ପାରଳାଖେମୁଣ୍ଡି, ୨୩।୯ (ଗିରିଧାରୀ ପରିଛା): ଅବପାତଜନିତ ଲଗାଣ ବର୍ଷା ଯୋଗୁ ନାଳର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣେ ଚାଷୀଙ୍କୁ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗଜପତି ଜିଲା ଆର୍.ଉଦୟଗିରି ବ୍ଲକ ଛେଲାଗଡ଼ ଗ୍ରାମ ନିକଟସ୍ଥ ଧୋବାଘାଟ ନାଳରେ ବୁଧବାର ଏହି ଭୟଙ୍କର ଘଟଣା ଘଟିଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ବଡ଼କୁମର।
ସୂଚନାନୁଯାୟୀ, ଜଗନ୍ନାଥ ନିଜ ବିଲରେ କାମ ସାରି ସ୍ତ୍ରୀଙ୍କ ସହ ଘରକୁ ଫେରୁଥିଲେ। ତେବେ ଲଗାଣ ବର୍ଷା ଯୋଗୁ ଧୋବାଘାଟ ନାଳରେ ହଠାତ୍ ଜଳସ୍ତର ବୃଦ୍ଧି ପାଇବା ସହ ସ୍ରୋତ ପ୍ରଖର ହୋଇଯାଇଥିଲା। ନାଳ ପାର ହେଉଥିବା ସମୟରେ ଜଗନ୍ନାଥ ଭାରସାମ୍ୟ ହରାଇ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ତାଙ୍କ ସ୍ତ୍ରୀ ହାତ ଧରି ବଞ୍ଚାଇବାକୁ ଆପ୍ରାଣ ଚେଷ୍ଟା କରିଥିଲେ ମଧ୍ୟ ସ୍ରୋତର ବେଗ ଅଧିକ ଥିବାରୁ ତାହା ସମ୍ଭବ ହୋଇନଥିଲା। ଏହାପରେ ସେ ବିକଳ ହୋଇ ଚିତ୍କାର କରି ଗ୍ରାମବାସୀଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଜଗନ୍ନାଥ ସ୍ରୋତରେ ପ୍ରାୟ ୨୦୦ ମିଟର ଦୂରକୁ ଭାସିଯାଇସାରିଥିଲେ।
ସୌଭାଗ୍ୟବଶତଃ, ଏହି ସମୟରେ ଆର୍.ଉଦୟଗିରି ବିଡିଓ ଲରେମନ ଖର୍ସଲ ଓ ତହସିଲଦାର ଜ୍ୟୋତିର୍ମୟ ଦାସ ଛେଲାଗଡ଼ ନିକଟସ୍ଥ ଅବପାତ ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଥିଲେ। ଖବର ପାଇବା କ୍ଷଣି ସେମାନେ ନିକଟରେ ରାସ୍ତା ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ଅଗ୍ନିଶମ କର୍ମଚାରୀଙ୍କୁ ସାଙ୍ଗରେ ନେଇ ଗ୍ରାମବାସୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଅତ୍ୟନ୍ତ ତତ୍ପରତା ଦେଖାଇ ନାଳ ଭିତରୁ ଜଗନ୍ନାଥଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ଉଦ୍ଧାର ପରେ ଜଗନ୍ନାଥଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ପରେ ପ୍ରଶାସନ ପକ୍ଷରୁ ତାଙ୍କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଯାଇଛି। ଜଗନ୍ନାଥଙ୍କ ସ୍ତ୍ରୀଙ୍କ ସମୟୋଚିତ ସାହସିକତା ଏବଂ ପ୍ରଶାସନ ଓ ଅଗ୍ନିଶମ ବାହିନୀର ତ୍ୱରିତ ପଦକ୍ଷେପ ଯୋଗୁ ଏକ ବଡ଼ ଅଘଟଣ ଟଳିଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା ଓ ପ୍ରଶଂସା କରାଯାଉଛି।

