ବିଜୁ ଆଦର୍ଶ ଏକ ଆହ୍ବାନ

ଡ. ଚନ୍ଦ୍ରକଳା ନାୟକ

କେବଳ ଭାରତର ମୁକ୍ତି ସଂଗ୍ରାମ କାହିଁକି, ଇଣ୍ଡୋନେସିଆ ରାଷ୍ଟ୍ର ପାଇଁ ବିଜୁବାବୁଙ୍କର ଅବଦାନ ବି ଅତୁଳନୀୟ। ସେଠାରେ ଏହାର ପ୍ରତି ବଦଳରେ ଇଣ୍ଡୋନେସିଆର ତତ୍‌କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣୋ ତାଙ୍କୁ ୫୦୦ କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି ଦାନ କରିଥିଲେ। ନିଜକୁ କଳିଙ୍ଗର ସମ୍ରାଟ ବୋଲି କୁହାଯାଉଥିବା ଏହି ମହାନ୍‌ ରାଷ୍ଟ୍ରନାୟକ ଏହି ଦାନକୁ ଗ୍ରହଣ କରି ନ ଥିଲେ। ତାଙ୍କର ଯୁକ୍ତି ଥିଲା କୌଣସି ସାହାଯ୍ୟ ପାଇଁ କଳିଙ୍ଗବାସୀ କିମ୍ବା କଳିଙ୍ଗର ସମ୍ରାଟ କାହାଠାରୁ ଦାନ ଗ୍ରହଣ କରି ନ ଥାନ୍ତି। ନିଜ ରାଜ୍ୟର ଲୋକଚରିତ୍ର ନେଇ ଏତେବଡ଼ ଗରିମା ରକ୍ଷା କରୁଥିଲେ ବିଜୁବାବୁ। ଦେଶର ବହୁ ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ଜୀବନକୁ ବାଜି ଲଗାଇ ବିଜୁବାବୁ ଯୁଦ୍ଧକ୍ଷେତ୍ରରେ ବି ଅବତୀର୍ଣ୍ଣ ହୋଇଛନ୍ତି। ଦୁର୍ଭିକ୍ଷ, ରାଷ୍ଟ୍ର ବିପ୍ଳବ, ରାଜଦ୍ୱାର ଏବଂ ଶ୍ମଶାନରେ ଠିଆ ହେଉଥିବା ଲୋକ ପ୍ରକୃତରେ ବନ୍ଧୁ। ବିଜୁବାବୁ ଆମ ଦେଶର ସେହିଭଳି ଜଣେ ବନ୍ଧୁ ଥିଲେ, ଯେ କି ଦେଶ ଏବଂ ଦେଶବାସୀଙ୍କ ପ୍ରତିଟି ସମୟରେ ନିଜର ସାଧ୍ୟମତେ ଠିଆ ହେବାର ଜୀବନବ୍ୟାପୀ ଚେଷ୍ଟା କରିଥିଲେ।
ଭାରତର ମୁକ୍ତି ସଂଗ୍ରାମ ଜୋରଦାର ହେବା ବେଳକୁ ନୂଆଦିଲ୍ଲୀରେ ଥିବା ବିଜୁବାବୁଙ୍କ ଘରକୁ ସ୍ବାଧୀନତା ସଂଗ୍ରାମୀମାନେ ‘ଆବଷ୍କଣ୍ଡର୍ସ ପାରାଡାଇଜ’ ବା ‘ଫେରାରମାନଙ୍କ ଅମରାବତୀ’ ବୋଲି କହୁଥିଲେ। ଏହି ସମୟରେ ବିଜୁବାବୁଙ୍କ କନ୍ୟା ଗୀତା ଜନ୍ମ ହେବାର ମାତ୍ର ତିନି ସପ୍ତାହ ପରେ ଛଅ ଜଣ ସଶସ୍ତ୍ର କନଷ୍ଟେବଳ ଏହି ‘ଫେରାରମାନଙ୍କ ଅମରାବତୀ’ ଘରେ ପହଞ୍ଚତ୍ ବିଜୁବାବୁଙ୍କୁ ଗିରଫ କରି ଜେଲ ନେଇଗଲେ। ଏହି ଗିରଫଦାରିର କାରଣ ଥିଲା ପିସ୍ତଲ। ଗୋଟିଏ ଦଶନ୍ଧି ଧରି ଚାଲିଥିବା ଗାନ୍ଧିଜୀଙ୍କ ଅହିଂସା ଆନ୍ଦୋଳନ ବ୍ରିଟିଶମାନଙ୍କୁ ଭାରତରୁ ହଟେଇ ପାରି ନ ଥିଲା। ସେଥିପାଇଁ ଉଗ୍ର ଜାତୀୟତାବାଦୀମାନେ ବ୍ରିଟିଶ ସୈନିକଙ୍କ ହାତରେ ମରିବା ଅପେକ୍ଷା ଏହାର ସାହାରା ନେଉଥିଲେ। ଏହାର କିଛିବର୍ଷ ପୂର୍ବରୁ ବିଜୁବାବୁଙ୍କ ଜଣେ ସମ୍ପର୍କୀୟ ଭାଇ, ଊଣେଇଶ ବର୍ଷର ତରୁଣ କବି ଚିଟାଗଙ୍ଗରେ ବ୍ରିଟିଶ ଅସ୍ତ୍ରାଗାର ଉପରେ ଚଢ଼ଉ କରିଥିଲେ। ମାତ୍ର ବ୍ରିିଟିଶ ପୋଲିସ ହାତରେ ଧରାପଡ଼ିବା ଅପେକ୍ଷା ମୃତ୍ୟୁ ହିଁ ଶ୍ରେୟସ୍କର ଭାବି ସେ ଗୁଳି ବର୍ଷାରେ ଜୀବନ ହାରିଥିଲେ। ଏହି ସମ୍ପର୍କୀୟ ଭାଇଙ୍କ ଆଉ ଜଣେ ଭାଇ ପୂର୍ବରୁ ଧରାପଡ଼ି କଳାପାଣି ଦଣ୍ଡ ଭୋଗ କରିଥିଲେ।
ସେଦିନ ବିଜୁବାବୁଙ୍କ ହାତରେ ହାତକଡ଼ା ପଡ଼ିଲା ପୂର୍ବରୁ ସେ ତାଙ୍କର ପତ୍ନୀ ଜ୍ଞାନ ପଟ୍ଟନାୟକଙ୍କ ନିକଟକୁ ବିଦାୟ ନେବା ଭଙ୍ଗୀରେ ଯାଇ ଘରେ ଥିବା ପିସ୍ତଲଗୁଡ଼ିକୁ କୌଣସି ପ୍ରକାରେ ବାହାରେ ଫିଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ନ ହେଲେ ବିଜୁବାବୁଙ୍କୁ କଳାପାଣି ଦଣ୍ଡ ଭୋଗିବାକୁ ପଡ଼ିଥାନ୍ତା। କଳାପାଣି- ଆଣ୍ଡାମାନ ଦ୍ୱୀପପୁଞ୍ଜର ସେହି ଭୟଙ୍କର କାରାଗାରରେ ନିର୍ଯାତନା ଅବର୍ଣ୍ଣନୀୟ।
ଉତ୍ତର ଭାରତର ସଂସ୍କୃତିରେ ବଢ଼ିଥିବା ଜ୍ଞାନଦେବୀ ନାରୀମାନଙ୍କ ଗ୍ରହଣରେ ଓ ମହିଳା ଶିକ୍ଷକଙ୍କଠାରୁ ତାଲିମ ନେଇ ନିଜ ରାଜ୍ୟ କଶ୍ମୀର ହ୍ରଦର ଚିତ୍ର ଆଙ୍କିବା, ସିତାରରେ କିଛି ରାଗରାଗିଣୀ ବଜେଇବା, ଶାସ୍ତ୍ରୀୟ ସଂସ୍କୃତି ଓ ପାର୍ସି କହିବା କାମ ଶିଖିଥିଲେ। ମାତ୍ର ଆଧୁନିକ କାଇଦା କାନୁନ୍‌ ବିଷୟରେ ଓସ୍ତାଦି ନ ଥିବା ଜ୍ଞାନଦେବୀ ପୋଲିସ ଆଖିରେ ଧୂଳି ଦେଇ ସେ ସମୟରେ ଚୋରା ପିସ୍ତଲକୁ ନେଇ ଫିଙ୍ଗିବା କାଠିକର ପାଠ ଥିଲା। ତେବେ ବିଜୁବାବୁ ଜେଲ ଯିବାପରେ ଦେଶ ଓ ଜାତି ପାଇଁ ସମର୍ପିତ, ବିଜୁବାବୁଙ୍କ ପତ୍ନୀ ଭାବେ ଜ୍ଞାନଦେବୀ ସେଦିନ ଘରେ ଥିବା ପିସ୍ତଲଗୁଡ଼ିକୁ ଏକାଠି କରି ସନବିମ୍‌ ଟାଇବଟ ଗାଡ଼ିରେ ବସିଲେ। ବୁଲିଯିବା ବାହାନାରେ ଅନେକ ଦୂରକୁ ଯାଇ ଗୋଟିଏ ତକିଆ ଖୋଳ ଭିତରେ ଭର୍ତ୍ତି କରିଥିବା ପିସ୍ତଲଗୁଡ଼ାକୁ ପକେଇ ଦେଇ ପୁଣି ଫେରିଆସିଲେ। ପରଦିନ ଜ୍ଞାନଦେବୀ ଜାଣିବାକୁ ପାଇଲେ ଯେ, ସେ ଅନ୍ଧାରରେ ଯୋଉଟିକୁ ନିଭୃତ ସ୍ଥାନ ଭାବି ପିସ୍ତଲଗୁଡ଼ିକୁ ପକାଇ ଦେଇ ଆସିଥିଲେ, ତାହା ଥିଲା ପ୍ରକୃତରେ ଚିଫ୍‌ ଇନ୍ସପେକ୍ଟର ଅଫ ପୋଲିସ ଦପ୍ତର ପାଚେରି କଡ଼। ତେବେ ଜ୍ଞାନଦେବୀ ଏହି କାମ କରିବାକୁ ଯାଇଥିବା ବେଳେ ଘରେ ଥିଲେ କେବଳ ତାଙ୍କର ନବଜାତ ଶିଶୁକନ୍ୟା ଗୀତା ଏବଂ ଦୁଇବର୍ଷର ବଡ଼ପୁଅ ପ୍ରେମ। ବିଜୁବାବୁଙ୍କ ଝିଅ ସୁଖ୍ୟାତି ଅର୍ଜନ କରିଥିବା ଲେଖିକା ଗୀତା ମେହେଟ୍ଟା ନିଜର ବହୁ ଚର୍ଚ୍ଚିତ ଇଂଲିଶ ପୁସ୍ତକ ‘ସ୍ନେକ ଆଣ୍ଡ ଲାର୍ଡସ’ (ସାପ ଏବଂ ଶିଡ଼ି) ପୁସ୍ତକରେ ଏହା ଅତ୍ୟନ୍ତ ଚମତ୍କାର ଶୈଳୀରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକରେ ସେ ଠାଏ ଠାଏ ନିଜର ମହାନ୍‌ ବାପା ଏବଂ ପରିବାରକୁ ନେଇ ଅନୁଭୂତି ପ୍ରକାଶ କରିଛନ୍ତି। ଛାତ୍ର ଅବସ୍ଥାରୁ ଦେଶ ଓ ଜାତି ପାଇଁ ସମର୍ପିତ ବିଜୁ ପଟ୍ଟନାୟକଙ୍କ ଦେଶର ମୁକ୍ତି ସଂଗ୍ରାମ ଲାଗି ଥିବା ଅବଦାନର ଏହା ଏକ ଝଲକ ମାତ୍ର।
ବିଜୁବାବୁ ଓଡ଼ିଶା ପାଇଁ କ’ଣ କରିଛନ୍ତି, ଏଥିନେଇ ବାରମ୍ବାର ଆଲୋଚନା ହୋଇଥିବାରୁ ମଁୁ ଆଦୌ ସେ ଦିଗକୁ ଯାଉନାହିଁ। କେବଳ ଏତିକି କହିବି ଯେ, ଓଡ଼ିଶାର ସେ ଥିଲେ ମୁକୁଟବିହୀନ ସମ୍ରାଟ। ତାଙ୍କର ଛବି ଏବଂ ରୂପରୁ ଲୋକେ ଓଡ଼ିଶାକୁ ଆଜି ବି ଅନୁଭବ କରନ୍ତି ଏବଂ ଓଡ଼ିଶା ଥିଲା ତାଙ୍କର ଆତ୍ମା। ପ୍ରତିଟି ଓଡ଼ିଆର ମନ ଓ ଆବେଗ ଉପରେ ତାଙ୍କର ଅସମ୍ଭବ ରାଜୁତି ଥିଲା; ଯାହା କି ଅଦ୍ୟାବଧି କୌଣସି ରାଜନେତାଙ୍କ ପକ୍ଷରେ ସମ୍ଭବ ହୋଇନାହିଁ ଏବଂ ଭବିଷ୍ୟତରେ ହେବା ନେଇ ସନ୍ଦେହ ରହିଛି। କିଏ କେତେଦିନ କ୍ଷମତାରେ ରହିଲା, ଏହାସହ ବିଜୁବାବୁଙ୍କ ବ୍ୟକ୍ତିତ୍ୱକୁ ଯୋଡ଼ାଯାଇ ନ ପାରେ। କ୍ଷମତା ରାଜନୀତିରୁ ବହୁ ଊର୍ଦ୍ଧ୍ୱକୁ ଯାଇ ବିଜୁବାବୁଙ୍କୁ ଆକଳନ କରାଯାଏ।
ଏମିତି ବି ଦେଖିଲେ, ୧୯୭୭ରେ ବିଜୁବାବୁଙ୍କ କବ୍‌ଜାରେ ମୁଖ୍ୟମନ୍ତ୍ରୀ ପଦ ଥିଲେ ବି ସେ ଜାଣିଶୁଣି ଓଡ଼ିଶାର ବିକାଶ ପାଇଁ ତାଙ୍କର କେନ୍ଦ୍ରରେ ନେତୃତ୍ୱ ଅତ୍ୟାବଶ୍ୟକ ବୋଲି ମନେକରି ସେ ସମୟରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ। ଅନେକ ଥର ଦଇବର ଦାଉ ବି ବିଜୁବାବୁଙ୍କୁ କ୍ଷମତାରୁ ଦୂରେଇ ରଖିଥିଲା। ଜବାହରଲାଲ ନେହେରୁଙ୍କ ଅତ୍ୟନ୍ତ ପ୍ରିୟଥିଲେ ବିଜୁବାବୁ। ନେହେରୁ ବିଜୁବାବୁଙ୍କ ଭିତରେ ଦେଶର ନେତୃତ୍ୱ ନେବାର ଦକ୍ଷତା ଥିଲା ବୋଲି ନେହେରୁ ଅନୁଭବ କରୁଥିଲେ। ଏପରି କି ତାଙ୍କ ପରେ ବିଜୁବାବୁ ପ୍ରଧାନମନ୍ତ୍ରୀ ହୁଅନ୍ତୁ ନେହେରୁଙ୍କ ଇଚ୍ଛା ଥିଲା ବୋଲି ଖୋଦ୍‌ ବିଜୁବାବୁ ନିଜର ସାକ୍ଷାତ୍‌କାରରେ କହିଛନ୍ତି। ବିଜୁବାବୁ ଏଥିନେଇ କହିଛନ୍ତି ଯେ, ଟଙ୍କାର ଅଭାବ ପାଇଁ ପ୍ରଧାନମନ୍ତ୍ରୀ ପଦ ମୋ ପାଇଁ ସ୍ବପ୍ନ ହୋଇଗଲା; ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ଦୌଡ଼ରେ ମଁୁ ରହିବାକୁ ଚାହିଁଲି ନାହିଁ। ତେବେ ପ୍ରଧାନମନ୍ତ୍ରୀ ନ ହୋଇ ମଁୁ କେବେ ଅନୁତପ୍ତ ହୋଇନାହିଁ। ବିଶ୍ୱନାଥ ପ୍ରତାପ ସିଂ ଏବଂ ଦେବେଗୌଡ଼ାଙ୍କୁ ପ୍ରଧାନମନ୍ତ୍ରୀ ଚୌକିରେ ବସାଇବାରେ ମୋର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେଥିପାଇଁ ସାରା ଭାରତବର୍ଷରେ ମୋତେ କୁହାଯାଏ ‘କିଙ୍ଗ୍‌ ମେକର’। ରାଜନୀତିର ବହୁ ଉତ୍‌ଥାନ ଓ ପତନ ଦେଇ ମଁୁ ଗତି କରିଛି। ଏହି ଉତ୍‌ଥାନ ପତନ ଅଭିଜ୍ଞତାରୁ ଯାହା ମଁୁ ଜାଣି ପାରିଲି ତାହା ହେଲା- ରାଜନୀତିରେ ଆଜି ଯେ ଶତ୍ରୁ କାଲି ସେ ମିତ୍ର। ଆଉ କାଲି ଯେ ମିତ୍ର ଆଜି ସେ ଶତ୍ରୁ; ଯେଉଁଥିପାଇଁ ଦିନେ ହରେକୃଷ୍ଣ ମହତାବ ମୋର ମିତ୍ର ଥିବାବେଳେ ସମୟ ଆସିଲା ସେ ମୋର ପରମ ଶତ୍ରୁ ପାଲଟି ଗଲେ। ତାଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ପଦରେ ମଁୁ ବସିଲି। ସମୟଚକ୍ରରେ ରାଜନୀତି କେଉଁ ଆଡ଼କୁ ଯିବ ତାହା କେହି କହିପାରିବେ ନାହିଁ।
ଦେଶ ତଥା ରାଜ୍ୟ ପାଇଁ ଅସରନ୍ତି ତ୍ୟାଗ କରିଥିବା ଏହି ମହାନାୟକ କିନ୍ତୁ ରାଜନୀତିରେ କେବେ ବି ନିଜ ପରିବାରରୁ କାହାକୁ ରାଜନୀତିକୁ ଆଣିବାକୁ ଚେଷ୍ଟା କରି ନ ଥିଲେ। ଏହାର କାରଣ ଥିଲା ସେ ଗଣତନ୍ତ୍ର ଉପରେ ବିଶ୍ୱାସ ରଖୁଥିଲେ। ସମଗ୍ର ଓଡ଼ିଶା ଥିଲା ତାଙ୍କର ପରିବାର। ଅନ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ, ସେ ରାଜନୀତିକୁ ନିଜର ଲାଭ ପାଇଁ ଆସି ନ ଥିଲେ। ରାଜନୀତିର ବ୍ୟବସାୟୀକରଣ କରି ନିଜର ସମ୍ପତ୍ତି ବଢାଇବା ତାଙ୍କର ଲକ୍ଷ୍ୟ ନ ଥିଲା। ବରଂ ଓଡ଼ିଶା ପାଇଁ ସ୍ବପ୍ନ ଦେଖୁ ଦେଖୁ ଏବଂ ଏହି ସ୍ବପ୍ନକୁ ସାକାର କରିବାକୁ ଯାଇ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ଏହି ନିଶାରେ ସେ ନିଜର ସମ୍ପତ୍ତି ବରଂ ହରାଇ ହରାଇ ଚାଲିଥିଲେ। ଏହି ନିଶାରେ ଥିବା ଲୋକ କେତେ କଷ୍ଟ ପାଏ, ତାକୁ ସେ ମର୍ମେ ମର୍ମେ ଅନୁଭବ କରିଥିଲେ। ସେଥିପାଇଁ ତ ସମସ୍ତଙ୍କୁ ହାତ ଖୋଲି ସାହାଯ୍ୟ ଏବଂ ଦାନ ଦେଉଥିବା ବିଜୁବାବୁ ଦିନେ ଦିନେ ରାତିରେ ରୁଟି ଗୁଡ଼ ଖାଇ ଶୋଇଥିବାର ନିଜର ଅନୁଭୂତିକୁ ବାଣ୍ଟିଛନ୍ତି। ଏ ସମ୍ପର୍କରେ ବିଜୁବାବୁ କହିଛନ୍ତି- ମଁୁ କେବେ ମୋ ପୁଅ ଝିଅଙ୍କୁ ରାଜନୀତି କରିବାକୁ ପରାମର୍ଶ ଦେଇନାହିଁ। ଏମିତି ରାଜନୀତି କଲେ କିପରି ନିଃସ୍ବ ହେବାକୁ ପଡ଼େ ତାହାକୁ ମଁୁ ଭଲ ରୂପେ ଜାଣିଛି। ରାଜନୀତି ଏମିତି ଏକ ନିଶା, ଯିଏ ଥରେ ସେଥିରେ ପାଦ ଦେଲା ଆଉ ମୁକୁଳିବା ସମ୍ଭବ ନୁହେଁ। ଲୋକେ ତା’ ପାଖକୁ ଚାଲିଆସିଲେ ସେ ସବୁ ଦୁଃଖ ଭୁଲିଯାଏ। ପରିବାର କ’ଣ ବୋଲି ସେ ଜାଣେନାହିଁ। ମୋ ମତରେ ରାଜନୈତିକ ବ୍ୟକ୍ତିମାନଙ୍କର ପରିବାର ବୋଲି କିଛି ନ ଥାଏ। ପତ୍ନୀ ଯଦି ଦାୟିତ୍ୱ ଠିକ୍‌ ଭାବେ ନ ତୁଲାଇବ ତେବେ ପିଲାମାନେ ଅମଣିଷ ହୋଇଯିବେ। ତେବେ ପରବର୍ତ୍ତୀ ଅବସ୍ଥାରେ ବିଜୁ ପୁତ୍ର ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ବିଜୁବାବୁ ନିଜ ଜୀବନରେ ନିଜ ପୁଅଙ୍କୁ ନିଜ ବଳରେ ନେତା କରିବାର ଉଦ୍ୟମ କରି ନାହାନ୍ତି। ବିଜୁବାବୁଙ୍କ ଦେଶପ୍ରେମ, ତ୍ୟାଗ, ନିଷ୍ଠା, ଓଡ଼ିଶା ପ୍ରତି ନିଜର ଆନ୍ତରିକତା, ଦୁଃସାହସିକତା ଆଜି ତାଙ୍କୁ ଏକ ଆଦର୍ଶରେ ପରିଣତ କରିଛି। ଏହି ବିଜୁ ଆଦର୍ଶକୁ ବାସ୍ତବରେ କାର୍ଯ୍ୟକାରୀ କରିବା ଆମ ସମସ୍ତଙ୍କ ପାଇଁ ଏକ ଆହ୍ବାନ ହୋଇଛି।
ଚାରବାଟିଆ, ଚଣ୍ଡିଖୋଲ, ଯାଜପୁର
ମୋ-୯୪୩୭୯୫୭୬୧୭


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?