କୋକସରା, ୮।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼କେନ୍ଦୁଗୁଡ଼ା ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ମଙ୍ଗଳବାରଠାରୁ ନିଖୋଜ ଥିବା ଜଣେ ମହିଳାଙ୍କ ଗଳିତ ମୃତଦେହ ଶନିବାର ସକାଳୁ ଗାଁ ନିକଟସ୍ଥ ଏକ ଚାଷ ଜମିରୁ ପୋଲିସ ଉଦ୍ଧାର କରିଛି। ମୃତ ମହିଳା ଜଣକ ଦର୍ଲିପଡ଼ା ଗ୍ରାମର ଦୈତାରି ଗୋପାଳଙ୍କ ସ୍ତ୍ରୀ ସସ୍ମିତା ଗୋପାଳ (୩୩) ବୋଲି ଜଣାପଡ଼ିଛି।
ପ୍ରକାଶ ଯେ, ଗତ ମଙ୍ଗଳବାର ସକାଳେ ସସ୍ମିତା ଘରୁ ଶୌଚ ପାଇଁ ବାହାରକୁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାରଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ଏହାପରେ ବୁଧବାର ସସ୍ମିତାଙ୍କ ବାପଘର ପକ୍ଷରୁ ଆମପାଣି ଥାନାରେ ଏକ ନିଖୋଜ ଏତଲା ଦାୟର କରାଯାଇଥିଲା। ମୃତ ସସ୍ମିତାଙ୍କର ଦୁଇଟି ସନ୍ତାନ ଥିବାବେଳେ ସେ ଦୀର୍ଘ ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ ଏବଂ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ଅସୁସ୍ଥତା କାରଣରୁ ସେ ନିଜ ଦୁଇ ପିଲାଙ୍କୁ ଧରି ବାପଘର ବଡ଼କେନ୍ଦୁଗୁଡ଼ା ଗ୍ରାମରେ ରହୁଥିଲେ। ବାରମ୍ବାର ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଥିବାରୁ ସେ ମାନସିକ ଚାପରେ ରହୁଥିବା ପରିବାରଲୋକେ ପ୍ରକାଶ କରିଛନ୍ତି। ଅନ୍ୟପଟେ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ତାଙ୍କ ସ୍ୱାମୀ ଦୈତାରୀ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ କାମ କରିବାକୁ ଯାଇଛନ୍ତି।
ଶନିବାର ସକାଳୁ ସ୍ଥାନୀୟ ଲୋକେ ଚାଷ ଜମି ନିକଟରୁ ସସ୍ମିତାଙ୍କ ଗଳିତ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଆମପାଣି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲା। ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କ ଉପସ୍ଥିତିରେ ଘଟଣାସ୍ଥଳରେ ହିଁ ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡ଼ିଛି। ଏନେଇ ଆମପାଣି ଥାନା କେଶ୍ ନମ୍ବର ୭/୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବାବେଳେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

