ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତବର୍ଷ ଫେବୃୟାରୀ ମାସଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥିନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋରସୋରରେ ପ୍ରସ୍ତୁତି କରୁଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି ବ୍ୟସ୍ତ ସେମାନଙ୍କର ଅଭିଭାବକ ମଧ୍ୟ ସେତିକି ବ୍ୟସ୍ତ ଓ ଚିନ୍ତିତ। କାରଣ ପରୀକ୍ଷାର ଫଳାଫଳ ଉପରେ ଭବିଷ୍ୟତର ପାଠପଢ଼ା ଓ ଚାକିରି ବହୁତ ପରିମାଣରେ ନିର୍ଭର କରିଥାଏ। ପରୀକ୍ଷାରେ ସଫଳ ହେବାପାଇଁ ଠିକ୍‌ ଯୋଜନା ମୁତାବକ ପ୍ରସ୍ତୁତି କରିବାକୁ ପଡ଼ିଥାଏ। ଏହି ପ୍ରସ୍ତୁତି ପ୍ରକ୍ରିୟା ପାଇଁ ପରୀକ୍ଷାର୍ଥୀଙ୍କ ସହିତ ଅଭିଭାବକଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ।
ପରୀକ୍ଷାର୍ଥୀଙ୍କ ପାଇଁ ପରାମର୍ଶ ରହିଛି। ପରୀକ୍ଷା ପାଇଁ ପ୍ରସ୍ତୁତି ସମୟରେ ପାଠପଢ଼ିବା ନିମନ୍ତେ କାର୍ଯ୍ୟସୂଚୀ ପ୍ରସ୍ତୁତ କରନ୍ତୁ। ନିଜର ଶିକ୍ଷକ, ମାତାପିତା ଓ ବଡ଼ ଭାଇଭଉଣୀଙ୍କ ସହ ଆଲୋଚନା କରି ନିଜ ପାଠ ପଢ଼ିବାର ଯୋଜନା କରନ୍ତୁ। ସେହି କାର୍ଯ୍ୟସୂଚୀ ଅନୁସାରେ ସଂଗଠିତ ଓ ଯୋଜନା ମୁତାବକ ପଢ଼ନ୍ତୁ। ଯେଉଁ ବିଷୟ କଷ୍ଟ ଲାଗୁଥିବ ତାକୁ ଅଧିକ ସମୟ ଦିଅନ୍ତୁ। ତାକୁ ବାରମ୍ବାର ଅଭ୍ୟାସ (ରିଭିଜନ) କରନ୍ତୁ। ପାଠକୁ ଭାଗ ଭାଗ କରି ପଢ଼ିଲେ ଭଲ। ଫଳରେ ପାଠ ଅଧିକ ମନେରହିବ। ନିଜ ସହପାଠୀଙ୍କ ସହ ବିଭିନ୍ନ ବିଷୟ ଆଲୋଚନା କରି ପଢ଼ିଲେ ପାଠ ବୁଝିବା ଓ ମନେରଖିବାରେ ସୁବିଧା ହୋଇଥାଏ। କୌଣସି ବିଷୟରେ କିଛି ବୁଝା ପଡୁ ନ ଥିଲେ ତାକୁ ହେୟ ଜ୍ଞାନ ନ କରି ନିଜ ଶିକ୍ଷକ, ମାତାପିତା କିମ୍ବା ସହପାଠୀଙ୍କର ସାହାଯ୍ୟ ନିଅନ୍ତୁ।
ଲଗାତର ଘଣ୍ଟା ଘଣ୍ଟା ଧରି ପାଠ ପଢ଼ନ୍ତୁ ନାହିଁ। ଏହାଦ୍ୱାରା ପାଠରେ ଏକାଗ୍ରତା ରହେ ନାହିଁ। ତେଣୁ ୪୫ ମିନିଟ୍‌ରୁ ୧ ଘଣ୍ଟା ପଢ଼ିଲା ପରେ କିଛି ସମୟ ବିରତି ନିଅନ୍ତୁ। ଏହି ସମୟରେ ମନକୁ ଶାନ୍ତି ଦେଲା ଭଳି କିଛି କାମ କରନ୍ତୁ। ଯଥା ମଧୁର ସଙ୍ଗୀତ ଶୁଣନ୍ତୁ, ପରିବାରର ଲୋକମାନଙ୍କ ସହିତ କଥା ହୁଅନ୍ତୁ। ପାଠକୁ ଘୋଷି ପଢ଼ିବା ପରିବର୍ତ୍ତେ ବୁଝି କରି ପଢ଼ିଲେ ସହଜରେ ମନେରହେ। ରାତିରେ ଡେରି ପର୍ଯ୍ୟନ୍ତ ପଢ଼ନ୍ତୁ ନାହିଁ। ରାତିରେ ଶୀଘ୍ର ଶୋଇ ସକାଳୁ ଜଲ୍‌ଦି ଉଠନ୍ତୁ। ସକାଳୁ ମନ ସ୍ଥିର ଓ ଶାନ୍ତ ଥାଏ। ଏହି ସମୟରେ ପାଠ ପଢ଼ିଲେ ମନେରଖିବାର ସମ୍ଭାବନା ଅଧିକ ଥାଏ। ମଧ୍ୟାହ୍ନ ଓ ରାତ୍ରିଭୋଜନ ଖାଇବାର ୩୦ ମିନିଟ୍‌ ପର ପର୍ଯ୍ୟନ୍ତ ପଢ଼ନ୍ତୁ ନାହିଁ। ଏହି ସମୟରେ ବିଶ୍ରାମ ନିଅନ୍ତୁ। କାରଣ ଉକ୍ତ ସମୟରେ ମସ୍ତିଷ୍କକୁ ରକ୍ତ ସଂଚାଳନ କମିବା ସହ ପାକସ୍ଥଳୀକୁ ବଢ଼ି ଯାଇଥାଏ; ଯାହା ଫଳରେ ପାଠ ପଢ଼ିଲେ ଠିକ୍‌ରେ ମନେରୁହେ ନାହିଁ।
ପାଠ ପଢ଼ୁ ଥିଲାବେଳେ ଅନେକ ପିଲାଙ୍କୁ ଲାଗିଥାଏ ଯେ ଏତେ ପଢ଼ିଲା ପରେ ମଧ୍ୟ କିଛି ମନେରହୁ ନାହିଁ। ମାତ୍ର ଏହା ଏକ ସାଧାରଣ ଅନୁଭୂତି। ଏପରି ପ୍ରାୟ ସମସ୍ତଙ୍କୁ ଲାଗିଥାଏ। ଏହାପାଇଁ ବ୍ୟସ୍ତ ନ ହୋଇ ଧୈର୍ଯ୍ୟ ଧରନ୍ତୁ। ପ୍ରତ୍ୟେକ ବିଷୟକୁ ବାରମ୍ବାର ରିଭିଜନ(ପୁନର୍ଭ୍ୟାସ) କରନ୍ତୁ। ଗୋଟିଏ କଥା ଜାଣି ରଖିବାକୁ ହେବ ଯେ କୌଣସି ଔଷଧ ଦ୍ୱାରା ସ୍ମରଣ ଶକ୍ତି ବଢ଼ାଇ ହେବ ନାହିଁ। ପାଠ ମନେରଖିବା ପାଇଁ ଅଧିକ ପରିଶ୍ରମ ହିଁ ଏକମାତ୍ର ବାଟ। ପାଠ ପଢ଼ିଲା ବେଳେ ଅନେକ ପିଲାଙ୍କ ମନରେ ଚିନ୍ତା ଆସିଥାଏ ଯେ ପରୀକ୍ଷା କେମିତି ହେବ, କେତେ ନମ୍ବର ରହିବ । ଏସବୁକୁ ନେଇ ମନରେ ଆଶଙ୍କା ଓ ଭୟ ମଧ୍ୟ ଆସିଥାଏ; ଯାହାକୁ ସାଧାରଣ ଭାଷାରେ ଏଙ୍ଗ୍‌ଜାଇଟି ବା ଟେନ୍‌ସନ କୁହାଯାଏ। ଏସବୁ ମନରେ ଆସିଲେ ବ୍ୟସ୍ତ ହୁଅନ୍ତୁ ନାହିଁ, ବରଂ ଏହାଦ୍ୱାରା ପରୀକ୍ଷାରେ ପ୍ରଦର୍ଶନ ବଢ଼ିଥାଏ। ପରୀକ୍ଷାରେ ସମୟର ଠିକ୍‌ ପରିଚାଳନା କରିବା ନିମନ୍ତେ ପୂର୍ବରୁ ଯୋଜନା ପ୍ରସ୍ତୁତ କରନ୍ତୁ। କେଉଁ ପ୍ରଶ୍ନକୁ କେତେ ସମୟ ଦେବେ ତାହା ପୂର୍ବରୁ ସ୍ଥିର କରନ୍ତୁ। ମଡେଲ ପ୍ରଶ୍ନପତ୍ର କଲାବେଳେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ। ପୂର୍ବ ବର୍ଷର ପ୍ରଶ୍ନପତ୍ରକୁ ପ୍ରଦତ୍ତ ସମୟ ମଧ୍ୟରେ କରିବାର ଅଭ୍ୟାସ କରନ୍ତୁ।
ପରୀକ୍ଷା ପ୍ରସ୍ତୁତି ସମୟରେ ମୋବାଇଲ ଫୋନ, କମ୍ପ୍ୟୁଟର ଓ ସୋସିଆଲ ମେଡିଆ (ଫେସ୍‌ବୁକ, ହାଟ୍‌ସଆପ) ଓ ଭି ଗେମ୍‌ଠାରୁ ଦୂରେଇ ରୁହନ୍ତୁ। ଏସବୁ ମନକୁ ବିଚଳିତ କରିଥାଏ, ପାଠପଢ଼ାରେ ଏକାଗ୍ରତା କମିଥାଏ ଓ ରାତିରେ ଭଲ ନିଦ ହୋଇ ନ ଥାଏ। ମନରେ କୌଣସି ନକାରାତ୍ମକ ଚିନ୍ତା ଆସିଲେ ନିଜ ଆତ୍ମୀୟ ଲୋକଙ୍କୁ ଏ ବିଷୟରେ ଜଣାନ୍ତୁ। ନିଜ ମନର କଥାକୁ ନିଜ ମାତାପିତାଙ୍କ ସହିତ ଆଲୋଚନା କରନ୍ତୁ। ନିୟମିତ ଭାବରେ ପ୍ରତିଦିନ ଦୁଇ ଥର ୧୫ରୁ ୩୦ ମିନିଟ ପର୍ଯ୍ୟନ୍ତ ଦୀର୍ଘ ଓ ଗଭୀର ନିଃଶ୍ୱାସ ପ୍ରଶ୍ୱାସ (ଡିପ୍‌ ବ୍ରିଦିଙ୍ଗ ଏକ୍ସରସାଇଜ) ନିଅନ୍ତୁ। ଏହାଦ୍ୱାରା ମସ୍ତିଷ୍କକୁ ରକ୍ତ ସଂଚାଳନ ବଢ଼ିଥାଏ ଓ ଏକାଗ୍ରତା ବୃଦ୍ଧି ପାଇଥାଏ। ସମୟ ମିଳିଲେ ଯୋଗ ଅଭ୍ୟାସ ମଧ୍ୟ କରନ୍ତୁ।
ପରୀକ୍ଷା ପୂର୍ବଦିନ ରାତିରେ ଅନିଦ୍ରା ହୋଇ ପଢ଼ନ୍ତୁ ନାହିଁ। ଏହା ଫଳରେ ପରୀକ୍ଷା ସମୟରେ ଥକା ଓ ନିଦ ମଧ୍ୟ ଲାଗିପାରେ। ତେଣୁ ପରୀକ୍ଷା ପୂର୍ବ ରାତିରେ ଶୀଘ୍ର ଶୋଇ ପଡ଼ନ୍ତୁ। ଅତିକମ୍‌ରେ ୬ ଘଣ୍ଟା ଶୁଅନ୍ତୁ। ମନକୁ ଦୃଢ଼ ରଖନ୍ତୁ। ନିଜ ଉପରେ ଆତ୍ମବିଶ୍ୱାସ ରଖନ୍ତୁ।
ସେହିଭଳି ପରୀକ୍ଷା ସମୟରେ ଅଭିଭାବକଙ୍କ ପାଇଁ କିଛି ପରାମର୍ଶ ଅଛି। ନିଜ ପିଲାର ମାନସିକ ଦକ୍ଷତା ଅନୁସାରେ ହିଁ ତାହାଠାରୁ ଫଳ ଆଶା କରନ୍ତୁ। ପରୀକ୍ଷାରେ କେତେ ପ୍ରତିଶତ ନମ୍ବର ଆଣିବ ସେଥିନିମନ୍ତେ ପରୀକ୍ଷା ପୂର୍ବରୁ ପିଲା ଉପରେ ଅତ୍ୟଧିକ ଚାପ ପକାନ୍ତୁ ନାହିଁ। ଏହାଦ୍ୱାରା ପିଲା ସବୁବେଳେ ମାନସିକ ଚାପଗ୍ରସ୍ତ ରହିବ ଓ ପରୀକ୍ଷାରେ ନିଜ ଦକ୍ଷତା ଅନୁସାରେ ପ୍ରଦର୍ଶନ କରିପାରିବ ନାହିଁ। ପିଲାର ଖରାପ ପ୍ରଦର୍ଶନକୁ ନେଇ ତାକୁ ଉପହାସ କିମ୍ବା ହତୋତ୍ସାହିତ କରନ୍ତୁ ନାହିଁ। ଏହାଦ୍ୱାରା ପିଲାର ମନୋବଳ ଭାଙ୍ଗି ଯାଏ। ପିଲାକୁ ସବୁବେଳେ ଉତ୍ସାହିତ କରନ୍ତୁ, ସକାରାତ୍ମକ ମନୋଭାବ ସୃଷ୍ଟି ପାଇଁ ଚେଷ୍ଟା କରନ୍ତୁ। ପିଲାକୁ ପ୍ରତ୍ୟେକ ଦିନ ଯଥେଷ୍ଟ ଶୋଇବାକୁ ଦିଅନ୍ତୁ। ଅତି କମ୍‌ରେ ୬ରୁ ୮ ଘଣ୍ଟା ଶୋଇବାକୁ ଦିଅନ୍ତୁ। ମସ୍ତିଷ୍କକୁ ଉପଯୁକ୍ତ ଆରାମ ନ ମିଳିଲେ ସ୍ମରଣ ଶକ୍ତି ଓ ଏକାଗ୍ରତା କମିଯାଇଥାଏ। ପିଲାକୁ ସୁଷମ ଓ ପୁଷ୍ଟିସାରଯୁକ୍ତ ଖାଦ୍ୟ ଠିକ୍‌ ସମୟରେ ଖାଇବାକୁ ଦିଅନ୍ତୁ। ଖାଦ୍ୟ ଖାଇବାରେ ବିଳମ୍ବ ହେଲେ ରକ୍ତରେ ଶର୍କରା ମାତ୍ରା କମି ଯାଇଥାଏ (ହାଇପୋଗ୍ଲାଇସେମିଆ)। ଫଳରେ ସ୍ମରଣଶକ୍ତି କମିଯାଏ। ପିଲାକୁ ପାଠ ସହିତ କିଛି ସମୟ ଖେଳ କିମ୍ବା ହାଲ୍‌କା ଶାରୀରିକ ପରିଶ୍ରମ ଓ ଅନ୍ୟ କିଛି ମନୋରଞ୍ଜକ କାମ କରିବାକୁ ଦିଅନ୍ତୁ; ଯାହାଫଳରେ ମସ୍ତିଷ୍କକୁ କିଛି ସମୟ ଆରାମ ମିଳିଥାଏ। ପୁଣି ପାଠ ପଢ଼ିଲେ ଏକାଗ୍ରତା ବଢ଼ିଥାଏ।
ନିଜ ପିଲାକୁ ଅନ୍ୟ କୌଣସି ପିଲାସହିତ ତୁଳନା କରନ୍ତୁ ନାହିଁ। ଏହାଫଳରେ ପିଲା ଉପରେ ଅଯଥା ମାନସିକ ଚାପ ପଡ଼ିଥାଏ ଓ ତାହାର ପାଠ ଉପରୁ ଏକାଗ୍ରତା କମିଯାଇଥାଏ। ପିଲା ଯଦି ମାତାପିତାଙ୍କୁ କିଛି କହିବାକୁ ଚାହୁଁଥାଏ, ତେବେ ତା’ ମନର କଥାକୁ ଧୈର୍ଯ୍ୟର ସହିତ ଶୁଣନ୍ତୁ। ଘରେ ଶାନ୍ତ ଓ ସକାରାତ୍ମକ ପରିବେଶ ରଖନ୍ତୁ। ଅଭିଭାବକମାନେ ପିଲାର ପରୀକ୍ଷା ସମୟରେ ନିଜେ ଅତ୍ୟଧିକ ମାନସିକ ଚାପଗ୍ରସ୍ତ ବା ଚିନ୍ତିତ ହୁଅନ୍ତୁ ନାହିଁ। କାରଣ ପିଲା ଆପଣଙ୍କୁ ଚିନ୍ତିତ ଦେଖିଲେ ସେ ମଧ୍ୟ ଦୁଃଖ ଅନୁଭବ କରିବ। ତେଣୁ ଆପଣ ଅତ୍ୟଧିକ ଚିନ୍ତିତ ହୁଅନ୍ତୁ ନାହିଁ। କଠିନ ପରିଶ୍ରମ, ଗଭୀର ଅଧ୍ୟବସାୟ, ଠିକ ଯୋଜନା ମୁତାବକ ପ୍ରସ୍ତୁତି ଓ ଅଭିଭାବକଙ୍କ ସହଯୋଗ ଦ୍ୱାରା ପ୍ରତ୍ୟେକ ପରୀକ୍ଷାର୍ଥୀ ନିଶ୍ଚିତ ଭାବରେ ସଫଳତା ହାସଲ କରିପାରିବେ।

  • ଡ. ସତ୍ୟକାମ ମହାପାତ୍ର
    ମାନସିକ ରୋଗ ବିଶେଷଜ୍ଞ
    ମୋ- ୮୮୯୫୨୯୩୯୯୭

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?