ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର ସମ୍ଭାବନା ନେଇ ପୂର୍ବାନୁମାନ ଜାରି କରାଯାଇଛି। ଏଥିସହ ଜିଲାର ବିଭିନ୍ନ ଅଞ୍ଚଳରେ ଲଗାତର ବର୍ଷା ଜାରି ରହିଥିବାରୁ ରାସ୍ତାଘାଟରେ ଜଳଜମା, ଯାତାୟାତରେ ବାଧା ଏବଂ ଛାତ୍ରୀଛାତ୍ରଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହେବାର ସମ୍ଭାବନା ରହିଛି।
ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ନିମନ୍ତେ ନବରଙ୍ଗପୁର ଜିଲାର ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର, ସମସ୍ତ ସରକାରୀ ବିଦ୍ୟାଳୟ, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଏବଂ ଘରୋଇ ବିଦ୍ୟାଳୟଗୁଡ଼ିକୁ ୨୪ ତାରିଖ ବନ୍ଦ ରଖିବାକୁ ଜିଲାପାଳ ମହେଶ୍ବର ସ୍ବାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ଉକ୍ତ ଦିନ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଓ ବିଦ୍ୟାଳୟଗୁଡ଼ିକରେ ଶିଶୁ ଓ ଛାତ୍ରୀଙ୍କ ପାଇଁ ପାଠପଢ଼ା ଓ ଅନ୍ୟାନ୍ୟ ଶିକ୍ଷାକାର୍ଯ୍ୟ ବନ୍ଦ ରହିବ। ତେବେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ନିଜ ନିଜ ଅନୁଷ୍ଠାନରେ ସାଧାରଣ ଭାବେ ଉପସ୍ଥିତ ରହିବେ।
ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀ /ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ ଶିକ୍ଷକ, ଅଙ୍ଗନଓ୍ବାଡ଼ି କର୍ମୀ ଓ ସମ୍ପୃକ୍ତ କର୍ମଚାରୀମାନଙ୍କୁ ନିଜ ନିଜ ଅନୁଷ୍ଠାନର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ସହିତ ଜିଲା ପ୍ରଶାସନର ନିର୍ଦ୍ଦେଶନାମା ପାଳନ କରିବାକୁ କୁହାଯାଇଛି। ଏହି ସମୟରେ ଅଭିଭାବକମାନେ ନିଜ ନିଜ ଶିଶୁ ଓ ଛାତ୍ରୀଛାତ୍ରଙ୍କୁ ଅନାବଶ୍ୟକ ଭାବେ ଘରୁ ବାହାରକୁ ନ ପଠାଇବାକୁ ଏବଂ ପାଣିପାଗର ପରିସ୍ଥିତି ଉପରେ ନଜର ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ବର୍ଷା ସମୟରେ ଜଳଭର୍ତ୍ତି ରାସ୍ତା, ନାଳ, ନଦୀ ଓ ଅନ୍ୟାନ୍ୟ ବିପଦସଙ୍କୁଳ ସ୍ଥାନ ଦେଇ ଯାତାୟାତ ନ କରିବାକୁ ମଧ୍ୟ ସତର୍କ କରାଯାଇଛି । ବିଶେଷକରି ବଜ୍ରପାତ ସମୟରେ ଖୋଲା ପଡ଼ିଆ, ଗଛ ତଳେ, ଜଳାଶୟ ନିକଟରେ କିମ୍ବା ଅନ୍ୟାନ୍ୟ ଅସୁରକ୍ଷିତ ସ୍ଥାନରେ ନ ରହି ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି।

