ନିଃସ୍ଵ ମଣିଷ

କେହି ଜଣେ ବ୍ୟକ୍ତି ବିଦ୍ୱାନ ଚାଣକ୍ୟଙ୍କୁ ପ୍ରଶ୍ନ କଲେ ମହାଭାଗ! ବିଷ କ’ଣ? ଚାଣକ୍ୟ ଚମତ୍କାର ଉତ୍ତରଟିଏ ଦେଲେ। ”ଆବଶ୍ୟକତାଠାରୁ ଅଧିକ ମିଳିଥିବା ପ୍ରତ୍ୟେକ ଜିନିଷ ବିଷ । ଏହା କ୍ଷମତା, ଧନ, କ୍ଷୁଧା, ସ୍ବାଭିମାନ, ଲୋଭ, ଆଳସ୍ୟ, ପ୍ରେମ, ଘୃଣା ବା ଅନ୍ୟ କିଛି ବି ହୋଇପାରେ।“ ମହାନ୍‌ ଦାର୍ଶନିକ ପ୍ଲାଟୋ ମଧ୍ୟ ଏକଦା କହିଥିଲେ-“The greatest wealth is to live content with little.” ଅର୍ଥାତ୍‌ ଅଳ୍ପରେ ସନ୍ତୁଷ୍ଟ ରହିବା ହେଉଛି ସର୍ବଶ୍ରେଷ୍ଠ ସମ୍ପତ୍ତି। କିନ୍ତୁ ମଣିଷ ଜାତିର ଚରମ ଦୁର୍ଭାଗ୍ୟ ହେଉଛି ଏହା ଯେ, ମଣିଷ ଚିରକାଳ ଏହି ବିଷ ପଛରେ ହିଁ ଧାଇଁଛି।
କ୍ଷୁଦ୍ର ମାସିଡୋନିଆ ରାଜ୍ୟର ରାଜା ଆଲେକ୍‌ଜାଣ୍ଡାର। ରାଜ୍ୟ ପରେ ରାଜ୍ୟ ଜୟ କରି ଚାଲିଛନ୍ତି। ତଥାପି ରାଜ୍ୟ ଜୟର ପିପାସା ମେଣ୍ଟୁନି। ଶେଷରେ ସ୍ବର୍ଣ୍ଣପ୍ରସୂ ଭାରତବର୍ଷ ଆକ୍ରମଣ କରିବାକୁ ବାହାରିଛନ୍ତି। ସାଥିରେ ଅଛନ୍ତି ସୈନ୍ୟସାମନ୍ତଙ୍କ ବିଶାଳ ପଟୁଆର। କୋଳାହଳରେ ଫାଟିପଡୁଛି ଏଥେନ୍ସ ନଗରୀର ରାଜରାସ୍ତା। ନଗରୀର ଉପାନ୍ତରେ ଏକ ଭଙ୍ଗା କୁଡ଼ିଆରେ ରହୁଥାନ୍ତି ଦାର୍ଶନିକ ଦାଓଜିନସ୍‌ ଓ କୁକୁରଟିଏ। ନ ଜାଣିଥିବା ଲୋକେ ତାଙ୍କୁ ଭିକାରି ବୋଲି ଭାବନ୍ତି। କୁଡ଼ିଆରେ ଶୋଇଥିଲେ ଦାଓଜିନସ୍‌। କୋଳାହଳ ଶୁଣି ନିଦ ଭାଙ୍ଗିଗଲା। ସେ ମୁଣ୍ଡ ଉଠେଇ ଦେଖନ୍ତି ତ ଆଲେକ୍‌ଜାଣ୍ଡାରଙ୍କ ବିଶାଳ ସେନା ଚାଲିଛନ୍ତି। ସେ ହଠାତ୍‌ ଉଠିପଡ଼ି ସୈନିକମାନଙ୍କ ଆଡ଼କୁ ଧାଇଁଲେ ଏବଂ ଉଚ୍ଚ କଣ୍ଠରେ ଚତ୍କାର କଲେ- ରହିଯାଅ, ସମ୍ରାଟ୍‌ ଆଲେକ୍‌ଜାଣ୍ଡାରଙ୍କୁ ମୋର କିଛି ଦେବାର ଅଛି। ଏହା କହି ସେ ଆଲେକ୍‌ଜାଣ୍ଡାରଙ୍କ ନିକଟକୁ ଯାଇ ତାଙ୍କ ହାତରେ ମୁଦ୍ରାଟିଏ ଧରାଇଦେଲେ। ବିସ୍ମିତ ହୋଇ ଆଲେକ୍‌ଜାଣ୍ଡାର ପଚାରିଲେ- ଏହା କ’ଣ ? ଦାଓଜିନସ୍‌ କହିଲେ- କିଛିଦିନ ତଳେ ଜଣେ ଧନିକ ବ୍ୟକ୍ତି ମୋତେ ଭିକାରି ଭାବି ଏ ମୁଦ୍ରାଟିକୁ ମୋ କୁଡ଼ିଆ ଭିତରକୁ ଫୋପାଡ଼ି ଦେଇଥିଲେ। ମୁଁ ସେହିଦିନ ଭାବିଥିଲି, ମୋଠାରୁ ଆଉ ଜଣେ ବଡ଼ ଭିକାରି ଦେଖିଲେ ମୁଁ ତାଙ୍କୁ ଏହି ମୁଦ୍ରାଟି ଉପହାର ଦେବି। ଆଜି ତୁମକୁ ପାଇଗଲି, ତେଣୁ ତୁମ ହାତରେ ଏ ମୁଦ୍ରାଟି ଧରାଇଦେଲି। ଆଲେକ୍‌ଜାଣ୍ଡାର ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇ କହିଲେ- ଜାଣିଛ ତ ମୁଁ ବିଶ୍ୱବିଜୟୀ ଗ୍ରୀକ୍‌ବୀର ଆଲେକ୍‌ଜାଣ୍ଡାର। ପୃଥିବୀର ସମସ୍ତ ଐଶ୍ୱଯ୍ୟ ଓ ପ୍ରାଚୁର୍ଯ୍ୟ ମୋର ପଦାନତ। ଏହା ସତ୍ତ୍ୱେ ମୋତେ ଭିକାରି ବୋଲି କହିବାର ଧୃଷ୍ଟତା ପାଇଁ ମୁଁ ତୁମର ଶିରଚ୍ଛେଦ କରିପାରେ। ଅବିଚଳିତ ଦାଓଜିନସ୍‌ ଅଳ୍ପ ହସି କହିଲେ-”ମୋର କିଛି ନାହିଁ, ତେଣୁ ମୁଁ ଭିକାରି ହେବାକୁ ବାଧ୍ୟ। ତୁମର ଏତେସବୁ ଥିବା ସତ୍ତ୍ୱେ ଆହୁରି ପାଇବା ପାଇଁ ତୁମର ଏ ଯେଉଁ ଭୋକ, ତାହା କ’ଣ ପାଇଁ? ତୁମେ ମୋ’ଠାରୁ ବଡ଼ ଭିକାରି ନୁହଁ କି? ଶୁଣ ସମ୍ରାଟ! ଯିଏ ଚାହୁଁଥିବ କୋଟିଏ କିନ୍ତୁ ପାଇଥିବ ଗୋଟିଏ, ସେ ଏ ସଂସାରର ସବୁଠାରୁ ବଡ଼ ଦରିଦ୍ର। ଯିଏ ଜୀବନରେ କିଛି ଚାହିଁ ନାହିଁ, କିଛି ପାଇ ବି ନାହିଁ, ସିଏ ଧନୀ ନ ହୋଇପାରେ, କିନ୍ତୁ ତୁମ ଭଳି ଦରିଦ୍ର ନୁହେଁ। ଆବଶ୍ୟକତାଠାରୁ ଅଧିକ ଅର୍ଥ, କ୍ଷମତା ଓ ପ୍ରତିପତ୍ତିର ପିପାସା ହିଁ ପ୍ରକୃତ ଦାରିଦ୍ର୍ୟ। ଯାହାର ତୃଷ୍ଣା ବା ଅଭିଳାଷ ଯେତେ ଅଧିକ, ସେ ସେତେ ଅଧିକ ଦରିଦ୍ର। ଯାହାର ମନ ସନ୍ତୁଷ୍ଟ ଓ ତୃପ୍ତ, ତା’ ପାଇଁ ଧନୀଦରିଦ୍ର କି ଫରକ? ଏଥର କୁହ, ତୁମେ ଭିକାରି ନା ମୁଁ ଭିକାରି?
ବାସ୍ତବରେ ଏ ସଂସାରରେ ଭିକାରି କିଏ? ଭିକାରି ସିଏ ନୁହେଁ ଯିଏ ଅନ୍ୟ ଆଗରେ ହାତ ପତେଇ ଭିକ ମାଗେ, ପ୍ରକୃତ ଭିକାରି ତ ସିଏ ଯାହା ପାଖରେ ସବୁ ଥାଇ ମଧ୍ୟ ସେ ଆହୁରି ଚାହୁଁଥାଏ। ପାଠକେ! ଏଭଳି ଏକ ପ୍ରସଙ୍ଗ ଏଠି ଅବତାରଣା କରିବାର ଉଦ୍ଦେଶ୍ୟ ହେଉଛି ଏହା ଯେ, ବିଶ୍ୱ ଅଭିଯାନରେ ବାହାରିଥିବା ସମ୍ରାଟ ଆଲେକ୍‌ଜାଣ୍ଡାର ନିଜ ଦେଶକୁ ମଧ୍ୟ ଫେରିପାରିଲେ ନାହିଁ। ଭାରତ ଅଭିଯାନ ସାରି ଫେରିବା ବାଟରେ ବେବିଲୋନ ନଗରୀରେ ମାତ୍ର ୩୩ବର୍ଷ ବୟସରେ ସେ ପ୍ରାଣତ୍ୟାଗ କଲେ। ରାଜଧାନୀ ଏଥେନ୍ସ ଥିଲା ତଥାପି ଚବିଶ ଘଣ୍ଟାର ଦୂର। ସବୁଠାରୁ ଉଲ୍ଲେଖଯୋଗ୍ୟ ଉପଲବ୍ଧତ୍ ଏହା ଯେ ମୃତ୍ୟୁ ପୂର୍ବରୁ ଆଲେକ୍‌ଜାଣ୍ଡାର ତାଙ୍କର ଅଙ୍ଗରକ୍ଷୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ- ”ମୋ ଶବାଧାରକୁ ସମାଧିସ୍ଥଳକୁ ନେବାବେଳେ ମୋ ହାତଯୋଡ଼ିକୁ ଦୁଇପଟକୁ ଝୁଲାଇ ଦେଇଥିବ, ଯେମିତି ସମଗ୍ର ବିଶ୍ୱବାସୀ ଦେଖିବେ ଆଲେକ୍‌ଜାଣ୍ଡାର ଶୂନ୍ୟହସ୍ତ ହୋଇ ଆସିଥିଲା ଆଉ ମୃତ୍ୟୁ ପରେ ମଧ୍ୟ ଏ ପୃଥିବୀରୁ ଶୂନ୍ୟହସ୍ତ ହୋଇ ଫେରିଯାଉଛି। ଅଜସ୍ର ସମ୍ପତ୍ତି ଅର୍ଜିଥିବା ଆଲେକ୍‌ଜାଣ୍ଡାର ପାଇଁ ହୀରାନୀଳା ମୋତିମାଣିକ୍ୟ ସବୁ ଗୋଡ଼ି ମାଟି ପରି ମୂଲ୍ୟହୀନ। ସେସବୁ ତା’ର ଜୀବନରକ୍ଷା ପାଇଁ ସାମାନ୍ୟମାତ୍ର ସାହାଯ୍ୟ କରିପାରିଲେ ନାହିଁ କି କାଣି କଉଡ଼ିଟିଏ ମଧ୍ୟ ତା’ ସହ ଗଲେ ନାହିଁ।“
ଏ ଘଟଣା ଘଟିବାର ବହୁବର୍ଷ ବିତିଗଲାଣି, ତଥାପି ଅନେକ ମଣିଷ ଏବେ ବି ନୀତିନୈତିକତା, ମୂଲ୍ୟବୋଧ ଓ ମଣିଷପଣିଆକୁ ଜଳାଞ୍ଜଳି ଦେଇ ସାରାଜୀବନ ଧନସମ୍ପତ୍ତି ଗୋଟେଇବାରେ ଲାଗିଛନ୍ତି। ବଡ଼ ବିଚିତ୍ର ଏ ମଣିଷର ପ୍ରକୃତି। ଘରଦ୍ୱାର, କୋଠାବାଡ଼ି, ଅଭ୍ରକଂସ ଅଟ୍ଟାଳିକା ପଛରେ ଧାଇଁ ଧାଇଁ ଜୀବନର ଅମୂଲ୍ୟ ସମ୍ପଦ ‘ସ୍ବାସ୍ଥ୍ୟ’କୁ ହଜେଇ ଦିଅନ୍ତି। ପୁଣି ସେହି ସ୍ବାସ୍ଥ୍ୟକୁ ଫେରି ପାଇବା ପାଇଁ ଡାକ୍ତର ଦୁଆରେ ଯାଇ ଭିକମାଗନ୍ତି। ଏଠି ଆସେ ଯେତେ, ଯାଏ ସେତେ। ଅଥଚ ନିର୍ବୋଧମଣିଷ ଏକ ଅସରନ୍ତି ଶୋଷ ପଛରେ ଧାଇଁଥାଏ। ଇଏ କେଉଁ ପ୍ରକାର ଗଣିତ ? ରାତି ସରିଯାଏ ପଛେ ସ୍ବପ୍ନ ସରେନା। ବାଟ ସରିଯାଏ ସିନା ହାଟ ସରେନା। ଏଠି ଜୀବନର ଅନ୍ୟନାମ ‘ବସ୍ତୁପ୍ରୀତି ବା ‘ବସ୍ତୁରତି’। ଏକବିଂଶ ଶତାବ୍ଦୀର ମଣିଷ ଏବେ ଗୋଟିଏ ବସ୍ତୁରେ ପରିଣତ ହୋଇଯାଇଛି। ସେଇଥିପାଇଁ ସମସ୍ତ ଭୌତିକ ବିକାଶ ସତ୍ତ୍ୱେ ମଣିଷ ଆଜି ଖୁବ୍‌ ନିଃସ୍ବ, ଖୁବ୍‌ ନିଃସଙ୍ଗ। ପାଖରେ ଜୀବନ ବିତାଇବା ପାଇଁ ସକଳ ସୁଖ-ସାଧନ ଅଛି, ମାତ୍ର ଶାନ୍ତି ସୁଦୂର ପରାହତ। ଚାରିପାଖରେ ପର୍ଯ୍ୟାପ୍ତ ଭୋଜନ ସାମଗ୍ରୀ ଅଛି, କିନ୍ତୁ ପେଟରେ ଭୋକ ନାହିଁ। ବିଳାସମୟ ପ୍ରାସାଦ ଅଛି, କିନ୍ତୁ ସୁନିଦ୍ରା ନାହିଁ। ପରିପୂର୍ଣ୍ଣ ପରିବାର ଅଛି, କିନ୍ତୁ ପ୍ରସନ୍ନତା ନାହିଁ। ଫେସ୍‌ବୁକ୍‌ରେ ଅସଂଖ୍ୟ ବନ୍ଧୁ, ଦୁଃଖ ଶୁଣିବାକୁ ଜଣେ ବି ନାହିଁ। ସୁଖ ମରୀଚିକା ପଛରେ ଧାଇଁ ଧାଇଁ ମଣିଷ ଆଜି ଖୁବ୍‌ ଦୁଃଖୀ। ସକାଳୁ ସଞ୍ଜଯାଏଁ ଟଲ୍‌ଷ୍ଟୟଙ୍କ ଗଳ୍ପର ନାୟକ ‘ପାହୋମ୍‌’ ଭଳି ଗଳଦଘର୍ମ ହୋଇ ଖାଲି ଧାଇଁଛି ଆଉ ଧାଇଁଛି। ଏମିତି ଧଁା-ଦଉଡ଼ର ଅର୍ଥ କ’ଣ ଜୀବନ?
କିଏ ଜଣେ କହିଥିଲେ- ”ମନ୍ଦିର ଏକ ଅଦ୍ଭୁତ ସ୍ଥାନ, ଯେଉଁଠି ଗରିବ ବାହାରେ ଭିକମାଗେ ଆଉ ଧନୀ ଭିତରେ ଭିକମାଗେ। ପ୍ରକାରାନ୍ତରେ ଏଠି ସମସ୍ତେ ଭିକାରି।“ କେଉଁଦିନ ଏ ନିଃସ୍ବମଣିଷ ବୁଝିବ ଯେ, ଟଙ୍କା ‘ଘର’ କିଣିପାରେ ହେଲେ ‘ପରିବାର’ ନୁହେଁ, ଟଙ୍କା ‘ଦାମିକା ଘଣ୍ଟା’ କିଣିପାରେ ହେଲେ ‘ସମୟ’ ନୁହେଁ, ଟଙ୍କା ‘ତୂଳିତଳ୍ପ ଶଯ୍ୟା’ କିଣିପାରେ ହେଲେ ‘ସୁନିଦ୍ରା’ ନୁହେଁ, ଟଙ୍କା ‘ବହି’ କିଣିପାରେ ହେଲେ ‘ଜ୍ଞାନ’ ନୁହେଁ, ଟଙ୍କା ‘ବନ୍ଧୁ’ କିଣିପାରେ ହେଲେ ‘ବନ୍ଧୁତା’ ନୁହେଁ। ଦୁନିଆରେ କେବଳ ଭାଗ୍ୟବାନ ସେହି – ଯାହା ପାଖରେ ‘ଭୋଜନ’ ସହିତ ‘ଭୋକ’ ଅଛି। ‘ଶଯ୍ୟା’ ସହିତ ‘ନିଦ୍ରା’ ଅଛି। ଆଉ ‘ଧନ’ ସହିତ ‘ଧର୍ମ’ ବି ଅଛି। ସମୁଦ୍ରକୂଳରେ କ’ଣ ଶାମୁକାର ଅଭାବ ଥାଏ ନା’ ପୃଥିବୀ ପୃଷ୍ଠରେ ମଣିଷର? ବାସ୍‌ ଫରକ କେବଳ ଏତିକି ଯେ କିଛି ଶାମୁକା ଭିତରେ ମୋତି ଥାଏ, ଆଉ କିଛି ମଣିଷଙ୍କ ପାଖରେ ହୃଦୟ। ବାକିସବୁ ମଣିଷ ସେଇ ମିଛ ଖୋଳପାଧାରୀ ଶାମୁକା ସଦୃଶ। ନିର୍ଣ୍ଣୟ ଆପଣଙ୍କର। ଆପଣ ହୃଦୟବାନ ମଣିଷଟିଏ ହେବେ ନା ଶୂନ୍ୟ ଶାମୁକାଟି ହେବେ। କିନ୍ତୁ ଏ କଥା ସତ୍ୟ ଯେ ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖେରେ ବେଶି ହେବ। ତାହା ଧନ ହେଉ କିମ୍ବା ସମ୍ମାନ, ଭୋଜନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ। ଦି’ ଦିନର ଏ ଜୀବନ! ମରୀଚିକା ପଛରେ ଧାଇଁବା ଅର୍ଥହୀନ। ପାରୁଛ ଯଦି ପ୍ରେମ ବାଣ୍ଟି ଚାଲ। ଲୋକଙ୍କ ହୃଦୟ କିଣ। କାରଣ ମଶାଣିକୁ ତୁମେ ଅର୍ଜିଥିବା ଚାରିକୋଟି ନୁହେଁ, ମାତ୍ର ଚାରିଜଣ ତୁମକୁ ଛାଡ଼ିବାକୁ ଯିବେ।

  • ଡ. ପବିତ୍ର ସୁବୁଦ୍ଧି
    ପ୍ରାଧ୍ୟାପକ, ନୀଳମାଧବ କଲେଜ, କଣ୍ଟିଲୋ
    ମୋ: ୬୩୭୦୬୪୫୭୮୯

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?