ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ପ୍ରସ୍ତୁତିକୁ ମଜଭୁତ କରିବେ ତିନି ଯୁବ ବୋଲର। ଅର୍ଶଦୀପ ସିଂହ, ଆକିବ ନବି ଓ ଗୁରନୁର ବରାର ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ସହ ନ୍ୟୁଜିଲାଣ୍ଡରେ ରହିବେ। ଭାରତୀୟ ଦଳର ବ୍ୟାଟିଂ କୋଚ ସିତାଂଶୁ କୋଟକ ଏହି ସୂଚନା ଦେଇଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ନଭେମ୍ବର ୧୯ରୁ ଆରମ୍ଭ ହେବ। ଟେଷ୍ଟ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ଏହି ତିନି ବୋଲରଙ୍କ ନାଁ ନାହିଁ। ତେବେ ଦିନିକିଆ ସିରିଜ ପରେ ମଧ୍ୟ ସେମାନେ ନ୍ୟୁଜିଲାଣ୍ଡରେ ରହି ଟେଷ୍ଟ ଦଳର ପ୍ରସ୍ତୁତିରେ ସହଯୋଗ କରିବେ।
ସିତାଂଶୁ କୋଟକଙ୍କ କହିବା ଅନୁଯାୟୀ, ନଭେମ୍ବର ୧୧ରୁ ଭାରତୀୟ ଖେଳାଳିମାନେ ଅଭ୍ୟାସ ଆରମ୍ଭ କରିବେ। ଟେଷ୍ଟ ସିରିଜ ପୂର୍ବରୁ ୫ରୁ ୬ଟି ଅଭ୍ୟାସ ସେସନ ଦଳର ପ୍ରସ୍ତୁତିକୁ ଆହୁରି ଭଲ କରିବ ବୋଲି ଆଶା ରହିଛି। ତାଙ୍କ କହିବା ଅନୁସାରେ, ପ୍ରଥମ ଦୁଇଟି ଦିନିକିଆ ମ୍ୟାଚ୍ରେ ପିଚ୍ରୁ ବୋଲରମାନଙ୍କୁ ଭଲ ସହାୟତା ମିଳିଥିଲା। ଏହା ନ୍ୟୁଜିଲାଣ୍ଡର ପରିସ୍ଥିତି ବୁଝିବାରେ ଭାରତୀୟ ଦଳକୁ ସହାୟକ ହୋଇଛି। ଇଣ୍ଡିଆ ଏ ଓ ନ୍ୟୁଜିଲାଣ୍ଡ ଏ ମଧ୍ୟରେ ଚାଲିଥିବା ବହୁଦିବସୀୟ ମ୍ୟାଚ୍ଗୁଡ଼ିକ ମଧ୍ୟ ଟେଷ୍ଟ ପ୍ରସ୍ତୁତି ପାଇଁ ଉପଯୋଗୀ ହୋଇଛି।
କୋଟକ ଆହୁରି କହିଛନ୍ତି, ମୁଖ୍ୟ କୋଚ ଗୌତମ ଗମ୍ଭୀର ଦିନିକିଆ ଦଳ ସହ ରହିବେ। ସେ ନିଜେ ଏବଂ ବୋଲିଂ କୋଚ ମୋର୍ନେ ମୋର୍କେଲ ୱେଲିଂଟନ ଯିବେ। ପ୍ରଥମ ଟେଷ୍ଟ ମ୍ୟାଚ ୱେଲିଂଟନ୍ର ବେସିନ ରିଜର୍ଭ ଷ୍ଟାଡିୟମ୍ରେ ନଭେମ୍ବର ୧୯ରୁ ଖେଳାଯିବ। ଚାଲିଥିବା ଦିନିକିଆ ସିରିଜ୍ରେ ଭାରତୀୟ ବୋଲରମାନେ ନିଜର ଦମ ଦେଖାଇଛନ୍ତି। ବିଶେଷକରି ଗୁରନୁର ଓ ଅର୍ଶଦୀପଙ୍କ ପ୍ରଦର୍ଶନ ଚର୍ଚ୍ଚାରେ ରହିଛି। ଗୁରନୁର ଏପର୍ଯ୍ୟନ୍ତ ୭ଟି ଉଇକେଟ ନେଇ ସିରିଜ୍ର ସବୁଠାରୁ ସଫଳ ବୋଲର ହୋଇଛନ୍ତି। ଅନ୍ୟପଟେ ଅର୍ଶଦୀପଙ୍କ ଖାତାରେ ରହିଛି ୪ଟି ଉଇକେଟ। ପ୍ରଥମ ଦିନିକିଆରେ ମହଙ୍ଗା ସାବ୍ୟସ୍ତ ହୋଇଥିବା ଆକିବ ନବି ଦ୍ୱିତୀୟ ମ୍ୟାଚ୍ରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ନ୍ୟୁଜିଲାଣ୍ଡର ଟପ ଅର୍ଡରକୁ ଚାପରେ ପକାଇ ସେ ଦୁଇଟି ଉଇକେଟ ହାସଲ କରିଥିଲେ।
ସେହିପରି ଅଂଶୁଲ କମ୍ବୋଜ ମଧ୍ୟ ନିଜର ବୋଲିଂରେ ପ୍ରଭାବ ପକାଇଛନ୍ତି। ଦୁଇଟି ମ୍ୟାଚ୍ରେ ସେ ମୋଟ ୧୮ ଓଭର ବୋଲିଂ କରି ମାତ୍ର ୪୭ ରନ ଦେଇଛନ୍ତି। ତାଙ୍କର ଇକୋନୋମି ରେଟ ରହିଛି ୨.୬୧। ଏପର୍ଯ୍ୟନ୍ତ ସେ ୪ଟି ଉଇକେଟ ନେଇଛନ୍ତି। ଅଂଶୁଲ ପୂର୍ବରୁ ହିଁ ଭାରତର ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ ଦଳ
ଶୁବମନ ଗିଲ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଦେବଦତ୍ତ ପଡିକଲ, ସାଇ ସୁଦର୍ଶନ, କେଏଲ ରାହୁଲ, ରିଷଭ ପନ୍ତ, ଧ୍ରୁବ ଜୁରେଲ, ନୀତୀଶ କୁମାର ରେଡ୍ଡୀ, ଅଂଶୁଲ କମ୍ବୋଜ, ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ଜଶପ୍ରୀତ ବୁମ୍ରା, ଆକାଶଦୀପ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ କୁଲଦୀପ ଯାଦବ।
ଟେଷ୍ଟ ସିରିଜ ପୂର୍ବରୁ ନ୍ୟୁଜିଲାଣ୍ଡର ପରିବେଶ ଓ ପିଚ୍ରେ ଅଭ୍ୟସ୍ତ ହେବା ଭାରତୀୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଏଥିରେ ଅର୍ଶଦୀପ, ଆକିବ ଓ ଗୁରନୁରଙ୍କ ଉପସ୍ଥିତି ଦଳର ବୋଲିଂ ପ୍ରସ୍ତୁତିକୁ ଅଧିକ ସହାୟତା କରିପାରେ।
Dharitri – Odisha’s No.1 Odia Daily

