ଡିଜିଟାଲ ଠକେଇ

ଜୁଲାଇ ୨୦୧୫ରେ ଆରମ୍ଭ କରାଯାଇଥିବା ଡିଜିଟାଲ ଇଣ୍ଡିଆ ଯୋଜନାକୁ ୮ ବର୍ଷ ପୂରିଗଲାଣି। ଇତିମଧ୍ୟରେ ଦେଶ ଡିଜିଟାଲ କ୍ଷେତ୍ରରେ କେତେ ସକ୍ଷମ ହୋଇଛି ତାହାର ଠିକ୍‌ ତଥ୍ୟ ଜାଣିବା କଷ୍ଟକର। କିନ୍ତୁ ପ୍ରତ୍ୟେକ କମ୍ପ୍ୟୁଟର ମାଧ୍ୟମରେ ଇଣ୍ଟରନେଟ ଏବଂ ମୋବାଇଲ ବ୍ୟବହାର କରୁଥିବା ନାଗରିକ ସବୁଦିନ ଡିଜିଟାଲ ଅକ୍ଷମତା ସମ୍ପର୍କରେ ବିରକ୍ତି ପ୍ରକାଶ କରୁଥିବା ଦେଖାଯାଏ। ଏଥିସହ ତାଳ ମିଳାଇ ସାଇବର ଅପରାଧ ଦ୍ରୁତଗତିରେ ବୃଦ୍ଧି ପାଉଥିବା ସମସ୍ତେ ଜାଣନ୍ତି। ନ୍ୟାଶନାଲ ସାଇବର ସିକ୍ୟୁରିଟି କୋଅର୍ଡିନେଟର ଏମ୍‌.ୟୁ. ନାୟାରଙ୍କ ଅନୁଯାୟୀ ଭାରତରେ ସାଇବର ଅପରାଧ ବୃଦ୍ଧିପାଇ ବୈଶ୍ୱିକ ହାରାହାରି ତୁଳନାରେ ପାଖାପାଖି ୨ଗୁଣ ହୋଇଛି। କେବଳ ଏତିକି ନୁହେଁ, ସାଇବର ଆକ୍ରମଣ ଜନିତ ଦେୟ ମଧ୍ୟ ୧୦ ମାସ ମଧ୍ୟରେ ହାରାହାରି ୧.୫୪ ବିଲିୟନ ଡଲାରରେ ପହଞ୍ଚିଛି; ଯାହା ୨୦୨୨ ତୁଳନାରେ ଦୁଇଗୁଣ। ଏହାସହ ଗତ ୬ ମାସ ମଧ୍ୟରେ ସାଇବର ଅପରାଧ ଭାରତରେ ହାରାହାରି ୨୧୨୭ଥର ଘଟିଥିବାବେଳେ ବିଶ୍ୱରେ ଏହା ୧୧୦୮ ଥର ଘଟିଛି ବୋଲି ନାୟାର ପ୍ରକାଶ କରିଛନ୍ତି। ଏହା ସ୍ପଷ୍ଟ ଯେ, ଡିଜିଟାଇଜେଶନ ସହ ନିୟମିତ ଭାବେ ସାଇବର ଅପରାଧ ବୃଦ୍ଧିପାଇବା ପ୍ରଯୁକ୍ତି ଜ୍ଞାନକୌଶଳ ପ୍ରତି ବିପଦ ସୃଷ୍ଟିକରୁଛି। ଏହି ସାଇବର ଅପରାଧର ମୂଳଲକ୍ଷ୍ୟ ହେଉଛି ଅର୍ଥ ଆଦାୟ। ଅକ୍ଟୋବର ମାସରେ ଅର୍ଥ ଆଦାୟ ପାଇଁ ଅକିରା ନାମକ ଇଣ୍ଟରନେଟ ରାନ୍‌ସମଓ୍ବେର ଭାଇରସ ସମ୍ପର୍କରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ୍‌ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍‌ପନ୍ସ ଟିମ୍‌ (ସିଇଆର୍‌ଟି) ସତର୍କ କରିଥିଲା। ଏହି ଭାଇରସକୁ ହ୍ୟାକରମାନେ ପ୍ରୟୋଗ କରି ତଥ୍ୟ ଚୋରି କରିବା ପରେ ବ୍ୟବହାରକାରୀମାନଙ୍କୁ ବ୍ଲାକ୍‌ମେଲ କରୁଥିବା ଜଣାପଡ଼ିଛି। ଏ ଦୃଷ୍ଟିରୁ ବିଚାର କଲେ ଭାରତରେ ଡିଜିଟାଇଜେଶନ ଦ୍ୱାରା ବ୍ୟବସାୟରେ ପ୍ରଯୁକ୍ତି ନିର୍ଭରଶୀଳତା ବୃଦ୍ଧିପାଉଥିବାରୁ ତାହା ସାଇବର ଆକ୍ରମଣର ଶିକାର ହେବାର ଅଧିକ ସମ୍ଭାବନା ସୃଷ୍ଟି ହୋଇଛି। ଚିନ୍ତାର ବିଷୟ, ଆଇଟି ଆଣ୍ଡ୍‌ ସାଇବର ସିକ୍ୟୁରିଟି କମ୍ପାନୀ କ୍ଲାଉଡ୍‌ଫ୍ଲେୟାର ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଭାରତୀୟ ସଂସ୍ଥାଗୁଡ଼ିକ ଗତବର୍ଷ ଅତିକମ୍‌ରେ ଗୋଟିଏ ସାଇବର ଆକ୍ରମଣର ଶିକାର ହୋଇଛନ୍ତି ଏବଂ ଏହାଦ୍ୱାରା ସେଗୁଡ଼ିକ ଅନେକ ମିଲିୟନ ଡଲାର କ୍ଷତି ସହିଛନ୍ତି।
ଭାରତରେ ଡିଜିଟାଇଜେଶନକୁ ଲକ୍ଷ୍ୟ କରି ସବୁ କ୍ଷେତ୍ରରେ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଯୋଡ଼ିବା ବାଧ୍ୟତାମୂଳକ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଗ୍ରାମୀଣ ଭାରତରେ ୭୦ ପ୍ରତିଶତରୁ ଅଧିକ ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକ ରହୁଛନ୍ତି। ସାଇବର ଅପରାଧରେ ଏମାନେ ଠକେଇର ଶିକାର ହେବା ସୁଯୋଗ ଅଧିକ ରହୁଛି। କାରଣ ଭାରତୀୟ ନାଗରିକମାନେ ଆଧାରରେ କେତେ ତଥ୍ୟ ରହୁଛି ନ ଜାଣି ତାହାକୁ ଅନ୍ୟ ହାତକୁ ବଢ଼ାଇ ଦେଉଛନ୍ତି। ଏପରି କି ୟୁନିକ୍‌ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ(ୟୁଆଇଡିଏଆଇ) ଦ୍ୱାରା ଜାରି କରାଯାଇଥିବା ଆଧାରକୁ ଖୋଲାଖୋଲି ସମସ୍ତଙ୍କୁ ନ ଦେବା ପାଇଁ ବିଧିବଦ୍ଧ ଭାବେ ସରକାରୀ ଘୋଷଣା କରାଗଲାଣି। ଏବେ କହୁଛନ୍ତି କେବଳ ‘ମାସ୍କଡ୍‌ ଆଧାର’ ବ୍ୟବହାର କରିବା ହେଉଛି ବୁଦ୍ଧିମାନର କାମ। ଏହାବ୍ୟତୀତ ଦେଶରେ ବ୍ୟାଙ୍କଗୁଡ଼ିକର ବ୍ୟବସ୍ଥା ପ୍ରାୟତଃ ଦୁର୍ବଳ । ଏଣୁ ଏହା ମାଧ୍ୟମରେ ସାଇବର ଅପରାଧୀମାନେ ଲୋକଙ୍କୁ ଠକିବା ସହଜ ହୋଇଯିବ। ଦେଶରେ ଯେତିକି ଅଧିକ ଡିଜିଟାଇଜେଶନ ପାଇଁ ବାଧ୍ୟ କରାଯିବ ସେତିକି ବେଶି ଠକେଇ ହେବାର ଆଶଙ୍କା ଦେଖାଦେବ। ନିକଟରେ ପ୍ରକାଶିତ ଏକ ଖବର ଅତ୍ୟନ୍ତ ଚିନ୍ତାଜନକ। ଇଣ୍ଟରନେଟରେ ଡାର୍କ ଓ୍ବେବ୍‌ରେ ପିଡବ୍ଲ୍ୟୁଏନ୍‌ ୦୦୦୧ ଛଦ୍ମ ନାମରେ ପରିଚିତ ସଂସ୍ଥା ଘୋଷଣା କରିଥିଲା ଯେ, ତାହା ପାଖରେ ୮୧ କୋଟିରୁ ଅଧିକ ଭାରତୀୟଙ୍କ ଆଧାର ଏବଂ ପାସପୋର୍ଟ ତଥ୍ୟ ମହଜୁଦ ଥିଲା। ଏହିସବୁ ତଥ୍ୟ ବିକିବା ପାଇଁ ମାତ୍ର ୮୦,୦୦୦ ଆମେରିକୀୟ ଡଲାର ମୂଲ୍ୟ ପିଡବ୍ଲ୍ୟୁଏନ୍‌ ୦୦୦୧ ଘୋଷଣା କରିଥିଲା। ଏଥିରୁ ପ୍ରତୀୟମାନ ହେଉଛି ଯେ, କେନ୍ଦ୍ର ସରକାର ନିଜ ନାଗରିକଙ୍କ ଆଧାର ତଥ୍ୟ ସୁରକ୍ଷିତ ରଖିବାରେ ବିଫଳ । ଅନ୍ୟପକ୍ଷରେ ବିଭିନ୍ନ କମ୍ପାନୀ ଓ ସରକାରୀ ସଂସ୍ଥାଗୁଡ଼ିକରେ ପ୍ରଯୁକ୍ତିକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ବ୍ୟବସାୟ ଲାଗି ଅପରିହାର୍ଯ୍ୟ ସାଇବର ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯାଉନାହିଁ। ଅଧିକାଂଶ ବିଜ୍‌ନେସ୍‌ ପଦାଧିକାରୀମାନଙ୍କର ଏ ସମ୍ପର୍କରେ ଜ୍ଞାନର ଅଭାବ ରହୁଛି ଏବଂ ଅନେକ କ୍ଷେତ୍ରରେ କ୍ଷୁଦ୍ର ଓ ମଧ୍ୟମ କମ୍ପାନୀଗୁଡ଼ିକରେ ପାଣ୍ଠିର ଅଭାବ ଯୋଗୁ ସେମାନେ ସାଇବର ଆକ୍ରମଣର ପ୍ରତିରୋଧ କରିବାକୁ ସକ୍ଷମ ହୋଇପାରୁନାହାନ୍ତି। ଏହାବ୍ୟତୀତ ଭାରତରେ ପୋଲିସ ସାଇବର ସିକ୍ୟୁରିଟି ବିଭାଗର ଅଧିକାଂଶ ଅଧିକାରୀ ଏହି ବିଷୟରେ କୌଣସି ଜ୍ଞାନକୌଶଳ ଜାଣିନାହାନ୍ତି। ଏବେ ଭାରତରେ ଡିଜିଟାଇଜେଶନ ଯେଉଁ ସ୍ତରରେ ରହିଛି ତାହା ବ୍ୟାପକ ହେଲେ ଠକେଇ ଅନେକଗୁଣ ବଢ଼ିଯିବ। ଏଣୁ ଏକ ଡିଜିଟାଇଜେଶନ ସମାଜ ଗଢ଼ିବା ପୂର୍ବରୁ ସାଇବର ଅପରାଧକୁ ରୋକିବା ଲାଗି ଟେକ୍‌ନୋଲୋଜିରେ ଆଗୁଆ ଦେଶଗୁଡ଼ିକ ସହ ମିଳିତ ଭାବେ ଏକ ଦୃଢ଼ ପ୍ରତିରୋଧୀ ବ୍ୟବସ୍ଥା କରାଯିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ନୈତିକତାକୁ ନା

ପ୍ରତ୍ୟେକ ମା’ବାପା ନିଜ ପିଲାଙ୍କ ପାଇଁ ପ୍ରାର୍ଥନା ଈଶ୍ୱରଙ୍କୁ କରନ୍ତି । ସେମାନେ ସୁସ୍ଥ ସବଳ ହୁଅନ୍ତୁ। ବୁଦ୍ଧିମାନ୍‌ ହୁଅନ୍ତୁ। ଭଲ ପଢ଼ନ୍ତୁ। ଭଲ ଚାକିରି କରନ୍ତୁ।…

ଜନସଂଖ୍ୟା ଓ ବେକାରି ସମସ୍ୟା

ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ…

ତିନି ଧର୍ମର ଦକ୍ଷିଣାଭିମୁଖୀ ପ୍ରସାର

ସାଧାରଣତଃ ଆର୍ଯ୍ୟମାନଙ୍କ ଭୂମି ବା ‘ଆର୍ଯ୍ୟାବର୍ତ୍ତକୁ ହିମାଳୟ, ଗଙ୍ଗା ଏବଂ ଯମୁନା ପରିବେଷ୍ଟିତ ଏକ ତ୍ରିଭୁଜାକାର ଅଞ୍ଚଳ ଭାବେ ଦେଖାଯାଉଥିଲା। ଅଶୋକଙ୍କ ସମୟରେ ରଚିତ ପ୍ରାଚୀନ ଧର୍ମଶାସ୍ତ୍ରଗୁଡ଼ିକରୁ…

ହାକିମ ହେଲାଣି ଡାକମୁନ୍‌ସୀ

ଜଣେ ବୃଦ୍ଧ ବାପାଙ୍କ ଜୁଇ ପାଖରେ ତାଙ୍କ ସନ୍ତାନ ବୋଇଲେ ତାଙ୍କ ବିବାହିତ ତିନି ଝିଅ ଉପସ୍ଥିତ ରହିପାରିଲେ ନାହିଁ। ଯଦିବା ଉପସ୍ଥିତ ହେଲେ ଆଭାସୀ ମାଧ୍ୟମରେ।…

ଉଦାର ଗଣତନ୍ତ୍ର ପାଇଁ ଭାବନାର ଗୁରୁତ୍ୱ

ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ସମ୍ପ୍ରତି ଜେନ୍‌-ଜି ପିଢ଼ିକୁ ଅତ୍ୟଧିକ ଭାବପ୍ରବଣ ବୋଲି ବର୍ଣ୍ଣନା କରି କହିଥିଲେ ଯେ, ସେମାନେ ପ୍ରାୟତଃ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହଜିଯାଉଛି ଭୋଟବ୍ୟାଙ୍କ

ଦିଲ୍ଲୀର ଯନ୍ତରମନ୍ତରରେ ହୋଇଥିବା ଛାତ୍ର ପ୍ରତିବାଦଜନିତ ଅସ୍ବାଭାବିକତା ବିଷୟ ଦେଶବାସୀଙ୍କ ମନରେ ତାଜା ଥିବା ବେଳେ ଅନୁରୂପ ଘଟଣା ଝାଡ଼ଖଣ୍ଡରେ ଦେଖାଯାଇଛି। ଯନ୍ତରମନ୍ତର ଆନ୍ଦୋଳନକାରୀମାନେ ‘ଚଲୋ ସଂସଦ’…

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri