ହାର୍‌ ମାନିବା ନାହିଁ

ନିରନ୍ତର ସାଧନା ଓ ପ୍ରଚେଷ୍ଟା ପରେ ମଧ୍ୟ ବେଳେବେଳେ କାର୍ଯ୍ୟରେ ସଫଳତା ମିଳି ନ ଥାଏ। ଏଭଳି କ୍ଷେତ୍ରରେ ବ୍ୟକ୍ତି ନିରାଶ ହୋଇ ଚେଷ୍ଟା ଛାଡ଼ିଦିଏ କିମ୍ବା ହାର୍‌ ମାନିଯାଏ। କାର୍ଯ୍ୟଟିକୁ ଅସମ୍ଭବ ମନେକରି ପଛଘୁଞ୍ଚା ଦିଏ ଅଥବା ଭାଗ୍ୟରେ ନାହିଁ ବୋଲି ମନକୁ ବୁଝେଇଦିଏ। ସତ କହିବାକୁ ଗଲେ, ଏହା ହିଁ ଥାଏ ପ୍ରକୃତ ପରୀକ୍ଷାର ବେଳ; ଧୈର୍ଯ୍ୟ ଓ ଏକାଗ୍ରତାର ପରୀକ୍ଷା। ଯେଉଁ ବ୍ୟକ୍ତି ଧୈର୍ଯ୍ୟର ସହ ପୁଣିଥରେ ନୂଆ ଉତ୍ସାହ ନେଇ କାମ କରିବାକୁ ଇଚ୍ଛା କରେ, ସେ ପ୍ରତ୍ୟକ୍ଷ ଭାବରେ କାମଟିକୁ ପୂରା କରି ନ ପାରିଲେ ମଧ୍ୟ ପରୋକ୍ଷ ଭାବେ କାହାର ସାହାଯ୍ୟ ପାଇ କିମ୍ବା ସେ କାମଟିକୁ ଶେଷ କରିବାରେ ସଫଳ ହୁଏ। ଏହାକୁ ବୁଝାଇବାକୁ ଯାଇ ଗୋଟିଏ ଛୋଟ କାହାଣୀ।
ପୋଖରୀ କୂଳରେ ବସିଥିବା ଜଣେ ବ୍ୟକ୍ତି ଥରେ ପକ୍ଷୀଟିଏକୁ ବାରମ୍ବାର ପାଣିରେ ବୁଡ଼ି ଉଠିବାର ଦେଖିଲେ। ତାଙ୍କ ମନରେ ଘଟଣାଟି ବିଷୟରେ ଜାଣିବାକୁ କୌତୂହଳ ଜାତ ହେଲା। ସେ ଅତି ନିକଟକୁ ଯାଇ ପ୍ରକୃତ ଘଟଣାଟି ବୁଝି ଜାଣିପାରିଲେ ଯେ ପକ୍ଷୀର ଶାବକଟି ପୋଖରୀରେ ପଡ଼ିଯାଇଛି। ତାକୁ ରକ୍ଷା କରିବା ପାଇଁ ସେ ବାରମ୍ବାର ପାଣିରେ ପଶି ନିଜକୁ ଓଦା କରିବା ପରେ କୂଳକୁ ଆସି ପରରୁ ପାଣିଝାଡ଼ି ତାକୁ ଶୁଖାଇ ପୁଣି ପାଣିରେ ପଶୁଛି। ପକ୍ଷୀଟି ପୋଖରୀକୁ ଶୁଖାଇବାର ଅସମ୍ଭବ ପ୍ରୟାସରେ ଲିପ୍ତ ଅଛି। ଅସମ୍ଭବ ମନେହେଉଥିବା କାମଟିକୁ ସେ ନ ଥକି, ନ ହାରି କରିଚାଲିଛି। ଏହାପରେ ସେ ନିଜେ ଯାଇ ପକ୍ଷୀ ଶାବକକୁ ପାଣିରୁ ଉଦ୍ଧାର କଲେ। ପକ୍ଷୀ ପାଇଁ ଅସମ୍ଭବ ପ୍ରାୟ କାର୍ଯ୍ୟଟି ଅନ୍ୟ କାହା ଦ୍ୱାରା ସଫଳ ହେଲା, କାରଣ ତା’ର ନିରନ୍ତର ଚେଷ୍ଟା ଓ ପରିଶ୍ରମ ଭଦ୍ରବ୍ୟକ୍ତିଙ୍କ ଦୃଷ୍ଟି ଆକର୍ଷଣ କଲା ଏବଂ ସେ ସାହାଯ୍ୟ କଲେ।
କାହାଣୀ କହିବାର ଅଭିପ୍ରାୟ ଏହା ଯେ, ନିଜର ଚେଷ୍ଟା, ସାଧନା ବିଫଳ ହେଉଛି ଭାବି ନିରାଶ ହୋଇ ବସିପଡ଼ିଲେ କିମ୍ବା ଦୁଃଖରେ ଭାଙ୍ଗିପଡ଼ିଲେ ହେବନାହିଁ। ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଉପାୟରେ ପରିଶ୍ରମର ଫଳ ନିଶ୍ଚୟ ମିଳିଥାଏ। ପିଲାମାନେ କୌଣସି ପ୍ରତିଯୋଗିତା କିମ୍ବା ପରୀକ୍ଷାରେ ସଫଳତା ପାଇବାର କଥା ଉଦାହରଣ ରୂପେ ନିଆଯାଉ। ଅନେକ ସମୟରେ ବହୁତ ପଢ଼ି ମଧ୍ୟ ବିଫଳତାର ସ୍ବାଦ ଚାଖିବାକୁ ହୋଇଥାଏ। ମାତ୍ର ସେଥିରେ ନିରୁତ୍ସାହିତ ନ ହୋଇ ଚେଷ୍ଟା ଜାରି ରଖିବାକୁ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଗୁରୁଜନମାନେ ପରାମର୍ଶ ଦେବା ଉଚିତ୍‌। ସ୍ନେହବୋଳା କଥା କେଇପଦ ସହିତ ଠିକ୍‌ ମାର୍ଗଦର୍ଶନ ସେମାନଙ୍କ ଆତ୍ମବିଶ୍ୱାସକୁ ବଢ଼ାଇବାର କ୍ଷମତା ରଖେ। ପରିଶ୍ରମର ମୂଲ୍ୟ ଯେ ଖୁବ୍‌ଶୀଘ୍ର ମିଳିବ, ଏହି ବିଶ୍ୱାସ ଜନ୍ମେଇବା ପାଇଁ ସେମାନଙ୍କ ପାଖରେ ସେପରି ସହୃଦୟ ବ୍ୟକ୍ତିଙ୍କ ଉପସ୍ଥିତିର ଆବଶ୍ୟକତା ନିଶ୍ଚିତରୂପେ ରହିଛି ଓ ରହିଥିବ। ୧oooରୁ ଅଧିକ ଉଦ୍ଭାବନ କରିଥିବା ଥୋମାସ୍‌ ଏଡିସନଙ୍କୁ ପିଲାଦିନେ ଶିକ୍ଷକମାନେ ସ୍ବଳ୍ପବୁଦ୍ଧିସମ୍ପନ୍ନ କହି ବିଦ୍ୟାଳୟ ଶିକ୍ଷାରୁ ବଞ୍ଚିତ କରିଥିଲେ। ମାତ୍ର ତାଙ୍କ ମା’ ନିଜେ ଘରେ ନିଜ ଉଦ୍ୟମରେ ତାଙ୍କୁ ଶିକ୍ଷା ଯୋଗାଇ ଦେଇଥିଲେ, ଯାହାର ପରିଣାମ ଆଜି ସମଗ୍ର ବିଶ୍ୱରେ ଥୋମାସ୍‌ ଏଡିସନ ଚର୍ଚ୍ଚିତ ଏବଂ ପୂରା ବିଶ୍ୱବାସୀ ତାଙ୍କ ଉଦ୍ଭାବିତ ଉପକରଣଗୁଡ଼ିକ ଦ୍ୱାରା ଉପକୃତ ହେଉଛନ୍ତି।
ଅସଫଳତା ଭୋଗିଥିବା ବ୍ୟକ୍ତି ଏହାକୁ ସଫଳତାର ବିରୋଧୀ ନ ଭାବି, ତା’ର ଗୋଟିଏ ଅଂଶ ଭାବିବା ଠିକ୍‌ ହେବ। ବାସ୍ତବରେ କହିବାକୁ ଗଲେ ସଫଳତା ଓ ଅସଫଳତା କେବଳ ଆମ ମନର ସ୍ଥିତି ମାତ୍ର। ଜୀବନରେ ଅନେକ ପରୀକ୍ଷା ଆସିବ ଏବଂ ପ୍ରତ୍ୟେକ ପରୀକ୍ଷାରେ ସଫଳ ହେବା ପାଇଁ ଆମେ ଚେଷ୍ଟିତ ରହିବା। ଏମିତି ବି ହେବ, ଆମକୁ ପଛରେ ପକେଇ ଅନ୍ୟ କିଏ ଜିତିଯିବ। ଏହାକୁ ନିଜର ପରାଜୟ ନ ଭାବି ଆହୁରି ଅଧିକ ପରିଶ୍ରମ କରିବା ଉଚିତ। କାରଣ ଆମର ପରାଜୟ ତେବେ ହୁଏନାହିଁ, ଯେବେ ଅନ୍ୟ ଜଣେ ଜିତିଯାଏ। ବରଂ ସେତେବେଳେ ହୁଏ, ଯେବେ ଆମେ ନିଜେ ପରାଜୟ ସ୍ବୀକାର କରୁ। ଠିକ୍‌ ସେହିପରି ଜଣେ ବ୍ୟକ୍ତି ସେତେବେଳେ ଅସଫଳ ହୁଏ ନାହିଁ, ଯେବେ ସେ ତା’ର ଲକ୍ଷ୍ୟକୁ ପାଇପାରେ ନାହିଁ, ବରଂ ସେ ସେତେବେଳେ ଅସଫଳ ହୁଏ, ଯେବେ ସେ ଚେଷ୍ଟା କରିବା ହିଁ ବନ୍ଦ କରିଦିଏ। ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. କଲାମ କହିଥିଲେ, ”ଜଣେ ସଫଳତାର କାହାଣୀ ପଢ଼ିଲେ କେବଳ ଏକ ବାର୍ତ୍ତା ପାଇବ, କିନ୍ତୁ ଅସଫଳତାର କାହାଣୀ ପଢ଼ିଲେ ସଫଳତା ପାଇବା ପାଇଁ କିଛି ଧାରଣା ପାଇ ପାରିବ। ସଫଳତା ପାଇବାକୁ ହେଲେ ଅସଫଳତାର ଅନୁଭୂତି ମଧ୍ୟ ରହିଥିବା ଆବଶ୍ୟକ।“
ଏଣୁ ଅକୃତକାର୍ଯ୍ୟ ହେଲେ କିମ୍ବା ବିଫଳତା ଲାଭକଲେ ସେଥିରେ ମ୍ରିୟମାଣ ନ ହୋଇ ପୁଣିଥରେ ସେହି କାମକୁ ନୂଆ ଉପାୟରେ କରିବାର ପ୍ରୟାସ କରିବାକୁ ହେବ। ଭାବିବାକୁ ହେବ ଯେ ଏହା ଭାଙ୍ଗିପଡ଼ିବା ନୁହେଁ ବରଂ ସଳଖି ଠିଆହେବାର ବେଳ। ମନେ ରଖିବାକୁ ହେବ ଯେ, ଆମେ ଜୀବନ ତମାମ୍‌ ଚେଷ୍ଟା କରିଚାଲିଥିବା ଏବଂ କେବେହେଲେ ହାର୍‌ ମାନିବା ନାହିଁ। ହାର୍‌ ସ୍ବୀକାର କରିବା ବନ୍ଦ କରିଦେଲେ ସଫଳତା ନିଶ୍ଚୟ ଦିନେ ହାତ ବଢ଼େଇ ପାଖକୁ ଡାକିବ।

  • ଶ୍ରୁତକୀର୍ତ୍ତି ତ୍ରିପାଠୀ
    ମୋ: ୬୩୭୦୫୧୬୪୭୮

Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?