ଭୁବନେଶ୍ୱର,୧୧ା୧୧: ସହରାଞ୍ଚଳର ପରିମଳ ବ୍ୟବସ୍ଥା, ସ୍ୱଚ୍ଛତା ଓ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରୟାସ ପାଇଁ ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛି ଓଡ଼ିଶା । ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ରେ ସ୍ୱଚ୍ଛ ଉପକୂଳ ସହର ବର୍ଗରେ ପୁରୀ ଶ୍ରେଷ୍ଠ ସ୍ଥାନ ହାସଲ କରିଛି । ଏହାସହ ଭୁବନେଶ୍ୱରକୁ ରାଜ୍ୟର ପ୍ରଥମ ‘State Swachh City’ ଭାବେ ମାନ୍ୟତା ମିଳିଛି । ସେହିପରି ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ବର୍ଗରେ ଆସ୍କା ପୌରପାଳିକା ଦ୍ୱିତୀୟ ସ୍ଥାନ ହାସଲ କରିଛି ।
ବୁଧବାର ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ରାଜ୍ୟର ପୁରସ୍କାର ଗ୍ରହଣ କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ। ସ୍ୱଚ୍ଛତା କ୍ଷେତ୍ରରେ ଏହି ସଫଳତା ରାଜ୍ୟ ସରକାର, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା, ସଫେଇ କର୍ମଚାରୀ ଓ ସାଧାରଣ ନାଗରିକଙ୍କ ମିଳିତ ପ୍ରୟାସର ଫଳ ବୋଲି ଅଧିକାରୀମାନେ କହିଛନ୍ତି । ସହରାଞ୍ଚଳରେ ପରିମଳ ଭିତ୍ତିଭୂମିକୁ ସୁଦୃଢ଼ କରିବା, ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ସ୍ୱଚ୍ଛତା ଅଭିଯାନରେ ନାଗରିକଙ୍କ ଭାଗିଦାରୀ ବଢ଼ାଇବା ଦିଗରେ ରାଜ୍ୟର ପ୍ରୟାସକୁ ଏହି ପୁରସ୍କାର ସ୍ୱୀକୃତି ଦେଇଛି ।
ସ୍ୱଚ୍ଛ ସର୍ଭେକ୍ଷଣ ପୁରସ୍କାର ୨୦୨୫-୨୬ ହେଉଛି ସ୍ୱଚ୍ଛ ଭାରତ ମିଶନ୍-ସହରାଞ୍ଚଳ ଅଧୀନରେ ଆୟୋଜିତ ଦେଶବ୍ୟାପୀ ସହର ସ୍ୱଚ୍ଛତା ଓ ପରିମଳ ମୂଲ୍ୟାଙ୍କନର ଦଶମ ସଂସ୍କରଣ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ‘ସ୍ୱଚ୍ଛତା କି ନୟୀ ପହେଲ୍ – ବଢ଼ାଏଁ ହାଥ୍, କରେଁ ସଫାଇ ସାଥ୍’। ନାଗରିକଙ୍କ ସହଭାଗିତା, ପ୍ରତିଷ୍ଠାନଗତ ଉତ୍ତରଦାୟିତ୍ୱ ଏବଂ ସହରଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ଜରିଆରେ ସହରାଞ୍ଚଳ ପରିମଳ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଏହାର ଲକ୍ଷ୍ୟ।

