ଭିଡ଼ କଲେ, ବୋହିନେଲେ

ଭୁବନେଶ୍ୱର, ୧୭ା୬(ବ୍ୟୁରୋ): ବାର ଅବାର ଯୋଗୁ ରଜରେ ଟିକେ ପାଟିରେ ଆମିଷ ବାଜି ନ ଥିଲା। ଶେଷ ରଜକୁ ଆମିଷ ବାର ପଡ଼ିଲା। ସୁଯୋଗ ହାତ ଛଡ଼ା ନ କରି ରାଜଧାନୀବାସୀ ରାତି ପାହିଛି କି ନାହିଁ ସିଧା ଆମିଷ ବଜାର ମୁହାଁ ହୋଇଥିଲେ। କିଛି ନ ମାନି ମାଛ, ମାଂସ ଦୋକାନରେ ପ୍ରବଳ ଭିଡ଼ କରି ବୋହି ନେଇଥିଲେ। ପୂର୍ବାହ୍ନ ୧୧ଟା ମଧ୍ୟରେ ସହରରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଆମିଷ ବେପାର ହୋଇଥିଲା। ହେଲେ ସବୁଠି କୋଭିଡ୍‌ କଟକଣା ଉଲ୍ଲଂଘନ କରାଯାଇଥିଲା। ପୋଲିସ ଉପସ୍ଥିତିରେ ବି କାହା ମଧ୍ୟରେ ସାମାଜିକ ଦୂରତ୍ୱ ନ ଥିଲା। ଠେଲାପେଲା ହୋଇ ମାଛ, ମାଂସ କିଣୁଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ପୋଲିସ ବଳ ପ୍ରୟୋଗ କରିଥିବାବେଳେ ବିଏମ୍‌ସି ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟବସାୟୀ ଓ ଗ୍ରାହକଙ୍କଠାରୁ ଜରିମାନା ଆଦାୟ କରାଯାଇଥିଲେ ମଧ୍ୟ ଭିଡ଼ ଭାଙ୍ଗି ନ ଥିଲା।
ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ମହାମାରୀ ଯୋଗୁ ଲୋକେ ନାନା ସମସ୍ୟାରେ ଦିନ କାଟୁଛନ୍ତି। ହେଲେ ଅମାନିଆମାନେ ହାଟ ବଜାରରେ ଭିଡ କରୁଛନ୍ତି। ବିଏମ୍‌ସିର ଜୋନ୍‌ କମିଶନର ଓ ସ୍ବତନ୍ତ୍ର ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇ ଜରିମାନା ଆଦାୟ କରାଯାଇଛି ବୋଲି ସେ କହିଛନ୍ତି। ଡିସିପି ଉମାଶଙ୍କର ଦାଶ କହିଛନ୍ତି, ନିୟମ ଉଲ୍ଲଂଘନ ହେଉଥିବା ଦେଖିଲେ ଆମର ବିଭିନ୍ନ ଥାନାର ଅଧିକାରୀ ଓ ସ୍ବତନ୍ତ୍ର ଟିମ୍‌ ପଦକ୍ଷେପ ନେଉଛନ୍ତି। ଶେଷ ରଜ ଓ ଆମିଷ ବାର ଏକା ସାଙ୍ଗରେ ପଡିଥିବାରୁ ଟିକେ ଭିଡ଼ ଅଧିକ ରହିଥିବା ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି।

ମଟନ ୮୦୦କୁ ମାଛ ୭୦୦

ଭୁବନେଶ୍ବରର ପ୍ରମୁଖ ଆମିଷ ବଜାର ଭୌମନଗର ହାଟ ( ୟୁନିଟ-୪ ମାଛ ମାର୍କେଟ), ୟୁନିଟ-୮, ଶିରିପୁର ଛକ, ରୁଚିକା ମାର୍କେଟ, ଜୟଦେବ ବିହାର, ସୁନ୍ଦରପଦା, ରବି ଟକିଜ, ଟଙ୍କପାଣି ରୋଡ୍‌, ପଟିଆ, ବିଡିଏ କଲୋନୀ, ଚନ୍ଦ୍ରଶେଖରପୁର, କିଟ୍‌ ଛକ, ଭିଏସଏସ ନଗର, ପଳାଶପଲ୍ଲୀ, ରସୁଲଗଡ, ବମିଖାଲ, ବରମୁଣ୍ଡା, ଝାରପଡା, ପଳାଶୁଣୀ ଓ ପାତ୍ରପଡା ଆଦି ୧୦୦ରୁ ଊଦ୍ଧର୍‌ବ ସ୍ଥାନରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା। ପୋଲିସର ଉଦାସୀନତା ଯୋଗୁ ରଜ ଭିଡର ଫାଇଦା ଉଠାଇ ଥିଲେ ଆମିଷ ବ୍ୟବସାୟୀ। କେଉଁଠି ମଟନ କେଜି ପିଛା ୭୫୦ ଟଙ୍କା ଥିଲା ତ କେଉଁଠି ୮୦୦ ଓ ଶେଷବେଳକୁ ୭୦୦ ଟଙ୍କାରେ ବିକ୍ରି କରାଯାଇଥିଲା। ସେହିଭଳି ଚିକେନ ୨୦୦ରୁ ୩୫୦, ବିଭିନ୍ନ ପ୍ରକାର ମାଛ ୧୫୦ ରୁ ୭୦୦, ଚିଙ୍ଗୁଡ଼ି ୩୦୦ ରୁ ୫୦୦, ଅଣ୍ଡା ୧୨ ଟାକୁ ୮୦ରେ ବିକ୍ରି ହେଉଥିଲା। ଏବର୍ଷ ମଧ୍ୟ ରଜରେ ଆମିଷ ବେପାର ଭଲ ହୋଇଥିଲା। ଭୁବନେଶ୍ୱର ପ୍ରାୟ ୧.୨ କୋଟି ଟଙ୍କାର କାରବାର ହୋଇଥିବାବେଳେ ମଟନ ପ୍ରାୟ ୭୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଭୁବନେଶ୍ୱର ମଟନ ବ୍ୟବସାୟ ସଂଘ ସମ୍ପାଦକ ଏସ୍‌. କେ. ସର୍ଜନ କହିଛନ୍ତି। ଅନ୍ୟପକ୍ଷରେ ଚାରିଆଡୁ ଅଭିଯୋଗ ଆସିବା ପରେ ପୋଲିସ ଓ ବିଏମ୍‌ସି ପକ୍ଷରୁ ଚଢ଼ାଉ କରାଯାଇଥିଲା। ବିଭିନ ସ୍ଥାନରେ ୪୦ ହଜାରରୁ ଉଦ୍ଧର୍‌ବ ଟଙ୍କାର ଚାଲାଣ ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କଠାରୁ କଟାଯାଇଥିବାବେଳେ ବିଏମସି ୨୫ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ କରିଥିଲା।

୨ ଗୁଣା ଦରରେ ମଦ ବିକ୍ରି, ବାର୍‌ ସିଲ୍‌

ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‌ରେ ମଦ ବିକ୍ରି କରିବା ପାଇଁ ଅନୁମତି ରହିଛି। କିନ୍ତୁ କେତେକ ମଦ ଦୋକାନୀ ଓ ବାର୍‌ ମାଲିକ ଅଫ୍‌ଲାଇନ୍‌ରେ ମଦ ବିକ୍ରି କରି ଦୁଇତିନିଗୁଣ ଦାମ୍‌ ନେଉଛନ୍ତି। ଏମିତି ନିୟମ ଉଲ୍ଲଂଘନ କରି ଖୁଲମ୍‌ଖୁଲା ମଦ ବିକ୍ରି କରୁଥିବା ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ବାର୍‌ରେ ଚଢ଼ାଉ କରି ସିଲ୍‌ କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଡିଷ୍ଟ୍ରିକ୍ଟ ସେଣ୍ଟରରେ ଥିବା କ୍ଲବ୍‌ ଭେନମ୍‌ ବାର୍‌ରେ ଖୋଲାରେ ମଦ ବିକ୍ରି ହେଉଥିବା ବିଏମ୍‌ସି ନର୍ଥ ଜୋନ୍‌ ସ୍କ୍ବାଡ୍‌କୁ ଖବର ମିଳିଥିଲା। ପ୍ରଥମେ ଜଣେ କର୍ମଚାରୀ ଗ୍ରାହକ ହୋଇ ଉକ୍ତ ବାର୍‌ରୁ ଏକ ମଦ କିଣିଥିଲେ। ଦାମ ୩ ଶହ ୫୦ ଟଙ୍କା ରହିଥିବାବେଳେ ବାର୍‌ ପକ୍ଷରୁ ୭ଶହ ଟଙ୍କା ନେଇଥିଲେ। ଏହାପରେ ବିଏମ୍‌ସି ସ୍କ୍ବାଡ୍‌ ଚଢ଼ାଉ କରିଥିଲେ। କାହିଁକି ଅଫ୍‌ଲାଇନ୍‌ରେ ମଦ ବିକ୍ରି କରୁଛ ବୋଲି ପଚାରିବାରୁ ବାର କର୍ମଚାରୀ ବିଏମ୍‌ସି କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ବିଏମ୍‌ସି ଉକ୍ତ ବାରକୁ ସିଲ୍‌ କରିଥିବା ଜଣାପଡିଛି।

ପୋଲିସ ପକ୍ଷରୁ ୮୦,୨୦୦ ଜରିମାନା ଆଦାୟ

ସଂକ୍ରମଣ ଏଡ଼ାଇବାକୁ କୋଭିଡ୍‌ କଟକଣା ଲାଗୁ କରାଯାଇଛି। ଏହାକୁ ଉଲ୍ଲଂଘନ କରୁଥିବା ଅମାନିଆଙ୍କ ଉପରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି। ବୁଧବାର ପୋଲିସର ହାଟ, ବଜାର ସମେତ ବିଭିନ୍ନ ଛକ ଓ ଚେକ୍‌ ପଏଣ୍ଟରେ ଯାଞ୍ଚବେଳେ ୭୬୮ଜଣ ଉଲ୍ଲଂଘନକାରୀ ଧରାପଡି ଜରିମାନା ଗଣିଛନ୍ତି। ସେମାନଙ୍କଠାରୁ ୮୦ ହଜାର ୨୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri