ନୂଆଦିଲ୍ଲୀ,୧୨ା୧: ଭାରତରେ ବିବାହ କରିବା ପରେ କୌଣସି ବ୍ୟକ୍ତି ବିଦେଶ ଚାଲିଯାଇ ସେଠାକାର ଅଦାଲତରୁ ଛାଡ଼ପତ୍ର ନେଲେ, ତାହା ଭାରତରେ ଆପେଆପେ ମାନ୍ୟତା ପାଇବ ନାହିଁ । ଭାରତୀୟ ଆଇନର ନିର୍ଦ୍ଧାରିତ ସର୍ତ୍ତ ପୂରଣ ହେଲେ ହିଁ ବିଦେଶୀ ଅଦାଲତଙ୍କ ଛାଡ଼ପତ୍ର ରାୟକୁ ଦେଶରେ ଆଇନଗତ ସ୍ୱୀକୃତି ମିଳିପାରିବ। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଏହା ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ।
ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ୍ ଚନ୍ଦ୍ରଶେଖରଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଭାରତୀୟ ଆଇନ ଅନୁସାରେ ହୋଇଥିବା କୌଣସି ବିବାହକୁ ଯଦି ବିଦେଶର କୌଣସି ଅଦାଲତ ଛାଡପତ୍ର ବା ଭଙ୍ଗ କରିବା ପାଇଁ ରାୟ ଦିଅନ୍ତି, ତେବେ ସେହି ବିଦେଶୀ ରାୟ ଭାରତୀୟ ଆଇନର ନିୟମ ଓ ମାନଦଣ୍ଡ ଅନୁସାରେ ମଧ୍ୟ ଠିକ୍ ବା ଗ୍ରହଣୀୟ ହେବା ଆବଶ୍ୟକ। ଏଥିପାଇଁ ସିଭିଲ୍ ପ୍ରୋସିଜିଓର୍ କୋଡ୍ (CPC)ର ଧାରା ୧୩ରେ ଉଲ୍ଲେଖ ଥିବା ସର୍ତ୍ତ ପୂରଣ ହେବା ଜରୁରୀ।
ସୁପ୍ରିମକୋର୍ଟ କହିଛନ୍ତି, ଯଦି କୌଣସି ବିବାହ ହିନ୍ଦୁ ବିବାହ ଆଇନ, ୧୯୫୫ ଅନୁସାରେ ହୋଇଥାଏ, ତେବେ ବିଦେଶୀ ଅଦାଲତ କେବଳ ବିବାହ ସମ୍ପର୍କ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଆଧାରରେ ଛାଡ଼ପତ୍ର ଦେଲେ ତାହା ଭାରତରେ ମାନ୍ୟ ହେବ ନାହିଁ। କାରଣ, ବିବାହ ସମ୍ପର୍କ ସମ୍ପୂର୍ଣ୍ଣ ଭାଙ୍ଗିଯିବା ବା ‘ଇରିଟ୍ରିଭେବଲ୍ ବ୍ରେକଡାଉନ୍ ଅଫ୍ ମ୍ୟାରେଜ୍’ ହିନ୍ଦୁ ବିବାହ ଆଇନରେ ସାଧାରଣ ଛାଡ଼ପତ୍ରର ଏକ ସ୍ୱତନ୍ତ୍ର ଆଧାର ନୁହେଁ।
ଅର୍ଥାତ୍, ବିଦେଶରୁ ଛାଡ଼ପତ୍ର ମିଳିଗଲା ବୋଲି ଭାରତରେ ପ୍ରଥମ ବିବାହ ଶେଷ ହୋଇଗଲା ବୋଲି ଧରିନେବା ଠିକ୍ ନୁହେଁ। ଛାଡ଼ପତ୍ର ଯେଉଁ ଆଧାରରେ ମିଳିଛି, ତାହା ଭାରତୀୟ ଆଇନରେ ଗ୍ରହଣୀୟ କି ନୁହେଁ, ତାହା ଯାଞ୍ଚ କରିବାକୁ ପଡ଼ିବ। ବିଦେଶୀ ଛାଡ଼ପତ୍ର ଡିକ୍ରିକୁ ଦ୍ୱିବିବାହ ବା ବିଗାମି ମାମଲାରେ ଆଇନଗତ ରକ୍ଷାକବଚ ଭାବେ ବ୍ୟବହାର କରାଯାଇପାରିବ ନାହିଁ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଛନ୍ତି। ଯଦି କୌଣସି ବ୍ୟକ୍ତି ଭାରତୀୟ ଆଇନ ଅନୁସାରେ ପ୍ରଥମ ବିବାହକୁ ଶେଷ ନକରି କେବଳ ବିଦେଶୀ ଅଦାଲତଙ୍କ ଛାଡ଼ପତ୍ର ଆଧାରରେ ଦ୍ୱିତୀୟ ବିବାହ କରନ୍ତି, ତେବେ ତାଙ୍କ ବିରୋଧରେ ଅପରାଧିକ ମାମଲା ଚାଲିପାରେ।

