ପାଠ୍ୟକ୍ରମ ସଜାଡ଼ିବା

ଡ. ମନୋରଞ୍ଜନ ପ୍ରଧାନ

ପ୍ରାଚୀନ ଜ୍ଞାନ ସହ ଆଧୁନିକ ବିଜ୍ଞାନ, ଦର୍ଶନ ସହ ପ୍ରଯୁକ୍ତିବିଦ୍ୟା ଓ ସ୍ବାବଲମ୍ବନଶୀଳତା ସହ ଆତ୍ମଜ୍ଞାନ ପ୍ରାପ୍ତିର ସମସ୍ତ ଶୈକ୍ଷିକ ବ୍ୟବସ୍ଥା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ ଅନେକ ନୀତି ନିର୍ଦ୍ଧାରଣ କରିଛି। ମାତୃଭାଷା ସହ ଅନ୍ୟ ଭାଷାକୁ ଗୁରୁତ୍ୱ ଦେବା ଏବଂ ଶିଶୁର ବୋଧଶକ୍ତି, ବିଚାର ଦକ୍ଷତା, ସୃଜନଶୀଳ ,ସରଂଚନାତ୍ମକ ଚିନ୍ତନ, ବୈଜ୍ଞାନିକ ଦୃଷ୍ଟିକୋଣ, ମାନବିକ ଓ ଗଣତାନ୍ତ୍ରିକ ମୂଲ୍ୟବୋଧଗୁଡ଼ିକର ଉନ୍ମେଷ ସହ ଶିଶୁମାନଙ୍କୁ ସର୍ବଗୁଣସମ୍ପନ୍ନ ପାଇଁ ଉପଯୁକ୍ତ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବାକୁ ଏହା ଲକ୍ଷ୍ୟ ରଖିଛି । ହେଲେ ଏସବୁର ବାସ୍ତବ ରୂପାୟନ ଉତ୍ତମ, ସମନ୍ମୟତ ଓ ବାସ୍ତବବାଦୀ ପାଠ୍ୟକ୍ରମ ଦ୍ୱାରା ହିଁ ସମ୍ଭବ। କାରଣ ଉପଯୁକ୍ତ ପାଠ୍ୟକ୍ରମ ହିଁ ଶିକ୍ଷାଦାନ ପ୍ରଣାଳୀ ଓ ଶିକ୍ଷଣକାର୍ଯ୍ୟ ନିର୍ଦ୍ଧାରଣରେ ମାର୍ଗ ପ୍ରଶସ୍ତ କରିଥାଏ। ଅବଶ୍ୟ ଏହି ଶିକ୍ଷାନୀତି ପାଠ୍ୟକ୍ରମ ପରିବର୍ତ୍ତନ ପାଇଁ ମଧ୍ୟ ସଙ୍କେତ ଦେଇଛି। କିନ୍ତୁ ଏଥିପାଇଁ ସତର୍କତା ନିତାନ୍ତ ଆବଶ୍ୟକ। ବିଶେଷକରି ବ୍ୟକ୍ତିଗତ ସ୍ବାର୍ଥ ନାମରେ ଦେଶହିତ ଯେପରି ବଳି ନ ପଡୁ ସେଥିପାଇଁ ସଚେତନ ଓ ସମ୍ବେଦନଶୀଳ ହେବା ଜରୁରୀ। ଏହା ସତ ଯେ ଘୋଡ଼ା ଦୌଡ଼ରେ ଯିଏ ସବୁ ବଳ ଲଗେଇ ଦୌଡ଼େ ସେ ହିଁ ବିଜୟୀ ହୁଏ। ହେଲେ ଏହି ହରାଜିତାର ଗୋଲକ ବାଜିରେ କୋମଳମତି ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତରେ ଯେପରି କୌଣସି ଗ୍ରହଣ ନ ଲାଗେ ସେଥିପାଇଁ ସତର୍କ ଦୃଷ୍ଟି ଜରୁରୀ। କହିବାର ଉଦ୍ଦେଶ୍ୟ ହେଉଛି ବେଳେବେଳେ ବୁଦ୍ଧିଜୀବୀଙ୍କ ଭିତରେ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିିତା ହେତୁ ଭଲ ଭଲ ବିଚାର, ଲେଖା, ତଥ୍ୟ ଓ ବିଷୟବସ୍ତୁ ବାଦ୍‌ ପଡ଼ିଯାଏ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକରୁ। ବେଳେବେଳେ କିଛି ବାଜିଗରଙ୍କ ଗୋଟି ଚାଳନ ହେତୁ ଭଲ ଭଲ ଲେଖକ, ବୁଦ୍ଧିଜୀବୀ ଓ ଅନୁଭବି ବ୍ୟକ୍ତିବିଶେଷ ପାଠ୍ୟକ୍ରମ ପ୍ରସ୍ତୁତି, ପାଠ୍ୟପୁସ୍ତକ ଲିଖନ ଆଦି ସଂସ୍କାରବାଦୀ ସୃଜନଶୀଳ କାମରେ ନିୟୋଜିତ ହୋଇପାରନ୍ତି ନାହିଁ। ଫଳରେ ପାଠ୍ୟକ୍ରମ ଓ ଶିକ୍ଷଣ-ପାଠ୍ୟବସ୍ତୁ ନିଜର ମୌଳିକତା, ବିଶ୍ୱସନୀୟତା ଓ ପ୍ରତିବଦ୍ଧତା ହରାଇ ବସେ; ଯାହା କି ଶିକ୍ଷା ବ୍ୟବସ୍ଥାକୁ ଦିଶାହୀନ ଓ ଲକ୍ଷ୍ୟଚ୍ୟୁତ କରିଦିଏ। ତେଣୁ ପାଠ୍ୟକ୍ରମର ରୂପରେଖ ପ୍ରସ୍ତୁତ ଓ ପାଠ୍ୟପୁସ୍ତକ ଲିଖନ ବେଳେ ତୃଣମୂଳ ସ୍ତରରେ ଶିକ୍ଷା ଓ ଶିକ୍ଷଣ ପ୍ରକ୍ରିୟା ସହ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିବା ଅଧିକରୁ ଅଧିକ ବୁଦ୍ଧିଜୀବୀ, ପ୍ରବୀଣ ଗବେଷକ, ଅନୁଭବି ଶିକ୍ଷକ ତଥା ଲେଖକମାନଙ୍କୁ ଏଭଳି କାମରେ ଉପଯୋଗ କରିବା ପାଇଁ ସମ୍ପୂର୍ଣ୍ଣ ବନ୍ଦୋବସ୍ତ ହେବା ଉଚିତ। ବିଶେଷକରି ଏଥିପାଇଁ ବିଷୟବସ୍ତୁ ଚୟନ ଓ ପୁସ୍ତକ ଲିଖନ ପାଇଁ ବିଶିଷ୍ଟ ବ୍ୟକ୍ତିଙ୍କ କମିଟି ଗଠନ ହେଉ; ଯେଉଁମାନଙ୍କ ଭିତରେ ଥିବ ଶୈକ୍ଷିକ ଅନୁଭବ, ବିଷୟଗତ ପାଣ୍ଡିତ୍ୟ, ବିଚାରବୋଧ, ଅନ୍ୟମାନଙ୍କ ମତ, ବିଚାର ଓ ପରାମର୍ଶ ଗ୍ରହଣ କରିବାର ମାନସିକତା, ଗ୍ରହଣଶୀଳତା ଓ ସହନଶୀଳ ମନୋବୃତ୍ତି। ସେମାନେ ଶିଶୁଙ୍କ ବୟସ, ରୁଚି, ସାମର୍ଥ୍ୟ, ଆବଶ୍ୟକତା ସହ ଦେଶ, ସମାଜ ଓ ସମଗ୍ର ବିଶ୍ୱର ମଙ୍ଗଳ ସାଧନ ଓ ପରିବର୍ତ୍ତନଶୀଳ ଆବଶ୍ୟକତା ଆଧାରରେ ପାଠ୍ୟକ୍ରମ ଏବଂ ପାଠ୍ୟ ସାମଗ୍ରୀର ପ୍ରାବଧାନ, ପ୍ରଣୟନ ଓ ପ୍ରଚଳନ ପାଇଁ ମାର୍ଗଦର୍ଶନ କରିପାରିବେ। କାରଣ ଉପଯୁକ୍ତ ପାଠ୍ୟକ୍ରମ ହିଁ ଶିକ୍ଷା ଓ ଶିକ୍ଷଣ ବ୍ୟବସ୍ଥାର ମାର୍ଗଦର୍ଶିକା ତଥା ଆଲୋକବର୍ତ୍ତିକା ହୋଇଥାଏ।
ବିଦ୍ୟାଳୟ ଶିକ୍ଷାର ଢାଞ୍ଚାଗତ ପରିବର୍ତ୍ତନ ସହ ପାଠ୍ୟ ବିଷୟବସ୍ତୁ,ସହପାଠ୍ୟ- କ୍ରିୟାକଳାପ ଓ ଅତିରିକ୍ତ କ୍ରିୟାକଳାପକୁ ସମାନ ଦୃଷ୍ଟିରେ ଦେଖିବା ଓ ସମାନ ଗୁରୁତ୍ୱ ଦେବାକୁ ନୂଆ ଶିକ୍ଷାନୀତିର ବ୍ୟବସ୍ଥା ରହିଛି। ଆଜି ପାଠ୍ୟକ୍ରମେ ଏଗୁଡ଼ିକୁ ନେଇଥିବା ଅସଙ୍ଗତି ବିଶେଷକରି ପାଠ୍ୟ-ବିଷୟଗୁଡ଼ିକ ପ୍ରତି ଅତ୍ୟନ୍ତ ଅନୁକୂଳ ମନୋବୃତ୍ତି ଓ କ୍ରୀଡ଼ା, ଚିତ୍ରାଙ୍କନ, ପରିବେଶ ଶିକ୍ଷା ଆଦି ସହ-ପାଠ୍ୟ କ୍ରିୟାକଳାପ ପ୍ରତି ତୁଳନାତ୍ମକ ଭାବେ ଅନାଦର ଓ ଅପାରଗ ମନୋଭାବ ପିଲାଙ୍କୁ ପୁସ୍ତକକୀଟ ଓ ପରୀକ୍ଷାସର୍ବସ୍ବ ହେବାକୁ ବାଧ୍ୟ କରୁଛି। ସବୁ ବିଷୟ ଓ କାମକୁ ସମଦୃଷ୍ଟି ଓ ଗୁରୁତ୍ୱ ଦେବାପାଇଁ ପ୍ରଥମେ ଶିକ୍ଷାଦାତା, ପିତାମାତା ଓ ଶିକ୍ଷା ଅଧିକାରୀମାନଙ୍କ ମାନସିକତାର ପରିବର୍ତ୍ତନ ଦରକାର। ଦିନରାତି ତଥ୍ୟ ଘୋଷି ମାର୍କ ଖେଳରେ ଶିଡ଼ିର ସବୁଠାରୁ ଶୀର୍ଷରେ ରହିବାକୁ ଦିନରାତି ତାଗିଦ୍‌ କରୁଥିବା ମାଆବାପା, କେବଳ ଇଂଲିଶ, ଗଣିତ ଓ ବିଜ୍ଞାନ ଭଳି ବିଷୟର ତଥ୍ୟ କଣ୍ଠସ୍ଥ କରି ଭଲ ନମ୍ବର ବା ଗ୍ରେଡ୍‌ ରଖି ସମସ୍ତଙ୍କୁ ଚମକେଇ ଦେବାକୁ ଦିନରାତି ଏକ କରିଦେଉଥିବା ଶିକ୍ଷାଦାତା ଏବଂ ପରିସଂଖ୍ୟାନ ଖେଳରେ ନିଜ ବ୍ଲକ ବା ଜିଲାକୁ ସର୍ବାଗ୍ରେ ରଖିବାକୁ ଶିକ୍ଷକମାନଙ୍କୁ ଭୟଭୀତ କରାଉଥିବା ଅଧିକାରୀଗଣ ଏକ ସାମଗ୍ରିକ ବିକାଶ ଓ ମୂଲ୍ୟବୋଧ ଉଦ୍ରେକକାରୀ ପାଠ୍ୟକ୍ରମର ମହତ୍ତ୍ୱ ବୁଝିବା ଆବଶ୍ୟକ। କ୍ରୀଡ଼ାକୁ ଯେତିକି ଗୁରୁତ୍ୱ ଦେବାକଥା ମାତୃଭାଷା, ଇଂଲିଶ, ବିଜ୍ଞାନ, ଗଣିତ ସହ ସାମାଜିକ ଅଧ୍ୟୟନକୁ ମଧ୍ୟ ସମାନ ଗୁରୁତ୍ୱ ଦେବା ପାଇଁ ସ୍ପଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ ହେବା ଜରୁରୀ। ପିଲାଙ୍କ ଲୁକ୍କାୟିତ ଗୁଣାବଳୀ ପ୍ରକଟ ପୂର୍ବରୁ ମାତାପିତା, ଶିକ୍ଷକ ଓ ଅନ୍ୟମାନଙ୍କ ଜିଦି, ଅଜ୍ଞାନତା ଓ ବ୍ୟବସ୍ଥାଗତ ଅପାରଗତା ଯେପରି ସେମାନଙ୍କୁ ଅନିଶ୍ଚିତ ଭବିଷ୍ୟତର ପଥିକ କରି ନ ଦେଉ, ସେଥିପ୍ରତି ନମନୀୟ ଓ ବିକାଶଶୀଳ ପାଠ୍ୟକ୍ରମର ବ୍ୟବସ୍ଥା ହେଉ।
ଆଜି ତଥ୍ୟ ଘୋଷା ପ୍ରତିଯୋଗିତାର ଜଣେ ଜଣେ ବାଧ୍ୟ ପ୍ରତିଭାଗୀ ଭାବେ ଛାତ୍ରୀଛାତ୍ରମାନେ ଖେଳକୁଦ, ସାଙ୍ଗମେଳ, ମନଖୋଲି ହସିବାର ସୁଯୋଗ ପାଇବାରୁ ବଞ୍ଚିତ। ଅବସ୍ଥା ଏମିତି ଯେ ସେମାନେ ନିଜ ପୋଥିଗତ ତଥ୍ୟଜ୍ଞାନ ଛଡ଼ା ଆଉକିଛି ଗ୍ରହଣ କରିବାକୁ ନାରାଜ। ଫଳରେ ସେମାନେ ନମ୍ବର ଖେଳରେ ସଫଳ ହୋଇ ରୋଜଗାରକ୍ଷମ ହେବାରେ ସକ୍ଷମ ହେଉଛନ୍ତି କିନ୍ତୁ ଜୀବନ ଯୁଦ୍ଧରେ ଅନେକ ସମୟରେ ପରାସ୍ତ ହେଉଛନ୍ତି। ମାସକୁ ମୋଟା ରକମ ପାଇ ମଧ୍ୟ ପାରିବାରିକ ବିଶୃଙ୍ଖଳା ଓ ସାମାଜିକ ଦାୟିତ୍ୱବୋଧ ନିଭେଇବାରେ ଅସଫଳ ହେଉଛନ୍ତି। ପୁସ୍ତକଗତ ବିଦ୍ୟା ରୋଜଗାର ସୁଯୋଗ ପାଇବା ଯାଏ ବଳବତ୍ତର ରହୁଛି। ତା’ପରେ ସେଗୁଡ଼ିକୁ ନିଜ ଜୀବନରେ ଉତାରି ପାରନ୍ତି ନାହିଁ। ତେଣୁ ଆମ ଭବିଷ୍ୟତ ପିଢି ବିଷୟଗତ ଜ୍ଞାନ ସହ ଜୀବନ କୌଶଳ, ସାମାଜିକ ମୂଲ୍ୟବୋଧ ଓ ଗଣତାନ୍ତ୍ରିକ ଉତ୍ତରଦାୟିତ୍ୱ ଠିକ୍‌ ଭାବେ ନିଭେଇବାରେ ପ୍ରବୀଣ ହେବା ଉଚିତ। ଏଥିପାଇଁ ପାଠ୍ୟକ୍ରମ ମୂଲ୍ୟବୋଧଭିତ୍ତିକ ହେବା ଜରୁରୀ। ବିଶେଷକରି ପାଠ୍ୟପୁସ୍ତକଗୁଡ଼ିକରେ ଏଭଳି ବିଷୟବସ୍ତୁ ସ୍ଥାନ ପାଉ ଯାହାଦ୍ୱାରା ପିଲାଙ୍କ ଶରୀର, ମନ ଓ ହୃଦୟର ପୂର୍ଣ୍ଣ ବିକାଶ ହୋଇପାରିବ। ମନେ ପକେଇବା ପିଲାବେଳେ ପଢ଼ିଥିବା ଅନେକ ପ୍ରସଙ୍ଗ ଭିତରୁ ଏକ ପ୍ରସଙ୍ଗ ସମ୍ବନ୍ଧରେ ଯାହା ମୋଭଳି ଅନେକ ଲୋକଙ୍କୁ ପ୍ରଭାବିତ କରିଥିବ।
ଗାଁ ବିଦ୍ୟାଳୟରେ ପଢ଼ିଲା ବେଳେ ପ୍ରିୟ ଶିକ୍ଷକଙ୍କ ମୁହଁରୁ ବଉଳା ଗାଈ ଓ ବାଘମାମୁ କଥା ଯେତିକି ଉତ୍ସୁକତା ସୃଷ୍ଟି କରୁଥିଲା ବଉଳାର ଜୀବନ ଓ ତା’ର କୁନି ବାଛୁରିର ଭାଗ୍ୟ ଓ ଭବିଷ୍ୟତ ସମ୍ବନ୍ଧରେ ଚିନ୍ତାକରି ଆମମାନଙ୍କ କୁନିମନ ଭୟଭୀତ, ଚିନ୍ତାଗ୍ରସ୍ତ ଓ ଭାରାକ୍ରାନ୍ତ ହୋଇପଡୁଥିଲା। କିନ୍ତୁ ସତ୍ୟ ପାଳନକରି କୁନି ଛୁଆର ମାୟାମୋହ ଛାଡ଼ି ବଉଳାର ବଚନ ପାଳନ ଓ ମାଂସାଶୀ ତଥା ହିଂସ୍ର ପ୍ରାଣୀ ବାଘର ହୃଦୟ ପରିବର୍ତ୍ତନ ପୂର୍ବକ ବଉଳାକୁ ଜୀବନ ଦାନ ଆମମାନଙ୍କ ହୃଦୟ ପରିବର୍ତ୍ତନ କରିଦେଇଥିଲା। ସେଦିନ ହିଁ ଆମ କୁନି ମନ ଓ ହୃଦୟରେ ସତ୍‌ ମାର୍ଗରେ ଚାଲିବାକୁ ପ୍ରେରଣା ଦେଇଥିଲା। ବଉଳା କାହାଣୀ ସମ୍ପୂର୍ଣ୍ଣ କାଳ୍ପନିକ ହୋଇପାରେ କିନ୍ତୁ କାହାଣୀର ଆବେଦନ, ପ୍ରେରଣା ଓ ମନଛୁଆଁ ସ୍ପର୍ଶ ଆଜି ମଧ୍ୟ କୌଣସି ଅସତ୍‌ କାମ କରିବାକୁ ବାଧା ସୃଷ୍ଟି କରୁଛି ଏବଂ ସତ୍‌ କରିବା ପରେ ଅପାର ଆନନ୍ଦ ମଧ୍ୟ ମିଳୁଛି। କହିବାର ଉଦ୍ଦେଶ୍ୟ ହେଉଛି ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ଏଭଳି ପ୍ରସ୍ତୁତ ହେବା ଉଚିତ; ଯାହା କି ପିଲାଙ୍କ ଜ୍ଞାନ, ବୋଧ, ବିଚାର, ଜୀବିକା ଓ ଜୀବନକୁ ପ୍ରଭାବିତ କରିବ। ସେମାନେ କେବଳ ନିଜ କଥା ଚିନ୍ତା ନ କରି ବ୍ୟକ୍ତିଗତ, ସାମାଜିକ, ରାଷ୍ଟ୍ରୀୟ ସ୍ବାର୍ଥସାଧନ ସହ ସମଗ୍ର ଜଗତର କଲ୍ୟାଣ ପାଇଁ ନିଜକୁ ସମର୍ପି ଦେବେ। ତେଣୁ ପାଠ୍ୟକ୍ରମ ସମୃଦ୍ଧ ହେଉ। ପାଠ୍ୟ ପୁସ୍ତକ ଜୀବନ୍ତ ଓ ଗତିଶୀଳ ହେଉ। ଶିକ୍ଷାଦାନ ସଂସ୍କାରଯୁକ୍ତ ଓ ବାସ୍ତବବାଦୀ ହେଉ। ଅଧ୍ୟାପକ, ସରକାରୀ ମହିଳା ମହାବିଦ୍ୟାଳୟ
ଜୟପୁର, କୋରାପୁଟ
ମୋ-୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?