ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଛାତ୍ରଙ୍କ ରହଣୀ ନିମନ୍ତେ ବ୍ୟବହୃତ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିବା ପରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯାହାକି ଦୁର୍ଘଟଣାର ଭୟାବହତାକୁ ସାମ୍ନାକୁ ଆଣିଛି । ଭଗ୍ନାବଶେଷ ତଳେ ଫସିଥିବା ଜଣେ ଛାତ୍ର ମାତ୍ର ପ୍ରାୟ ୧୧ ସେକେଣ୍ଡର ଏକ SOS ଭିଡିଓ ରେକର୍ଡ କରି ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ । ଭିଡିଓଟି NSUI ପକ୍ଷରୁ ସେୟାର କରାଯାଇଥିବା ଜଣାପଡ଼ିଛି।
ଭିଡିଓରେ ଛାତ୍ରଜଣକ ଭଗ୍ନାବଶେଷ ମଧ୍ୟରେ ଏକ ସଂକୀର୍ଣ୍ଣ ସ୍ଥାନରେ ଫସିଥିବା ଦେଖାଯାଉଛି । ତାଙ୍କ ମୁହଁରେ ଧୂଳିମାଟି ଓ ରକ୍ତର ଚିହ୍ନ ଥିବା ବେଳେ ଚାରିପଟେ କଂକ୍ରିଟ୍ ଖଣ୍ଡ ଓ ଭଗ୍ନାବଶେଷ ଦେଖାଯାଉଛି । ଏଭଳି ଭୟଙ୍କର ପରିସ୍ଥିତିରେ ମଧ୍ୟ ସେ ମୋବାଇଲ୍ ଯୋଗେ ନିଜ ଅବସ୍ଥା ଦେଖାଇ ସାହାଯ୍ୟ ମାଗିଥିଲେ।ରବିବାର ଦିନ ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ସତ୍ୟ ନିକେତନରେ ଥିବା ଏକ ଛାତ୍ର PG କୋଠା ଭୁଶୁଡ଼ି ପଡ଼ିଥିଲା। ପ୍ରାଥମିକ ସୂଚନା ଅନୁସାରେ, ଘଟଣା ସମୟରେ କୋଠା ଭିତରେ ପ୍ରାୟ ୪୦ରୁ ୫୦ ଜଣ ଛାତ୍ର ଥିବା ଆଶଙ୍କା କରାଯାଇଥିଲା। ଉଦ୍ଧାରକାର୍ଯ୍ୟରେ ଅନେକ ଛାତ୍ରଙ୍କୁ ଭଗ୍ନାବଶେଷ ତଳୁ ସୁରକ୍ଷିତ ଭାବେ ବାହାର କରାଯାଇଛି।
ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି। ଅନେକ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭଗ୍ନାବଶେଷ ତଳେ ଫସିଥିବା ଛାତ୍ରମାନେ ଫୋନ୍ ଯୋଗେ ବାହାରେ ଥିବା ପରିବାର ଓ ପରିଚିତଙ୍କ ସହ ଯୋଗାଯୋଗ କରିଥିବା ମଧ୍ୟ ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ପ୍ରାୟ ୫୦ ବର୍ଷ ପୁରୁଣା ଏହି କୋଠାକୁ ‘ହୋଷ୍ଟେଲ୍ ଡେଜ୍’ ନାମରେ ଛାତ୍ରଙ୍କ ପେଇଂ ଗେଷ୍ଟ ରହଣୀ ପାଇଁ ବ୍ୟବହାର କରାଯାଉଥିଲା। ଦୁର୍ଘଟଣା ସମୟରେ ବେସମେଣ୍ଟରେ ନିର୍ମାଣ/ରିନୋଭେସନ୍ କାମ ଚାଲିଥିବା ପ୍ରାଥମିକ ତଦନ୍ତରେ ସାମ୍ନାକୁ ଆସିଛି।
ଘଟଣାକୁ ନେଇ ପୋଲିସ ମାମଲା ରୁଜୁ କରି ନିର୍ମାଣ ଓ କୋଠାର ସୁରକ୍ଷା ସମ୍ପର୍କିତ ଦିଗରେ ତଦନ୍ତ ଚଳାଇଛି । ଏହାସହ ଘଟଣା ପରେ ଆଖପାଖର କୋଠାଗୁଡ଼ିକର ସୁରକ୍ଷା ଯାଞ୍ଚ ଏବଂ ଅବୈଧ ନିର୍ମାଣ ବିରୋଧରେ ପଦକ୍ଷେପ ନେବା ନେଇ ମଧ୍ୟ ପ୍ରଶାସନିକ ଚର୍ଚ୍ଚା ଜୋର ଧରିଛି। ଭଗ୍ନାବଶେଷ ତଳେ ଫସିଥିବା ଛାତ୍ରଙ୍କ ଏହି ଛୋଟ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ। ଭୟଙ୍କର ପରିସ୍ଥିତିରେ ମଧ୍ୟ ମୋବାଇଲ୍ ବାହାର କରି ନିଜ ଅବସ୍ଥା ରେକର୍ଡ କରି ସାହାଯ୍ୟ ମାଗିବା ତାଙ୍କ ସାହସକୁ ଦର୍ଶାଉଛି। ଏହି ଭିଡିଓ ଉଦ୍ଧାରକାରୀଙ୍କୁ ଭଗ୍ନାବଶେଷ ତଳେ ଜୀବିତ ଲୋକ ଥିବା ନେଇ ଆଶା ଦେଇଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି ।

