ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ୨ ଦିନ ଧରି ଲଗାଣବର୍ଷା ଯୋଗୁ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାର ମଧ୍ୟଭାଗରେ ପ୍ରବାହିତ ହେଉଥିବା ହାତୀନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ମଙ୍ଗଳପୁର ଇନ୍ଦ୍ରାବତୀ ଜଳ ଭଣ୍ଡାରର ହାତୀ ବ୍ୟାରେଜରୁ ଚଳିତବର୍ଷର ପ୍ରଥମ ବନ୍ୟାଜଳ ହାତୀନଦୀକୁ ୪ଟି ଗେଟ ଜରିଆରେ ନିଷ୍କାସନ ହେଉଛି। ୪୧୨ କୁମେକ ବନ୍ୟାଜଳ ହାତୀନଦୀକୁ ପ୍ରବେଶ କରୁଛି। ଏହା ଯୋଗୁ ହାତୀନଦୀର ତଳିଆମୁଣ୍ଡରେ ଥିବା ଗାଁଗୁଡ଼ିକୁ ସତର୍କ ସୂଚନା ଦେଇଛି ଇନ୍ଦ୍ରାବତୀ ଜଳଭଣ୍ଡାର କର୍ତ୍ତୃପକ୍ଷ। ରବିବାର ସକାଳେ ଜୁନାଗଡ଼ -କଲମପୁର ମୁଖ୍ୟ ରାସ୍ତାର ବରଗାଁ ନିକଟରେ ନିର୍ମାଣାଧୀନ ଘର୍ଲା ଯୋର ପୋଲର ଆପ୍ରୋଚ ରାସ୍ତା ଧୋଇନେଇଛି। ଫଳରେ ଜୁନାଗଡ଼-କଲମପୁର ପିଡବ୍ଲ୍ୟୁଡି ମୁଖ୍ୟ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆପ୍ରୋଚ ରାସ୍ତା ଭାଙ୍ଗିଯିବା ଯୋଗୁ ବସଗୁଡିକ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବନ୍ୟାପାଣି ପଶି ଆସିବାରୁ କଲମପୁର ବ୍ଲକର ପରୁଆଗୁଡ଼ା ଓ ବୁଦେଲବନ୍ଧ ଗ୍ରାମର ପ୍ରାୟ ୨୪୩ ଲୋକଙ୍କୁ ଆଶ୍ରମ ସ୍କୁଲକୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତରିତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି। ସେଠାକାର ଚାଷଜମି, ରାସ୍ତାଘାଟ ଓ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି।

