ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରର ଅଧିକାଂଶ ୱାର୍ଡ ବା ସାହିରେ ନିର୍ମାଣ ହୋଇଛି ଫେବର ବ୍ଲକ ରାସ୍ତା । ଆଉ କିଛି ସାହିରେ ବର୍ତ୍ତମାନ ମଧ୍ୟ ଫେବର ବ୍ଲକରେ ରାସ୍ତା କାମ ଚାଲିଛି । କିନ୍ତୁ ବେପରୁଆ ଠିକାଦାରୀ ତଥା ନିମ୍ନମାନର କାର୍ଯ୍ୟ ଯୋଗୁଁ ନିର୍ମାଣ ହେବାର ଦିମାସ ନ ପୂରୁଣୁ ତାହା ଭାଙ୍ଗି ଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ୱାର୍ଡ ନଂ ୫ ପୁରୁଣା ପେଟ୍ରୋଲ ପମ୍ପ ଠାରୁ ମାହାନ୍ତି ଘର ପର୍ଯ୍ୟନ୍ତ ।
ଚାରିଶହ ମିଟର ରାସ୍ତା ନିର୍ମାଣ ପାଇଁ ୧୫ ଲକ୍ଷ ୮୦ ହଜାର ୩୨୦ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ତଥାପି ନିର୍ମାଣର ଦୁଇ ମାସ ନହେଉଣୁ ଗାର୍ଡ ୱାଲ ଭାଙ୍ଗିଯିବା ସହ କିଛି କିଛି ସ୍ଥାନରେ ଫେବର ଦବି ଯାଇଥିବା ଦେଖିବାକୁ ମିଳିଛି । ଏହାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି ।
ଅଧିକାଂଶ ସାହିର ରାସ୍ତା ସେହିଭଳି । ମାଙ୍କଡ଼ ହାତରେ ଶାଳଗ୍ରାମ ଭଳି ଏନଏସି ପ୍ରଶାସନ ପକ୍ଷରୁ ଯାହାକୁ ନାହିଁ ତାକୁ କାମ ଦେଇ ମୋଟା ଅଙ୍କର ପିସି ନେଉଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ଏଭଳି ଅବସ୍ଥା ଭୋଗ କରୁଛନ୍ତି ବୋଲି ସାନବଜାର ବଣିକ ସଙ୍ଘ ସମ୍ପାଦକ ପ୍ରଭାତ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

