ଭାରତରେ ଖାଦ୍ୟ ଅପଚୟ

ଆମ ଦେଶରେ ଯେତେ ଖାଦ୍ୟ ଉତ୍ପାଦନ ହୁଏ, ତାହାର ୪୦-୫୦ ପ୍ରତିଶତ ଉତ୍ପାଦନଠାରୁ ଉପଭୋକ୍ତାଙ୍କ ଦ୍ୱାରା ବ୍ୟବହୃତ ହେବା ମଧ୍ୟରେ ଅପଚୟ ହୋଇଥାଏ। ଏହାର ପରିମାଣ ବର୍ଷରେ ଅନ୍ତତଃ ୬୦ ନିୟୁତ ଟନ୍‌ ହୋଇପାରେ। କଥାରେ ଅଛି, ”ଗୋଦରା କୋଡ଼େ ଯେତେ ମାଡ଼େ ସେତେ।“ ଚାଷୀମାନେ ଖରା, ବର୍ଷା, ଶୀତ କାକର ସହି ଖାଦ୍ୟ ଉତ୍ପାଦନ କରନ୍ତି, କିନ୍ତୁ ଅନ୍ୟମାନେ ବିଭିନ୍ନ ସମୟରେ ଏହାର ଅପଚୟ କରନ୍ତି। ପ୍ରଥମତଃ ସାଇତା ଶସ୍ୟ ଭଣ୍ଡାର, ଶୀତଳ ଭଣ୍ଡାର ଓ ପର୍ଯ୍ୟାପ୍ତ ପରିବହନ ଅଭାବରୁ ଫସଲ ଅମଳ ପରବର୍ତ୍ତୀ ଅପଚୟ ହୋଇଥାଏ। ଦ୍ୱିତୀୟରେ ବଜାରଦର ବାରମ୍ବାର ଅସ୍ଥିର ହେବାଯୋଗୁ ଅତ୍ୟଧିକ ଅମଳ ହୋଇଥିବା କୃଷି ଉତ୍ପାଦକୁ ଚାଷୀମାନେ ବିକ୍ରୟ କରିବାରେ ଅସୁବିଧାର ସମ୍ମୁଖୀନ ହୋଇ ଜମି କିମ୍ବା ରାସ୍ତାରେ ଢାଳି ଦିଅନ୍ତି କିମ୍ବା ଗାଈ ଗୋରୁ ଖୁଆଇ ଦିଅନ୍ତି। ସହରାଞ୍ଚଳରେ ଖାଉଟିମାନେ ଅତ୍ୟଧିକ ଖାଦ୍ୟ ପଦାର୍ଥ, ବିଶେଷକରି ପନିପରିବା ଓ ଫଳ କିଣି ସାଇତି ରଖନ୍ତି; ଯାହା ଫଳରେ ଏହି ଖାଦ୍ୟ ପଦାର୍ଥ ପଚିଶଢ଼ି ଯାଏ। ଗ୍ରାମାଞ୍ଚଳରେ ମଧ୍ୟ ଖାଉଟିମାନେ ସ୍ଥାନୀୟ ସାପ୍ତାହିକ ହାଟରୁ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ପଦାର୍ଥ କିଣି ଘରେ ରଖନ୍ତି ଏବଂ ଉପଯୁକ୍ତ ସାଇତା ପ୍ରଣାଳୀ ଅଭାବରୁ ଏଥିରୁ କେତେକ ନଷ୍ଟ ହୋଇଯାଏ। ତୃତୀୟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସାମାଜିକ ଉତ୍ସବଗୁଡ଼ିକରେ ଆବଶ୍ୟକତାଠାରୁ ଅଧିକ ରୋଷେଇ ହୁଏ, ଯାହାର ପ୍ରାୟ ୧୦-୨୦ ପ୍ରତିଶତ ନଷ୍ଟ ହୋଇଥାଏ। ଏହିପରି ବିବାହ ବ୍ରତ ଓ ହୋଟେଲଗୁଡ଼ିକରେ ଆମ ଦେଶରେ ବାର୍ଷିକ ୧୪ ବିଲିୟନ ଡଲାର ମୂଲ୍ୟର ଖାଦ୍ୟ ଅପଚୟ ହୁଏ। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ୨୦୨୧ ତଥ୍ୟ ଅନୁଯାୟୀ ବିଶ୍ୱରେ ଯେତେ ଖାଦ୍ୟ ଉତ୍ପାଦନ କରାଯାଏ, ତାହାର ୧୭ ପ୍ରତିଶତ ପରିବାର ଓ ଅନ୍ୟତ୍ର ଅପଚୟ ହୁଏ ଏବଂ ଏହାର ପରିମାଣ ପ୍ରାୟ ୯୩୧ ନିୟୁତ ଟନ୍‌ ହୋଇପାରେ। ଏଥିମଧ୍ୟରୁ କେବଳ ପରିବାରଗୁଡିକରେ ୫୭୦ ନିୟୁତ ଟନ ଖାଦ୍ୟ ନଷ୍ଟ ହୋଇଥାଏ।
ଅର୍ଥନୈତିକ ଦିଗରୁ ବିଚାର କଲେ ଖାଦ୍ୟ ଅପଚୟ ପ୍ରଭାବ ଚାଷୀ, ଖୁଚୁରା ବ୍ୟବସାୟୀ ଓ ଉପଭୋକ୍ତାଙ୍କ ଉପରେ ସିଧାସଳଖ ପଡୁଛି। ଏହି ଅପଚୟ ଖାଦ୍ୟ ଯୋଗୁ ଶ୍ରମ ଶକ୍ତି, ଜଳ ଓ ଅନ୍ୟାନ୍ୟ ସମ୍ବଳର ମଧ୍ୟ ଅପଚୟ ହେଉଛି। ନଷ୍ଟ ହେଉଥିବା ଖାଦ୍ୟ ବାହାର ଜାଗାରେ ପଡ଼ିରହିଲେ ଏଥିରୁ ମିଥେନ୍‌ ପରି ସବୁଜଗୃହ ବାଷ୍ପ ବାୟୁମଣ୍ଡଳକୁ ନିର୍ଗତ ହୋଇ ଜଳବାୟୁ ପରିବର୍ତ୍ତନ ପାଇଁ ଏକ କାରଣ ହୋଇପାରେ। ଏପରି ଖାଦ୍ୟ ଅପଚୟ ଯୋଗୁ ୮-୧୦% ସବୁଜଗୃହ ବାଷ୍ପ ବାୟୁମଣ୍ଡଳକୁ ନିର୍ଗମନ ହୁଏ। ଖାଦ୍ୟ ପ୍ରସ୍ତୁତି ବାବଦରେ ଯେତିକି ବ୍ୟୟ ହେଉଛି ଓ ସମୟ ଖର୍ଚ୍ଚ ହୁଏ, ତାହାର କିଛି ଅଂଶ ଏଥିଯୋଗୁ ନଷ୍ଟ ହୋଇଥାଏ। କେତେକ ଅଞ୍ଚଳରେ ଖାଦ୍ୟ ବଳକା ହୋଇ ବିନଷ୍ଟ ହେଲା ବେଳେ ଅନ୍ୟ ଅଞ୍ଚଳରେ ଏହାର ଅଭାବ ଯୋଗୁ ଅପପୁଷ୍ଟି, ପୁଷ୍ଟିହୀନତା, ରକ୍ତଶୂନ୍ୟତା ଓ ଅନାହାର ଦେଖାଯାଏ। ଖାଦ୍ୟ ନଷ୍ଟ ଏବଂ ତାହାର ଅର୍ଥନୈତିକ ଓ ପରିବେଶ ଜନିତ କ୍ଷତି କିପରି ରୋକାଯାଇ ପାରିବ, ସେ ବିଷୟରେ କେହି ସଚେତନ ନୁହନ୍ତି। ଅତୀତରେ ବିବାହ ବ୍ରତରେ ଅତିଥି ସଂଖ୍ୟା ସୀମିତ କରିବାକୁ ଆଦେଶ ଜାରି ହୋଇଥିଲେ ମଧ୍ୟ ଏହା ପାଣିରେ ଗାର ସଦୃଶ । ବରଂ ଅତିଥି ସଂଖ୍ୟା ବୃଦ୍ଧି ପାଇଁ ପ୍ରତିଯୋଗିତା ଲାଗିଛି। ଦେଶର କ୍ଷୁଧା ଓ ଖାଦ୍ୟ ନିରାପତ୍ତା ପାଇଁ ଏଗୁଡ଼ିକ ଯେ କିଛି ପରିମାଣରେ ଦାୟୀ ଏକଥା କେହି ବୁଝିବାକୁ ନାରାଜ।
ଖାଦ୍ୟ ଅପଚୟ ରୋକିବା ପାଇଁ ବିଭିନ୍ନ ଦେଶରେ କେତେକ ବ୍ୟବସ୍ଥା ଅନୁସୃତ ହୁଏ। ଫ୍ରାନ୍ସ ଦେଶରେ ଖୁଚୁରା ବ୍ୟବସାୟୀ ଖାଦ୍ୟ ଉପଯୋଗୀ ପଦାର୍ଥ ବାହାରକୁ ଫୋପାଡ଼ିବାକୁ ମନା କରାଯାଇ ଏଗୁଡ଼ିକ ବଦାନ୍ୟ ଅନୁଷ୍ଠାନ କିମ୍ବା ବେସରକାରୀ ସଂସ୍ଥାକୁ ଦାନ କରାଯାଏ। ଇଟାଲୀରେ ପ୍ରତ୍ୟେକ ଖୁଚୁରା ବ୍ୟବସାୟୀ ଖାଦ୍ୟକୁ ଅନୁଦାନ ଆକାରରେ ବଣ୍ଟନ କଲେ କୌଣସି ଦଣ୍ଡ ପାଇବାରୁ ଛାଡ଼ ପାଇବେ ଓ ଟିକସ ରିହାତି ପାଇବେ। ଚାଇନାରେ ଅତ୍ୟଧିକ ଖାଦ୍ୟ ପ୍ରସ୍ତୁତ କରି ଆତିଥ୍ୟ ଦିଆଯିବା ଦୋଷାବହ ଓ ଏଥିନିମନ୍ତେ ଅର୍ଥଦଣ୍ଡ ପାଇଁ ଆଇନ ପ୍ରବର୍ତ୍ତନ କରାଯାଇଛି। ଏହି ଦେଶରେ ଖାଦ୍ୟ ଅପଚୟ ହ୍ରାସ ପାଇଁ ଏକ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରାଯାଏ। ଦକ୍ଷିଣ କୋରିଆରେ ଖାଦ୍ୟକୁ ମାଟିରେ ପୋତିବାକୁ ନିଷେଧ କରାଯାଇ ଏଗୁଡ଼ିକ ପୁନଃ ବ୍ୟବହାର ବାଧ୍ୟତାମୂଳକ କରାଯାଏ। ସ୍ପେନରେ ଖାଦ୍ୟ ଶୃଙ୍ଖଳର ସମସ୍ତ ଅଂଶୀଦାର ଖାଦ୍ୟ ଅପଚୟ ହ୍ରାସ ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବା ନିୟମ କରିଛନ୍ତି। ସିଙ୍ଗାପୁର ସରକାର ସବୁ ବଡ଼ବଡ଼ ମଲ୍‌ ଓ ହୋଟେଲ ଅନ୍ୟାନ୍ୟ ଅପଚୟଠାରୁ ଜୈବିକ ଖାଦ୍ୟ ଅପଚୟ ଅଲଗା କରିବା ପାଇଁ ବାଧ୍ୟ କରିଛନ୍ତି। ଯୁକ୍ତରାଷ୍ଟ୍ରର କେତେକ ରାଷ୍ଟ୍ର ଖାଦ୍ୟକୁ ନଷ୍ଟ କରି ଅନ୍ୟତ୍ର ପୋତିବାକୁ ବାରଣ କରିଛନ୍ତି। ମିଳିତ ଜାତିସଂଘ ଚିରନ୍ତନ ବିକାଶ ଲକ୍ଷ୍ୟ ୧୨.୩ରେ ଉଲ୍ଲେଖ କରିଛନ୍ତି ୨୦୩୦ ସୁଦ୍ଧା ଖାଦ୍ୟ ଅପଚୟକୁ ଅନ୍ତତଃ ୫୦% ହ୍ରାସ କରାଯିବା ଆବଶ୍ୟକ।
ଆମର ଅଭ୍ୟାସ ଓ ମାନସିକତାରେ ପରିବର୍ତ୍ତନ ଏବଂ ଖାଦ୍ୟର ମୂଲ୍ୟାୟନ ପ୍ରତି ସଚେତନ ମନୋଭାବ ସୃଷ୍ଟି ହେଲେ ଯାଇ ଏହି ସମସ୍ୟାର କେତେକ ସମାଧାନ ସମ୍ଭବ। ବିବାହ ବ୍ରତ ଉତ୍ସବରେ ଆମେ ଆବଶ୍ୟକତାଠାରୁ କିଛି ବି ଅଧିକ ଖାଦ୍ୟ ଆମ ପ୍ଲେଟରେ ରଖିବା ଉଚିତ ନୁହଁ। ପର୍ବ ପର୍ବାଣିରେ ଆମେ ସହରର ବିଭିନ୍ନ ଖାଦ୍ୟବ୍ୟାଙ୍କ କିମ୍ବା ଆହାର କେନ୍ଦ୍ରରେ କିଛି ଖାଦ୍ୟ ମହଜୁଦ କରି ରଖିଲେ ଗରିବମାନେ ଏହାକୁ ଖାଇ ପାରିବେ। ଖାଦ୍ୟଶସ୍ୟ ଅମଳ ପରେ ଖାଦ୍ୟକୁ ସାଇତି ରଖିବା ପାଇଁ ବହୁସଂଖ୍ୟାରେ ଶସ୍ୟଭଣ୍ଡାର ଓ ଶୀତଳ ଭଣ୍ଡାର ନିର୍ମାଣ କରି ଏଗୁଡ଼ିକ କାର୍ଯ୍ୟକ୍ଷମ କରିବା ଆବଶ୍ୟକ। ସାଇତା ଶସ୍ୟକୀଟ ନିୟନ୍ତ୍ରଣ ପାଇଁ ଗୋଦାମ ବିଶୋଧନ, ଶସ୍ୟ ସହିତ ନିମ୍ବ, ବେଗୁନିଆ ପତ୍ର, ପାଉଁଶ ଇତ୍ୟାଦି ମିଶ୍ରଣ ଅନୁମୋଦନ କରାଯାଏ। ଅତୀତରେ ସରକାର ଚାଷୀମାନଙ୍କୁ ଧାତବ ଡୋଲି ରିହାତି ହାରରେ ଯୋଗାଇ ଦେଉଥିଲେ। ଶସ୍ୟ ଭଣ୍ଡାରରେ ଲଙ୍କା ଓ ଇଡିବି ଧୂଆଁ ଦିଆଯାଉଥିଲା। ମୂଷାମାନେ ଘରେ, ଗୋଦାମ ଘରେ ଓ ଫସଲ କ୍ଷେତରେ ଶସ୍ୟ ନଷ୍ଟ କରୁଥିବାରୁ ଏମାନଙ୍କୁ ନିୟନ୍ତ୍ରଣ ପାଇଁ ଯନ୍ତା ଓ କିଛି ମୂଷାନାଶକ ବିଷ ପ୍ରୟୋଗ କରାଯାଉଥିଲା। କିନ୍ତୁ ପରିବେଶ ଦୃଷ୍ଟିକୋଣରୁ ଏହି ବିଷ ଆଉ ବ୍ୟବହାର କରାଯାଉନାହିଁ।
ଖାଦ୍ୟ ଅପଚୟ ନିରାକରଣ ପାଇଁ ଜନ ସଚେତନତା ଆବଶ୍ୟକ। ମନେରଖିବାକୁ ହେବ, ଗୋଟିଏ ଦାନା ସଞ୍ଚୟ କରିବା ଅର୍ଥ ଗୋଟିଏ ଦାନା ଉତ୍ପାଦନ କରିବା ସହ ସମାନ। ଖାଦ୍ୟାଭାବ ଦେଖାଯାଉଥିବା ଅଞ୍ଚଳରେ ଖାଦ୍ୟବ୍ୟାଙ୍କ, ଗୋଷ୍ଠୀ ପାକଶାଳା ସ୍ଥାପନ କରି ଅଭାବ ସମୟରେ ଖାଦ୍ୟକୁ ଗରିବ ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇ ପାରିବ। ଖାଦ୍ୟଦ୍ରବ୍ୟ ବହୁଳ ଭାବରେ ଭାରତୀୟ ଖାଦ୍ୟ ନିଗମ ଶସ୍ୟ ଭଣ୍ଡାର, ଖାଦ୍ୟ ନିରାପତ୍ତା ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ, ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ଇତ୍ୟାଦିରେ ବିନଷ୍ଟ ହୋଇଥାଏ। ଏଣୁ ସରକାର ସ୍ବତନ୍ତ୍ର ନୀତି ପ୍ରଣୟନ କରି ଗୋଦାମଗୁଡ଼ିକରେ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ ଦ୍ୱାରା ଖାଦ୍ୟ ସଂରକ୍ଷଣ କରିପାରିବେ।
ଖାଦ୍ୟ ପଦାର୍ଥ ବଜାରରୁ କିଣିଲା ବେଳେ ଯେତିକି ଦରକାର ସେତିକି କିଣିବା ଆବଶ୍ୟକ ଓ ଏଗୁଡ଼ିକୁ ଉପଯୁକ୍ତ ଭାବରେ ସାଇତି ରଖାଯିବା ଦରକାର। ଏଥିପାଇଁ ଫ୍ରିଜ୍‌, କପ୍‌ ବୋର୍ଡ, ଟିଣପାତ୍ର ଇତ୍ୟାଦି ବ୍ୟବହାର କରାଯାଏ। ପ୍ୟାକିଂ ଖାଦ୍ୟ ପଦାର୍ଥ ଖୋଳ ଉପରେ ଲେଖାଥିବା ଏକ୍ସପାରି ତାରିଖ ପୂର୍ବରୁ ଏଗୁଡ଼ିକୁ ବ୍ୟବହାର କରିବା ଉଚିତ୍‌। ରୋଷେଇ ପରେ ଯେଉଁ ଖାଦ୍ୟ ବଳିଲା, ତାହାକୁ ଫ୍ରିଜ୍‌ କିମ୍ବା ଅନ୍ୟତ୍ର ସାଇତି ରଖି ପରେ ବ୍ୟବହାର କରାଯାଇପାରେ। ଫଳ ଓ ପନିପରିବାକୁ ଆଚାର, ଜାମ୍‌, ଜେଲି, କେଚପ, ସସ, ଜୁସ ଆକାରରେ ସାଇତି ରଖାଯାଇପାରେ। ଆଜିକାଲି କେତେକ ଆପାର୍ଟମେଣ୍ଟ ବାହାରେ ବଳକା ଖାଦ୍ୟକୁ ସାଇତି ରଖିବା ପାଇଁ ବଡ଼ବଡ଼ ଫ୍ରିଜ ରଖାଯାଇଛି। ଏଥିରେ ସାଇତା ରହିଥିବା ଖାଦ୍ୟକୁ ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇ ପାରିବ।
ଏତିକି କୁହାଯାଇପାରିବ ଯେ, ଭାରତରେ ବ୍ୟାପକ ଭାବରେ ଅପଚୟ ହେଉଥିବା ଖାଦ୍ୟଦ୍ରବ୍ୟ ଗୁଡ଼ିକର ଅର୍ଥନୈତିକ ଓ ପରିବେଶୀୟ ପ୍ରଭାବ ଦୃଷ୍ଟିରୁ ସଂରକ୍ଷଣ ପାଇଁ ବହୁବିଧ ଭାବରେ ସରକାରୀ, ବେସରକାରୀ ଓ ଗୋଷ୍ଠୀ କ୍ଷେତ୍ରରେ ଏକୀଭୂତ କାର୍ଯ୍ୟକ୍ରମ ଗ୍ରହଣ କରିବା ଆବଶ୍ୟକ। ଆବଶ୍ୟକ ପଡ଼ିଲେ ହୋଟେଲ, ରେଷ୍ଟୁରାଣ୍ଟ, କଲ୍ୟାଣ ମଣ୍ଡପ ଇତ୍ୟାଦି ପାଇଁ ସତନ୍ତ୍ର ଆଇନ ପ୍ରଣୟନ କରି ଦଣ୍ଡବ୍ୟବସ୍ଥା କରାଯିବା ଆବଶ୍ୟକ।

ବିଦ୍ୟାଧର ମହାରଣା
ଭୁବନେଶ୍ବର,
ମୋ: ୯୪୩୭୦୭୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?