ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ ନେଇ ହାଇଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି। ଗୋଟିଏ ରାତିରେ ଦୁଇଟି ଗାଁରୁ ପୋଲିସ ନିକଟକୁ ଫୋନ୍ କଲ୍ ଆସିବା ପରେ ନନ୍ଦିପଦା ପୋଲିସ ରାତିସାରା ଦୌଡ଼ି ଦୌଡ଼ି ନାକେଦମ ହୋଇଛି।
ପ୍ରଥମ ଘଟଣା ଅନୁଯାୟୀ, ଗୋଟିଏ ଗ୍ରାମର ଜଣେ ଯୁବକ ନିଜ ସମ୍ପର୍କୀୟ ଓ ପୋଲିସକୁ ଫୋନ୍ କରି କହିଥିଲେ ଯେ, ସେ ଜଣେ ଯୁବତୀଙ୍କୁ ପ୍ରେମ କରୁଛନ୍ତି ଏବଂ ତାଙ୍କୁ ନପାଇଲେ ଜୀବନ ହାରିଦେବେ। ଖବର ପାଇ ପୋଲିସ ମଧ୍ୟରାତ୍ରିରେ ଯୁବକଙ୍କ ଗାଁରେ ପହଞ୍ଚିବା ପରେ ଜାଣିବାକୁ ପାଇଥିଲା ଯେ, ଯୁବକ ଜଣକ ଯାହାଙ୍କୁ ପ୍ରେମ କରୁଛନ୍ତି ସେ ଜଣେ ନାବାଳିକା। ଫଳରେ ପୋଲିସ ଦୀର୍ଘ ଘଣ୍ଟା ଧରି ଯୁବକଙ୍କୁ ବୁଝାସୁଝା କରି ଶାନ୍ତ କରିବା ସହ ତାଙ୍କ ପରିବାର ଲୋକଙ୍କ ଜିମା ଦେଇଥିଲା।
ସେହିପରି ଦ୍ୱିତୀୟ ଘଟଣାରେ, ଅନ୍ୟ ଏକ ଗାଁରୁ ପୋଲିସକୁ ଫୋନ କଲ୍ ଆସିଥିଲା। ସ୍ଥାନୀୟ ଲୋକେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ପ୍ରାପ୍ତବୟସ୍କ ମହିଳା ଓ ପୁରୁଷଙ୍କୁ ଘର ଭିତରେ ରଖି ବାହାରୁ ତାଲା ପକାଇ ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଖୋଲି ଦୁହିଁଙ୍କୁ ଉଦ୍ଧାର କରିଥିଲା। ପଚରାଉଚରା ବେଳେ ଉଭୟ କହିଥିଲେ ଯେ, “ଆମ ମଧ୍ୟରେ କିଛି ନାହିଁ, ଆମକୁ ମିଛରେ ବଦନାମ କରାଯାଉଛି। ଆମର କାହା ପ୍ରତି କୌଣସି ଅଭିଯୋଗ ନାହିଁ।” ପୋଲିସ ଗ୍ରାମବାସୀଙ୍କୁ ବୁଝାଇବା ପରେ ସେଠାରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ନନ୍ଦିପଦା ପୋଲିସର ତତ୍କାଳ କାର୍ଯ୍ୟାନୁଷ୍ଠାନ ଓ ଧୈର୍ଯ୍ୟ ଯୋଗୁ ଦୁଇଟି ବଡ଼ ଅଘଟଣ ଟଳିଯାଇଛି। ଏନେଇ ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ, ଲୋକଙ୍କ ଧନଜୀବନ ସୁରକ୍ଷା କରିବା ପୋଲିସର କର୍ତ୍ତବ୍ୟ। ରାତିସାରା ସମ୍ପୃକ୍ତ ଦୁଇଟି ଯାକ ଘଟଣାରେ ପୋଲିସ ହସ୍ତକ୍ଷେପ ପରେ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି।

