ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି ବା ସଂକଳ୍ପ ନିଆଯାଇଥିବା ଦେଖିବାକୁ ମିଳିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ସେହିଦିନ ୪୧ ଡିଗ୍ରୀ ତାପମାତ୍ରା ହୋଇଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା। ହେଲେ ଯେଭଳି ତାତି ଅନୁଭୂତ ହୋଇଥିଲା ତାହା ୫୦ ଡିଗ୍ରୀ ସେଲସିୟସ ବୋଲି କୁହାଗଲା। ଏପରି ତାତି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଲକ୍ଷ୍ୟ କରାଯାଉଛି। ପାଣିପାଗ ଭାଷାରେ ତାହାକୁ ‘ହିଟ୍‌ ଇଣ୍ଡେକ୍ସ’ ବା ତାତି ସୂଚକାଙ୍କ ଦର୍ଶାଯାଉଛି। ବିଶେଷକରି ଏବର୍ଷ ଭାରତବର୍ଷରେ ବିପଜ୍ଜନକ ଗରମ ସ୍ଥିତି ରହିବ ବୋଲି ସତର୍କବାଣୀ ମିଳିଛି, ଯାହାକି ପ୍ରାଣିଜଗତକୁ ଅସ୍ତବ୍ୟସ୍ତ କରିଦେଲାଣି। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ଏସବୁ ଘଟୁଛି ବୋଲି କୁହାଯାଉଛି। କୌଣସି ଅଞ୍ଚଳରେ ସବୁଜ ବଳୟ ହ୍ରାସ ପାଇଲେ ସେଠାରେ ଅତ୍ୟଧିକ ଗରମ ଅନୁଭୂତ ହେବା ବିଷୟରେ ସମସ୍ତେ ଜାଣିଛନ୍ତି। ତାହା ସତ୍ତ୍ୱେ ବିକାଶ ନାମରେ ଅବିଚାରିତ ଭାବେ ଗଛକଟା ଜାରି ରହିଛି। ଭାରତର ବିଭିନ୍ନ ରାଜ୍ୟରେ ବଡ଼ ଭିତ୍ତିଭୂମି, ଜାତୀୟ ରାଜପଥ ଏବଂ ଖଣି ପ୍ରକଳ୍ପ ପାଇଁ ବହୁ ପରିମାଣରେ ଗଛ କଟାଯାଉଥିବାରୁ ଜନସାଧାରଣଙ୍କ ଆନ୍ଦୋଳନ ଓ ଆଇନଗତ ଲଢ଼େଇ ବଢ଼ିବାରେ ଲାଗିଛି। କେତେକ ଦୃଷ୍ଟାନ୍ତ ଅବତାରଣା କରାଯାଇପାରେ।
ନିକଟରେ ଓଡ଼ିଶାର ରାୟଗଡ଼ା ଜିଲା ସିଜିମାଳିରେ ବ୍ୟାପକ ବୃକ୍ଷ ଛେଦନ ହେବାରୁ ଆଦିବାସୀମାନେ ତାହାର ପ୍ରତିବାଦ କିଭଳି ଭାବେ କଲେ ତାହା ସମସ୍ତେ ଦେଖିଥିବେ। ସେହିପରି ପଡ଼ୋଶୀ ତେଲଙ୍ଗାନାର ହାଇଦ୍ରାବାଦରେ ମଲ୍ଟି-ଲେଭଲ ‘ଏଚ୍‌-ସିଟି’ ଫ୍ଲାଏଓଭର ପ୍ରକଳ୍ପ ପାଇଁ ରାସ୍ତା ପ୍ରସ୍ତୁତ କରିବାକୁ କାସୁ ବ୍ରହ୍ମାନନ୍ଦ ରେଡ୍ଡୀ (କେ.ବି.ଆର.) ଜାତୀୟ ଉଦ୍ୟାନ ଆଖପାଖରେ ୧,୫୦୦ରୁ ଅଧିକ ଗଛ କଟାଯାଇଥିବା ଖବର ମିଳିଛି। ହାଇଦ୍ରାବାଦର ସବୁଜ ଫୁସ୍‌ଫୁସ୍‌ କୁହାଯାଉଥିବା ଏହି ଅଞ୍ଚଳ ପାଇଁ ନାଗରିକ, ପରିବେଶ ସଙ୍ଗଠନ ଏବଂ ସ୍ଥାନୀୟ ସେଲିବ୍ରିଟିମାନେ ନିକଟରେ ମାନବ ଶୃଙ୍ଖଳ କରିଥିଲେ। ସେଠାରେ କ୍ୟାଣ୍ଡେଲ ଲାଇଟ୍‌ ଶୋଭାଯାତ୍ରା କରାଯିବା ସହ କଟାଯାଇଥିବା ଗଛଗୁଡ଼ିକର ପ୍ରତୀକାତ୍ମକ ଶେଷକୃତ୍ୟ ମଧ୍ୟ କରିଛନ୍ତି। ସାମାଜିକ କର୍ମୀମାନେ ନିକଟରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯାହା ପରେ କୋର୍ଟ ଉଦ୍ୟାନର ସମ୍ବେଦନଶୀଳ ଅଞ୍ଚଳ ଭିତରେ ଗଛ କାଟିବା ଉପରେ ରହିତାଦେଶ ଜାରି କରିଛନ୍ତି। ଅନୁରୂପ ଭାବେ ହିମାଳୟର ପାଦଦେଶ ଉତ୍ତରାଖଣ୍ଡର ଡେରାଡୁନ ଓ ମସୌରୀର ବିକାଶ ନାଁରେ ରାଜ୍ୟରେ ଅନେକ ହଜାର ପୁରୁଣା ଗଛ କଟାଯାଉଛି, ଯେଉଁଥିରେ ଡେରାଡୁନ-ଋଷିକେଶ ରାସ୍ତା ପ୍ରଶସ୍ତୀକରଣ ପାଇଁ ୪,୪୦୦ ଏବଂ କିମାଡି-ମସୌରୀ ରାସ୍ତା ପ୍ରକଳ୍ପ ପାଇଁ ୭୦୦ ରୁ ଅଧିକ ବହୁ ପୁରୁଣା ଗଛ ଅନ୍ତର୍ଭୁକ୍ତ। ପରିବେଶ ସଙ୍ଗଠନଗୁଡ଼ିକର କହିବା ଅନୁଯାୟୀ, ଏହି ଅଞ୍ଚଳରେ ୧୮,୦୦୦ରୁ ଅଧିକ ଗଛ ବଳି ପଡ଼ିସାରିଲାଣି। ଏଠାରେ ମନେପଡ଼େ ଉତ୍ତରାଖଣ୍ଡରୁ ଆରମ୍ଭ ହୋଇଥିବା ଐତିହାସିକ ‘ଚିପ୍‌କୋ ଆନ୍ଦୋଳନ’ କଥା। ସେହି ଭାବନାକୁ ଜାଗ୍ରତ କରି ସ୍ଥାନୀୟ ଅଧିବାସୀମାନେ କଟାହୋଇ ପଡ଼ିରହିଥିବା ଗଛର ଡାଳ ଧରି ମୌନ ପ୍ରତିବାଦର ଆୟୋଜନ କରିଛନ୍ତି। ମହାରାଷ୍ଟ୍ରର ନାସିକ ଏବଂ ପୁଣେରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ନାସିକରେ ୨୦୨୭ କୁମ୍ଭମେଳା ପୂର୍ବରୁ ରାସ୍ତା ପ୍ରଶସ୍ତ କରିବା ପାଇଁ ଗଙ୍ଗାପୁର ରୋଡ୍‌ ଏବଂ ଅନ୍ୟାନ୍ୟ ସ୍ଥାନରେ ପ୍ରାୟ ୫,୦୦୦ରୁ ୬,୦୦୦ ଗଛ କାଟିବାକୁ ଚିହ୍ନଟ କରାଯାଇଛି। ପୁଣେରେ ଗଣେଶଖିଣ୍ଡ ରାସ୍ତା ସମ୍ପ୍ରସାରଣ ପାଇଁ ୫୦୦ରୁ ଅଧିକ ଦେଶୀ ସ୍ଥାନୀୟ ଗଛ କାଟିବା ପାଇଁ ଚିହ୍ନଟ ହୋଇଛି। ନାସିକରେ ପୋଲିସ ଦ୍ୱାରା ଅଟକ ହେବା ପୂର୍ବରୁ ନାଗରିକମାନେ ଗଛ କଟାକୁ ରୋକିବା ପାଇଁ ପୁରୁଣା ବର ଏବଂ ଅଶ୍ୱତ୍ଥ ଗଛ ଉପରକୁ ଚଢ଼ିଯାଇଥିବା ଦେଖିବା ମିଳିଥିଲା । ସେହିପରି ବମ୍ବେରେ ଭରସୋଭା-ଭାୟାନ୍ଦର କୋଷ୍ଟାଲ ଜୋନ୍‌ ପ୍ରୋଜେକ୍ଟ ପାଇଁ ୪୫,୦୦୦ ହେନ୍ତାଳ କଟାଯିବାକୁ ନେଇ ପ୍ରତିବାଦ ଜାରି ରହିଛି। ବନ୍ୟା ରୋକିବାରେ ପ୍ରାକୃତିକ ସୁରକ୍ଷା ପାଚେରି ଭାବେ ଦଣ୍ଡାୟମାନ ଏହି ଗଛଗୁଡ଼ିକ ବିଶେଷ ସହାୟକ ହୋଇଥାଏ। ଏଗୁଡ଼ିକ କଟା ହେଲେ ସେହି ଅଞ୍ଚଳ ଅସୁରକ୍ଷିତ ହୋଇପଡ଼ିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକଟ କରୁଛନ୍ତି। ଅନୁରୂପ ଭାବେ ଗୋଆ ଟାଉନ୍‌ ଆଣ୍ଡ୍‌ କଣ୍ଟ୍ରି ପ୍ଲାନିଂ (ଟିସିପି) ଆକ୍ଟର ୨୦୨୪ ସଂଶୋଧନ ଯୋଗୁ ସେକ୍ସନ ‘୩୯ଏ’କୁ ବର୍ତ୍ତମାନ ସେହି ରାଜ୍ୟରେ ବ୍ୟାପକ ବିରୋଧ କରାଯାଉଛି। ଗୋଆରେ ନିର୍ମାଣ କାର୍ଯ୍ୟକୁ ବଢ଼ାଇବା ଲାଗି ଜଙ୍ଗଲ ଓ କୃଷିଜମିଗୁଡ଼ିକର ବହୁମାତ୍ରାରେ କିସମ ବଦଳାଇ ଦିଆଯାଉଥିବାରୁ ପରିବେଶ ଘୋର କ୍ଷତି ହେବା ଆଶଙ୍କା ନେଇ ବିକ୍ଷୋଭ ଓ ଆନ୍ଦୋଳନ ଲାଗିରହିଛି। ରାଜସ୍ଥାନ ଥର ମରୁଭୂମିରେ ବ୍ୟାପକ ବାଣିଜି୍ୟକ ସୌର ଶକ୍ତି ପାର୍କ ନିର୍ମାଣ ପାଇଁ ପବିତ୍ର କୁହାଯାଉଥିବା ଖେଜ୍ରି ଗଛଗୁଡ଼ିକୁ ବଡ଼ ଆକାରରେ କଟାଯାଉଥିବାରୁ ଏହା ବିରୋଧରେ ସ୍ଥାନୀୟ ଲୋକ ଏବଂ ପରିବେଶ କର୍ମୀମାନେ ଜୋରଦାର ବିରୋଧ ପ୍ରଦର୍ଶନ କରୁଛନ୍ତି। ଗ୍ରେଟ୍‌ ନିକୋବର ଦ୍ୱୀପଠାରେ ହେବାକୁ ଥିବା ମେଗା ଟ୍ରାନ୍ସସିପ୍‌ମେଣ୍ଟ ବନ୍ଦର ପ୍ରକଳ୍ପକୁ ବିରୋଧ କରି ସାରା ଦେଶରେ ବ୍ୟାପକ ଜନଅସନ୍ତୋଷ ଏବଂ ରାଜନୈତିକ ଭିଡ଼ାଓଟରା ଚାଲିଛି। ପରିବେଶବିତ୍‌ କହିଛନ୍ତି ଯେ, ଏହି ପ୍ରକଳ୍ପ ଯୋଗୁ ଦ୍ୱୀପର ପ୍ରାୟ ୧୦ ଲକ୍ଷ ପ୍ରାକୃତିକ ଓ ପୁରାତନ ଗଛ ନଷ୍ଟ ହୋଇଯିବ। ଏଥିସହିତ ଆରାବଳିର ସଙ୍କଟ ବିଷୟରେ ଅନେକ ଆଲୋଚନା ଜାରି ରହିଛି। ଆରାବଳି ପ୍ରାୟ ଦୁଇ ଶହ କୋଟି ବର୍ଷର ପ୍ରାକୃତିକ ପାହାଡ଼ ପର୍ବତ ଘେରା ଅଞ୍ଚଳ। ଖଣି ଓ ପଥର ଖନନ ସହ ନିର୍ମାଣ କାର୍ଯ୍ୟକୁ ସୁରୁଖୁରୁରେ କରିବା ଲାଗି ତାହାର ସଂଜ୍ଞା ବଦଳାଇ ଦିଆଯାଇଥିଲା। ବ୍ୟାପକ ପ୍ରତିବାଦ ଓ ଆଇନଗତ ନିର୍ଦ୍ଦେଶକୁ ନେଇ ବହୁ ପ୍ରତିବାଦ ହେଉଛି।
ଦେଶବ୍ୟାପୀ ଜନସାଧାରଣ ପରିବେଶ ସୁରକ୍ଷାକୁ ନେଇ ସ୍ବର ଉତ୍ତୋଳନ କରିବା ସହ ବିଭିନ୍ନ ଶୈଳୀରେ ପ୍ରତିବାଦ ଜାରି ରଖିଛନ୍ତି। ତଥାପି ଜନଅସନ୍ତୋଷକୁ ବେଖାତିର କରି କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ତଥାକଥିତ ବିକାଶ ଓ ଶିଳ୍ପ ପ୍ରତିଷ୍ଠା ନାଁରେ ଜଙ୍ଗଲ ଓ ପରିବେଶକୁ ନଷ୍ଟ କରିବା ଦିଗରେ ଦ୍ରୁତଗତିରେ ମାଡ଼ି ଚାଲିଛନ୍ତି। ତାହାର ଭୟଙ୍କର ପରିଣାମ ଯାହା ଏବେ ସମସ୍ତେ ଅନୁଭବ କରୁଛନ୍ତି ତାହା ହେଲା ଅସହ୍ୟ ଗୀଷ୍ମପ୍ରବାହ, ବୃଦ୍ଧି ପାଉଥିବା ପ୍ରଦୂଷଣ ଏବଂ ବିଭିନ୍ନ ସ୍ଥାନରେ ଜଳର ଘୋର ଅଭାବ। ନୀତି ନିର୍ଦ୍ଧାରକମାନେ ବୁଝିଯିବା ଦରକାର ଯେ, ଜନସାଧାରଣଙ୍କ ଏ ଦିଗରେ ସଚେତନତା ବଢ଼ିଲାଣି। ପରିସ୍ଥିତିର ଗମ୍ଭୀରତାକୁ ବୁଝି ସରକାର ସବୁ ନୀତିରେ ପରିବେଶ ଚିନ୍ତାକୁ ମୂଳରେ ରଖିବାର ସମୟ ଆସିଲାଣି। ନଚେତ୍‌ ବିକାଶ କଥା ଚିନ୍ତା କଲା ବେଳକୁ ଭବିଷ୍ୟତ ଧୂଳିସାତ୍‌ ହୋଇଯାଇଥିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ହଷ୍ଟେଲ ଛାଡ଼ିଥିଲେ ଶତାଧିକ ଛାତ୍ର: ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବନ ପରେ ଏବେ କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଝରିଗାଁ,୧୧ା୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ଖାଦ୍ୟ ଯୋଗୁ…

ପାର୍ବଣ ଋତୁରେ ସାବଧାନ! ଗୋଟିଏ ଭୁଲ୍‌ କ୍ଲିକ୍‌ ଖାଲି କରିଦେବ ପୂରା ଆକାଉଣ୍ଟ

ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ଡିଜିଟାଲ ଯୁଗରେ ବଢ଼ୁଥିବା ସାଇବର ଠକେଇକୁ ରୋକିବା ପାଇଁ ଖୋର୍ଦ୍ଧା ପୋଲିସ ଏବଂ ଏସ୍‌ପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ଜନସାଧାରଣଙ୍କୁ ସଚେତନ କରିଛନ୍ତି।…

ରାଷ୍ଟ୍ରପତି ପଦକ ପାଇବେ ଏହି ଫାଣ୍ଡି ଅଧିକାରୀ, କର୍ତ୍ତବ୍ୟନିଷ୍ଠା ପାଇଁ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ…

ଦିଗପହଣ୍ଡି,୧୧ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଅତିଥି ଚରଣ ନାୟକ ତାଙ୍କର ଉଲ୍ଲେଖନୀୟ ପୋଲିସ ସେବାର ସ୍ବୀକୃତି…

ସ୍ତ୍ରୀଙ୍କୁ ଖୋଜି ବୁଲୁଛନ୍ତି ଖବରଦାତା: ଚଳନ୍ତା ଟ୍ରେନ୍‌ରୁ କୁଆଡ଼େ ଉଭାନ୍‌

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗରର ଯୁବ ଖବରଦାତା ଦୁଷ୍ମନ୍ତ ପ୍ରଧାନଙ୍କ ସ୍ତ୍ରୀ ସାଗରିକା ପ୍ରଧାନ ଏବଂ ମା’ ଗୁରୁବାର ନାଗାଲାଣ୍ଡର ଦିମାପୂର୍‌ ଅଭିମୁଖେ ଟ୍ରେନରେ ଯାଇଥିଲେ। ବାଟରେ…

ସମିତି ସଭ୍ୟଙ୍କୁ ଗୁଳିମାରି ହତ୍ୟା: ବଢୁଛି ସନ୍ଦେହ, କାର୍‌ ଭିତରେ ଥିବା ସମୟରେ…

ଡୁଙ୍ଗୁରିପାଲି,୧୧।୯:ସୁବର୍ଣ୍ଣପୁର ଓ ବରଗଡ଼ ଜିଲା ସୀମାବର୍ତ୍ତୀ କେବାଡ଼ ଜିରୋ ଆଡି କେନାଲ ନିକଟରେ ଆଗଲପୁର ପଞ୍ଚାୟତ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକ (୪୦)ଙ୍କୁ ଗୁଳିମାରି ହତ୍ୟା କରାଯାଇଛି।…

ମାଲିକ ଭଳି ବ୍ୟବହାର କରୁଛନ୍ତି ରାହୁଲ ଦ୍ରାବିଡ଼…ଲଗାତର ୫ ମ୍ୟାଚ୍‌ ହାରିବା ପରେ କୋଚ ଦେଲେ ବଡ଼ ବୟାନ୍‌

ନୂଆଦିଲ୍ଲୀ,୧୧।୯: ୟୁରୋପିଆନ ଟି-୨୦ ପ୍ରିମିୟର ଲିଗ (ETPL) ରେ ରାହୁଲ ଦ୍ରାବିଡ଼ଙ୍କ ଦଳ ‘ଡବ୍ଲିନ ଗାର୍ଡିଆନ୍ସ’ର ଆରମ୍ଭ ଭଲ ହୋଇ ନ ଥିଲା। ଯଦିଓ ଗତ ବୁଧବାର…

ଶାଗୁଆନ କାଠ ଗାଡ଼ି ଛାଡ଼ି ମାଫିଆ ଫେରାର, ପାଟ୍ରୋଲିଂ ସମୟରେ ବନ କର୍ମଚାରୀ ଅଟକାଇବାରୁ…

ମୋହନା,୧୧ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ବନାଞ୍ଚଳରେ ବନ ବିଭାଗକୁ ବଡ଼ ସଫଳତା ମିଳିଛି। ଏକ ପିକଅପ୍‌ ଗାଡ଼ିରୁ ୪୨ ଖଣ୍ଡ ଚୋରା ଶାଗୁଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?