ଛତ୍ରପୁର,୭ା୧୧(ଦିଲୀପ ସାମଲ): ଗଞ୍ଜାମ ଜିଲାର ନଗର ପରିବହନ ବ୍ୟବସ୍ଥାକୁ ଆଧୁନିକ ଓ ପରିବେଶ ଅନୁକୂଳ କରିବା ସହ ବିଭିନ୍ନ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଉତ୍ତମ ଗମନାଗମନ ସୁବିଧା ଯୋଗାଇବା ଲକ୍ଷ୍ୟରେ ୮ଟି ପ୍ରମୁଖ ରୁଟ୍ରେ ଇଲେକ୍ଟ୍ରିକ ବସ୍ ସେବାର ଶୁଭାରମ୍ଭ ହୋଇଛି।
ଶନିବାର ଛତ୍ରପୁରଠାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଏହି ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୩ଟି ବସ୍ ଚଳାଚଳ କରିବାକୁ ଥିବାବେଳେ ପରବର୍ତ୍ତୀ ସମୟରେ ଆଉ ୨ଟି ବସ୍ ନିୟୋଜିତ ହେବ। ଫଳରେ ମୋଟ ୨୫ଟି ଇଲେକ୍ଟ୍ରିକ ବସ୍ ଏହି ରୁଟ୍ଗୁଡ଼ିକରେ ଯାତ୍ରୀ ସେବା ଯୋଗାଇବ। ଏହାଦ୍ୱାରା ଜିଲାବାସୀଙ୍କ ସହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ବିଶେଷ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ ଜେନା ପୁଣି କହିଥିଲେ, ପରିବେଶ ଅନୁକୂଳ ଇଲେକ୍ଟ୍ରିକ ବସ୍ ଚଳାଚଳ ଗଞ୍ଜାମ ଜିଲାର ନଗର ପରିବହନ ବ୍ୟବସ୍ଥାକୁ ସୁଦୃଢ କରିବ। ଛାତ୍ରୀଛାତ୍ର, କର୍ମଜୀବୀ, ବ୍ୟବସାୟୀ, ମହିଳା, ବରିଷ୍ଠ ନାଗରିକ ଓ ସାଧାରଣ ଯାତ୍ରୀମାନେ ସୁରକ୍ଷିତ ପରିବହନ ସେବା ପାଇପାରିବେ। ଗୋପାଳପୁର ଓ ସୋନାପୁର ବେଳାଭୂମି, ମା’ ଶ୍ୟାମଳାଇ ମନ୍ଦିର ଏବଂ ମା’ ତାରାତାରିଣୀ ପୀଠକୁ ଉନ୍ନତ ଗମନାଗମନ ସୁବିଧା ମିଳିବା ଫଳରେ ପର୍ଯ୍ୟଟନ ସହ ସ୍ଥାନୀୟ ବାଣିଜ୍ୟ ଓ ଆର୍ଥିକ କାର୍ଯ୍ୟକଳାପକୁ ମଧ୍ୟ ନୂତନ ଗତି ମିଳିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ।
ଏହି ୮ଟି ରୁଟ ମଧ୍ୟରେ ଛତ୍ରପୁରରୁ ହିଞ୍ଜିଳିର ମା’ ଶ୍ୟାମଳାଇ ମନ୍ଦିରକୁ ୫ଟି, ରମ୍ଭାକୁ ୪ଟି ଏବଂ ବ୍ରହ୍ମପୁରର ଡୁଡୁମା କଲୋନୀକୁ ୪ଟି ବସ୍ ଚଳାଚଳ କରିବ। ସେହିପରି ଗୋପାଳପୁରକୁ ଦୁଇଟି ଭିନ୍ନ ରୁଟ୍ରେ ୨ଟି ଲେଖାଏ ୪ଟି ବସ୍, ସୋନାପୁର ବେଳାଭୂମିକୁ ୨ଟି, ମା’ ତାରାତାରିଣୀ ମନ୍ଦିରକୁ ୨ଟି ଏବଂ ରେଗିଡ଼ିସ୍ଥିତ ସମ ହସ୍ପିଟାଲ ରୁଟ୍ରେ ୨ଟି ବସ୍ ଯାତାୟାତ କରିବ। ଏହି ରୁଟ୍ଗୁଡ଼ିକ ସୁନ୍ଦରପୁର, ଟାଙ୍ଗଣାପଲ୍ଲୀ, ତାରାତାରିଣୀ ଛକ, ଚମାଖଣ୍ଡି, ମାଣ୍ଡିଆପଲ୍ଲୀ, ଗୋପାଳପୁର ଜଙ୍କସନ, ବ୍ରହ୍ମପୁର ରେଳ ଷ୍ଟେଶନ, ରଣ୍ଡା ଓ ନିଷ୍ଟ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ପ୍ରମୁଖ ସ୍ଥାନକୁ ସଂଯୋଗ କରିବ। କାର୍ଯ୍ୟକ୍ରମରେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଛତ୍ରପୁର ପୌର ଅଧ୍ୟକ୍ଷ ଜି. ପାପା ରାଓ, ସମାଜିକ କର୍ମୀ ସରୋଜ ସାବତ, ଗଞ୍ଜାମ ଆରଟିଓ ଦେବାଶିଷ ସ୍ବାଇଁ, ଛତ୍ରପୁର ପୌର ନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ, କାଉନସିଲରମାନଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ଛତ୍ରପୁର କ୍ରୁଟ ମ୍ୟାନେଜର ଶିବ ପ୍ରସାଦ ରାଓ ଏବଂ ବ୍ରହ୍ମପୁର କ୍ରୁଟ ମ୍ୟାନେଜର ଅକ୍ଷୟ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

