ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାସିଙ୍ଗବାଡି ପଞ୍ଚାୟତର ତାଡ଼ିମାହା ଗ୍ରାମରେ ସୋମବାର ଚଳିତବର୍ଷର ଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେଠାରେ ଦମନ ଦଳ ପହଞ୍ଚି ଗ୍ରାମର ୯୬ଜଣଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ନମୁନା ସଂଗ୍ରହ କରିଥିଲେ। ଏଥିସହ ମ୍ୟାଲେରିଆ ଜ୍ୱରରୁ ରକ୍ଷା ପାଇବା ପାଇଁ ଉପାୟ ବତାଇଥଲେ। ତେବେ ଉକ୍ତ ଗ୍ରାମବାସୀଙ୍କ ମଧ୍ୟରେ କାହାର ମଧ୍ୟ ମ୍ୟାଲେରିଆ ଲକ୍ଷଣ ନ ଥିବା ଚିକିତ୍ସା କରୁଥିବା ଡାକ୍ତର ଦଳ କହିଛନ୍ତି।
ପ୍ରକାଶ ଯେ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କ ତତ୍ତ୍ୱାବଧାନ ବିପିଏମ ଶାନ୍ତନୁ ସାହୁଙ୍କ ପରିଚାଳନାରେ ଦମନ ଟିମର ମୁଖ୍ୟ ଡାକ୍ତର ଅମ୍ବିକା ପ୍ରସାଦ ଶତପଥୀ, ବ୍ଲକ ମଶା ବାହିତ ରୋଗ ପରାମର୍ଶଦାତା ଅମୂଲ୍ୟ ରତ୍ନ ଷଡ଼ଙ୍ଗୀ, ପୁରୁଷ ସ୍ବାସ୍ଥ୍ୟକର୍ମୀ ପତିତପାବନ ପାଣିଗ୍ରାହୀ, ମହିଳା ସ୍ବାସ୍ଥ୍ୟକର୍ମୀ ବିଦେଶିନୀ ଦାସ, ଆଶା ଓ ଅଙ୍ଗନାୱାଡି କର୍ମୀ ପ୍ରମୁଖ ତାଡିମାହାରେ ମ୍ୟାଲେରିଆ ନିରାକରଣ ସମ୍ପର୍କିତ ଦମନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବ୍ଲକ ଅଞ୍ଚଳରେ ଚଳିତମାସ ୮ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ୨୪ ସୋମବାର ଦିନ କାର୍ଯ୍ୟକ୍ରମ ଶେଷ ହୋଇଛି। ଇତିମଧ୍ୟରେ ୧୬ଟି ଉପସ୍ବାସ୍ଥ୍ୟକେନ୍ଦ୍ରର ଅଧୀନରେ ରହିଥିବା ମୋଟ ୩୦ଟି ଦୁର୍ଗମ ତଥା ଅପହଞ୍ଚ ଗ୍ରାମରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୪ ହଜାର ୮୯୦ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଗର୍ଭବତୀ ମହିଳାଙ୍କ ସଂଖ୍ୟା ୬୩ ରହିଥିବାବେଳେ ପ୍ରସୁତି ମହିଳାଙ୍କ ସଂଖ୍ୟା ୪୮ ଏବଂ ୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ସଂଖ୍ୟା ମାତ୍ର ୪ ଶହ ୮ ଜଣଙ୍କ ରକ୍ତ ନମୁନା ସଂଗ୍ରହ ହୋଇଥିଲା। ଏତେ ସଂଖ୍ୟାରେ ରକ୍ତ ନମୁନା ସଂଗ୍ରହ କରାଯାଇଥିବାବେଳେ ମାତ୍ର ୨ ଜଣଙ୍କ ମଧ୍ୟରେ ମ୍ୟାଲେରିଆ ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ବିପିଏମ ଶାନ୍ତନୁ ସାହୁ ପ୍ରତିକ୍ରିୟାରେ କହିଛନ୍ତି।
ଏହି ଦମନ କାର୍ଯ୍ୟକ୍ରମର ମୂଳ ଲକ୍ଷ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ବିଶେଷ କରି ମ୍ୟାଲେରିଆ ଜ୍ୱରର ନିରାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରୟାସରେ ଦମନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ନିକଟରେ ଭ୍ରାମ୍ୟମାଣ ଡାକ୍ତରୀ ଦଳ ପହଞ୍ଚି ଲୋକଙ୍କୁ ସଚେତନ କରିବେ। ଜ୍ୱର ଆସିଲେ କିମ୍ବା ଅନ୍ୟ କିଛି ସ୍ବାସ୍ଥ୍ୟ ଅସୁସ୍ଥ ହେଲେ ଗୁଣି ଗାରେଡି କିମ୍ବା ଚେର ମୂଳି ଉପରେ ନିର୍ଭର ନ କରି କିଭଳି ସ୍ବାସ୍ଥ୍ୟ କେନ୍ଦ୍ର ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ କରି ଔଷଧ ସେବନ କରିବେ ଓ ମ୍ୟାଲେରିଆରୁ ରକ୍ଷା ପାଇବା ପାଇଁ ସରକାର ଯୋଗାଉଥିବା ଔଷଧୀୟ ମଶାରୀ ଟାଙ୍ଗି ଶୋଇବା ଓ ପାଣି ଫୁଟାଇ ପିଇବା ଘର ନିକଟ ପରିବେଶକୁ ସ୍ବଚ୍ଛ ରଖିବା ଘର ନିକଟରେ ପାଣି ଜମା ହେବାକୁ ନ ଦେବା ଆଦି ପରାମର୍ଶ ଦିଆଯାଇଥିଲା।
Dharitri – Odisha’s No.1 Odia Daily

