ଅଭିଜ୍ଞ ନୂଆ ସିଜେଆଇ

ଭାରତୀୟ ନ୍ୟାୟପାଳିକାର ସର୍ବୋଚ୍ଚ ସ୍ଥାନରେ ଯିଏ ନୂତନ ଭାବେ ଅବସ୍ଥାପିତ ହୋଇଥାଆନ୍ତି, ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ସମସ୍ତେ ଜାଣିବା ଲାଗି ଆଗ୍ରହ ରଖିବା ସ୍ବାଭାବିକ। ଅଗଷ୍ଟ ୨୬ରେ ବର୍ତ୍ତମାନର ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଏନ୍‌. ଭି. ରମନା କାର୍ଯ୍ୟରୁ ଅବସର ନେବେ। ପ୍ରଧାନ ବିଚାରପତି ଦାୟିତ୍ୱମୁକ୍ତ ହେବା ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ସେହି ପଦବୀ ଲାଗି ବିଚାରପତିଙ୍କ ନାମ ସୁପାରିସ କରିବାର ବିଧି ରହିଛି। ତଦନୁଯାୟୀ ରମନା ସର୍ବୋଚ୍ଚ ଅଦାଲତର ବରିଷ୍ଠ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଲିତ (ୟୁ. ୟୁ. ଲଲିତ)ଙ୍କ ନାମ ଘୋଷଣା କରିବା ପରେ ସେ ଦେଶର ୪୯ତମ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ତେବେ ତାଙ୍କ ଦାୟିତ୍ୱ କାଳ ମାତ୍ର ୭୪ ଦିନ ଅର୍ଥାତ୍‌ ୮ ନଭେମ୍ବର ୨୦୨୨ରେ ଶେଷ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି।
ଜଷ୍ଟିସ୍‌ ଲଲିତ ୯ ନଭେମ୍ବର ୧୯୫୭ରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ। ପିତା ହେଉଛନ୍ତି ୟୁ. ଆର୍‌. ଲଲିତ। ବମ୍ବେ ହାଇକୋର୍ଟ ନାଗପୁର ବେଞ୍ଚ୍‌ର ପୂର୍ବତନ ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟ କରିଥିବା ୟୁ. ଆର୍‌. ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି। ଏକ ଓକିଲ ପରିବାରରୁ ଆସିଥିବାରୁ ଉଦୟ ଉମେଶ ମଧ୍ୟ ଏହି ବୃତ୍ତି ପ୍ରତି ଆକର୍ଷିତ ହୋଇଥିଲେ। ଆଇନ ବିଦ୍ୟା ଶେଷ କରିବା ପରେ ସେ ୧୯୮୩ରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ। ୧୯୮୬ରେ ସେ ସୁପ୍ରିମକୋର୍ଟରେ ପ୍ରାକ୍ଟିସ୍‌ କରିବା ବେଳେ ବହୁ ବିଶିଷ୍ଟ ଆଇନଜ୍ଞଙ୍କ ସଂସ୍ପର୍ଶରେ ଆସିଥିଲେ। ପୂର୍ବତନ ସଲିସିଟର ଜେନେରାଲ ସୋଲି ସୋରାବଜୀଙ୍କ ଅଧୀନରେ ସେ ୧୯୮୬ରୁ ୧୯୯୨ ଯାଏ କାର୍ଯ୍ୟ କରି ଅଭିଜ୍ଞତା ଅର୍ଜନ କରିଥିଲେ। ୨୦୧୧ରେ ଜଷ୍ଟିସ୍‌ ଜି. ଏସ୍‌. ସାଙ୍ଗ୍‌ଭୀ ଏବଂ ଏ. କେ. ଗାଙ୍ଗୁଲିଙ୍କ ପୀଠ ୨ଜି ସ୍ପେକ୍ଟ୍ରମ୍‌ ମାମଲାରେ ଉଦୟଙ୍କୁ ସ୍ପେଶାଲ ପବ୍ଲିକ୍‌ ପ୍ରସିକ୍ୟୁଟର ରୂପେ ନିଯୁକ୍ତି ଦେଇଥିଲେ। ବିଭିନ୍ନ ମାମଲା ଉପରେ ଧୀରସ୍ଥିର ଭାବେ ଯୁକ୍ତି ଉପସ୍ଥାପନ କରିବା ଓ ଧୈର୍ଯ୍ୟର ସହ ସ୍ଥିତିକୁ ପରିଚାଳନା କରିବାର ଶୈଳୀ ଯୋଗୁ ତାଙ୍କ ଖ୍ୟାତି ସେତେବେଳେ ବଢ଼ିଯାଇଥିଲା। ଫଳରେ ୨୯ ଏପ୍ରିଲ ୨୦୧୪ରେ ସେ ସୁପ୍ରିମକୋର୍ଟରେ ଜଣେ ସିନିୟର ଆଡଭୋକେଟର ମାନ୍ୟତା ପାଇଥିଲେ। ତାଙ୍କ ମହକିଲଙ୍କ ମଧ୍ୟରେ ବଡ଼ ରାଜନେତା ଓ ଫିଲ୍ମ ଷ୍ଟାର ରହିଥିବାରୁ ଉଦୟ ଉମେଶ ଚର୍ଚ୍ଚିତ ହେଉଥିଲେ। ଜୁଲାଇ ୨୦୧୪ରେ ସୁପ୍ରିମକୋର୍ଟ କଲେଜିୟମ୍‌ ତାଙ୍କୁ ସର୍ବୋଚ୍ଚ ଅଦାଲତରେ ବିଚାରପତି ଭାବେ ନିଯୁକ୍ତି ଦେବାକୁ ନାମ ସୁପାରିସ କରିଥିଲେ। ସୁପ୍ରିମକୋର୍ଟର ଷଷ୍ଠ ସିନିୟର ଆଡଭୋକେଟ ଭାବେ ଜଷ୍ଟିସ୍‌ ଲଲିତ ସିଧାସଳଖ ବିଚାରପତି ହେବାରେ ମଧ୍ୟ ଗୌରବ ଅର୍ଜନ କରିଛନ୍ତି। ସେବେଠାରୁ ସେ ବହୁ ବିବାଦୀୟ ମାମଲା ପରିଚାଳନା କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଆସିଛନ୍ତି। ତେବେ ୧୦ ଜାନୁୟାରୀ ୨୦୧୯ରେ ଅଯୋଧ୍ୟା ମାମଲାର ବିଚାର ପାଇଁ ଗଠିତ ୫ ଜଣିଆ ସାମ୍ବିଧାନିକ ପୀଠରୁ ସେ ଓହରି ଯାଇଥିଲେ। ଏହି ମାମଲା ସହ ସମ୍ପୃକ୍ତ ଥିବା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପକ୍ଷରୁ ଜଷ୍ଟିସ ଲଲିତ ମାମଲା ଲଢ଼ୁଥିଲେ। ଏହି ବିଷୟରେ ବରିଷ୍ଠ ଓକିଲ ତଥା ମାନବ ଅଧିକାର କର୍ମୀ ରାଜୀବ ଧାବନ ପ୍ରଶ୍ନ ଉଠାଇବାରୁ ଜଷ୍ଟିସ ଲଲିତ ସେଥିରୁ ନିଜକୁ ଦୂରେଇ ରଖିଥିଲେ। ଅନ୍ୟପକ୍ଷରେ କେରଳର ଶ୍ରୀପଦ୍ମନାଭ ସ୍ବାମୀ ମନ୍ଦିର ପରିଚାଳନା ଅଧିକାର ଟ୍ରାଭାଙ୍କୋର ରାଜକୀୟ ପରିବାରର ରହିଛି ବୋଲି ଦୁଇ ଜଣିଆ ପୀଠର ଜଣେ ସଦସ୍ୟ ଭାବେ ଜଷ୍ଟିସ୍‌ ଲଲିତଙ୍କ ରାୟ ସେତେବେଳେ ବେଶ୍‌ ଆଲୋଚିତ ହୋଇଥିଲା।
ଭାରତୀୟ ନ୍ୟାୟ ବ୍ୟବସ୍ଥା ଏବେ ଭୀଷଣ ଚାପରେ ରହିଛି। ମେ’ ୨୦୨୨ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସମଗ୍ର ଦେଶରେ ୪ କୋଟି ୭୦ ଲକ୍ଷ ମାମଲା ପଡ଼ି ରହିଛି। ସେଥିମଧ୍ୟରୁ ପ୍ରାୟ ୧ ଲକ୍ଷ ୮୨ ହଜାର ମାମଲା ୩୦ ବର୍ଷ ଧରି ଗଡ଼ିଚାଲିଛି। ହାଇକୋର୍ଟଗୁଡ଼ିକରେ ୫୯ ଲକ୍ଷ ମାମଲା ପଡ଼ି ରହିଥିବା ବେଳେ ସୁପ୍ରିମକୋର୍ଟରେ ଏହି ସଂଖ୍ୟା ରହିଛି ୭୧ ହଜାର। ଏଥିରୁ ସ୍ପଷ୍ଟ ଦିଶିଯାଉଛି ଯେ, ତତ୍‌କ୍ଷଣାତ୍‌ ଏଗୁଡ଼ିକର ରାୟ ଆସିପାରିବ ନାହିଁ। ଅପରପକ୍ଷରେ କିଛି ବର୍ଷ ହେବ ଦେଖାଯାଉଛି, ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ହେଉଥିବା ବ୍ୟକ୍ତିମାନେ ପଡ଼ି ରହିଥିବା ମାମଲାର ସଂଖ୍ୟା ଦେଖି ଉଦ୍‌ବେଗ ପ୍ରକାଶ କରୁଛନ୍ତି। ଏଭଳି ସ୍ଥଳେ ମାତ୍ର ୭୪ ଦିନ ସକାଶେ ପ୍ରଧାନ ବିଚାରପତି ଚେୟାରରେ ଜଷ୍ଟିସ୍‌ ଲଲିତ ବସିବାକୁ ଯାଉଥିବାରୁ ବକେୟା ମାମଲା ପରିଚାଳନା ମଧ୍ୟ ତାଙ୍କ ପାଇଁ ଆହ୍ବାନପୂର୍ଣ୍ଣ ହୋଇପାରେ। ଯେହେତୁ ଆଇନଜୀବୀରୁ ସେ ସିଧାସଳଖ ସର୍ବୋଚ୍ଚ ଅଦାଲତ ବିଚାରପତି ହୋଇ ଏବେ ଶୀର୍ଷ ପଦବୀରେ ଆସୀନ ହେବାକୁ ଯାଉଛନ୍ତି, ହୁଏତ ବିଚାର ବ୍ୟବସ୍ଥାରେ ସକାରାତ୍ମକ ପରିବର୍ତ୍ତନ ଆଣିବେ ବୋଲି ଦେଶବାସୀ ଆଶା ରଖିବା ସ୍ବାଭାବିକ।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?