ନୀଳଗିରି, ୧୩।୧୦(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ କୁଳଡ଼ିହା ଅଭୟାରଣ୍ୟର ଇକୋ ସେନ୍ସିଟିଭ ଜୋନ୍ରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଙ୍ଗଳବାର ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଇଟାଭାଟି ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରାଯାଇଛି। ଖବର ଅନୁଯାୟୀ, ଇତିମଧ୍ୟରେ ୫ଟି ଇଟାଭାଟି ଭାଙ୍ଗି ଦିଆଯାଇଛି।
ଅନ୍ୟପଟେ ଇଟାଭାଟି ଉଚ୍ଛେଦକୁ ବିରୋଧ କରି ସେଠାରେ କାମ କରୁଥିବା ଶ୍ରମିକମାନେ ରାସ୍ତାରୋକୋ କରି ପ୍ରତିବାଦ ଜଣାଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କୁଳଡ଼ିହା ଅଭୟାରଣ୍ୟ ଓ ସେଠାକାର ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୭ ଅଗଷ୍ଟ ୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ମୋଟ ୨୧୯.୧୮ ବର୍ଗ କିଲୋମିଟର ଅଞ୍ଚଳକୁ କୁଳଡ଼ିହା ଇକୋ ସେନ୍ସିଟିଭ ଜୋନ ଭାବେ ଅନ୍ତର୍ଭୁକ୍ତ କରାଯାଇଥିଲା।
ପରବର୍ତ୍ତୀ ସମୟରେ ଏହି ସେନ୍ସିଟିଭ ଜୋନ ଓ ଅଭୟାରଣ୍ୟର ସୀମାନ୍ତରେ ୧୩ଟି ଚିମିନି ଇଟାଭାଟି ଥିବା ବନ ବିଭାଗ ଜାଣିବାକୁ ପାଇଥିଲା। ଏହି ଇଟାଭାଟିରୁ ବାହାରୁଥିବା କୋଇଲା ଧୂଆଁ ପରିବେଶ ପ୍ରଦୂଷଣ ବଢ଼ାଉଥିବା ସହ ଅଭୟାରଣ୍ୟର ପରିବେଶ ଓ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଥିଲା।
ପୂର୍ବରୁ କେତେକ ବେଆଇନ ଇଟାଭାଟି ଉପରେ ବୁଲଡୋଜର ଚାଲିଥିବାବେଳେ ଧନୀ ଇଟାଭାଟି ମାଲିକଙ୍କୁ ଛାଡ଼ ଦିଆଯାଉଛି ଏବଂ ଗରିବ ମାଲିକଙ୍କୁ ଦଣ୍ଡିତ କରାଯାଉଛି ବୋଲି ଅଭିଯୋଗ ଉଠିଥିଲା। ଏହି ପ୍ରସଙ୍ଗରେ ଜଣେ ଇଟାଭାଟି ମାଲିକ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ତେବେ ଇଟାଭାଟି ଉଚ୍ଛେଦ ସମୟରେ ସେଠାରେ କାମ କରୁଥିବା ଶ୍ରମିକମାନେ ଏହାକୁ ବିରୋଧ କରି ରାସ୍ତା ଅବରୋଧ କରିଥିଲେ। ଇଟାଭାଟି ବନ୍ଦ ହେବା ପରେ ସେମାନଙ୍କ ଜୀବିକା ଓ ଥଇଥାନକୁ ନେଇ ପ୍ରଶ୍ନ ଉଠିଛି।
ନୀଳଗିରି ଉପଜିଲାପାଳ ଶୁଭଶ୍ରୀ ରଥଙ୍କ କହିବା ଅନୁଯାୟୀ, ଇକୋ ସେନ୍ସିଟିଭ ଜୋନ ଭିତରେ ଥିବା ୧୩ଟି ବେଆଇନ ଇଟାଭାଟି ଉଚ୍ଛେଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଅକ୍ଟୋବର ଶେଷ ସୁଦ୍ଧା ସମ୍ପୃକ୍ତ ସ୍ଥାନକୁ ଖାଲି କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଶ୍ରମିକଙ୍କ ଥଇଥାନ ପ୍ରସଙ୍ଗରେ ସେ କହିଛନ୍ତି ଯେ, ଇଟାଭାଟିରେ କାମ କରୁଥିବା ଶ୍ରମିକମାନେ ଅନ୍ୟ ରାଜ୍ୟର ହୋଇଥିବାରୁ ଏ କ୍ଷେତ୍ରରେ ପ୍ରଶାସନ ପକ୍ଷରୁ ସହଯୋଗ କରିବା ସମ୍ଭବ ନୁହେଁ।
ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା ସମୟରେ ବାଲେଶ୍ୱର ଉପଜିଲାପାଳ ଶିବ ମାଲବ୍ୟ (ଆଇଏଏସ), ସହକାରୀ ଜିଲାପାଳ ତପନ କୁମାର ଖୁଣ୍ଟିଆ ଓ ହେମନ୍ତ ସିଂହ, ନୀଳଗିରି ଭାରପ୍ରାପ୍ତ ତହସିଲଦାର ଶୁଭଶ୍ରୀ ଜେନା, ବିଡିଓ ବିକ୍ରମ କେଶରୀ ପରିଡ଼ା, ଅତିରିକ୍ତ ଏସ୍ପି ପ୍ରମୋଦ କୁମାର ମଲ୍ଲିକ, ନୀଳଗିରି ଏସ୍ଡପିଓ ନିର୍ମଳା ଗୋଛାୟତ ଓ ଆଇଆଇସି ଗୋବର୍ଦ୍ଧନ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ଏହା ସହିତ ବାଲେଶ୍ୱର ଡିଏଫଓ, ଖଣି ବିଭାଗ, ଜିଲା ଶ୍ରମ ବିଭାଗ, ନୀଳଗିରି ପୂର୍ତ୍ତ ବିଭାଗ ଓ ବିଦ୍ୟୁତ ବିଭାଗର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପରିବେଶ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବେଆଇନ ଇଟାଭାଟି ଉଚ୍ଛେଦ ପ୍ରକ୍ରିୟା ଆଗକୁ ବଢ଼ୁଥିବାବେଳେ, ଏହା ଉପରେ ନିର୍ଭରଶୀଳ ଶ୍ରମିକଙ୍କ ଜୀବିକା ଓ ଥଇଥାନ ପ୍ରସଙ୍ଗ ମଧ୍ୟ ଗୁରୁତ୍ୱ ବହନ କରୁଛି।
Dharitri – Odisha’s No.1 Odia Daily

