ଚଳାଚଳ କରିପାରୁନି ଚାରିଚକିଆ

ବଇଣ୍ଡା,୧୪ା୯(ଡି.ଏନ.ଏ.) ପୂର୍ତ୍ତ ବିଭାଗର ୧୦ କିଲୋମିଟର ରାସ୍ତା ପିଚୁ ହେଲା। ଖର୍ଚ୍ଚ ହେଲା ପାଖାପାଖି ୭ କୋଟି ଟଙ୍କା। ହେଲେ ଦେଢ଼ବର୍ଷ ହେଲା ଏହା ନିର୍ମାଣ ସରିଥିଲେ ମଧ୍ୟ ଚଳାଚଳ କରିପାରୁନି ଚାରିଚକିଆ ଗାଡ଼ି। କାରଣ ଏହି ସଡ଼କରେ ପଡ଼ୁଥିବା ୩ଟି ପାହାଡ଼ି ନାଳ ଉପରେ ନିର୍ମାଣ ହୋଇନି ବ୍ରିଜ୍‌। ଫଳରେ ବର୍ଷା ହେଲେ ନାଳରେ ପାଣିର ପ୍ରଖର ସ୍ରୋତ ଗମନାଗମନରେ ବାଧକ ସାଜୁଛି। ବାଧ୍ୟ ହୋଇ ଅନୁଗୋଳ ଜିଲା କିଶୋରନଗର ବ୍ଲକର ୫ ପଞ୍ଚାୟତବାସୀ ଅନ୍ୟ ରାସ୍ତାରେ ଅଧିକ ୧୦ କିଲୋମିଟର ବୁଲିକରି ଯାଉଛନ୍ତି।

କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତର ବୈଷ୍ଣବ ସାହିଠାରୁ ଭାୟା ଅର୍ଜୁନଧରା ଦେଇ ବିଲେଇନାଳି ପଞ୍ଚାୟତକୁ ସଂଯୋଗ କରୁଛି ପୂର୍ତ୍ତ ବିଭାଗ ରାସ୍ତା। ଏହା ଉପରେ ନୁନୁକାପଶି, ଲୁହାମୁଣ୍ଡା, ଗାଁ ବଇଣ୍ଡା, ବିଲେଇନାଳି, ଉରୁକୁଳା ପଞ୍ଚାୟତର ଶରଧାମୁଣ୍ଡା, ସୋଲଣ୍ଡା, ଅର୍ଜୁନଧରା, ଭେଜିଗୋଠ, ବଡଗୋବିନ୍ଦପୁର, ଗରୁଡ, ଜାମ୍ବବଣିଆ, ସାତପେରେଡିଆ, ବଡବାହଳ, ବଣିନାଳୀ ଆଦି ୧୧ଟି ଗ୍ରାମର ୧୫ ହଜାର ଲୋକ ନିର୍ଭରଶୀଳ। ୨୦୧୮ ଡିସେମ୍ବରରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ପିଚୁ କାମ ଆରମ୍ଭ କରାଯାଇଥିଲା। ୨୦୨୦ ଜାନୁୟାରୀରେ କାର୍ଯ୍ୟ ସମାପ୍ତ ହୋଇଥିଲା। ଏଥିପାଇଁ ମୋଟ୍‌ ୬ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା। କିନ୍ତୁ ଏହି ୧୦.୪ କିଲୋମିଟର ରାସ୍ତାରେ ପଡ଼ୁଥିବା ୩ଟି ନାଳ ବାଙ୍କଧର, ସୋଲଣ୍ଡା ଓ ଅର୍ଜୁନଧରା ନାଳ ଉପରେ ବ୍ରିଜ୍‌ ନିର୍ମାଣ କରାଯାଇ ନାହିଁ। ବର୍ଷା ସମୟରେ ଏହି ନାଳ ଦେଇ ୩ରୁ ୪ ଫୁଟ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ସମ୍ଭବ ହୋଇପାରୁ ନାହିଁ। ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ ସରକାରଙ୍କ ପକ୍ଷରୁ ବ୍ରିଜ୍‌ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଉ ନାହିଁ। ଫଳରେ ୫ ପଞ୍ଚାୟତର ସହସ୍ରାଧିକ ଲୋକ ଦୈନିକ ୭ କିଲୋମିଟର ଦୂର ହଣ୍ଡପା ନଚେତ ୧୦ କିଲୋମିଟର ଦୂର ପଟ୍ଟାପଥର ଦେଇ ଅନ୍ୟତ୍ର ଯିବାଆସିବା କରୁଛନ୍ତି। ଏ ନେଇ ଅର୍ଜୁନଧରା ଗ୍ରାମବାସୀ ୧ ଫେବୃୟାରୀ ୨୦୨୦ ଓ ସୋଲଣ୍ଡା ଗ୍ରାମବାସୀ ୨୫ ମାର୍ଚ୍ଚ ୨୦୨୧ରେ ଜିଲା ପ୍ରଶାସନଠାରୁ ଆରମ୍ଭ କରି ପୂର୍ତ୍ତ ବିଭାଗ ସଚିବ, ସ୍ଥାନୀୟ ଲୋକ ପ୍ରତିନିଧି, ସମ୍ବଲପୁର ଏମ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ହେଲେ ଏଯାଏ କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ତ୍ତ ବିଭାଗ ଏସ୍‌ଡିଓ ଫକୀର ମୋହନ ସାହୁ କହିଛନ୍ତି, ଉକ୍ତ ୩ଟି ନାଳ ଉପରେ ବ୍ରିଜ୍‌ ନିର୍ମାଣ କରିବା ପାଇଁ ବିଭାଗ ପକ୍ଷରୁ ସରକାରଙ୍କୁ ଅବଗତ କରାଯାଇଛି। ସରକାର ଅର୍ଥ ମଞ୍ଜୁର କଲେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ।

ପୂର୍ତ୍ତ ବିଭାଗର ଦୂରଦୃଷ୍ଟି ଅଭାବ
ପୂର୍ତ୍ତ ବିଭାଗର ଦୂରଦୃଷ୍ଟି ଅଭାବରୁ ଲୋକଙ୍କୁ ହଇରାଣ ହେବାକୁ ପଡ଼ୁଛି। ୩ଟି ଛୋଟ ନାଳ ଉପରେ ପୋଲ ନିର୍ମାଣ ଯୋଜନା ନ କରି ୭ କୋଟି ଟଙ୍କାର ରାସ୍ତା କରିବାର ଲାଭ କ’ଣ ହୋଇଛି ତାହା ସରକାର ଜାଣନ୍ତୁ। ବ୍ରିଜ୍‌ ନ ଥିବାରୁ ବର୍ଷା ବେଳେ ୧୦ କିଲୋମିଟର ବୁଲିକରି ଯିବାକୁ ପଡ଼ୁଛି।
– ଦିଲୀପ କୁମାର ପ୍ରଧାନ, ଅର୍ଜୁନଧରା

ଉପଯୁକ୍ତ ଯୋଜନା କରାଯାଇନି
ନାଳ ଉପରେ ବ୍ରିଜ୍‌ ନିର୍ମାଣ ନ କରି ରାସ୍ତା କରିଦେଲେ ସମସ୍ୟା ଦୂର ହୋଇଯିବ ନାହିଁ। ସରକାରୀ ଅର୍ଥ ଖର୍ଚ୍ଚ କରାଗଲା ବେଳେ ଉପଯୁକ୍ତ ଯୋଜନା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ତା’ହେଲେ ଜନସାଧାରଣ ଉପକୃତ ହେବେ। ବହୁବାର ଅଭିଯୋଗ ସତ୍ତ୍ୱେ ଦୃଷ୍ଟି ଦିଆଯାଉ ନାହିଁ।
-ନବକିଶୋର ସାହୁ, ସରପଞ୍ଚ, ବିଲେଇନାଳି

ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନି
ଦେଢ଼ବର୍ଷ ହେଲା ରାସ୍ତା ନିର୍ମାଣ ସରିଲାଣି। କିନ୍ତୁ ନାଳ ଉପରେ ବ୍ରିଜ୍‌ ନିର୍ମାଣ ହେଉ ନ ଥିବାରୁ ୧୧ଟି ଗ୍ରାମର ଲୋକେ ଯାତାୟାତରେ ସମସ୍ୟା ଭୋଗୁଛନ୍ତି। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ବିଭାଗ ନିକଟରେ ଅଭିଯୋଗ କରାଯାଇଛି। ହେଲେ ଗୁରତ୍ୱ ଦିଆଯାଉ ନାହିଁ।
-ମଦନ ବିଶ୍ୱାଳ, ଭେଜିଗୋଠ

ଅଧିକାରୀଙ୍କ ଅବହେଳା ଦାୟୀ
ବଇଣ୍ଡାରୁ ସୋଲଣ୍ଡାର ଦୂରତ୍ୱ ମାତ୍ର ୪ କିଲୋମିଟର। କିନ୍ତୁ ପୂର୍ତ୍ତ ରାସ୍ତାରେ ଥିବା ନାଳ ଉପରେ ବ୍ରିଜ୍‌ ନିର୍ମାଣ ହେଉ ନ ଥିବାରୁ ୭ କିଲୋମିଟର ବୁଲିକି ଯିବାକୁ ପଡୁଛି। ୭ କୋଟି ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଲୋକଙ୍କୁ ଯାତାୟାତରେ ହଇରାଣ ହେବାକୁ ପଡ଼ୁଛି। ବିଭାଗୀୟ ଅଧକାରୀଙ୍କ ଅବହେଳା ଦାୟୀ।
-ଶ୍ରୀଧର ମାଝି, ସୋଲଣ୍ଡା

ସରକାରଙ୍କ ଦୃଷ୍ଟିଆକର୍ଷଣ କରାଯିବ
ପୂର୍ତ୍ତ ବିଭାଗର ଉକ୍ତ ରାସ୍ତାରେ ଥିବା ୩ଟି ନାଳ ଉପରେ କିପରି ବ୍ରିଜ୍‌ ନିର୍ମାଣ ହେବ ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଖୁବ୍‌ଶୀଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ। ଲୋକଙ୍କ ସମସ୍ୟା ଦୂର କରିବାକୁ ଉଦ୍ୟମ ଜାରି ରହିଛି।
-ରମେଶ ଚନ୍ଦ୍ର ସାଏ, ବିଧାୟକ, ଆଠମଲ୍ଲିକ


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଶ୍ମଶାନରେ ଚାରାରୋପଣ: ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଶ୍ମଶାନରେ ସୋମବାର ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri