ନିଆଁରେ ଇନ୍ଧନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୧ ଜାନୁୟାରୀରେ ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଫାସ୍‌ଟାଗ ବିଷୟରେ କହିଛନ୍ତି। ନିକଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ ରାଜଧାନୀ କଲିକତାରୁ ଅପର୍ଣ୍ଣା ଦାସ ନାମ୍ନୀ ଜନୈକା ବ୍ୟକ୍ତି ନମୋ ଆପ୍‌ରେ ଏକ ପୋଷ୍ଟ୍‌ କରି ପ୍ରଧାନମନ୍ତ୍ରୀଙ୍କୁ ଫାସ୍‌ଟାଗ୍‌ ଉପରେ କିଛି କହିବାକୁ ଅନୁରୋଧ କରିଥିଲେ। ସାଧାରଣରେ ଜାତୀୟ ରାଜପଥର ନିର୍ଦ୍ଧାରିତ କିଲୋମିଟର ଦୂରତାରେ ବସାଯାଉଥିବା ଟୋଲ୍‌ ଟିକସ ଫାଟକ ଅତିକ୍ରମ କରିବା ପାଇଁ ସରକାର ଫାସ୍‌ଟାଗ୍‌ ବ୍ୟବସ୍ଥା କରିଛନ୍ତି। ଏଥିରେ ଯାନବାହନ ମାଲିକ ପ୍ରଥମେ ହିସାବ କରି ସରକାରଙ୍କ ପାଖରେ ଟଙ୍କା ବାନ୍ଧିବେ। ସେତିକି ମୂଲ୍ୟର ଏକ କାର୍ଡ ମିଳିବ, ଯାହାକି ଗାଡ଼ିର ସାମ୍ନା କାଚ ଉପରେ ଲଗାଯାଇପାରିବ। ଟୋଲ୍‌ ଫାଟକରେ ଥିବା କାର୍ଡ ପଢ଼ିବା ଯନ୍ତ୍ର ଜମା କରାଯାଇଥିବା ଟଙ୍କାରୁ ସେହି ଫାଟକ ମୂଲ୍ୟର ଅର୍ଥ କାଟିନେବା ପରେ ଗାଡ଼ି ଆଗକୁ ବଢ଼ିବା ପାଇଁ ଫାଟକ ଖୋଲିବ। ଏଥିପାଇଁ ମଣିଷର ପ୍ରୟୋଜନ ହେବ ନାହିଁ। ଅର୍ଥାତ୍‌ ଆଜିର ପରିସ୍ଥିତିରେ ଫାଟକଗୁଡ଼ିକରେ ବସୁଥିବା ଯୁବକଙ୍କ ରୋଜଗାରର ବାଟ ବନ୍ଦ ହେବ। ଏହା ବ୍ୟତୀତ ସବୁ ଟିକସ ବୃଦ୍ଧି ପାଇବା ଭଳି ଯାନବାହନ ମାଲିକମାନେ, ରାସ୍ତା ବ୍ୟବହାର ପୂର୍ବରୁ, ସରକାରଙ୍କ ପାଖରେ ଆଗରୁ ଅର୍ଥ ବାନ୍ଧିବେ। ଏହାସହିତ ଯଦି କାର୍ଡ ପଢ଼ିବା ମେଶିନରେ ତ୍ରୁଟି ହୁଏ, ତେବେ ସେ ସମ୍ପର୍କରେ ବାହନଚାଳକ ଜାଣିବା ଅସମ୍ଭବ। ୧୦୦ ଟଙ୍କା ଜାଗାରେ ୨୦୦ ଟଙ୍କା କଟିଗଲେ କେହି କିଛି କରିପାରିବେ ନାହିଁ। ଏଥିରେ କଟିଥିବା ଟଙ୍କାର ରସିଦ ମିଳିବାର ବ୍ୟବସ୍ଥା ନାହିଁ। ଏଥିସହିତ ଫାସ୍‌ଟାଗରେ କୌଣସି ଆବେଦନର ବ୍ୟବସ୍ଥା ମଧ୍ୟ ରଖାଯାଇ ନାହିଁ। ଦେଖିବାକୁ ଗଲେ ଫାସ୍‌ଟାଗ ସରକାରଙ୍କ ପାଇଁ ଅନ୍ୟ ଏକ ବିପୁଳ ଅର୍ଥ ଆଦାୟର ମାର୍ଗ। ଏଠାରେ ଉଲ୍ଲେଖଯୋଗ୍ୟ, ଗାଡ଼ି ପଞ୍ଜୀକରଣ କଲାବେଳେ ୧୫ ବର୍ଷ ପାଇଁ ରୋଡ୍‌ ଟ୍ୟାକ୍ସ ଦେବା ବାଧ୍ୟତାମୂଳକ । ତେବେ ଫାସ୍‌ଟାଗ ପ୍ରହସନକୁ ଯଥାର୍ଥ ବୋଲି ଦେଖାଇବା ପାଇଁ ପଶ୍ଚିମବଙ୍ଗରୁ ଏଭଳି ଏକ ନିବେଦନ ଆସିଥିବା ପଛର ଉଦ୍ଦେଶ୍ୟ ହେଉଛି, ସେଠାରେ ଜନସାଧାରଣ ଏହି ବ୍ୟବସ୍ଥା ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଓଡ଼ିଶାରେ ସେଭଳି ଅସନ୍ତୋଷ ପ୍ରକାଶ ପାଇବାର ନଜିର ନାହିଁ, କାରଣ ଆମେ ସବୁ ସହିଯାଉଛେ।
ଫାସ୍‌ଟାଗ୍‌ ବ୍ୟବସ୍ଥାକୁ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀ ମନ୍‌ କି ବାତ୍‌ରେ ଏହାର ଉପକାରିତା ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ଟୋଲ୍‌ ପ୍ଲାଜା ଅତିକ୍ରମ କରିବା ସକାଶେ ଗୋଟେ ଗାଡ଼ିକୁ ପାଖାପାଖି ୭ରୁ ୮ ମିନିଟ୍‌ ଲାଗୁଥିଲା। ଗାଡ଼ିରେ ଫାସ୍‌ଟାଗ୍‌ ଲାଗିଯିବା ପରେ ଏହା ଦେଢ଼ରୁ ଦୁଇ ମିନିଟ୍‌ ଭିତରେ ଟୋଲ୍‌ ପ୍ଲାଜା ଅତିକ୍ରମ କରିବା ସହିତ ଇନ୍ଧନ ମଧ୍ୟ ବଞ୍ଚାଇପାରିବ। ଏଥିସହିତ କରଦାତାଙ୍କ ୨୧ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଭଳି ହିସାବ କେଉଁ ମାଧ୍ୟମରେ ଯୋଗାଡ଼ କରାଯାଇଛି, ତାହାର ଆଧାର ହୁଏତ କେହି ଜାଣି ନ ଥିବେ। ଏହା ବ୍ୟତୀତ ମୁଣ୍ଡାମୁଣ୍ଡି ୨୧ ହଜାର କୋଟି ଟଙ୍କା (୨୦ ନୁହେଁ କି ୨୨ ନୁହେଁ) ଦୈନିକ, ମାସିକ ନା ବାର୍ଷିକ ତାହା ସ୍ପଷ୍ଟ କରାଯାଇ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତରେ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଏ। ସେହି ଦଶନ୍ଧି ମଧ୍ୟରେ ଅନେକ କୋଟି ପିଲା ଜନ୍ମହେବା ସହିତ ଅନେକ କୋଟିଙ୍କ ମୃତ୍ୟୁ ଘଟିଥାଏ। ସେଥିରୁ କିଛି କୋଟି ସଡ଼କ ଦୁର୍ଘଟଣାରେ ମରନ୍ତି। ଏହି ଦଶନ୍ଧିପୁରୁଣା ଜନଗଣନାକୁ ଆଧାର କରି ଆମ ଦେଶର ସବୁ ପ୍ରକାର ନୀତି, ଯୋଜନା, ଆଇନକାନୁନ ସମେତ ରାସ୍ତା ଓ ପୋଲର ଚଉଡ଼ା କେତେ ହେବ ତାହା ନିର୍ଦ୍ଧାରଣ କରାଯାଇଥାଏ। ଏପରି ମୌଳିକ ତଥ୍ୟ ପାଇପାରୁ ନ ଥିବା ସରକାର କେମିତି ୨୧ ହଜାର କୋଟି ଟଙ୍କା କରଦାତାଙ୍କ ବଞ୍ଚିଯିବ ବୋଲି ଦାବି କରୁଛନ୍ତି, ତାହା ବୁଝିବା ସାଧାରଣରେ କଷ୍ଟକର। ଅବଶ୍ୟ ଆଜିର ସରକାରଙ୍କ ପାଇଁ ସବୁ କଥା ଭିନ୍ନ ହୋଇଯାଉଛି। ଅସତ୍ୟକୁ ବିଶ୍ୱାସ ନ କଲେ ଦୋଷ ନାଗରିକର।
ଏକ ନୂଆ ବ୍ୟବସ୍ଥା, ଯାହା ଦ୍ୱାରା ଲୋକଙ୍କ କଲ୍ୟାଣ ହୋଇପାରିଥାଏ ତାହା ନିଶ୍ଚିତ ଭାବେ ଗ୍ରହଣଯୋଗ୍ୟ। ହେଲେ ବର୍ଷ ବର୍ଷ ଧରି ଟୋଲ୍‌ ପ୍ଲାଜା ରାଜପଥ ଉପରେ ଦଣ୍ଡାୟମାନ କରିବାର କି ଆବଶ୍ୟକତା ରହିଛି ବୋଲି ହେଉଥିବା ଯୁକ୍ତିକୁ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଚିନ୍ତା କରିବା ଦରକାର। ଏହା ମଧ୍ୟ ଅଭିଯୋଗ ହୋଇଥାଏ ଯେ, କେତେକ ସରକାରୀ ଅଧିକାରୀ ନିର୍ଦ୍ଦିଷ୍ଟ ଟୋଲ୍‌ ପ୍ଲାଜାକୁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେଇ ଦୀର୍ଘଦିନ ଚଲାଇ ରଖି ଫାଇଦା ଉଠାଇଥାଆନ୍ତି। ରାସ୍ତା ନିର୍ମାଣ ଲାଗି ବ୍ୟୟ କରାଯାଇଥିବା ଅର୍ଥ ଭରଣା କରାଯାଇପାରିଥିଲେ ମଧ୍ୟ ଲାଭ ଦିଗକୁ ଦେଖି ଟୋଲ୍‌ ପ୍ଲାଜାକୁ ବଞ୍ଚାଇ ରଖାଯାଉଛି। ଗାଡ଼ି ମାଲିକ ହୁଅନ୍ତୁ ବା ଯାତ୍ରୀ, କେବଳ ରାସ୍ତାରେ ଗଲା ବେଳେ ଟୋଲ୍‌ ପ୍ଲାଜାରେ ଭିଡ଼ ହେଲେ ସାମାନ୍ୟ ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି। ଏହା ପରେ ଯେଉଁ କଥାକୁ ସେହି କଥା। ଏଭଳି ପ୍ରଚ୍ଛଦପଟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଆଲୋଚନା ପରିସରକୁ ଅଣାଯିବା ଦରକାର। ରାଜସ୍ଥାନରେ ଇନ୍ଧନ ଦର ଲିଟର ପିଛା ୧୦୦ ଟଙ୍କା ଛୁଇଁଥିବା ବେଳେ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ତେଲ ମୂଲ୍ୟ ୯୦ ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ ହୋଇଯାଇଛି। ଏହାଦ୍ୱାରା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଛି। ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ଏ ବିଷୟରେ ସମସ୍ତେ ଆଲୋଚନା କରୁଥିଲେ ମଧ୍ୟ ଏକଜୁଟ ହୋଇ ପ୍ରତିବାଦ କରିବା ଦେଖାଯାଉ ନାହିଁ। କେନ୍ଦ୍ର ସରକାର ଏ ବିଷୟ ଜାଣୁଥିଲେ ମଧ୍ୟ ନିଦାବିଷ୍ଣୁ ପାଲଟିଛନ୍ତି। ଏଠାରେ କୁହାଯାଇପାରେ ଯେ, ନମୋ ଆପ୍‌ରେ ପୋଷ୍ଟିଂ କରାଯାଉଥିବା ଅନେକ ବିଷୟକୁ ‘ମନ୍‌ କି ବାତ୍‌’ରେ ସ୍ଥାନିତ କରାଯାଉ ନାହିଁ। ସରକାରଙ୍କୁ ସୁହାଇଲା ଭଳି କେତେକ ବିଷୟ ଚୟନ କରାଯାଉଛି। ‘ନୂତନ ଭାରତ’ ତୁଳନାରେ ପୁରାତନ ଭାରତରେ ନାଗରିକମାନେ ଅଧିକ ସଚେତନ, ସକ୍ରିୟ ଏବଂ ଗଣତନ୍ତ୍ର ବିଶ୍ୱାସୀ ଥିବା ଭଳି ମନେହେଉଛି। ପୂର୍ବରୁ ତେଲ ଦର ବୃଦ୍ଧି ହେଲେ ରାଜନୈତିକ ଦଳଗୁଡ଼ିକ ସହିତ ସାଧାରଣ ନାଗରିକ ଆନ୍ଦୋଳନକୁ ଓହ୍ଲାଇ ଆସୁଥିଲେ। ଅନେକ ଉଦାହରଣ ରହିଛି, ଯେଉଁଥିରୁ ପ୍ରମାଣ ମିଳୁଛି ଯେ, ଆନ୍ଦୋଳନ ତୀବ୍ରତର ହେଲେ ପୂର୍ବ ସରକାରମାନେ ଘୋଷଣାକୁ ଫେରସ୍ତ ବା ରୋଲ୍‌ବ୍ୟାକ୍‌ କରିଛନ୍ତି। ନୂଆ ଭାରତରେ ସେଭଳି ଲୋକଙ୍କ କଥା ଶୁଣିବାର ଉଦାହରଣ ଦେଖିବାକୁ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?