ବନ୍ଧୁ ଶଙ୍ଖୁଳା

ଅଲେଖ ଚନ୍ଦ୍ର ମିଶ୍ର

ବନ୍ଧୁବତ୍ସଳତା ଭାରତୀୟ ସଂସ୍କୃତିର ଏକ ମହାନ୍‌ ପରମ୍ପରା। ବନ୍ଧୁତାର ସୃଷ୍ଟି ଯେତିକି ସହଜ ତା’ର ସ୍ଥିତି ସେତିକି କଷ୍ଟ ଓ ବିଚ୍ଛେଦ ତତୋଽଧିକ ଯନ୍ତ୍ରଣାଦାୟକ। ଶାସ୍ତ୍ରାନୁସାରେ ଅଜଣା ଲୋକଟିଏ ସହିତ ମାତ୍ର ସାତ ପାଦ ଚାଲିଲେ କିମ୍ବା ସାତପଦ କଥାବାର୍ତ୍ତା ହେଲେ ବନ୍ଧୁତ୍ୱ ସୃଷ୍ଟି ହୋଇଯାଏ। ଯେଉଁଠାରେ ପାରିବାରିକ ସମ୍ପର୍କ ମାଧ୍ୟମରେ ବନ୍ଧୁତା ସ୍ଥାପନ ହୁଏ ତାହା ତ ସାତ ପିଢ଼ି ପର୍ଯ୍ୟନ୍ତ ଅତୁଟ ରହେ ବୋଲି ବିଶ୍ୱାସ ରହିଛି। ତା’ ଛଡ଼ା ଘଟଣାଚକ୍ରରେ ବା ଭାବାବେଗରେ ସୃଷ୍ଟ ବନ୍ଧୁତ୍ୱ ଯଥା ସୂର୍ଯ୍ୟବନ୍ଧୁ, ଧର୍ମବନ୍ଧୁ, ଅବଢ଼ା, ମାହାର୍ଦ୍ଦ, ମକର, ସଙ୍ଗାତ, ମୈତ୍ର, ସାଥୀ, ମିତ, ସଖା, ସଖୀ, ସହୀ ପ୍ରମୁଖ ବି ଆଜୀବନ ଅତୁଟ ରହେ I
ବନ୍ଧୁତାର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଯେତେ କଷ୍ଟ ବା ଅସୁବିଧା ହେଲେ ବି କେହି କିଛି ଭାବନ୍ତିନି। ଏପରିକି ବନ୍ଧୁ ପାଇଁ ଜୀବନ ଦେବାକୁ ଅନେକେ ପଛାନ୍ତି ନାହିଁ। ଯାହାର ସଂଖ୍ୟାତୀତ ଦୃଷ୍ଟାନ୍ତ ମଧ୍ୟରୁ ପ୍ରାଚୀନ ଗ୍ରୀକ୍‌ ସାହିତ୍ୟର ଅମର କାହାଣୀ ଡାମନ ଓ ପିଥିୟାସ ବନ୍ଧୁତାର ଶ୍ରେଷ୍ଠ ନିଦର୍ଶନ ଭାବରେ ସାରା ପୃଥିବୀରେ ଅବିସ୍ମରଣୀୟ ହୋଇ ରହିଛି।
ସେହିପରି ଆମ ସମାଜରେ ବନ୍ଧୁଚର୍ଚ୍ଚା ବା ଅତିଥିସତ୍କାର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି, ଯାହାର ପଟାନ୍ତର ନାହିଁ I ବନ୍ଧୁ ଅତିଥି ଏବଂ ଅତିଥି ଦେବତା (ଅତିଥି ଦେବୋ ଭବଃ) ଆମ ସଂସ୍କୃତି ଏହି ଆଦର୍ଶର ବାର୍ତ୍ତାବହ। ଘରକୁ ବନ୍ଧୁ ବା କୁଣିଆଟିଏ ଆସିଲେ କୋଟିନିଧି ମିଳିଲାପରି ଲାଗେ ଏବଂ ସାରା ପରିବାରରେ ଖୁସିର ଲହରି ଖେଳିଯାଏ I
ବନ୍ଧୁବାନ୍ଧବ ଆସିଲେ କାମରେ ଲାଗିବା ପାଇଁ ଅନେକ ଆଗରୁ ସାଇତା ରଖା ଯାଇଥିବା ଜିନିଷ ଖୋଜା ପଡ଼େ। ବନ୍ଧୁଙ୍କୁ ପାଛୋଟି ଆଣି ଗୋଡ଼ ଧୋଇବାକୁ ପାଣି ଓ ପୋଛି ହେବାକୁ ଗାମୁଛା ଦିଆଯାଏ I ବିଶ୍ରାମ କରିବା ପାଇଁ ଭିତର ଘରକୁ ନେଇଯାଇ ସମସ୍ତେ ତାଙ୍କର ସେବାରେ ଲାଗି ପଡ଼ନ୍ତି I କେହି ଜଳପାନର ବ୍ୟବସ୍ଥା କରନ୍ତି ତ କେହି ରୋଷେଇବାସର ବିଶେଷ ଆୟୋଜନରେ ଲାଗିପଡ଼ନ୍ତି। କେହି ଗାଡ଼ିଆରୁ ମାଛ ଧରିବା ପାଇଁ ବାହାରି ପଡ଼ନ୍ତି I ଅନ୍ୟ କେହି ବନ୍ଧୁଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର କୁଶଳ ବାର୍ତ୍ତା ପଚାରି ବୁଝନ୍ତି I
କେହି କେହି ଅଭିମାନଭରା କଣ୍ଠରେ କହନ୍ତି, କ’ଣ ଏତେ ଦିନରେ ଆମ କଥା ମନେପଡ଼ିଲା ବା ବାଟଭୁଲି ଇଆଡ଼େ ଆସିଗଲ ନା କ’ଣ? ଅଥବା ତୁମର ଏଠି କିଏ ଅଛି ଯେ ଆସିବ? କିମ୍ବା ତୁମର ଆଖି ତ ବଡ଼ ହୋଇଗଲାଣି, ଏ ଗରିବଙ୍କୁ କାହିଁକି ପଚାରିବ? ତାରି ଭିତରେ ପରିବାର ତରଫରୁ ନିଷ୍ପତ୍ତି ଶୁଣାଇ ଦିଅନ୍ତି, ଆସିଛ ତ ତୁମ ଇଚ୍ଛାରେ, ଯିବ କିନ୍ତୁ ଆମ ଇଚ୍ଛାରେ। ଯେଉଁ କେଇଦିନ ବନ୍ଧୁ ରହନ୍ତି ଘରେ ଯେମିତି ଉତ୍ସବ ଲାଗି ରହେ। ଯେଉଁଦିନ ସେ ଚାଲିଯିବାକୁ ବାହାରନ୍ତି ଘରର କେହି ତାଙ୍କର ଛତା, ଜୋତା, ଲୁଗାପଟା ଭଳି କିଛି ଜିନିଷ ଲୁଚେଇ ଦେଇ ତାଙ୍କ ଫେରିବାରେ ଅନ୍ତରାୟ ସୃଷ୍ଟି କରନ୍ତି I ଶେଷରେ ଯେତେବେଳେ ସେ କାମର ବାହାନା ଦେଖେଇ ଫେରିଯିବାକୁ ଜିଦ୍‌ କରନ୍ତି ଏବଂ ପୁଣି ଆସିବାକୁ ଆଶ୍ୱାସନା ଦିଅନ୍ତି ତାଙ୍କୁ। ଶୀଘ୍ର ପୁନରାଗମନର ପ୍ରତିଶ୍ରୁତି ଆଦାୟ କରିବାକୁ କେହି ଅନ୍ତରଙ୍ଗ ରାଣ ନିୟମ ପକାଇ ତାଙ୍କୁ ବିବଶ କରି ଦିଅନ୍ତି I ତା’ ପରେ ଘରର ମୁରବି ତାଙ୍କୁ ବାଟେଇ ଦେବାପାଇଁ କିଛିବାଟ ତାଙ୍କର ଅନୁଗମନ କରନ୍ତି I ଶାସ୍ତ୍ର ତ କହେ, ନଦୀଂ ଯାବତ୍‌ ବନ୍ଧୁମନୁସରେତ I ଅନେକ ବର୍ଷ ଧରି ସମ୍ପର୍କ ନ ଥିବା କିମ୍ବା ଭୁଲିଯାଇଥିବା ବହୁବର୍ଷ ତଳର ପୁରୁଣା ପିଢ଼ିର ବନ୍ଧୁ ଜଣେ ଆସିଲେ ତ ତାଙ୍କୁ ଦେଖି କେହି କେହି କାନ୍ଦି ପକାନ୍ତି I ଜଣକ ଘରକୁ କୁଣିଆଟିଏ ଆସିଲେ ସାହି ପଡ଼ିଶା ବି ତାଙ୍କୁ ଭୋଜନ ପାଇଁ ଆମନ୍ତ୍ରଣ କରନ୍ତି I ଏହା ହିଁ ଆଗେ ଆମ ସମାଜରେ ବନ୍ଧୁ ଶଙ୍ଖୁଳାର ଚଳଣି ଥିଲା I
ମାତ୍ର କ୍ଷୋଭର କଥା ଏଭଳି ଏକ ଅମୂଲ୍ୟ ବୁଝାମୁଣାର ପ୍ରକ୍ରିୟା ଏବେ ଅତୀତର ସ୍ମୃତି ପାଲଟି ଗଲାଣି। ଆମର ଯୁବ ସମାଜ ଏପରି ଭାବାବେଗତାରୁ ଦୂରେଇ ଯାଉଛି। ବିଶେଷକରି ସହରୀ ଜୀବନ ଯାପନ କରୁଥିବା ଅଣୁ ପରିବାର ବନ୍ଧୁଙ୍କର ଆକସ୍ମିକ ଆଗମନରେ ଅସ୍ବସ୍ତି ଅନୁଭବ କରନ୍ତି। ଦୈନନ୍ଦିନ ଜୀବନର ଧରାବନ୍ଧା ରାସ୍ତାରୁ ଦିନେ ଅଧେ ପାଇଁ ବିଚ୍ୟୁତିକୁ ବି ଗ୍ରହଣ କରିପାରନ୍ତିନି I
ଗାଁଲୋକ, ବନ୍ଧୁବାନ୍ଧବ, ସାହିପଡ଼ିଶା, ବାଲ୍ୟବନ୍ଧୁ, ସାଥୀ, ସମ୍ପର୍କୀୟ ଏମାନଙ୍କ କଥା ଦୂରେ ଥାଉ ନିଜ ପରିବାରର ଅତି ଆପଣାର ଲୋକ ଆସିଲେ ବି ସେମାନେ ସହଜ ହୋଇ ପାରନ୍ତିନି। ସେମାନେ ଭୁଲି ଯାଆନ୍ତି ସମ୍ପର୍କର ଆକର୍ଷଣ ଏତେ ମହାନ୍‌ ଯେ ଦେବତାମାନେ ବି ତାକୁ ପାଇବାକୁ ମର୍ତ୍ତ୍ୟରେ ମାନବ ଜନ୍ମ ନିଅନ୍ତି I ଭକ୍ତକବିଙ୍କ ଭାଷାରେ କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯାର ପ୍ରାପତି ଯୋଗୁ ଦେବତା ନର I’
ସାରଦାଶ୍ରୀ,୯୦୪, ଶାସ୍ତ୍ରୀନଗର,
ଭୁବନେଶ୍ୱର, ମୋ:୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?