ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର ଏହି ମାର୍ଚ୍ଚରେ ସାମିଲ ହେବାକୁ ସେ ଦେଶର ସମସ୍ତ ରାଜନୈତିକ ଦଳ, ସିଭିଲ୍ ସୋସାଇଟି ଓ ସମ୍ବିଧାନରେ ବିଶ୍ୱାସ ରଖୁଥିବା ନାଗରିକଙ୍କୁ ଆହ୍ୱାନ ଦେଇଛନ୍ତି।
ରାହୁଲ କହିଛନ୍ତି, ଏହି ମାର୍ଚ୍ଚ କୌଣସି ଦଳ, ଜାତି, ଧର୍ମ, ଲିଙ୍ଗ କିମ୍ବା ରାଜ୍ୟର ପରିଚୟ ଆଧାରରେ ନୁହେଁ । ବରଂ ଭାରତୀୟ ନାଗରିକ ଭାବେ ସମସ୍ତେ ଏକାଠି ହୋଇ ସୁପ୍ରିମକୋର୍ଟ ଯିବେ। ରବିବାର ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି ରାହୁଲ ଗାନ୍ଧୀ ଏହି ଘୋଷଣା କରିଥିଲେ । ଦିଲ୍ଲୀରେ CJPର ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ ଯୁବକମାନଙ୍କ ଉପରେ ପୋଲିସ ଓ ଭାଜପାକର୍ମୀଙ୍କ ପକ୍ଷରୁ ମାଡ଼ ମରାଯାଇଥିବା ଅଭିଯୋଗ କରି ସେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।
ରାହୁଲ କହିଥିଲେ, ଦେଶର ଯୁବକମାନେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରିବାକୁ ରାସ୍ତାକୁ ଓହ୍ଲାଇଥିଲେ । ସେମାନଙ୍କ ମନରେ ଘୃଣା କିମ୍ବା କ୍ରୋଧ ନୁହେଁ, ବରଂ ଭଲପାଇବା ଥିଲା। ତଥାପି ସେମାନଙ୍କୁ ମାଡ଼ ମରାଯାଇଥିବା ସେ ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀଙ୍କ କହିବା ଅନୁଯାୟୀ, ସୁପ୍ରିମକୋର୍ଟରେ ପହଞ୍ଚି ପ୍ରଧାନ ବିଚାରପତିଙ୍କୁ ଦେଶବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯିବ । ଏଥିରେ ମୁଖ୍ୟତଃ ନିମ୍ନଲିଖିତ ଦାବି ରହିବ ବୋଲି ସେ କହିଛନ୍ତି।
ଭୋଟ୍ ଚୋରି ବନ୍ଦ କରାଯାଉ
SIR ପ୍ରକ୍ରିୟା ବନ୍ଦ କରାଯାଉ
ଇଭିଏମ୍ ବ୍ୟବସ୍ଥା ହଟାଯାଉ
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଯାଉ
ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ ଏବଂ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ମଧ୍ୟ ରାହୁଲ ଗାନ୍ଧୀ ଟାର୍ଗେଟ୍ କରିଛନ୍ତି। ଏହି ନେତାମାନେ ଭାରତର ସ୍ୱରକୁ ଦବାଇ ପାରିବେ ନାହିଁ । ଲୋକମାନେ ଭୟଭୀତ ନହୋଇ ଭଲପାଇବା, ଭାଇଚାରା ଓ ଦେଶପ୍ରେମର ଭାବନା ସହ ଆଗକୁ ଆସିବା ଉଚିତ।
ସମ୍ବିଧାନ ଓ ଗଣତନ୍ତ୍ରରେ ବିଶ୍ୱାସ ରଖୁଥିବା ସମସ୍ତଙ୍କୁ ଏହି ମାର୍ଚ୍ଚରେ ସାମିଲ ହେବାକୁ ଆହ୍ୱାନ ଦେଇ ରାହୁଲ କହିଛନ୍ତି, ଏହା କେବଳ କୌଣସି ରାଜନୈତିକ ଦଳର ଲଢ଼େଇ ନୁହେଁ; ଦେଶର ସମ୍ବିଧାନ ଓ ଗଣତନ୍ତ୍ର ପାଇଁ ଏକାଠି ହେବାର ସମୟ ।

