝିଅ ଗେଲି ରୋବାଲଙ୍କ ପ୍ରତି ଦୁର୍ବଳ ହୋଇ ପଡ଼ିଥିଲେ । ଲୁଡଉଇଗ ମ୍ୟାକ୍ସମିଲାନ ୟୁନିଭର୍ସିଟିରେ ମେଡିସିନ ନେଇ ପଢ଼ିବା ସମୟରେ ହିଟ୍‌ଲରଙ୍କ ଘରେ ଆସି ରହୁଥିଲେ ଗେଲି । ଆଉ ସେତେବେଳେ ହିଁ ହିଟ୍‌ଲର ଗେଲିଙ୍କ ଉପରେ କର୍ତ୍ତୃତ୍ୱ ଜାହିର କରିବା ଆରମ୍ଭ କରନ୍ତି ଏବଂ ତାଙ୍କ ପ୍ରତି ଦୁର୍ବଳ ହୋଇପଡ଼ନ୍ତି । କିନ୍ତୁ ତରୁଣୀ ଗେଲି ହିଟ୍‌ଲରଙ୍କ ବ୍ୟକ୍ତିଗତ ଗାଡ଼ି ଚାଳକ ଏମିଲ ମରିସଙ୍କୁ ଭଲପାଇ ବସିଥିଲେ। ଏକଥା ଜାଣିପାରି ହିଟ୍‌ଲର ମରିସଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ଗେଲିଙ୍କ ପଛରେ ଜଣେ ଲୋକଙ୍କୁ ଲଗାଇଥିଲେ। ତାଙ୍କୁ ଏକପ୍ରକାର ନଜରବନ୍ଦୀ କରି ରଖିଥିଲେ ହିଟ୍‌ଲର। ଗେଲି ଭିଏନାକୁ ଚାଲିଯିବାକୁ ଚାହିଁଥିଲେ, କିନ୍ତୁ ହିଟ୍‌ଲର ସେଥିରେ ମଧ୍ୟ ବାଧା ଦେଇଥିଲେ। ୧୯୩୧ ମସିହା ସେପ୍ଟେମ୍ବର ୧୮ ତାରିଖ ଦିନ ହିଟ୍‌ଲର ଏବଂ ଗେଲିଙ୍କ ଭିତରେ ଚରମ ଅଶାନ୍ତି ହୁଏ ଏବଂ ଗେଲି ମାତ୍ର ୨୩ ବର୍ଷ ବୟସରେ ହିଟଲରଙ୍କ ରାଇଫଲ ନେଇ ନିଜ ଛାତିରେ ଗୁଳିବିଦ୍ଧ କରି ଆତ୍ମହତ୍ୟା କରନ୍ତି । ଗେଲିଙ୍କ ଆତ୍ମହତ୍ୟା ପରେ ହିଟଲର୍‌ ଖୁବ୍‌ ଭାଙ୍ଗି ପଡ଼ିଥିଲେ ଏବଂ ଏହି ସମୟରେ ତାଙ୍କ ଜୀବନକୁ ଆସିଥିଲେ ଇଭା ବ୍ରାଉନ୍‌।
ପ୍ରାଥମିକ ଅବସ୍ଥାରେ ଇଭାଙ୍କୁ ନେଇ ହିଟ୍‌ଲରଙ୍କ ମନରେ ସନ୍ଦେହ ଥିଲା। ସେ ଭାବୁଥିଲେ ଯେ ଇଭାଙ୍କ ଦେହରେ ଇହୁଦି ରକ୍ତ ପ୍ରବାହିତ ହେଉଛି। ତେଣୁ ସେ ଗୋଇନ୍ଦା ଲଗାଇ ଇଭାଙ୍କ ପରିବାର ବିଷୟରେ ବୁଝି ଜାଣିଲେ ଯେ ଇଭା ଏରିୟାନ ଅର୍ଥାତ୍‌ ଆର୍ଯ୍ୟ ରକ୍ତର ଅଧିକାରିଣୀ ।
ହିଟ୍‌ଲର ଇହୁଦିମାନଙ୍କୁ ଘୃଣା କରିବା ପଛରେ ମଧ୍ୟ ରହିଛି ଗୋଟିଏ ପ୍ରେମ କାହାଣୀ । ୧୯୦୬ ମସିହା, ଭିଏନାର ଫୁଟ୍‌ପାଥ୍‌ରେ ବସି ଚିତ୍ର ଆଙ୍କୁଥିଲେ ଜଣେ ଶିଳ୍ପୀ, ଯାହାଙ୍କ ବୟସ ଥିଲା ମାତ୍ର ୧୮ ବର୍ଷ । ଦିନେ ସେହି ଶିଳ୍ପୀଙ୍କ ପାଖକୁ ଚିତ୍ର ଆଙ୍କିବା ପାଇଁ ଆସିଲେ ଜଣେ ଷୋହଳ ବର୍ଷୀୟା ସୁନ୍ଦରୀ କନ୍ୟା। ଯାହାଙ୍କୁ ଦେଖି ଏକତରଫା ପ୍ରେମରେ ପଡିଯାଆନ୍ତି ସେହି ଶିଳ୍ପୀ। ଏହା ପରଠାରୁ ସେ ସେହି ଝିଅର ଘରପାଖରେ ଅନବରତ ଘୂରି ବୁଲିଲେ। ସୁଯୋଗ ପାଇ ଦିନେ ନିଜର ଭଲପାଇବା କଥା କହିଲେ ସେ ଝିଅକୁ । କିନ୍ତୁ ଝିଅଟିର କୌଣସି ଉତ୍ତର ନ ଥିଲା । ସେହି ଝିଅଟିର ନାମ ଥିଲା ଷ୍ଟିଫାନି ଆଇଜାକ, ସେ ଥିଲେ ଜଣେ ଇହୁଦି ବଡ଼ ବ୍ୟବସାୟୀଙ୍କ ଝିଅ । ଆଉ ସେହି ଶିଳ୍ପୀଙ୍କ ନାମ ଥିଲା ଆଡ୍‌ଲଫ୍‌ ହିଟ୍‌ଲର । ସେତେବେଳେ ହିଟ୍‌ଲରଙ୍କ ସ୍ବପ୍ନ ଥିଲା ଯେ ସେ ଜଣେ ବିଖ୍ୟାତ ଚିତ୍ରଶିଳ୍ପୀ ହେବେ । ହିଟ୍‌ଲର ଷ୍ଟିଫାନିଙ୍କୁ ମନ କଥା କହିବା ପରେ ମଧ୍ୟ ଯେତେବେଳେ କୌଣସି ଉତ୍ତର ପାଇ ନ ଥିଲେ, ତେଣୁ ସେ ମଝିରେ ମଝିରେ ନିଜ ପୋଷା କୁକୁର ମୁହଁରେ ପ୍ରେମପତ୍ର ଦେଇ ତାକୁ ଷ୍ଟିଫାନିଙ୍କ ଗେଟ ଭିତରେ ପୂରାଇ ଦେଉଥିଲେ। ଏହି ଘଟଣା ଷ୍ଟିଫାନିଙ୍କ ପରିବାର ଲୋକଙ୍କ ନଜରରେ ପଡ଼େ । ଗୋଟିଏ ସାଧାରଣ ଯୁବକ, ଯାହାର କୌଣସି ପାରିବାରିକ ମର୍ଯ୍ୟାଦା ନାହିଁ, ସେ ପୁଣି ଇହୁଦି ନୁହେଁ, ସେଭଳି ଜଣେ ଯୁବକ ଯେ ତାଙ୍କ ଝିଅକୁ ପ୍ରେମ ନିବେଦନ କରିବ ଏକଥା ଷ୍ଟିଫାନିଙ୍କ ପିତା ଗ୍ରହଣ କରିପାରି ନ ଥିଲେ । ଆଉ ତାଙ୍କୁ ଘର ଆଗରେ ବୁଲାବୁଲି କରିବା ପାଇଁ ବାରଣ କରନ୍ତି। ବାରଣ ସତ୍ତ୍ୱେ ମଧ୍ୟ ହିଟ୍‌ଲର ନିୟମିତ ପ୍ରେମପତ୍ର ପଠାଉଥାନ୍ତି । ଦିନେ ହିଟ୍‌ଲର କୁକୁର ପାଟିରେ ପ୍ରେମପତ୍ର ପଠାନ୍ତି କିନ୍ତୁ ଦିନ ଶେଷ ହୋଇ ରାତି ହେବା ପରେ ମଧ୍ୟ ତାଙ୍କର ପ୍ରିୟ କୁକୁର ଆଉ ଫେରେ ନାହିଁ । ପରଦିନ ସକାଳେ ତାଙ୍କ ପ୍ରିୟ କୁକୁରର ମୃତଦେହ ମିଳେ ଷ୍ଟିଫାନିଙ୍କ ଘର ଆଗରେ। କୁକୁରଟି ଥିଲା ହିଟ୍‌ଲରଙ୍କ ଅତି ପ୍ରିୟ କାରଣ ସେ ଥିଲା ତାଙ୍କ ମା’ ଦେଇଥିବା ଶେଷ ଉପହାର । ଏହା ପରଠାରୁ ହିଟ୍‌ଲର ଆଉ କୌଣସି ଦିନ ଷ୍ଟିଫାନିଙ୍କ ଘର ଆଗକୁ ଯାଇ ନାହାନ୍ତି ।
ଐତିହାସିକମାନେ ମନେକରନ୍ତି ଯେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ହିଟ୍‌ଲର ୬୩ ଲକ୍ଷ ଇହୁଦିଙ୍କୁ ହତ୍ୟା କରିଥିଲେ, ତାହା ପଛରେ ହୁଏତ ଷ୍ଟିଫାନିଙ୍କ ପ୍ରତି ହିଟ୍‌ଲରଙ୍କ ପ୍ରେମ ମିଶ୍ରିତ ଘୃଣା ହିଁ ଦାୟୀ ।
ଷ୍ଟିଫାନିଙ୍କ ପରେ ସମ୍ଭବତଃ ଯେଉଁ ନାରୀଙ୍କ ସହିତ ହିଟ୍‌ଲରଙ୍କ ଘନିଷ୍ଠ ସମ୍ପର୍କ ଗଢ଼ିଉଠିଥିଲା ସେ ହେଉଛନ୍ତି ଜଣେ ବ୍ରିଟିଶ ରମଣୀ। ତାଙ୍କର ନାମ ଉଇନିଫ୍ରେଡ ଓୟାଗନାର୍‌। ସମସ୍ତେ ମନେ କରୁଥିଲେ ଯେ ହିଟ୍‌ଲର ବୋଧହୁଏ ଏଥର ବିଧବା ଉଇନିଫ୍ରେଡଙ୍କୁ ବିବାହ କରିବେ। କିନ୍ତୁ ତାହା ହୋଇ ନ ଥିଲା। ସେ କେବଳ ଶେଷଯାଏ ବନ୍ଧୁ ହୋଇ ରହିଥିଲେ।
ଇଭା ବ୍ରାଉନଙ୍କ ସହିତ ଜଡ଼ିତ ହେବା ପୂର୍ବରୁ ଏବଂ ପରେ ଏକାଧିକ ନାରୀଙ୍କ ସହିତ ହିଟ୍‌ଲରଙ୍କ ସମ୍ପର୍କ ଥିବା ଶୁଣିବାକୁ ମିଳେ। ସେହି ନାରୀମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ମାଗଦା ଗୋୟେବଲସ। ଏହି ମାଗଦା ଥିଲେ ନାଜି ବାହିନୀର ପ୍ରୋପାଗଣ୍ଡା ମିନିଷ୍ଟର ଜୋସେଫ ଗୋୟେବଲସଙ୍କ ସ୍ତ୍ରୀ । ହିଟ୍‌ଲରଙ୍କ ସହିତ ମାଗଦାଙ୍କ ଘନିଷ୍ଠ ସମ୍ପର୍କ କଥା ସ୍ବାମୀ ଜୋସେଫ ଜାଣିଥିଲେ । ହିଟ୍‌ଲରଙ୍କ ମୃତ୍ୟୁ ପରେ ମାଗଦା ଏବଂ ଓ ଜୋସେଫ ଆତ୍ମହତ୍ୟା କରିବା ସହ ନିଜର ୬ ସନ୍ତାନଙ୍କୁ ହତ୍ୟା କରିଥିଲେ। ହିଟ୍‌ଲରଙ୍କ ସହିତ ଜଡିତ ଥିଲେ ଆଉଜଣେ ନାରୀ । ତାଙ୍କର ନାମ ଥିଲା ଏମି ଗୋୟେରିଂ । ଏମି ଜଣେ ଜର୍ମାନ ଅଭିନେତ୍ରୀ ଥିଲେ ଏବଂ ନାଜି ଲୁଫଟୟାଫେ ବାହିନୀର କମାଣ୍ଡର ଇନ୍‌ ଚିଫ୍‌ ହରମ୍ୟାନ ଗୋୟେରିଂଙ୍କର ସ୍ତ୍ରୀ । ଏମି ଏବଂ ହିଟ୍‌ଲରଙ୍କ ଘନିଷ୍ଠ ସମ୍ପର୍କର କଥା ଇଭା ବ୍ରାଉନ ଜାଣିଥିଲେ । ସେଥିପାଇଁ ସେ ଏମିଙ୍କୁ ଆଦୌ ପସନ୍ଦ କରୁ ନ ଥିଲେ ।
ଏହା ବ୍ୟତୀତ ମଧ୍ୟ ତତ୍କାଳୀନ ଜନପ୍ରିୟ ନାୟିକା ରେନାଟେ ମୁଲାରଙ୍କ ସହିତ ମଧ୍ୟ ହିଟଲରଙ୍କର ଘନିଷ୍ଠ ସମ୍ପର୍କ ଥିଲା। ଏହି ନାୟିକା ମଧ୍ୟ ଆତ୍ମହତ୍ୟା କରିଥିଲେ ।
ହିଟ୍‌ଲରଙ୍କ ଏତେ ସବୁ ସମ୍ପର୍କ ପରେ ମଧ୍ୟ ଇଭା ବ୍ରାଉନ ତାଙ୍କୁ ଛାଡି ଯାଇ ନ ଥିଲେ। କିନ୍ତୁ ମାନ ଅଭିମାନ କରିବା ସହ ଦୁଇଥର ଆତ୍ମହତ୍ୟା କରିବାକୁ ଚେଷ୍ଟା ମଧ୍ୟ କରିଥିଲେ। ଶେଷଥର ଆତ୍ମହତ୍ୟା ପଦକ୍ଷେପ ନେଇ ବଞ୍ଚତ୍ୟିବା ପରେ ହିଟ୍‌ଲର ଇଭାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ସେ ତାଙ୍କୁ ସମୟ ଦେବେ । ଇଭା ଏବଂ ହିଟଲରଙ୍କ ଏତେ ଗଭୀର ସମ୍ପର୍କ ଥିବା ସତ୍ତ୍ବେ ଜର୍ମାନର ସାଧାରଣ ଜନତା ଏ ସମ୍ପର୍କରେ କିଛି ଜାଣି ନ ଥିଲେ । ଇଭାଙ୍କର ଅଧିକାଂଶ ସମୟ ଓବାରସାଲଜବାର୍ଗରେ କଟୁଥିଲା। ଯେଉଁଠି ହିଟ୍‌ଲର ଅବସର ସମୟ କାଟୁଥିଲେ। ଇଭାଙ୍କ ଡାଏରୀରୁ ଜଣାଯାଏ, ଇଭାଙ୍କୁ ମଦ୍ୟପାନ ଓ ଧୂମପାନ କରିବା, ସାଧାରଣ ଜନତାଙ୍କ ସମ୍ମୁଖକୁ ଯିବା, ମିଶିବା, ପାର୍ଟିରେ ନୃତ୍ୟ କରିବା ଆଦି ପାଇଁ ବାରଣ କରୁଥିଲେ ହିଟଲର୍‌ ।
ଏପରି କି ସେମାନେ କେତେବେଳେ ଘନିଷ୍ଠ ହେବେ ତାହା ମଧ୍ୟ ନିର୍ଭର କରୁଥିଲା ହିଟ୍‌ଲରଙ୍କ ମର୍ଜି ଉପରେ। ହିଟ୍‌ଲରଙ୍କୁ ବହୁତ ଭଲ ପାଉଥିବାରୁ ଇଭା ସବୁକିଛି ମାନି ନେଉଥିଲେ। ଯେତେବେଳେ ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବାକୁ ବସିଲା ଏବଂ ଜର୍ମାନୀର ପରାଜୟ ନିଶ୍ଚିତ, ସେତେବେଳେ ନାଜି ନେତାମାନେ ଜର୍ମାନୀ ଛାଡି ପଳାୟନ କରିଥିଲେ ମଧ୍ୟ ଇଭା ବ୍ରାଉନ କୁଆଡ଼େ ଯାଇ ନ ଥିଲେ । ବର୍ଷ ବର୍ଷ ଧରି ଏକତ୍ର ବସବାସ କରୁଥିଲେ ମଧ୍ୟ ସେମାନେ ବିବାହ କରି ନ ଥିଲେ। ଅବଶ୍ୟ ଇଭାଙ୍କ ବିବାହର ସ୍ବପ୍ନ ଜୀବନର ଶେଷ ଅଧ୍ୟାୟରେ ପୂରଣ ହୋଇଥିଲା।
୧୯୪୫ ମସିହା ଏପ୍ରିଲ ୨୮ ତାରିଖ ମଧ୍ୟରାତିରେ କେଇଜଣ ଅତି ଘନିଷ୍ଠଙ୍କ ଉପସ୍ଥିତିରେ ଫିଉରାର ବଙ୍କରରେ ଆଡ୍‌ଲଫ୍‌ ହିଟ୍‌ଲର ଏବଂ ଇଭା ବ୍ରାଉନଙ୍କର ରେଜିଷ୍ଟ୍ରି ବିବାହ ହୁଏ। ରେଜିଷ୍ଟ୍ରେଶନ କରିବା ସମୟରେ ଇଭା ତାଙ୍କ ନାମ ପାଖରେ ବ୍ରାଉନ ଲେଖିବା ପରେ ବ୍ରାଉନ କାଟି ହିଟ୍‌ଲର ଲେଖିଥିଲେ। ଏହାପରେ ଏପ୍ରିଲ ୩୦ ଦିନ ଦ୍ବିପହରରେ ମାତ୍ର କେଇ ଘଣ୍ଟାର ବିବାହିତ ଦମ୍ପତି ହିଟ୍‌ଲର ଓ ଇଭା ପ୍ରିୟଜନଙ୍କଠାରୁ ବିଦାୟ ନିଅନ୍ତି। ଇଭା ସିଆନାଇଡ ଖାଆନ୍ତି, ଆଉ ହିଟ୍‌ଲର ସିଆନାଇଡ ଖାଇସାରିବା ପରେ ନିଜ ମୁଣ୍ଡକୁ ଗୁଳି କରନ୍ତି। ହିଟ୍‌ଲରଙ୍କ ଶେଷ ଇଚ୍ଛାପତ୍ର ଅନୁସାରେ ଘନିଷ୍ଠ ବନ୍ଧୁମାନେ ଇଭା ଓ ହିଟ୍‌ଲରଙ୍କ ଦେହକୁ ଦାହ କରି ଦିଅନ୍ତି ।
ଆଉ ଏଭଳି ଭାବରେ ବିଶ୍ବର ସର୍ବଶ୍ରେଷ୍ଠ ଖଳନାୟକଙ୍କର ପ୍ରେମକାହାଣୀର ପରିସମାପ୍ତି ଘଟେ ।
ମୋ:୯୪୩୭୫୩୪୭୭୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିନେ ଗୀତ ଗାଇବାକୁ କରୁଥଲା ଲାଜ…ସଙ୍ଗୀତ ଦୁନିଆରେ ପାଦ ଥାପିଲେ ସୋନୁ ନିଗମଙ୍କ ପୁଅ

ପ୍ରଶଂସକଙ୍କ ସହ ଖୁସି ଖବର ବାଣ୍ଟିଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟକ ସୋନୁ ନିଗମ। ତାଙ୍କ ୧୯ ବର୍ଷୀୟ ପୁଅ ନିଭାନ ନିଗମ ସଙ୍ଗୀତ ଦୁନିଆରେ ନିଜର ଯାତ୍ରା…

୧୫ ବର୍ଷରେ ବି ଅଣ୍ଡର-୧୯ ଏସିଆ କପରୁ ବାଦ୍‌ ପଡ଼ିଲେ ବୈଭବ! BCCIର ନିୟମ ହେଲା ବାଧକ

ନୂଆଦିଲ୍ଲୀ, ୯।୧୧: ଏସିସି ମେନ୍ସ ଅଣ୍ଡର-୧୯ ଏସିଆ କପରେ ପାକିସ୍ତାନ ବିପକ୍ଷରେ ଭାରତୀୟ ଅଣ୍ଡର-୧୯ କ୍ରିକେଟ ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏହି ପରାଜୟ ପରେ…

ଜାଣନ୍ତି କି ବିସ୍କୁଟ୍‌ରେ କାହିଁକି ଥାଏ ଛୋଟଛୋଟ ରନ୍ଧ୍ର

ପ୍ରାୟତଃ ଜଳଖିଆରେ ବିସ୍କୁଟ ଖାଉଥିବେ। ଆଜିକାଲି ବିସ୍କୁଟ ଅନେକ ଡିଜାଇନରେ ଆସୁଛି। ଏହି ଡିଜାଇନ ବ୍ୟତୀତ ଏଥିରେ ଛୋଟ ହୋଲ୍‌ ବା ରନ୍ଧ୍ର ମଧ୍ୟ ଅଛି। କେବେ…

ବିରାଟ କୋହଲିଙ୍କୁ ନେଇ ବଡ଼ ଖୁଲାସା କଲେ ପୂର୍ବତନ କୋଚ୍, ତାଙ୍କୁ ଡରନ୍ତି….

ନୂଆଦିଲ୍ଲୀ,୯।୧୧: ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ବ୍ୟାଟର୍‌ ବିରାଟ କୋହଲିଙ୍କୁ ନେଇ ଏକ ରୋଚକ ଘଟଣା ସାମ୍ନାକୁ ଆଣିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଆସିଷ୍ଟାଣ୍ଟ କୋଚ୍‌ ରାୟନ…

ଦେବଗଡ଼ରେ ଚାଞ୍ଚଲ୍ୟ; ଘରେ ଏକୁଟିଆ ଥିବା ବେଳେ ୫ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର

ଦେବଗଡ,୯।୧୧(ଶଶାଙ୍କ ଶେଖର ଝାଙ୍କର୍): ୫ ବର୍ଷର ଶିଶୁ କନ୍ୟାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଶିଶୁକନ୍ୟାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଦେବଗଡ ସହର…

ଇତିହାସରେ ଲିପିବଦ୍ଧ ହୋଇଛି ମୁଶଫିକର ରହିମଙ୍କ ନାମ; ଟେଷ୍ଟ କ୍ରିକେଟରେ ଏମିତି କରିବାରେ ହେଲେ ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୯।୧୧: ମୁଶଫିକର ରହିମ ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି; ସେ ଟେଷ୍ଟ ଫର୍ମାଟରେ ୭,୦୦୦ ରନ ପୂରଣ କରିବାରେ ପ୍ରଥମ ବାଂଲାଦେଶୀ ବ୍ୟାଟର ହୋଇପାରିଛନ୍ତି। ୱେଷ୍ଟଇଣ୍ଡିଜ…

କେବଳ ଅଧିନାୟକ ନୁହେଁ, କୋଚ ମଧ୍ୟ ବଦଳିବେ କି? ତୃତୀୟ ଦିନିକିଆ ପରେ ଟିମ ଇଣ୍ଡିଆରେ ହେବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ

ନୂଆଦିଲ୍ଲୀ,୯।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ନଭେମ୍ବର ୧୦ ମଙ୍ଗଳବାର ଦିନ ଖେଳାଯିବ। ଏହି ମ୍ୟାଚ ପରେ ଭାରତୀୟ ଦଳରେ କିଛି ଗୁରୁତ୍ୱପୂର୍ଣ୍ଣ…

ମହିଳା ଟିଭି ଆଙ୍କରଙ୍କୁ ଗୁଳି କରି ହତ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୯।୧୧: ପାକିସ୍ତାନର ରାୱଲପିଣ୍ଡିରେ ଜଣେ ମହିଳା ଟିଭି ଆଙ୍କରଙ୍କୁ ତାଙ୍କ ଘରେ ଗୁଳି କରି ହତ୍ୟା କରାଯାଇଛି । ମୃତକ ହେଲେ ରାବିଆ ଅହସାନ। ସେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?