ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଗୁଣ୍ଡିରିବାଡି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଟିଏ ହାତୀ ପଶି ଆତଙ୍କ ସୃଷ୍ଟି କରିଛି । ରାତି ପ୍ରାୟ ୧ଟାରୁ ପ୍ରାୟ ୪ ଘଣ୍ଟା ଧରି ହାତୀଟି ଗ୍ରାମ ମଧ୍ୟରେ ଘୁରିବୁଲିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡ଼ିଛି।
ହାତୀଟି ପ୍ରଥମେ ପଞ୍ଚାୟତର ଚାଉଳ ଗୋଦାମର କବାଟ ଭାଙ୍ଗି ଭିତରକୁ ପଶି ଚାଉଳ ଖାଇବା ସହ ନଷ୍ଟ କରିଥିଲା। ଏଥିସହ ଗ୍ରାମବାସୀଙ୍କ ଧାନ, ପନିପରିବା ଓ ଅନ୍ୟାନ୍ୟ ଜିନିଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ହାତୀ ଗ୍ରାମ ମଧ୍ୟରେ ଘୁରି ବୁଲୁଥିବାରୁ ଭୟରେ ଲୋକେ ଘରୁ ବାହାରି ନଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀମାନେ ଗୁଣ୍ଡିରିବାଡିରେ ପହଞ୍ଚି ହାତୀକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ତେବେ ହାତୀଟି ବନ କର୍ମଚାରୀଙ୍କୁ ବାରମ୍ବାର ଆକ୍ରମଣ ପାଇଁ ଉଦ୍ୟମ କରିବାରୁ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଗ୍ରାମ ଶେଷରେ ହାତୀ ଓ ବନ କର୍ମଚାରୀଙ୍କ ମଧ୍ୟରେ ଗୋଡ଼ାଗୋଡ଼ି ଚାଲିଥିଲା। ଶେଷରେ ହାତୀଟି ଧାନ ଜମି ଆଡ଼କୁ ଚାଲିଯାଇଥିଲା।
ଘଟଣାରୁ ପ୍ରକାଶ ଯେ, ସୋମବାର ସନ୍ଧ୍ୟାରେ ଖଣ୍ଡିକୋଟି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଏକ ହାତୀପଲ ବାହାରିଥିବା ସୂଚନା ମିଳିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ହାତୀପଲକୁ ଜଙ୍ଗଲ ଭିତରକୁ ଘଉଡ଼ାଇଥିଲେ। ଏହାପରେ ବନ କର୍ମଚାରୀମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେଠାରେ ରହିଥିଲେ।
ଏହି ସମୟରେ ଗୁଣ୍ଡିରିବାଡି ଗ୍ରାମର ଦୁଇଜଣ ବ୍ୟକ୍ତି ପରିସ୍ରା କରିବା ପାଇଁ ଘରୁ ବାହାରିଥିବା ବେଳେ ଅତି ନିକଟରୁ ହାତୀକୁ ଦେଖିଥିଲେ। ହାତୀକୁ ଦେଖି ଭୟଭୀତ ହୋଇ ସେମାନେ ତୁରନ୍ତ ଘରକୁ ଦୌଡ଼ି ପଳାଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ।
ମଙ୍ଗଳବାର ସକାଳେ ହାତୀଟି ଶେଷରେ ଜଙ୍ଗଲ ଭିତରକୁ ଚାଲିଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଗୁଣ୍ଡିରିବାଡି ଗ୍ରାମରେ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରିବା ସହ କ୍ଷୟକ୍ଷତିର ତଦନ୍ତ କରିଛନ୍ତି। ହାତୀ ଉପଦ୍ରବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଏବେବି ଭୟ ଲାଗି ରହିଛି।

