ମହାମାରୀରେ ଧନକୁବେର

ରୁଦ୍ର ପ୍ରସନ୍ନ ରଥ

କରୋନା ମହାମାରୀ ଆମ ସମସ୍ତଙ୍କ ଉପରେ ଗତ ଗୋଟିଏ ବର୍ଷରେ କି ପ୍ରକାର ପ୍ରଭାବ ବିସ୍ତାର କରିଛି ତାହା କହିବାର ବା ଲେଖିବାର ଆବଶ୍ୟକତା ନାହିଁ। ଅନେକେ ନିଜେ ସଂକ୍ରମିତ ହୋଇଛନ୍ତି। ଆହୁରି ଅନେକ ନିଜର ପ୍ରିୟଜନଙ୍କୁ ଏହି ସଂକ୍ରମଣରେ ହରାଇଛନ୍ତି। ଲୋକେ ନିଜେ ଏହି ମହାମାରୀର ଶିକାର ହୋଇ ଦିନ ଦିନ ଡାକ୍ତରଖାନାରେ କାଟିଛନ୍ତି। ଯନ୍ତ୍ରଣାରେ ଜର୍ଜରିତ ହୋଇ ଜୀବନମରଣର ଅଙ୍କ କଷିଛନ୍ତି। ଅନେକଙ୍କ ଜୀବନଜୀବିକା ଉଜୁଡି ଯାଇଛି। ସହରରୁ ଚାକିରି ହରାଇ ଲୋକେ ଗାଁ ଅଭିମୁଖେ ଛୁଟିଛନ୍ତି। କିଏ ଫିଲ୍ମ ଛାଡ଼ି ପରିବା ବିକିଛି ତ ଆଉ କିଏ ଆଇଟି ଚାକିରି ଛାଡ଼ି ରାସ୍ତା ଉପରେ ଜଳଖିଆ ଦୋକାନ ଖୋଲିଛି। ପୂରା ଭାରତ ସମୟର ପରୀକ୍ଷାଗାରରେ ନିଜର ଭାଗ୍ୟ ଆଉ ଭବିଷ୍ୟତକୁ ପରୀକ୍ଷା କରିବାକୁ ବାଧ୍ୟ ହୋଇଛି।
ଅଥଚ ଏହି ମହାମାରୀକୁ କିଛି ଲୋକ ସୁଯୋଗ ବୋଲି ଭାବିଛନ୍ତି। କେବଳ ଭାବିନାହାନ୍ତି ସୁଯୋଗର ସଦୁପଯୋଗ ବି କରିଛନ୍ତି। ନିକଟରେ ଅନ୍ତର୍ଜାତୀୟ ବେସରକାରୀ ଅନୁଷ୍ଠାନ ଏକ ରିପୋର୍ଟ ପ୍ରକାଶ କରିଛି। ଏହାର ନାମ ହେଉଛି ଦ ଇନ୍‌କ୍ୱାଲିଟି ଭାଇରସ୍‌। ସାରା ବିଶ୍ୱରେ କୋଭିଡ୍‌ ଭାଇରସର ପ୍ରଭାବ କ’ଣ ଏହା ଏହି ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଅନୁଯାୟୀ ସାରା ବିଶ୍ୱରେ ପ୍ରାୟ ୨୦ ରୁ ୫୦ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଠେଲି ହୋଇଯାଇଛନ୍ତି। କେବଳ ଆମ ଦେଶରେ ୮୪% ପରିବାରର ଆର୍ଥିକ ଆୟ ହ୍ରାସ ପାଇଛି। ୨୦୨୦ ଏପ୍ରିଲରେ ହିଁ ଦେଶରେ ପ୍ରତି ଘଣ୍ଟାରେ ୧ ଲକ୍ଷ ୭୦ ହଜାର ଲୋକ ଚାକିରି ହରାଇଛନ୍ତି। ଆମ ଦେଶରେ ମୁକେଶ ଅମ୍ବାନୀଙ୍କ ପରି ଧନକୁବେର ଏବଂ ଅତିଧନୀଙ୍କ ସମ୍ପତ୍ତି ମୂଲ୍ୟରେ ୩୫% ଯାଏ ବୃଦ୍ଧି ଘଟିଛି। ଏମାନଙ୍କର ଆୟ ଏତେ ବଢ଼ିଯାଇଛି ଯେ ମୁକେଶ ଅମ୍ବାନୀ ଗୋଟିଏ ଘଣ୍ଟାରେ ଯେତିକି ଆୟ କରନ୍ତି ତାହା ଜଣେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକକୁ ସେତିକି ଆୟ କରିବାକୁ ଦଶ ହଜାର ବର୍ଷ ଲାଗିଯିବ। ଦେଶରେ ଅତିଧନୀମାନେ ଏହି ସମୟ ମଧ୍ୟରେ ଆୟ କରିଥିବା ଟଙ୍କାକୁ ଯଦି ୧୩.୮ କୋଟି ଲୋକଙ୍କ ମଧ୍ୟରେ ବଣ୍ଟାଯାଏ ତେବେ ଜଣେ ମୁଣ୍ଡ ପିଛା ୯୪,୦୪୫ ଟଙ୍କାପାଇପାରିବ। ଏତିକି ପଇସାରେ ଜଣେ ନିଜ ପାଇଁ ଗୋଟିଏ ବଖରା ଘର ସହ ଶୌଚାଳୟ କରିପାରିବ। କିଛି ନ ହେଲେ ଏତିକି ପଇସାରେ ଜଣେ ନିଜ ପାଇଁ ବିକଳ୍ପ ଜୀବନଜୀବିକା ଅର୍ଜନ କରିପାରିବ। ଧନକୁବେରମାନଙ୍କ ପାଖରେ ଥିବା ଏହି ଅର୍ଥ ଯଦି ସରକାରଙ୍କ ପାଖକୁ କୌଣସି ମତେ ଆସି ଯାଆନ୍ତା ତେବେ ସରକାର ନିଜର ଜନଓଷଧି କାର୍ଯ୍ୟକ୍ରମର ବଜେଟକୁ ୧୪୦ ଗୁଣା ବଢ଼ାଇପାରନ୍ତେ କିମ୍ବା ଏମ୍‌ଜିଏନ୍‌ଆରଇଜିଏସ୍‌ ପରି କାର୍ଯ୍ୟକ୍ରମ ନିମନ୍ତେ ଆଗାମୀ ୧୦ ବର୍ଷଯାଏ ଅର୍ଥ ବ୍ୟବସ୍ଥା କରିବାକୁ ସରକାର ଚିନ୍ତା କରନ୍ତେ ନାହିଁ। କିନ୍ତୁ ବାସ୍ତବିକତାର କଥା ହେଉଛି ଏ ପଇସାର କାଣିଚାଏ ବି ସରକାରଙ୍କ ପାଖକୁ ଫେରିବାର ବାଟ ନାହିଁ। ବରଂ ଧନକୁବେରଙ୍କ ପାଖରେ ଏହି ପଇସା ସେମିତି ପଡିରହିବ, ଯେପରି ଆଗରୁ ଆହୁରି ହଜାର ହଜାର କୋଟି ଟଙ୍କା ପଡ଼ିକରି ଅଛି। ଆଉ ଏ ପଇସାର ସିଂହଭାଗ ଖର୍ଚ୍ଚ ହୁଏ ବିଦେଶରେ ଦ୍ୱୀପ କିଣିବାରେ, ଦାମୀ କାର୍‌ କିମ୍ବା ଜଳଜାହାଜ କିଣିବାରେ, ବିଦେଶରେ ବିବାହ କରି ଚାନ୍ଦିରେ ନିମନ୍ତ୍ରଣ ପତ୍ର ଛାପିବାରେ। ଯେତେବେଳେ ସାରା ଭାରତ ମହାମାରୀରେ ପଡ଼ିଥାଏ ଏହି ଧନକୁବେର ଇଣ୍ଡିଆନମାନଙ୍କର ଏହି ଅଶାଳୀନ ଖର୍ଚ୍ଚକୁ ବି ଆମ ଗଣମାଧ୍ୟମ ଦୀର୍ଘ ସମୟଧରି ଦେଖାଉଥାଏ। ଏ ସବୁ ଦୃଶ୍ୟ ଆଗରେ ଭାରତୀୟଙ୍କ ଯନ୍ତ୍ରଣା ଆଉ ଅସହାୟତା ବିବଶ ମନେହୁଏ।
ଇତିହାସ ସାକ୍ଷୀ ଅଛି ଯେ, ସବୁ ବିପର୍ଯ୍ୟୟ ଏବଂ ମହାମାରୀ ସମସ୍ତଙ୍କ ପାଇଁ ସୁଯୋଗ ସୃଷ୍ଟି କରିପାରିଥାଏ। ତେବେ ଏହି ମହାମାରୀକୁ ଆପଣ କିପରି ସଦୁପଯୋଗ କରୁଛନ୍ତି ତାହା ଉପରେ ଆପଣଙ୍କ ଭାଗ୍ୟ ଆଉ ଭବିଷ୍ୟତ ନିର୍ଭର କରେ। ଯିଏ ଏ ସୁଯୋଗ ଉଠାଇପାରେ ସେ ହିଁ ମହାମାରୀକୁ ଜିତିବାର ଆସ୍ପର୍ଦ୍ଧା ଦେଖାଇପାରେ। ଆମ ଧନକୁବେରମାନେ ଏଥିରେ ସଫଳ ହୋଇଛନ୍ତି ବୋଲି ଅନ୍ତତଃ ଅକ୍ସଫାମ ପ୍ରକାଶିତ ଏହି ରିପୋର୍ଟରୁ ପ୍ରମାଣିତ ହୋଇଛି।
ଅବଶ୍ୟ ଏହି ଧନକୁବେରମାନଙ୍କର ମହାମାରୀ ସମୟରେ ମାଲ୍‌ କମାଇବାର ଏହି ଉପାୟ କିଛି ନୂଆ ନୁହେଁ। ଅତୀତରେ ମଧ୍ୟ ଏପରି କରାଯାଇଥିବାର ନଜୀର ଅଛି। ତେବେ ଏବେ ସମସ୍ୟା ହେଉଛି ଯେ ଦିନକୁଦିନ ପୃଥିବୀର ପ୍ରାକୃତିକ ସମ୍ବଳ ସରି ସରି ଆସୁଥିବାବେଳେ ଏହି ଧନକୁବେରମାନେ ନିଜର ଆଗାମୀ ତିନିଶହ ପିଢ଼ି ପାଇଁ ସମ୍ବଳ ଏକାଠି କରି ସାରିଲେଣି। ଧନୀ ଏବଂ ଗରିବ ମଧ୍ୟରେ ପାର୍ଥକ୍ୟ ଆମ ଭାରତବର୍ଷରେ ଏତେ ଅଧିକ ଯେ ଏଥିରେ ସହଜରେ ଶହେ ହାତୀ ଗଳିଯାଇପାରିବେ।
ଏ ପରିସ୍ଥିତିରୁ ଉଦ୍ଧାର ପାଇବାକୁ ହେଲେ ଉଭୟ ଧନକୁବେର ଏବଂ ସରକାରଙ୍କୁ ଏ ଦିଗରେ କଡ଼ା ପଦକ୍ଷେପ ନେବା ଦରକାର। ମହାମାରୀ ସମୟରେ ଧନକୁବେରମାନେ କରିଥିବା ଲାଭ ଉପରେ ସରକାର ଟିକସ ବସାଇବା ସହ ସେମାନଙ୍କୁ ସମାଜିକ ନ୍ୟାୟ, ସଶକ୍ତୀକରଣ ଏବଂ ଦାରିଦ୍ର୍ୟ ହଟାଅ କାର୍ଯ୍ୟକ୍ରମରେ ସାମିଲ କରାଯିବା ଦରକାର। ଅତି ଅନୁନ୍ନତ ପଛୁଆ ଜିଲାଗୁଡ଼ିକର ସର୍ବାଙ୍ଗୀନ ବିକାଶର ଦାୟିତ୍ୱ ଏହି ଧନକୁବେରମାନଙ୍କ ଉପରେ ନ୍ୟସ୍ତ କରାଯିବା ଦରକାର। ମହାମାରୀରେ ପ୍ରପୀଡ଼ିତ ଅଞ୍ଚଳର ଶିକ୍ଷା, ଗମନାଗମନ, ସ୍ବାସ୍ଥ୍ୟ ଏବଂ ନିଯୁକ୍ତିର ବିକାଶ ପାଇଁ ଏହି ଧନକୁବେର ଏବଂ ସେମାନଙ୍କ କମ୍ପାନୀଗୁଡ଼ିକ ବ୍ୟାପକଭାବେ ନିଜର ଲାଭାଂଶ ଖର୍ଚ୍ଚ କରିବା ପାଇଁ ଆଗେଇ ଆସିବା ଦରକାର। ଯେଉଁ ଦେଶର ଦୁର୍ଦ୍ଦଶା ସମୟରେ ଏହି ଧନକୁବେରମାନେ ନିଜ ପାଇଁ ଧନର ପାହାଡ଼ ତିଆରି କରିଚାଲିଲେ ସାଧାରଣ ସମୟରେ ସେ ଦେଶର ସେ ଅଞ୍ଚଳରେ ବିକାଶ ଧନକୁବେରମାନଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ ହେବା ଉଚିତ। ଦୀର୍ଘସ୍ଥାୟୀ ଭିତ୍ତିରେ ଏ ନେଇ ଯୋଜନା ନ କଲେ ଏହି ମହାମାରୀର ଭୂତାଣୁ ଆମ ଭିତରେ ଥିବା ଧନୀ-ଗରିବ ଦୂରତାକୁ ଯୋଜନ ଯୋଜନ ଯାଏ ବିସ୍ତାରୀ ଚାଲିଥିବା।
ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri