ଗ୍ବାଲିୟର, ୨୬।୮:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ପ୍ରେମ ପ୍ରକାଶର ଏକ ଅଜବ ଉପାୟ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ବାଲିୟରରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ କାର ଉପରେ ଲିପଷ୍ଟିକରେ ପ୍ରାୟ ୩୪୦୦ ଚୁମ୍ବନ ଚିହ୍ନ ଆଙ୍କି ଦେଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟ୍ରାଫିକ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା କରିବା ସହିତ କାର୍ରୁ ସେସବୁ ଚିହ୍ନ ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଟ୍ରାଫିକ ପୋଲିସ କହିବାନୁଯାୟୀ, ଗ୍ବାଲିୟର ସିଟି ସେଣ୍ଟର ଅଞ୍ଚଳରେ ଏହି ଗାଡ଼ିଟି ଦୁଇ ଦିନ ଧରି ବୁଲୁଥିଲା। ମୋଟର ଯାନ ଆଇନ ଅନୁଯାୟୀ, ଗାଡ଼ିର ମୌଳିକ ରୂପରେ ବିନା ଅନୁମତିରେ ପରିବର୍ତ୍ତନ କିମ୍ବା ରଙ୍ଗ/ରୂପ ସମ୍ବନ୍ଧୀୟ ପରିବର୍ତ୍ତନ କରିବା ନିୟମ ବିରୁଦ୍ଧ। କାର୍ ମାଲିକ ଆଦିତ୍ୟ ସିକାରଓ୍ବାର ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ପ୍ରେମିକା ଏକ ବିଦେଶୀ ଟ୍ରେଣ୍ଡ ଅନୁସରଣ କରି ପ୍ରାୟ ସାଢ଼େ ତିନି ଘଣ୍ଟା ପରିଶ୍ରମ କରି ଏହି ୩୪୦୦ ଲିପ୍ଷ୍ଟିକ ମାର୍କ ତିଆରି କରିଥିଲେ ଏବଂ ଭିଡିଓ ଅପଲୋଡ଼ କରିଥିଲେ। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଶୋରୁମ୍ରୁ କିଣାଯାଇଥିବା ଗାଡ଼ିରେ ଯେକୌଣସି ଅତିରିକ୍ତ ପରିବର୍ତ୍ତନ କରିବା ପୂର୍ବରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ଅତ୍ୟନ୍ତ ଜରୁରୀ।
Dharitri – Odisha’s No.1 Odia Daily

