ପ୍ରବଞ୍ଚନାର ଭିନ୍ନରୂପ

ବି ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ଛୋଟ ମୋର ଗାଁଟି’ର ଏକ କବିତାଂଶ ହେଲା
ଚଉକିଦାର ଗୋବରା ଭୋଇ – ଚିଲମଟାଣି ରାତିଟା ଶୋଇ। ସକାଳୁ କହେ ଚୋରକୁ କାଲି ବୁଲାଇ ଦେଲି ଭୁଆଁଟି – ଛୋଟ ମୋର ଗାଁଟି। ଭୁଆଁ ବୁଲାଇବାର ଅର୍ଥ ପ୍ରବଞ୍ଚନାର ଏକ ପ୍ରାୟୋଜିତ ପ୍ରୟାସ। ବାସ୍ତବରେ ଗୋବରା ଚୋରକୁ ଭୁଆଁ ବୁଲାଇବା ପରିବର୍ତ୍ତେ ଗ୍ରାମବାସୀଙ୍କୁ ମିଥ୍ୟା ଦ୍ୱାରା ଭ୍ରମିତ କରିବାରେ ସଫଳ ହେଉଥିଲା। ମିଥ୍ୟା ସଫଳତାକୁ ଆମେ ଏତେ ସୁନ୍ଦର ଭାବେ ଲୋକ ସମକ୍ଷରେ ଉପସ୍ଥାପନା କରୁ ଯଦ୍ଦ୍ବାରା ତାହା ମିଛ ସତ୍ୟର ରୂପ ନେଇ ତଡ଼ିତ ବେଗରେ ସଂଚରିତ ହୋଇଯାଏ। ଗୋବରା ଭୋଇ ରାତିରେ ଗଞ୍ଜେଇ ସେବନ କରି ଶୋଇଯାଏ ଓ ନିଶାନ୍ତେ ଅତି ସୁନ୍ଦରଭାବେ ତା’ର ବୀରତ୍ୱର ଗାଥା ଗ୍ରାମବାସୀଙ୍କ ସମ୍ମୁଖରେ ବଖାଣେ ଯେ ସେ କିପରି ଚୋରକୁ କୌଶଳରେ ଗ୍ରାମରୁ ବିତାଡ଼ିତ କରିବାରେ ସକ୍ଷମ ହେଲା। ଲୋକେ ତା’ କଥାକୁ କେବଳ ବିଶ୍ୱାସ କରନ୍ତି ନାହିଁ; ବରଂ ତା’ ଯୋଗୁ ଲୋକଙ୍କ ଧନଜୀବନ ସୁରକ୍ଷିତ ରହୁଥିବାରୁ ତା’ ଉପରେ ଅଜାଡ଼ି ଦିଅନ୍ତି ଅସୁମାରି ପ୍ରଶଂସା। ଏହି ଉପସ୍ଥାପନାର ତାତ୍ପର୍ଯ୍ୟ ଏହି ଯେ ଆମ ସମାଜରେ ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କର ରଙ୍ଗବୋଳା ମିଥ୍ୟା ଆଢୁଆଳରେ ସତ୍ୟତା ନିଜର ସତ୍ତା ହରାଏ।
ଏ ସମ୍ବନ୍ଧରେ ଏକ ସତ୍ୟ ଘଟଣାର ଅବତାରଣା ପ୍ରାସଙ୍ଗିକ ମନେହୁଏ। ବହୁବର୍ଷ ତଳେ ଆମ ଅଞ୍ଚଳରେ ବର୍ଷ ଅନାବୃଷ୍ଟି ଯୋଗୁ ଗଜାମରୁଡ଼ିରେ ଚାଷୀକୁଳ ଚିନ୍ତାରେ ଥାଆନ୍ତି। ଗ୍ରାମର ଭାଗବତ ଟୁଙ୍ଗିରେ ଚାଷୀମାନେ ବସି ସମ୍ଭାବ୍ୟ ଦୁର୍ଦ୍ଦିନ କଥା ଆଲୋଚନା କରୁଥାନ୍ତି। ଏହି ସମୟରେ ଜଣେ ଯୋଗୀ କେନ୍ଦରା ବଜାଇ ଗୀତଗାଇ ଭିକ୍ଷା ଯାଚନା କରୁଥାଏ। ଯୋଗୀକୁ ଦେଖି ଜଣେ ଯୁବଚାଷୀ ଉତ୍‌କ୍ଷିପ୍ତ ସ୍ବରରେ କହିଲା- ଆରେ ବର୍ଷା ତ ନାହିଁ। ଏସନ ଚାଷ ଉଜୁଡ଼ିବାକୁ ବସିଲାଣି। ଆମ ପିଲାଏ କ’ଣ ଖାଇବେ – କେମିତି ବଞ୍ଚତ୍ବେ ସେ ଚିନ୍ତା ଆମକୁ ଘାରିଛି। ଏପରି ସମୟରେ ତୁ ଭିକ ମାଗୁଛୁ। ଯଥାଶୀଘ୍ର ଏ ଗାଁ ଛାଡ଼ି ଚାଲିଯା। ଯୋଗୀ ପାଟିରୁ ବାହାରି ଆସିଲା- ଦେଖ ଆଜି କେମିତି ବର୍ଷା ହେଉଛି। ଯୋଗୀ ଭାବିଥିଲା ଗ୍ରାମଲୋକେ ଖୁସି ହୋଇ ତାକୁ ଛାଡ଼ିଦେବେ। ମାତ୍ର ଯୁବକମାନେ ଯୋଗୀକୁ ନେଇ ଭାଗବତ ଟୁଙ୍ଗିରେ ବନ୍ଦୀକରି ରଖିଲେ। ଯୋଗୀପୁଅ ବିଚରା ଭଗବାନଙ୍କୁ ଡାକୁଥାଏ। ଏପରି କଥା କାହିଁକି ତା’ ତୁଣ୍ଡକୁ ଆସିଲା। କିନ୍ତୁ ସନ୍ଧ୍ୟା ସୁଦ୍ଧା ପ୍ରବଳ ବର୍ଷା ହେଲା । ଯୋଗୀଙ୍କ ପ୍ରଶଂସାରେ ତମାମ ଗାଁ ଶତମୁଖ। ପରେ ଭାଗବତ ଟୁଙ୍ଗି ଆଶ୍ରମର ରୂପ ନେଲା ଓ ଯୋଗୀ ବନିଗଲେ ବାବା। ଆମେ ଏହାକୁ କ’ଣ କହିବା ଆମତ୍ରକ୍ଷା ପାଇଁ ପ୍ରବଞ୍ଚନାର ସହାୟତା ନା ସଂଯୋଗ। ସେ ଯାହା ହେଉ ଲୋକେ ବାବାଙ୍କୁ ପୂଜାର୍ଚ୍ଚନା କରିବାକୁ ଲାଗିଲେ। ବାବା ନିଜ ମନ୍ଦକାମନାରେ ବଶୀଭୂତ ହୋଇ ସମୟ ସୁବିଧା ଦେଖି ଗ୍ରାମର କନ୍ୟାଟିଏ ଧରି ଅନ୍ତର୍ଦ୍ଧାନ ହୋଇଗଲେ। ସେଦିନ ସେ ଭବିଷ୍ୟବାଣୀ ନ ଥିଲା ବାବାଙ୍କର ଦୈବୀ ସାଧନାର ଫଳ। ବରଂ ଏହାକୁ ଏକ ପ୍ରବଞ୍ଚନା କହିବା ଅଧିକ ସମୀଚୀନ ହେବ।
ଭାରତବର୍ଷ ମୁନିଋଷିଙ୍କର ଦେଶ। ଆମ ଉକତ୍ଳ ମଧ୍ୟ କେଉଁ ଗୁଣରେ କମ୍‌ ନୁହେଁ। ବହୁ ଜ୍ଞାନୀ, ଗୁଣୀ, ସାଧୁସନ୍ଥ ଛୁଟି ଆସିଛନ୍ତି ଏଠାକୁ। ସେମାନେ ଲଭିଛନ୍ତି ସିଦ୍ଧି ଓ ବିଦ୍‌ବତ୍ତା। ଆଜି କିନ୍ତୁ ସେ ସମୟ ନାହିଁ। ପ୍ରକୃତ ସାଧୁ ନୀରବି ଯାଇଛନ୍ତି ଓ ତାଙ୍କ ସ୍ଥାନରେ ପ୍ରବଞ୍ଚକ ଭଣ୍ଡ ସାଧୁଙ୍କର ଆବିର୍ଭାବ ଘଟିଛି। ବାବା ନକଲିକୁ ଭକ୍ତ ନକଲି। ଦୁଇ ନକଲିଙ୍କର ମିଳନରେ ମୁଖରିତ ହୁଏ ଆଶ୍ରମ । ବାବା କିନ୍ତୁ ତଥାକଥିତ ଭକ୍ତଙ୍କର ଏ ଅସହାୟତାର ଫାଇଦା ଉଠାନ୍ତି। ବିପୁଳ ସମ୍ପତ୍ତି ଆହରଣ ସହ ନିଜକୁ ସ୍ବର୍ଗାଧିପତି ମନେକରନ୍ତି। ମନୁ ସଂହିତା କହନ୍ତି-
ମନ୍ୟନ୍ତେ ବୈପାପକୃତୋ ନ କଷ୍ଠିପତ୍ଶ୍ୟତୀତିନଃ
ତାଂସ୍ତୁ ଦେବାଃ ପ୍ରପଶ୍ୟନ୍ତି ସ୍ବ ସ୍ୟୈବାନ୍ତର ପୁରୁଷ ସଃ।ା (୮ମ ଅଧ୍ୟାୟ ୫ମ ଶ୍ଲୋକ)
ଅର୍ଥାତ୍‌- ପାପକାରୀମାନେ ମନେକରନ୍ତି ଯେ ସେମାନଙ୍କୁ କେହି ଦେଖୁନାହିଁ। ମାତ୍ର ତାଙ୍କୁ ଦେବତାମାନେ ଓ ଆପଣା ଶରୀରସ୍ଥିତ ପୁରୁଷ ଦେଖନ୍ତି।
ଏବେ ଆସନ୍ତୁ ଜାଣିବା ଭବିଷ୍ୟବାଣୀ ମାଧ୍ୟମରେ ଜନମାନସକୁ ପ୍ରଭାବିତ ଓ ଭ୍ରମିତ କରୁଥିବା କତିପୟ ଜ୍ୟୋତିଷ ବିଶାରଦଙ୍କୁ। ଜ୍ୟୋତିଷଶାସ୍ତ୍ର ଏକ ଶାସ୍ତ୍ରଗତ ବିଦ୍ୟା। କିନ୍ତୁ ଏହି ବିଦ୍ୟାକୁ ଠିକ୍‌ଭାବେ ବୋଧଗମ୍ୟ କରିବା ଓ ଠିକ୍‌ ନିରୂପଣ କରିବାରେ ଦେଖାଦିଏ ବିରାଟ ଅସମାନତା। ଓଡ଼ିଶାରେ ପ୍ରଚଳିତ ବିଭିନ୍ନ ପଞ୍ଜିକାରେ ତିଥି ନିରୂପଣ କରିବାରେ ଦେଖାଦିଏ ଅସମାନତା ଓ ଘୋର ଅମେଳ। ଏପରି କି କୌଣସି ଏକ ତିଥି ନିରୂପଣରେ ଅମେଳ ଯୋଗୁ କିଛି ଜ୍ୟୋତିର୍ବିଦ୍‌ ଉଚ୍ଚ ନ୍ୟାୟାଳୟର ହସ୍ତକ୍ଷେପ ଲୋଡ଼ିଥିଲେ। ପ୍ରତ୍ୟହ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହେଉଥିବା ରାଶିଫଳ ବିଚାରକୁ ଲକ୍ଷ୍ୟ କଲେ ଦେଖାଯାଏ ଯେ ଗୋଟିଏ ନିର୍ଦ୍ଦିଷ୍ଟ ରାଶିର ରାଶିଫଳ ଗୋଟିଏ ଖବରକାଗଜରେ ଅତ୍ୟନ୍ତ ଶୁଭଫଳର ସୂଚନା ଦିଆଯାଉଥିବା ବେଳେ ଅନ୍ୟ ଖବରକାଗଜରେ ଏହା ଅଶୁଭ ବୋଲି ଦର୍ଶାଯାଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା – ଏବର୍ଷ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସମସ୍ତ ଜ୍ୟୋତିଷ ଭବିଷ୍ୟବାଣୀ କରିଥିଲେ ଯେ ବିଜୁ ଜନତା ଦଳ ବହୁମତ ଏପରି କି ଦୁଇ/ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲକରି ପୁନର୍ବାର ଓଡ଼ିଶାରେ ଶାସନ କରିବ। ଅବଶ୍ୟ କେତେକ ଜ୍ୟୋତିଷ ଆକଳନ କରିଥିଲେ ଯେ ବିଜେଡିର ସଂଖ୍ୟା କିଛି କମିବ କିନ୍ତୁ ଶାସନଗାଦି ଅଳଂକୃତ କରିବାରେ ଏହା ଆଦୌ ବାଧକ ହେବନାହିଁ। କିନ୍ତୁ ଫଳ କ’ଣ ହେଲା ଆମେ ଦେଖିଲୁ। ସେହିପରି ଭାଜପା କେନ୍ଦ୍ରରେ ଏକକ ସଂଖ୍ୟା ଗରିଷ୍ଠତାର ପ୍ରାକ୍‌ ସୂଚନା ମଧ୍ୟ ଭୁଲ୍‌ ସାବ୍ୟସ୍ତ ହୋଇଛି। ଭାଜପାକୁ ଏକାକୀ ୨୪୦ ଆସନରେ ସୀମିତ ରହିବାକୁ ହୋଇଛି। ଏପରି କି ସାମାଜିକ ଗଣ ମାଧ୍ୟମରେ ବୁଥ୍‌ ବାହୁଡ଼ା (ଏକ୍‌ଜିଟ୍‌ ପୋଲ) ଆକଳନ ମଧ୍ୟ ଠିକ୍‌ ହେଲାନାହିଁ।
ଏ ସବୁ ଦେଖି ଶୁଣି ସାଧାରଣ ମଣିଷ ମନରେ ପ୍ରଶ୍ନ ଉଠେ ସେ କାହାକୁ ବିଶ୍ୱାସ କରିବ ? ସତ୍ୟତା ତା’ର ସତ୍ତା ହରାଇଲାଣି। ସାମାଜିକ ଗଣମାଧ୍ୟମରେ ଯେପରି କମ୍ପାନୀମାନେ ତାଙ୍କ ଉପତ୍ାଦିତ ସାମଗ୍ରୀକୁ ଶ୍ରେଷ୍ଠତା ଦେଇ ଅନ୍ୟ ଉପତ୍ାଦଗୁଡ଼ିକୁ ଉପେକ୍ଷା କରୁଛନ୍ତି, ଏହା ଦ୍ୱାରା ସାଧାରଣ ଗ୍ରାହକଟି ମାନସିକ ଦ୍ୱିଧା ମଧ୍ୟକୁ ଠେଲି ହୋଇଯାଉଛି। ଘରେ ଘରେ ଦ୍ରବ୍ୟ କିଣାକୁ ନେଇ ଭିନ୍ନ ମତ। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ‘ଗରିବୀ ହଟାଓ’ର ସ୍ଲୋଗାନ ଦେଶବାସୀ ଶୁଣି ଆସୁଛନ୍ତି। ତଥାପି ଗରିବୀ ହଟୁନାହିଁ। ପ୍ରତି ନିର୍ବାଚନରେ ଗରିବୀ କଲ୍ୟାଣ ସବୁଦଳର ପ୍ରମୁଖ ଇସ୍ତାହାର। କିନ୍ତୁ ଧନୀ ଅଧିକ ଧନୀ ହେଉଥିବା ବେଳେ ଗରିବ ତା’ର ଭାଗ୍ୟକୁ ଆଦରି ପଡ଼ିରହିଛି। ଏହା କ’ଣ ପ୍ରବଞ୍ଚନା ନୁହେଁ ?

ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର,
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri