ହଂକଂ,୧୫।୯: ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟ ଏବେ ଏକ ବଡ଼ ପରିବେଶ ସଙ୍କଟ ଆଡ଼କୁ ଗତିକରୁଛି । ଚଳିତ ମାସରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ, ଗତ ଦଶନ୍ଧି ତୁଳନାରେ ଏବେ ହିମାଳୟର ଗ୍ଲେସିୟର ବା ବରଫପାହାଡ଼ ଅତି ଦ୍ରୁତଗତିରେ ତରଳିବାରେ ଲାଗିଛି। ଏହି କାରଣରୁ ଚଳିତ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ଏହି ଅଞ୍ଚଳ ‘ପିକ୍ ୱାଟର’ (ନଦୀ ଜଳ ପ୍ରବାହ ସର୍ବୋଚ୍ଚ ସ୍ତରରେ ପହଞ୍ଚି ହ୍ରାସ ପାଇବା) ସ୍ଥିତିକୁ ଛୁଇଁବ, ଯାହା ଜଳ ସୁରକ୍ଷା ପ୍ରତି ଏକ ଗମ୍ଭୀର ବିପଦ ସୃଷ୍ଟିକରିବ। ଏହା ଦ୍ୱାରା ବହୁ କୋଟି ଲୋକଙ୍କ ଜୀବିକା ବିପନ୍ନହେବାକୁ ଯାଉଛି। ନିକଟରେ ନେପାଳ-ତିବ୍ବତ ସୀମାରେ ଏକ ବଡ଼ ଗ୍ଲେସିୟର ଭୁଶୁଡ଼ିବା ଯୋଗୁ ନିମ୍ନ ଉପତ୍ୟକାଗୁଡ଼ିକରେ ଭୟଙ୍କର ଭୂସ୍ଖଳନ ଏବଂ ଆକସ୍ମିକ ବନ୍ୟା ଦେଖାଯାଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ନେପାଳ ଏବଂ ଚାଇନାର ତିବ୍ବତ ଅଞ୍ଚଳରେ ଅତିକମ୍ରେ ୧୩୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୩୦୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଗ୍ଲେସିୟର ପଛକୁ ହଟିବା ଦ୍ୱାରା ପାହାଡ଼ ଉପରେ କେବଳ ଅସ୍ଥିର ପଥର ଓ ବରଫ ଆବୃତ୍ତ ହ୍ରଦଗୁଡ଼ିକ ରହିଯାଉଛି, ଯାହା ତଳେ ରହୁଥିବା ଲୋକଙ୍କ ପାଇଁ ଟାଇମ ବମ୍ ସଦୃଶ ପାଲଟିଛି।
ସଷ୍ଟେନବିଲିଟି ଆଡଭାଇଜରି ଫାର୍ମ ‘ସିଷ୍ଟମିକ୍’ ଏବଂ ଭାରତର ଜି.ବି. ପନ୍ଥ ଜାତୀୟ ହିମାଳୟ ପରିବେଶ ପ୍ରତିଷ୍ଠାନ ସମେତ ଅନ୍ୟ ସଂସ୍ଥା ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରୁ ମ୍ୟାନ୍ମାର ପର୍ଯ୍ୟନ୍ତ ବିସ୍ତୃତ ହିନ୍ଦୁକୁଶ-ହିମାଳୟ ଅଞ୍ଚଳରେ ପ୍ରାୟ ୪୦,୦୦୦ ଗ୍ଲେସିୟର ରହିଛି। କିନ୍ତୁ ଦୁର୍ଭାଗ୍ୟବଶତଃ ସେଥିମଧ୍ୟରୁ ମାତ୍ର ୨୧ଟିର ଭୂମିସ୍ତରୀୟ ନିରୀକ୍ଷଣ କରାଯାଉଛି। ଉକ୍ତ ରିପୋର୍ଟ ଅନୁସାରେ, ଭାରତର ପ୍ରାୟ ୨୦୦ଟି ଗ୍ଲେସିୟର ହ୍ରଦ ଏବେ ବିପଜ୍ଜନକ ସ୍ଥିତିରେ ଅଛି, ଯେଉଁଥିରୁ ୫୬ଟିକୁ ‘ଅତ୍ୟନ୍ତ ସମ୍ବେଦନଶୀଳ’ ଶ୍ରେଣୀଭୁକ୍ତ କରାଯାଇଛି। ହିମାଳୟ ଅଞ୍ଚଳ ଭାରତର ମୋଟ ଜୀବିକାର ପ୍ରାୟ ୨୦ ପ୍ରତିଶତ ଅଭିବୃଦ୍ଧି (ଜିଡିପି) କୁ ନିୟନ୍ତ୍ରଣ କରିଥାଏ ଏବଂ ଏହା ଉପରେ ଦେଶର ବହୁ କୋଟି ଲୋକ ନିର୍ଭର କରନ୍ତି। ଭାରତର ମୋଟ ଭୂଭାଗର ମାତ୍ର ୧୮% ହିମାଳୟ ଅଞ୍ଚଳ ହୋଇଥିଲେ ସୁଦ୍ଧା ଦେଶର ପ୍ରାୟ ୩୫% ପ୍ରାକୃତିକ ବିପର୍ଯ୍ୟୟ କେବଳ ଏହି ଅଞ୍ଚଳରେ ହିଁ ଘଟିଥାଏ, ଯାହା ଭବିଷ୍ୟତ ପାଇଁ ଏକ ବଡ଼ ଚେତାବନୀ ।

