କୋଲକାତା,୧୮।୯: ପଶ୍ଚିମବଙ୍ଗର ଚର୍ଚ୍ଚିତ ନନ୍ଦୀଗ୍ରାମ ବିଧାନସଭା ଆସନର ଉପନିର୍ବାଚନ ପୂର୍ବରୁ ରାଜନୈତିକ ପାରଦ ବୃଦ୍ଧି ପାଇବାରେ ଲାଗିଛି। ତୃଣମୂଳ କଂଗ୍ରେସ (TMC) ପ୍ରାର୍ଥୀ ନାମପତ୍ର ପ୍ରତ୍ୟାହାର କରିବା, ମମତା ବାନାର୍ଜୀ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବା ଏବଂ ତା’ର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ମିଲନ୍ ପ୍ରଧାନଙ୍କୁ ପୋଲିସ୍ ଗିରଫ କରିବା ଘଟଣା ରାଜ୍ୟ ରାଜନୀତିରେ ନୂଆ ବିବାଦ ସୃଷ୍ଟି କରିଛି।
ଶୁକ୍ରବାର TMC ପ୍ରାର୍ଥୀ ସଞ୍ଚିତା ପ୍ରଧାନ ଡେ’ ନିଜର ନାମପତ୍ର ପ୍ରତ୍ୟାହାର କରିନେଇଥିଲେ। ଏହାର ସୁଯୋଗ ନେଇ ମମତା ବାନାର୍ଜୀ ସଙ୍ଗେ ସଙ୍ଗେ କଂଗ୍ରେସ ପ୍ରାର୍ଥୀ ମିଲନ୍ ପ୍ରଧାନଙ୍କୁ ନନ୍ଦୀଗ୍ରାମ ଉପନିର୍ବାଚନରେ TMC ର ସମର୍ଥନ ଘୋଷଣା କରିଥିଲେ। ତେବେ ଶନିବାର ନାମପତ୍ର ଦାଖଲର ଶେଷ ଦିନ ଥିବା ବେଳେ, ମମତାଙ୍କ ସମର୍ଥନ ଘୋଷଣାର ମାତ୍ର କିଛି ଘଣ୍ଟା ମଧ୍ୟରେ ପୋଲିସ୍ ମିଲନଙ୍କୁ ଗିରଫ କରିନେଇଛି।
ପୋଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମିଲନ୍ଙ୍କ ନାମରେ ଏକ ପୁରୁଣା ହତ୍ୟା ମାମଲା ରହିଛି ଏବଂ ତାଙ୍କ ବିରୋଧରେ ପୂର୍ବରୁ ୱାରେଣ୍ଟ ଜାରି ହୋଇଥିଲା। ଭାଜପା ନେତା ସୁଭେନ୍ଦୁ ଅଧିକାରୀଙ୍କ ଏହି ଗଡ଼ରେ ନିର୍ବାଚନ ପୂର୍ବରୁ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ଗିରଫଦାରୀ ସ୍ଥାନୀୟ ରାଜନୀତିକୁ ସରଗରମ କରିଦେଇଛି।
ଏହି ଗିରଫଦାରୀକୁ ନେଇ କଂଗ୍ରେସ ପ୍ରବକ୍ତା ମିତା ଚକ୍ରବର୍ତ୍ତୀ ଭାଜପା ଏବଂ ଶାସନକଳ ଉପରେ କଠୋର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, “ମମତା ବାନାର୍ଜୀ ସମର୍ଥନ ଜଣାଇବାର କିଛି ଘଣ୍ଟା ମଧ୍ୟରେ ପ୍ରାର୍ଥୀଙ୍କୁ ଗିରଫ କରାଯିବା ନିନ୍ଦନୀୟ। ବିରୋଧୀଙ୍କୁ ଭୟଭୀତ କରି ଆପଣ ଏ ଦେଶରେ ଗଣତନ୍ତ୍ର ବଦଳରେ ଏକଛାତ୍ରବାଦ ଚଳାଇବାକୁ ଚାହୁଁଛନ୍ତି କି?”
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ଧମକ କିମ୍ବା ଗିରଫଦାରୀ ଦ୍ୱାରା କଂଗ୍ରେସ କିମ୍ବା ବିରୋଧୀ ମେଣ୍ଟକୁ ଦବାଇ ଦିଆଯାଇପାରିବ ନାହିଁ। BJP ଏଭଳି ଭ୍ରମରେ ନ ରହିବା ଉଚିତ୍।

