ନିଆଁରେ ଇନ୍ଧନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୧ ଜାନୁୟାରୀରେ ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’ରେ ଫାସ୍‌ଟାଗ ବିଷୟରେ କହିଛନ୍ତି। ନିକଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ପଶ୍ଚିମବଙ୍ଗ ରାଜଧାନୀ କଲିକତାରୁ ଅପର୍ଣ୍ଣା ଦାସ ନାମ୍ନୀ ଜନୈକା ବ୍ୟକ୍ତି ନମୋ ଆପ୍‌ରେ ଏକ ପୋଷ୍ଟ୍‌ କରି ପ୍ରଧାନମନ୍ତ୍ରୀଙ୍କୁ ଫାସ୍‌ଟାଗ୍‌ ଉପରେ କିଛି କହିବାକୁ ଅନୁରୋଧ କରିଥିଲେ। ସାଧାରଣରେ ଜାତୀୟ ରାଜପଥର ନିର୍ଦ୍ଧାରିତ କିଲୋମିଟର ଦୂରତାରେ ବସାଯାଉଥିବା ଟୋଲ୍‌ ଟିକସ ଫାଟକ ଅତିକ୍ରମ କରିବା ପାଇଁ ସରକାର ଫାସ୍‌ଟାଗ୍‌ ବ୍ୟବସ୍ଥା କରିଛନ୍ତି। ଏଥିରେ ଯାନବାହନ ମାଲିକ ପ୍ରଥମେ ହିସାବ କରି ସରକାରଙ୍କ ପାଖରେ ଟଙ୍କା ବାନ୍ଧିବେ। ସେତିକି ମୂଲ୍ୟର ଏକ କାର୍ଡ ମିଳିବ, ଯାହାକି ଗାଡ଼ିର ସାମ୍ନା କାଚ ଉପରେ ଲଗାଯାଇପାରିବ। ଟୋଲ୍‌ ଫାଟକରେ ଥିବା କାର୍ଡ ପଢ଼ିବା ଯନ୍ତ୍ର ଜମା କରାଯାଇଥିବା ଟଙ୍କାରୁ ସେହି ଫାଟକ ମୂଲ୍ୟର ଅର୍ଥ କାଟିନେବା ପରେ ଗାଡ଼ି ଆଗକୁ ବଢ଼ିବା ପାଇଁ ଫାଟକ ଖୋଲିବ। ଏଥିପାଇଁ ମଣିଷର ପ୍ରୟୋଜନ ହେବ ନାହିଁ। ଅର୍ଥାତ୍‌ ଆଜିର ପରିସ୍ଥିତିରେ ଫାଟକଗୁଡ଼ିକରେ ବସୁଥିବା ଯୁବକଙ୍କ ରୋଜଗାରର ବାଟ ବନ୍ଦ ହେବ। ଏହା ବ୍ୟତୀତ ସବୁ ଟିକସ ବୃଦ୍ଧି ପାଇବା ଭଳି ଯାନବାହନ ମାଲିକମାନେ, ରାସ୍ତା ବ୍ୟବହାର ପୂର୍ବରୁ, ସରକାରଙ୍କ ପାଖରେ ଆଗରୁ ଅର୍ଥ ବାନ୍ଧିବେ। ଏହାସହିତ ଯଦି କାର୍ଡ ପଢ଼ିବା ମେଶିନରେ ତ୍ରୁଟି ହୁଏ, ତେବେ ସେ ସମ୍ପର୍କରେ ବାହନଚାଳକ ଜାଣିବା ଅସମ୍ଭବ। ୧୦୦ ଟଙ୍କା ଜାଗାରେ ୨୦୦ ଟଙ୍କା କଟିଗଲେ କେହି କିଛି କରିପାରିବେ ନାହିଁ। ଏଥିରେ କଟିଥିବା ଟଙ୍କାର ରସିଦ ମିଳିବାର ବ୍ୟବସ୍ଥା ନାହିଁ। ଏଥିସହିତ ଫାସ୍‌ଟାଗରେ କୌଣସି ଆବେଦନର ବ୍ୟବସ୍ଥା ମଧ୍ୟ ରଖାଯାଇ ନାହିଁ। ଦେଖିବାକୁ ଗଲେ ଫାସ୍‌ଟାଗ ସରକାରଙ୍କ ପାଇଁ ଅନ୍ୟ ଏକ ବିପୁଳ ଅର୍ଥ ଆଦାୟର ମାର୍ଗ। ଏଠାରେ ଉଲ୍ଲେଖଯୋଗ୍ୟ, ଗାଡ଼ି ପଞ୍ଜୀକରଣ କଲାବେଳେ ୧୫ ବର୍ଷ ପାଇଁ ରୋଡ୍‌ ଟ୍ୟାକ୍ସ ଦେବା ବାଧ୍ୟତାମୂଳକ । ତେବେ ଫାସ୍‌ଟାଗ ପ୍ରହସନକୁ ଯଥାର୍ଥ ବୋଲି ଦେଖାଇବା ପାଇଁ ପଶ୍ଚିମବଙ୍ଗରୁ ଏଭଳି ଏକ ନିବେଦନ ଆସିଥିବା ପଛର ଉଦ୍ଦେଶ୍ୟ ହେଉଛି, ସେଠାରେ ଜନସାଧାରଣ ଏହି ବ୍ୟବସ୍ଥା ଉପରେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଓଡ଼ିଶାରେ ସେଭଳି ଅସନ୍ତୋଷ ପ୍ରକାଶ ପାଇବାର ନଜିର ନାହିଁ, କାରଣ ଆମେ ସବୁ ସହିଯାଉଛେ।
ଫାସ୍‌ଟାଗ୍‌ ବ୍ୟବସ୍ଥାକୁ ବୁଝାଇବାକୁ ଯାଇ ପ୍ରଧାନମନ୍ତ୍ରୀ ମନ୍‌ କି ବାତ୍‌ରେ ଏହାର ଉପକାରିତା ବିଷୟରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ଟୋଲ୍‌ ପ୍ଲାଜା ଅତିକ୍ରମ କରିବା ସକାଶେ ଗୋଟେ ଗାଡ଼ିକୁ ପାଖାପାଖି ୭ରୁ ୮ ମିନିଟ୍‌ ଲାଗୁଥିଲା। ଗାଡ଼ିରେ ଫାସ୍‌ଟାଗ୍‌ ଲାଗିଯିବା ପରେ ଏହା ଦେଢ଼ରୁ ଦୁଇ ମିନିଟ୍‌ ଭିତରେ ଟୋଲ୍‌ ପ୍ଲାଜା ଅତିକ୍ରମ କରିବା ସହିତ ଇନ୍ଧନ ମଧ୍ୟ ବଞ୍ଚାଇପାରିବ। ଏଥିସହିତ କରଦାତାଙ୍କ ୨୧ ହଜାର କୋଟି ଟଙ୍କା ସଞ୍ଚୟ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଭଳି ହିସାବ କେଉଁ ମାଧ୍ୟମରେ ଯୋଗାଡ଼ କରାଯାଇଛି, ତାହାର ଆଧାର ହୁଏତ କେହି ଜାଣି ନ ଥିବେ। ଏହା ବ୍ୟତୀତ ମୁଣ୍ଡାମୁଣ୍ଡି ୨୧ ହଜାର କୋଟି ଟଙ୍କା (୨୦ ନୁହେଁ କି ୨୨ ନୁହେଁ) ଦୈନିକ, ମାସିକ ନା ବାର୍ଷିକ ତାହା ସ୍ପଷ୍ଟ କରାଯାଇ ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ଭାରତରେ ପ୍ରତି ୧୦ ବର୍ଷରେ ଜନଗଣନା କରାଯାଏ। ସେହି ଦଶନ୍ଧି ମଧ୍ୟରେ ଅନେକ କୋଟି ପିଲା ଜନ୍ମହେବା ସହିତ ଅନେକ କୋଟିଙ୍କ ମୃତ୍ୟୁ ଘଟିଥାଏ। ସେଥିରୁ କିଛି କୋଟି ସଡ଼କ ଦୁର୍ଘଟଣାରେ ମରନ୍ତି। ଏହି ଦଶନ୍ଧିପୁରୁଣା ଜନଗଣନାକୁ ଆଧାର କରି ଆମ ଦେଶର ସବୁ ପ୍ରକାର ନୀତି, ଯୋଜନା, ଆଇନକାନୁନ ସମେତ ରାସ୍ତା ଓ ପୋଲର ଚଉଡ଼ା କେତେ ହେବ ତାହା ନିର୍ଦ୍ଧାରଣ କରାଯାଇଥାଏ। ଏପରି ମୌଳିକ ତଥ୍ୟ ପାଇପାରୁ ନ ଥିବା ସରକାର କେମିତି ୨୧ ହଜାର କୋଟି ଟଙ୍କା କରଦାତାଙ୍କ ବଞ୍ଚିଯିବ ବୋଲି ଦାବି କରୁଛନ୍ତି, ତାହା ବୁଝିବା ସାଧାରଣରେ କଷ୍ଟକର। ଅବଶ୍ୟ ଆଜିର ସରକାରଙ୍କ ପାଇଁ ସବୁ କଥା ଭିନ୍ନ ହୋଇଯାଉଛି। ଅସତ୍ୟକୁ ବିଶ୍ୱାସ ନ କଲେ ଦୋଷ ନାଗରିକର।
ଏକ ନୂଆ ବ୍ୟବସ୍ଥା, ଯାହା ଦ୍ୱାରା ଲୋକଙ୍କ କଲ୍ୟାଣ ହୋଇପାରିଥାଏ ତାହା ନିଶ୍ଚିତ ଭାବେ ଗ୍ରହଣଯୋଗ୍ୟ। ହେଲେ ବର୍ଷ ବର୍ଷ ଧରି ଟୋଲ୍‌ ପ୍ଲାଜା ରାଜପଥ ଉପରେ ଦଣ୍ଡାୟମାନ କରିବାର କି ଆବଶ୍ୟକତା ରହିଛି ବୋଲି ହେଉଥିବା ଯୁକ୍ତିକୁ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଚିନ୍ତା କରିବା ଦରକାର। ଏହା ମଧ୍ୟ ଅଭିଯୋଗ ହୋଇଥାଏ ଯେ, କେତେକ ସରକାରୀ ଅଧିକାରୀ ନିର୍ଦ୍ଦିଷ୍ଟ ଟୋଲ୍‌ ପ୍ଲାଜାକୁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦେଇ ଦୀର୍ଘଦିନ ଚଲାଇ ରଖି ଫାଇଦା ଉଠାଇଥାଆନ୍ତି। ରାସ୍ତା ନିର୍ମାଣ ଲାଗି ବ୍ୟୟ କରାଯାଇଥିବା ଅର୍ଥ ଭରଣା କରାଯାଇପାରିଥିଲେ ମଧ୍ୟ ଲାଭ ଦିଗକୁ ଦେଖି ଟୋଲ୍‌ ପ୍ଲାଜାକୁ ବଞ୍ଚାଇ ରଖାଯାଉଛି। ଗାଡ଼ି ମାଲିକ ହୁଅନ୍ତୁ ବା ଯାତ୍ରୀ, କେବଳ ରାସ୍ତାରେ ଗଲା ବେଳେ ଟୋଲ୍‌ ପ୍ଲାଜାରେ ଭିଡ଼ ହେଲେ ସାମାନ୍ୟ ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି। ଏହା ପରେ ଯେଉଁ କଥାକୁ ସେହି କଥା। ଏଭଳି ପ୍ରଚ୍ଛଦପଟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ଆଲୋଚନା ପରିସରକୁ ଅଣାଯିବା ଦରକାର। ରାଜସ୍ଥାନରେ ଇନ୍ଧନ ଦର ଲିଟର ପିଛା ୧୦୦ ଟଙ୍କା ଛୁଇଁଥିବା ବେଳେ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ତେଲ ମୂଲ୍ୟ ୯୦ ଟଙ୍କା କିମ୍ବା ତଦୂର୍ଦ୍ଧ୍ୱ ହୋଇଯାଇଛି। ଏହାଦ୍ୱାରା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଛି। ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ଏ ବିଷୟରେ ସମସ୍ତେ ଆଲୋଚନା କରୁଥିଲେ ମଧ୍ୟ ଏକଜୁଟ ହୋଇ ପ୍ରତିବାଦ କରିବା ଦେଖାଯାଉ ନାହିଁ। କେନ୍ଦ୍ର ସରକାର ଏ ବିଷୟ ଜାଣୁଥିଲେ ମଧ୍ୟ ନିଦାବିଷ୍ଣୁ ପାଲଟିଛନ୍ତି। ଏଠାରେ କୁହାଯାଇପାରେ ଯେ, ନମୋ ଆପ୍‌ରେ ପୋଷ୍ଟିଂ କରାଯାଉଥିବା ଅନେକ ବିଷୟକୁ ‘ମନ୍‌ କି ବାତ୍‌’ରେ ସ୍ଥାନିତ କରାଯାଉ ନାହିଁ। ସରକାରଙ୍କୁ ସୁହାଇଲା ଭଳି କେତେକ ବିଷୟ ଚୟନ କରାଯାଉଛି। ‘ନୂତନ ଭାରତ’ ତୁଳନାରେ ପୁରାତନ ଭାରତରେ ନାଗରିକମାନେ ଅଧିକ ସଚେତନ, ସକ୍ରିୟ ଏବଂ ଗଣତନ୍ତ୍ର ବିଶ୍ୱାସୀ ଥିବା ଭଳି ମନେହେଉଛି। ପୂର୍ବରୁ ତେଲ ଦର ବୃଦ୍ଧି ହେଲେ ରାଜନୈତିକ ଦଳଗୁଡ଼ିକ ସହିତ ସାଧାରଣ ନାଗରିକ ଆନ୍ଦୋଳନକୁ ଓହ୍ଲାଇ ଆସୁଥିଲେ। ଅନେକ ଉଦାହରଣ ରହିଛି, ଯେଉଁଥିରୁ ପ୍ରମାଣ ମିଳୁଛି ଯେ, ଆନ୍ଦୋଳନ ତୀବ୍ରତର ହେଲେ ପୂର୍ବ ସରକାରମାନେ ଘୋଷଣାକୁ ଫେରସ୍ତ ବା ରୋଲ୍‌ବ୍ୟାକ୍‌ କରିଛନ୍ତି। ନୂଆ ଭାରତରେ ସେଭଳି ଲୋକଙ୍କ କଥା ଶୁଣିବାର ଉଦାହରଣ ଦେଖିବାକୁ ମିଳୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri