ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ କରାଯାଇଛି। ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (MCL) ସହଯୋଗରେ ଏହି ପୃଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଇଛି।
ବ୍ଲକର ୬ଟି ସ୍ଥାନ ଯଥା— ଗୁଡ଼ାରି, କିନିଡ଼ି, କଦମା, ଶିରିଗୁଡ଼ା, ଢ଼େପାଗୁଡ଼ା ଓ ସମ୍ବରଲେଣ୍ଡିଠାରେ ଏହି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସ୍ୱାଗତ ସ୍ୱାଇଁ କହିଛନ୍ତି ଯେ, ସାଧାରଣତଃ ଯକ୍ଷ୍ମା ରୋଗୀଙ୍କୁ ଆବଶ୍ୟକୀୟ ପୋଷଣ ଯୁକ୍ତ ଖାଦ୍ୟ ମିଳିବାରେ ଅସୁବିଧା ହୋଇଥାଏ। ଏମ୍ସିଏଲ୍ର ଏହି ସ୍ୱାଗତଯୋଗ୍ୟ ପ୍ରୟାସ ରୋଗୀଙ୍କ ଆଶୁ ଆରୋଗ୍ୟ, ସ୍ୱାସ୍ଥ୍ୟ ସୁଧାର ଓ ମନୋବଳ ବୃଦ୍ଧିରେ ବେଶ୍ ସହାୟକ ହେବ।
ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ କୌଣସି ବି ବଦାନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ‘ନିକ୍ଷୟ ମିତ୍ର’ ଭାବେ ଯୋଡ଼ିହୋଇ ଯକ୍ଷ୍ମା ରୋଗୀଙ୍କୁ ଅତିରିକ୍ତ ୬ ମାସ ପର୍ଯ୍ୟନ୍ତ ପୃଷ୍ଟିକର ଖାଦ୍ୟ ସହାୟତା ଯୋଗାଇ ପାରିବେ।
ଏସ୍ଟିଏସ୍ (STS) ମନୋଜ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ସ୍ୱାଗତ ସ୍ୱାଇଁ, ପିଏଚ୍ଇଓ (PHEO) ରଶ୍ମିତା ମାହାଙ୍କୁଡ଼, ବିପିଏମ୍ (BPM) ଟୋଟା ତିରୁପତି, ଏମ୍ସିଏଲ୍ ସୁପରଭାଇଜର କେ. ସନ୍ତୋଷ କୁମାରଙ୍କ ସମେତ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

