ନିଯୁକ୍ତି ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ

ଡ. ସନ୍ତୋଷ କୁମାର ମହାପାତ୍ର

 

କରୋନା ମହାମାରୀ ସମୟରେ ‘ଆତ୍ମନିର୍ଭର ଭାରତ’ ସ୍ଲୋଗାନ ଦିଆଯାଇଥିଲା। ସେହିପରି ସ୍ବାବଲମ୍ବୀ ଓଡ଼ିଶା ବା ଆତ୍ମନିର୍ଭର ଓଡ଼ିଶା କଥା କୁହାଯାଉଛି। କିନ୍ତୁ ଚିନ୍ତାର ବିଷୟ ହେଉଛି ‘ଆତ୍ମ ନିର୍ଭର ଭାରତ’ କେବଳ ସ୍ଲୋଗାନରେ ରହିଯାଇଛି। କିନ୍ତୁ ବର୍ତ୍ତମାନ, ‘ଆତ୍ମନିର୍ଭର ବା ସ୍ବାବଲମ୍ବନ କଥା କହି ସଂଗଠିତ କ୍ଷେତ୍ରରେ ନିଯୁକ୍ତି ବା ଚାକିରି ସୃଷ୍ଟି କରିବାରେ ସରକାରଙ୍କ ବିଫଳତାକୁ ଘୋଡ଼ାଇବାକୁ ପ୍ରୟାସ କରାଯାଉଛି। ଏପରି କି ଶାସକ ଶ୍ରେଣୀ ପରୋକ୍ଷରେ ସନ୍ଦେଶ ଦେବାକୁ ଚାହାନ୍ତି ଯେ ଶିକ୍ଷିତ ବେକାରିଙ୍କ ପାଇଁ ସଙ୍ଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି କରିବା ସରକାରଙ୍କ ଦାୟିତ୍ୱ ନୁହେଁ। ଶାସକ ଶ୍ରେଣୀ ତଥା କିଛି କିଣା ବୁଦ୍ଧିଜୀବୀଙ୍କ ତରଫରୁ କୁହାଯାଉଛି ଯେ ଜଣେ ଚାକିରି ପଛରେ ନ ଦୌଡ଼ି ନିଜେ ଔଦ୍ୟୋଗତାକୁ ଆଦରି ନେଇ ଚାକିରି ସୃଷ୍ଟି କରିବା ଉଚିତ।
ଏହାକୁ ଉପରକୁ ଶୁଣିବାକୁ ଭଲ ଲାଗୁଛି। କିନ୍ତୁ ବାସ୍ତବରେ ଜଣେ ସାଧାରଣ ଲୋକ ପାଇଁ ଉଦ୍ୟୋଗୀ ହେବା ଏତେ ସହଜ ନୁହେଁ। ଯଦି ସହଜ, ତେବେ ଛୋଟ, ବଡ଼ ଅନେକ ଘରୋଇ ଓ ସରକାରୀ ସଂସ୍ଥା, ବ୍ୟବସାୟିକ ସଂସ୍ଥା, କ୍ଷୁଦ୍ର ଉଦ୍ୟୋଗ, ଶିଳ୍ପ ରୁଗ୍ଣ କାହିଁକି ହେଉଛି ବା ବନ୍ଦ ହେଉଛି। କାହିଁକି ପୁଣି ଚାଲୁ କରାଯାଇପାରୁ ନାହିଁ। ତାହାର ମୂଳ କାରଣ ସେହି ସବୁ ସଂସ୍ଥା ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ଓ ସେବାର ଚାହିଦା ବା କ୍ରେତାର ଅଭାବ। ଚାହିଦା ବା କ୍ରେତାର ଅଭାବର କାରଣ ହେଲା ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଇବା। କ୍ରୟଶକ୍ତି ହ୍ରାସ ପାଇବାର ଏକ କାରଣ ହେଲା ନିଯୁକ୍ତି ସଂକୋଚନ ହେବା, ଛଟେଇ ବୃଦ୍ଧି ପାଇବା, ଲୋକଙ୍କ ହାତକୁ କାମ ନ ମିଳିବା। ଅନ୍ୟ ଏକ କାରଣ ହେଲା ନିର୍ଦ୍ଦିଷ୍ଟ ଦ୍ରବ୍ୟ ଓ ସେବା ବିକିବାକୁ ଆବଶ୍ୟକଠାରୁ ବେଶି ବିକ୍ରେତା ଅଛନ୍ତି। ମନେକର ଜଣେ ପକୁଡ଼ି, ବରା ଗୋଟିଏ ଜାଗାରେ ବିକୁଛି। ତାହାର ୫୦ ଜଣ ଗ୍ରାହକ ଅଛନ୍ତି। ସେ ମାସକୁ ୨୦ ହଜାର ଟଙ୍କା ଲାଭ କରୁଛି।
ଆତ୍ମନିର୍ଭର ହେବା ନାଁରେ ସେଠି ଆଉ ୫ ଜଣ ଶିକ୍ଷିତ ଯୁବତୀଯୁବକ ବା ଅନ୍ୟ ଲୋକ ପକୁଡ଼ି ବରା ବିକିଲେ। ଯଦି ଗ୍ରାହକ ସଂଖ୍ୟା ନ ବଢ଼ିଲା, ତେବେ ସମସ୍ତଙ୍କର ବିକ୍ରି କମ୍‌ ହେବ ଏବଂ କ୍ଷତି ସହିବେ। ଆମ ଘର ପାଖରେ ଆମେ ନିଜେ ଦେଖିଛୁ ଯେ କ୍ରେତା ଅଭାବରୁ କିପରି ଅନେକ ଦୋକାନୀ ତାଙ୍କ ବ୍ୟବସାୟ କାରବାର ବନ୍ଦ କରିଛନ୍ତି।
ପୁନଶ୍ଚ ଅନେକ ସମୟରେ ଗୋଟିଏ ସଂସ୍ଥା ଅନ୍ୟକୁ ଦୁର୍ବଳ କରି ଉଠିଥାଏ। ସାମଗ୍ରିକ ଭାବେ ଉତ୍ପାଦନ ଓ ନିଯୁକ୍ତି ବୃଦ୍ଧି ପାଏନା। ଗୋଟିଏ ସଂସ୍ଥାରେ ଯେତିକି ଉତ୍ପାଦନ ଓ ନିଯୁକ୍ତି ବୃଦ୍ଧିପାଏ, ଅନ୍ୟ କେଉଁଠି ସେତିକି ହ୍ରାସ ପାଇଥାଏ। ଅନେକେ କହନ୍ତି ଯେ ଅମକ ଘରୋଇ ସଂସ୍ଥା ଏତେ ଉତ୍ପାଦନ କରିଛି ଏବଂ ଏତେମାତ୍ରରେ ନିଯୁକ୍ତି ସୃଷ୍ଟି କରିଛି। କିନ୍ତୁ ସତ୍ୟ ହେଉଛି, ଯେତିକି ଉତ୍ପାଦନ ଓ ନିଯୁକ୍ତି ସେହି ସଂସ୍ଥା ନୂତନ ଭାବେ ସୃଷ୍ଟି କରିଛି, ଅନୁରୂପ ଭାବେ ଅନ୍ୟ କେଉଁଠି ସମ ପରିମାଣରେ ବା କମ୍‌ ବା ବେଶି ଉତ୍ପାଦନ ଓ ନିଯୁକ୍ତି ସଙ୍କୋଚନ ହୋଇଥିବ। ଆଉ କୌଣସି ଶିଳ୍ପ ଦୁର୍ବଳ ବା ରୁଗ୍‌ଣ ହୋଇଥିବ, ଏପରି କି ବନ୍ଦ ହୋଇଥିବ।
ଅନେକ ସମୟରେ କୌଣସି ସଂସ୍ଥା ବନ୍ଦ ହୋଇଯିବାର ଏକ କାରଣ ହେଲା ଯେ ସମୟ ଅନୁସାରେ ସେହି ସଂସ୍ଥା ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ଅନାବଶ୍ୟକ ହୋଇପଡ଼ିବା ବା ତାହାଠାରୁ ଆଉ ଏକ ଉନ୍ନତ ମାନର ଦ୍ରବ୍ୟ ବା ସେବା ଉପଲବ୍ଧ ହେବା। ଏକଦା କୋଡାକ ରିଲ୍‌ର ଚାହିଦା ବିଶ୍ୱବ୍ୟାପୀ ଥିଲା। ଡିଜିଟାଲ କ୍ୟାମେରା, ମୋବାଇଲ ଆସିବା ପରେ ବର୍ତ୍ତମାନ ଏହାର କୌଣସି ସ୍ଥିତି ନାହିଁ। କାଇନେଟିକ୍‌ ହୋଣ୍ଡାର ଚାହିଦା ଏପରିଥିଲା ଯେ ଏହା ସହଜରେ ମିଳୁ ନ ଥିଲା, କିନ୍ତୁ ବର୍ତ୍ତମାନ ବିଲୁପ୍ତ। ବଜାଜ୍‌ ସ୍କୁଟର ଆଗରୁ ବୁକ୍‌ କରିବାକୁ ପଡ଼ୁଥିଲା, କିନ୍ତୁ ବର୍ତ୍ତମାନ ଆଉ ଦେଖିବାକୁ ମିଳୁନି।
ସମସ୍ତେ ଭଲ ବ୍ୟବସାୟ, ବାଣିଜ୍ୟ କରିପାରିବେ ନାହିଁ କି ଭଲ ଉଦ୍ୟୋଗୀ ହୋଇପାରିବେ ନାହିଁ। ସଫଳ ଉଦ୍ୟୋଗୀ ହେବାପାଇଁ ଶାସକ ଶ୍ରେଣୀର ରାଜନୈତିକ ନେତା, ପ୍ରଶାସକଙ୍କ ସମର୍ଥନ ମଧ୍ୟ ଆବଶ୍ୟକ। ଏଥିରେ ମଧ୍ୟ ଅନିଶ୍ଚିତତା ଏବଂ ଟେନ୍‌ସନ ରହିଛି। ”ଜୋର ଯା’ର ମୂଳକ ତା’ର“ନୀତି ବେଶି କାର୍ଯ୍ୟ କରିଥାଏ। ଏପରି କି ଏଥିରେ ମାନିପୁଲେସନ ଆବଶ୍ୟକ। ସମସ୍ତେ ମାନିପୁଲେସନ କରିପାରିବେ ନାହିଁ। ବହୁତ କମ ଲୋକ ଅଛନ୍ତି ଯେଉଁମାନେ ସତ୍‌ ଉପାୟରେ ସଫଳ ଶିଳ୍ପପତି ବା ବ୍ୟବସାୟୀ ହୋଇଛନ୍ତି। ଅନେକ ଅତିକମରେ ଟିକସ ଫାଙ୍କିଥାନ୍ତି। ଏହାର ଅର୍ଥ ନୁହେଁ, ଜଣେ ଭଲ ଉଦ୍ୟୋଗୀ ବା ଶିଳ୍ପପତି ବା ବ୍ୟବସାୟୀ ହେବାପାଇଁ ଚେଷ୍ଟା ନ କରୁ, କିନ୍ତୁ ଏସବୁ ସଂଗଠିତ କ୍ଷେତ୍ରରେ ସରକାର ନିଯୁକ୍ତି ସୃଷ୍ଟି କରିବାର ବିକଳ୍ପ ନୁହେଁ। ପୁନଶ୍ଚ ଜଣେ ପାଠ ପଢ଼ିଲା ବେଳେ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖିଥାଏ। ସେଥିରୁ ଭଲ ଚାକିରି କରିବା ଅନ୍ୟତମ। ଚାକିରି ସୃଷ୍ଟି ନ ହେଲେ ଯୁବ ସମାଜ ପଥଭ୍ରଷ୍ଟ ହେବ ଓ ସାମାଜିକ ଅସ୍ଥିରତା ବୃଦ୍ଧିପାଇବ।
ପୁନଶ୍ଚ ଅସଂଗଠିତ କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି କରିବାକୁ ହେଲେ ପ୍ରଥମେ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ଆବଶ୍ୟକ। ଜଣେ ଚାକିରି କଲେ ଗୋଟିଏ ଟିଭି, ଗାଡ଼ି, ଘର ତଥା ବିଭିନ୍ନ ଦ୍ରବ୍ୟ ଓ ସେବା କିଣିପାରେ। ଡ୍ରାଇଭର, ଘର କାର୍ଯ୍ୟ ପାଇଁ ମହିଳା ନିଯୁକ୍ତି ଦେଇପାରେ। ବିଭିନ୍ନ ଜିନିଷ ବେଶିମାତ୍ରାରେ କିଣିପାରେ। ଏଣୁ କ୍ରେତା ବୃଦ୍ଧି ପାଇଁ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ଆବଶ୍ୟକ। ଏଣୁ ଆତ୍ମ ନିର୍ଭର କଥା କହି ସରକାର, କମ୍ପାନୀମାନେ ଅଧିକ ନିଯୁକ୍ତି ବା ଚାକିରି ସୃଷ୍ଟି କରିବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରୁ ମୁକ୍ତ ବୋଲି ଭାବିବା ଅନୁଚିତ। ଏକଥା ସତ୍ୟ ସମସ୍ତଙ୍କୁ ଚାକିରି ଯୋଗାଇ ଦେଇହେବ ନାହିଁ, କିନ୍ତୁ ନିଯୁକ୍ତି ବୃଦ୍ଧି ପରିବର୍ତ୍ତେ କିପରି ହ୍ରାସ କରାଯାଉଛି।
ପୁନଶ୍ଚ ବ୍ୟବସାୟ, ଉଦ୍ୟୋଗତାକୁ ଆଦରି ନେଇ ସଫଳ ହେବା ପାଇଁ ଭିନ୍ନ ଦକ୍ଷତା ଆବଶ୍ୟକ। ଯଦି ଆତ୍ମନିର୍ଭର ହେବାପାଇଁ ସୁଯୋଗ ଥା’ନ୍ତା, ତେବେ ଅଳ୍ପ କିଛି ଅର୍ଥ ପାଇଁ ଆଜି ଯୁବତୀଯୁବକ ରାଜନେତାଙ୍କ ହାତବାରିସ ହୁଅନ୍ତେ ନାହିଁ କି ସାମାଜିକ ଗଣମାଧ୍ୟମରେ ସମାଲୋଚକ, ବୁଦ୍ଧିଜୀବୀଙ୍କ ବିରୁଦ୍ଧରେ ଘୃଣା ସୃଷ୍ଟି କରନ୍ତେ ନାହିଁ। ଅବଶ୍ୟ ଘୃଣା ସୃଷ୍ଟିକରିବା, ମିଥ୍ୟା ଓ ଅର୍ଦ୍ଧସତ୍ୟ ଖବର ପ୍ରସାର କରିବା ଏକ ନିଯୁକ୍ତି ବୋଲି ବିବେଚନା କରାଯାଉଛି। କାରଣ ଏହି କାର୍ଯ୍ୟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଯୁବତୀଯୁବକଙ୍କୁ କିଛି ଅର୍ଥ ବିନିମୟରେ ନିଯୁକ୍ତି ଦେଉଛନ୍ତି , ଯାହା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳେ। କିନ୍ତୁ ଏହା ଠିକ୍‌ ନୁହେଁ। ସଂଗଠିତ କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ପାଇଁ ପ୍ରଚେଷ୍ଟା ହେବା ଉଚିତ।
Email:skmohapatra67@gmail.com
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?