ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ ପ୍ଲେଟ ଡିଭିଜନକୁ ସାମିଲ କରାଯିବା ଏହାର ପ୍ରତିଯୋଗିତାମୂଳକ ମାନ ହ୍ରାସର ଏକ ପ୍ରମୁଖ କାରଣ ବୋଲି ସେ ମତ ଦେଇଛନ୍ତି। ଏହା ସହିତ କେତେକ ରାଜ୍ୟରେ କ୍ରିକେଟ ଭିତ୍ତିଭୂମିର ଅଭାବ ଏବଂ ଅନ୍ୟ ରାଜ୍ୟର ଖେଳାଳିଙ୍କୁ ନେଇ ଦଳ ଗଠନ କରାଯିବାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି।
୧୯୩୪-୩୫ ମସିହାରେ ଆରମ୍ଭ ହୋଇଥିବା ରଣଜୀ ଟ୍ରଫିରେ ପୂର୍ବରୁ ଦଳଗୁଡ଼ିକୁ ବିଭିନ୍ନ ଜୋନ୍ରେ ବିଭକ୍ତ କରାଯାଉଥିଲା। କିନ୍ତୁ ୨୦୦୨-୦୩ ସିଜନ ପରେ ବିସିସିଆଇ ଜୋନ ବ୍ୟବସ୍ଥାକୁ ହଟାଇ ଦୁଇ-ସ୍ତରୀୟ ଫର୍ମାଟ ପ୍ରଚଳନ କରିଥିଲା। ଏହା ଅନୁଯାୟୀ ଦଳଗୁଡ଼ିକୁ ଏଲିଟ ଓ ପ୍ଲେଟ ଗ୍ରୁପ୍ ବିଭକ୍ତ କରାଯାଇଛି।
ଏଲିଟ ଗ୍ରୁପ୍ରେ ୩୨ଟି ଦଳକୁ ଚାରିଟି ଗ୍ରୁପ୍ରେ ବାଣ୍ଟି ପ୍ରତ୍ୟେକ ଗ୍ରୁପ୍ରେ ୮ଟି ଲେଖାଏ ଦଳ ରଖାଯାଏ। ସିଜନ ଶେଷରେ ଏଲିଟ ଗ୍ରୁପ୍ର ଦୁଇଟି ସବୁଠାରୁ ଦୁର୍ବଳ ପ୍ରଦର୍ଶନକାରୀ ଦଳ ପ୍ଲେଟ ଗ୍ରୁପକୁ ଖସିଥାଆନ୍ତି। ଅନ୍ୟପଟେ, ପ୍ଲେଟ ଗ୍ରୁପ୍ର ଫାଇନାଲରେ ପହଞ୍ଚୁଥିବା ଦୁଇଟି ଦଳ ପରବର୍ତ୍ତୀ ସିଜନ୍ରେ ଏଲିଟ ଗ୍ରୁପକୁ ପଦୋନ୍ନତି ପାଆନ୍ତି। ଗାଭାସ୍କରଙ୍କ ମତରେ, ପ୍ଲେଟ ଡିଭିଜନରେ ବ୍ୟାଟିଂ ଓ ବୋଲିଂରେ ଅନେକ ରେକର୍ଡ ସୃଷ୍ଟି ହେଉଛି। ଏହା ଦୁଇଟି ଡିଭିଜନ ମଧ୍ୟରେ ପ୍ରତିଯୋଗିତାର ସ୍ତରକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି।
ଗାଭାସ୍କର କହିଛନ୍ତି, ଲୋଧା କମିଟି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ରଣଜୀ ଟ୍ରଫିରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲା। ଏହାର ପରିଣାମ ସ୍ବରୂପ ଟୁର୍ନାମେଣ୍ଟର ପ୍ରତିଯୋଗିତାମୂଳକ ମାନ ହ୍ରାସ ପାଇଛି । ରଣଜୀ ଟ୍ରଫି ୨୦୨୬-୨୭ ସିଜନର ପ୍ଲେଟ ଗ୍ରୁପ୍ରେ ମେଘାଳୟ, ମିଜୋରାମ, ଅରୁଣାଚଳ ପ୍ରଦେଶ, ମଣିପୁର, ନାଗାଲାଣ୍ଡ ଓ ସିକ୍କିମ ଭଳି ଦଳ ରହିଛନ୍ତି। ଏହି ରାଜ୍ୟଗୁଡ଼ିକରେ କ୍ରିକେଟ ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ଥିବା ସହ ଅନ୍ୟ ରାଜ୍ୟର ଖେଳାଳିଙ୍କୁ ନେଇ ଦଳ ଗଠନ କରାଯାଉଥିବା ନେଇ ଗାଭାସ୍କର ଆପତ୍ତି ଉଠାଇଛନ୍ତି। ଏହାର ଉଦାହରଣ ଭାବେ ମୁମ୍ବାଇର ଚିନ୍ମୟ ସୁତାର ଏବଂ ରାଜସ୍ଥାନର ମାନେନ୍ଦ୍ର ସିଂହ ମିଜୋରାମ ପକ୍ଷରୁ ଖେଳୁଥିବା କଥା ଉଲ୍ଲେଖ କରାଯାଇଛି।
ଗାଭାସ୍କରଙ୍କ ଅନୁଯାୟୀ, ନିଜ ରାଜ୍ୟ ଦଳରେ ସ୍ଥାନ ପାଇପାରୁ ନ ଥିବା ଖେଳାଳିଙ୍କୁ ଅନ୍ୟ ରାଜ୍ୟ ଦଳ ନିଜ ପକ୍ଷରୁ ଖେଳାଇବା ପାଇଁ ସୁଯୋଗ ଦେଉଛନ୍ତି। ହେଲେ ଏହି ଖେଳାଳିମାନେ ଏଲିଟ ଗ୍ରୁପ୍ର ଦଳ ବିପକ୍ଷରେ ସେହିଭଳି ପ୍ରଭାବଶାଳୀ ପ୍ରଦର୍ଶନ କରିପାରୁ ନାହାନ୍ତି। ଫଳରେ ଏଲିଟ ଓ ପ୍ଲେଟ ଡିଭିଜନ ମଧ୍ୟରେ ଥିବା ମାନର ପାର୍ଥକ୍ୟ ସ୍ପଷ୍ଟ ହେଉଛି।
ରଣଜୀ ଟ୍ରଫି ଭଳି ଦେଶର ଏକ ପ୍ରମୁଖ ଘରୋଇ ପ୍ରତିଯୋଗିତାରେ ସମସ୍ତ ରାଜ୍ୟକୁ ସୁଯୋଗ ଦେବା ଏବଂ ଖେଳର ମାନ ବଜାୟ ରଖିବା ମଧ୍ୟରେ କିପରି ସମନ୍ବୟ ରକ୍ଷା କରାଯିବ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
Dharitri – Odisha’s No.1 Odia Daily

