ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ ମହଲା ରୂପେ ଗଢି ଉଠିଥିବା ବେଳେ କେଉଁଠି ଏକାଧିକ ମହଲାର ରୂପ ନେଇଥାଏ। ଗ୍ରାମାଞ୍ଚଳଠାରୁ ସହରାଞ୍ଚଳରେ ଏହାର ଚିତ୍ର ବିଶେଷତଃ ଭିନ୍ନ ଧରଣର ହୋଇଥାଏ। ସହରରେ ପ୍ରାୟତଃ କେବଳ ଗୋଟିଏ ମହଲା ନୁହେଁ ବରଂ କାହିଁ କେତେ ମହଲା ଘର ଗଢି ଉଠିଥାଏ। ଯେଉଁଠି ତଳ ମହଲାରେ ରହୁଥିବା କାହାକୁ ବି କେହି କେହି ତଳବାଲା କହୁଥିବା ବେଳେ ଉପର ମହଲାବାଲାଙ୍କୁ ଉପରବାଲା କହିଥାନ୍ତି। ଯେତେବେଳେ ପ୍ରଶ୍ନ ଉଠେ ଘରର ମାଲିକ କିଏ? କେଉଁଠି ଉତ୍ତର ଆସେ ତଳବାଲା ମାଲିକ ତ ଆଉ କେଉଁଠି ଉପରବାଲା। ମାଲିକ ତଳବାଲା ହୁଅନ୍ତୁ ବା ଉପରବାଲା ଉଭୟଙ୍କର ଏକ ସାଧାରଣ ବିଶେଷତ୍ୱ ସ୍ବତ୍ୱାଧିକାରରେ ହିଁ ନିହିତ ରହିଛି। କିନ୍ତୁ ଭାବାର୍ଥବୋଧଭିତ୍ତିରେ ତଳବାଲା ଓ ଉପରବାଲା ଶବ୍ଦ ଦ୍ବୟ ମଧ୍ୟରେ ଭିନ୍ନତ୍ୱର ରହସ୍ୟ ଲୁଚି ରହିଛି। ଗୋଟିଏ ପଟେ ଉଭୟ ସେମାନଙ୍କର ଅଧିକୃତ ଅଂଶରେ ନିଜ ନିଜର ମାଲିକାନା ସ୍ବତ୍ୱ ଜାହିର କରିବା ବେଳେ ଅନ୍ୟପଟେ ଦୁଇ ଜଣଙ୍କର ସ୍ଥିତିରେ ବହୁତ କିଛି ବିଭେଦ ବା ତାରତମ୍ୟ ସୃଷ୍ଟି ହୋଇଥାଏ, ଯେଉଁଠି ତଳବାଲାର ପ୍ରଭାବ ପରିସର ସୀମିତ, ମାତ୍ର ଉପରବାଲାର ଏଥିରେ କୌଣସି ନିର୍ଦ୍ଦିଷ୍ଟତା ହିଁ ନ ଥାଏ। ବାସସ୍ଥାନର ଅବସ୍ଥିତି ନେଇ ଯେ କେହି ତଳବାଲାର ପରିଚୟ ନେଇ ମାଲିକ ସାଜିପାରନ୍ତି ଅଥଚ ଉପରବାଲାର ପରିଚୟ ଅନନ୍ୟ ହୋଇଥିବା ବେଳେ ଏହାର ମାଲିକ ଏକ, ଅଭିନ୍ନ ଏବଂ ପ୍ରଚ୍ଛନ୍ନ ସ୍ଥିତିର ପ୍ରତୀକ ହୋଇଥାନ୍ତି।
ସୃଷ୍ଟିକର୍ତ୍ତାଙ୍କ ପ୍ରଦତ୍ତ ଆଖିରେ କିଏ ସବୁକିଛି ଦେଖିପାରୁଛି ତ କିଏ କିଛି ବି ଦେଖିପାରୁ ନାହିଁ। କିଏ କିଛି ନ ଦେଖିପାରି ଅନ୍ଧ ରୂପେ ବିବେଚିତ ହେଉଥିବାବେଳେ ଆଉ କେହି ସବୁକିଛି ଦେଖି ମଧ୍ୟ ସେସବୁକୁ ଅଣଦେଖା କରି ଚାଲିଛି। ମର୍ତ୍ତ୍ୟ ଭୂମିର ବାସସ୍ଥାନ ନେଇ ଭିନ୍ନ ଭିନ୍ନ ଅବସ୍ଥାନରେ ପ୍ରତ୍ୟେକ ନିଜ ନିଜର କର୍ମାଧିକାର ସାବ୍ୟସ୍ତ କରିଚାଲିଛନ୍ତି। କର୍ମ ରୂପାୟନର ଦୁଇଟି ଦିଗ ରହିଛି ଗୋଟିଏ ଭଲ ଓ ଅନ୍ୟଟି ମନ୍ଦ। ଭଲ କର୍ମ ପାଇଁ ପ୍ରଶଂସା ଏକ ପ୍ରମୁଖ ସୂଚକ ହୋଇଥିବା ବେଳେ ମନ୍ଦ କର୍ମ ପାଇଁ ନିନ୍ଦା ହେଉଛି ଗୌଣ ସୂଚକର ପ୍ରତୀକ। ସମଗ୍ର ସୃଷ୍ଟିରେ ଏକ ନିର୍ଦ୍ଦିଷ୍ଟ ସତ୍ୟ ହିଁ ବହୁ ପ୍ରତୀକ୍ଷିତ ତଥା ରହସ୍ୟମୟ ହୋଇ ପ୍ରତ୍ୟେକଙ୍କ ବିଶ୍ୱାସ ଓ ଅବିଶ୍ୱାସ ମଧ୍ୟରେ କେବଳ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି କରିଚାଲିଛି, ଯାହାପାଇଁ କେହିକେହି ଜାଣି ମଧ୍ୟ ଅଜଣା ହେଉଥିବାବେଳ ଆଉ କେହି ବୁଝି ମଧ୍ୟ ଅବୁଝା ହୋଇ ଯାଆନ୍ତି। ବାସ୍ତବିକ ଏହା ହିଁ ଲୁକ୍କାୟିତ ରୂପରେ ଥିବା ଏଭଳି ଏକ ଶକ୍ତି, ଯାହାର ପ୍ରଭାବ ପରିସର ସୁବିସ୍ତୃତ ତଥା ଅସୀମିତ। କେବଳ ସେତିକି ନୁହେଁ ବରଂ ସେଭଳି ଶକ୍ତି ସର୍ବବ୍ୟାପୀ ରୂପେ ଉପରବାଲାର ପରିଚୟ ନେଇ ସବୁକିଛିର ତର୍ଜମା କରି ଚାଲିଛି ଯେଉଁଠି ଧର୍ମ, ଅଧର୍ମ, ନ୍ୟାୟ ଅନ୍ୟାୟ ତଥା ସତ୍ୟ ଅସତ୍ୟର ସହ ସମ୍ପୃକ୍ତି ତଥା ସହବନ୍ଧନ ରହିଛି। ଲୁଚି ରହି କିମ୍ବା ସମସ୍ତଙ୍କ ଦୃଷ୍ଟି ଆଢୁଆଳରେ ରହି ଅସତ କର୍ମରେ ଲିପ୍ତ ରହିଥିବା ବ୍ୟକ୍ତି ମନେମନେ ଭାବିନିଏ ଯେ ତାକୁ କିମ୍ବା ତାହାର କୃତକର୍ମକୁ କେହି ବି ଦେଖି ପାରିନାହାନ୍ତି। ତେଣୁ ସେ ବିନା ଦ୍ବିଧାରେ ଯାହା ଚାହେଁ ତାହା ହିଁ କରିଚାଲେ। ସୃଷ୍ଟିକର୍ତ୍ତାଙ୍କ ଦ୍ୱାରା ଆମକୁ ପ୍ରଦତ୍ତ ଆଖି ଦୁଇଟିର କେବଳ ମାତ୍ର ସୀମିତ ପରିସରକୁ ଅବଲୋକନ କରିବାର କ୍ଷମତା ରହିଛି, ଯେଉଁଠି କିଛି କର୍ମ ବିରୋଧରେ କେହି ନା କେହି ପ୍ରତିକ୍ରିୟା ପ୍ରଦର୍ଶନ ସ୍ବରୂପ ଉପଦେଶାତ୍ମକ ଭଙ୍ଗୀରେ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥାନ୍ତି, କିନ୍ତୁ ପ୍ରାୟତଃ ତାହା ମୂଲ୍ୟହୀନ ବା ନିରର୍ଥକ ସାବ୍ୟସ୍ତ ହୋଇଥାଏ। ଦିବ୍ୟ ଭାବନାର ବଶବର୍ତ୍ତୀ ହୋଇ କଥା ପ୍ରସଙ୍ଗରେ କହି ଦିଅନ୍ତି- ‘ସବୁ ଦେଖୁଛି ଉପରବାଲା ଯାହାର ଦୃଷ୍ଟିର ପରିସର ସାରା ଜଗତ ପରିବ୍ୟାପ୍ତ’। ଯେତେବେଳେ ତଳବାଲାର ଆଖି ଉପରବାଲା ପାଇଁ ଦୃଶ୍ୟମାନ ସେତେବେଳେ ଉପରବାଲାର ଆଖି ତଳବାଲା ପାଇଁ ଅଦୃଶ୍ୟ। କେବଳ ବିଶ୍ୱନିୟନ୍ତା ହିଁ ସର୍ବୋପରି ଏଥିପାଇଁ ସମ୍ଭାବ୍ୟ ସୂଚକ ହୋଇପାରେ। କାହିଁକି ନା ଆଖି ବନ୍ଦ କଲେ ସବୁକିଛି ଅନ୍ଧାର ଅଥଚ ଆଖି ଖୋଲିଦେଲେ ଆଲୋକର ସତ୍ତା ଅନୁଭବ କରିହୁଏ କିନ୍ତୁ ଯେଉଁ ଆଲୋକ ମଧ୍ୟରେ ଉପରବାଲାର ସେହି ଅଦେଖା ଆଖିକୁ ଦେଖିବା ସମ୍ଭବ ହୋଇ ନ ଥାଏ ସେତେବେଳେ ଆଖି ବନ୍ଦ ରଖି ଘନ ଅନ୍ଧକାର ମଧ୍ୟରେ ଦିବ୍ୟ ଆଲୋକର ଅନୁଭବ କରିପାରିଲେ ହିଁ ଉପରବାଲାର ସେହି ଅଦୃଶ୍ୟ ଆଖିର ସନ୍ଧାନ ପାଇବା ସମ୍ଭବ ହୋଇପାରିବ ।
ଦେବାଶିଷ ରଥ
ରାମେଶ୍ୱର, ଖୋର୍ଦ୍ଧା
ମୋ: ୯୯୩୮୭୪୭୮୨୧

