ନୂଆଦିଲ୍ଲୀ,୧୭ା୧୧: ଗତ କିଛିଦିନ ଧରି ସୁନା ଓ ରୁପା ମୂଲ୍ୟ ହ୍ରାସ ପାଇ ଆସିଥିଲା ବେଳେ ସୋମବାର ଉଭୟ ଧାତୁ ମୂଲ୍ୟରେ ପୁଣି ହ୍ରାସ ଘଟିଛି। ଗତ ଶୁକ୍ରବାର ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୩୫,୭୯୭ ଟଙ୍କା ରହିଥିଲା। କିନ୍ତୁ ସୋମବାର ଏଥିରେ ପୁଣି ହ୍ରାସ ଘଟି ଦର ୧୦ ଗ୍ରାମ ପ୍ରତି ମୂଲ୍ୟ ୧,୩୩,୭୯୭ ଟଙ୍କାକୁ ଖସି ଆସିଛି। ଏହାଦ୍ୱାରା ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ମୂଲ୍ୟ ମଧ୍ୟ ୧,୨୫,୪୦୦ ଟଙ୍କାକୁ ହ୍ରାସ ପାଇଛି। ଦୀପାବଳି ପରଠାରୁ ସୁନା ମୂଲ୍ୟ ୫.୭% ଏବଂ ରୁପା ମୂଲ୍ୟ ୮.୮% ହ୍ରାସ ପାଇଛି। ସେହିପରି ଏମ୍ସିଏକ୍ସ ( ମଲ୍ଟି କମୋଡିଟି ଏକ୍ସଚେଞ୍ଜ) ସ୍ପଟ୍ ବଜାରରେ ରୁପା ମୂଲ୍ୟ କିଲୋ ପିଛା ୧,୬୯,୫୯୧ ଟଙ୍କାକୁ ହ୍ରାସ ପାଇଛି।
ଏହା ପୂର୍ବରୁ ରୁପା କିଲୋ ପିଛା ମୂଲ୍ୟ ୧,୭୭,୫୯୦ ଟଙ୍କା ଥିଲା। ଦୀପାବଳି ପରେ ନଭେମ୍ବର ୯ରେ ସୁନା ମୂଲ୍ୟ ୧,୪୧,୮୩୮ ଟଙ୍କା ଏବଂ ରୁପା ୧,୮୬,୦୨୩ ଟଙ୍କା ଥିଲା। ସେବେଠାରୁ ସୁନା ୧୦ ଗ୍ରାମ ପ୍ରତି ୮,୦୪୧ ଟଙ୍କା ଏବଂ ରୁପା କିଲୋଗ୍ରାମ ପ୍ରତି ୧୬,୪୩୨ ଟଙ୍କା ହ୍ରାସ ପାଇଛି। ଆଗାମୀ ଦିନରେ ମଧ୍ୟ ଏହି ଦୁଇଟି ଧାତୁର ମୂଲ୍ୟରେ କୌଣସି ବୃଦ୍ଧି ଘଟିବାର ସମ୍ଭାବନା କମ୍ ବୋଲି ଫ୍ୟୁଚର ଟ୍ରେଡିଂ ତଥ୍ୟରୁ ସୂଚନା ମିଳିଛି। ସୋମବାର ଏମ୍ସିଏକ୍ସ ସୁନା ଫ୍ୟୁଚର୍ସ ୧.୪୦% ହ୍ରାସ ପାଇ ୧,୩୪,୭୮୯ ଟଙ୍କାରେ କାରବାର କରୁଥିବା ବେଳେ ରୁପା ଫ୍ୟୁଚର୍ସ ୩.୫୯% ହ୍ରାସ ପାଇ ୧,୬୯,୯୮୦ ଟଙ୍କାରେ ରହିଛି।
ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ଓ ରୁପା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ସୋମବାର ସୁନା ଆଉନ୍ସ ପ୍ରତି ମୂଲ୍ୟ ୩,୮୦୦ ଡଲାର ଆଡକୁ ଗତି କରିଥିଲା, ଯାହା ଏକ ବର୍ଷରୁ ଅଧିକ ସମୟ ମଧ୍ୟରେ ସର୍ବନିମ୍ନ ସ୍ତର। ସେହିପରି ରୁପା ଆଉନ୍ସ ପ୍ରତି ମୂଲ୍ୟ ୪୭ ଡଲାର ଆଡକୁ ଖସି ଆସିଥିଲା।
ଅନ୍ତର୍ଜାତୀୟ ବଜାର ସ୍ଥିତି ଘରୋଇ ବଜାରରେ ସୁନା ମୂଲ୍ୟର ହ୍ରାସ ପାଇଁ କାରଣ ହୋଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଆମେରିକୀୟ ଡଲାର ଅଧିକ ମଜଭୁତ ହୋଇଥିଲାବେଳେ ଟ୍ରେଜେରି ୟିଲ୍ଡ ମଧ୍ୟ ଏହି ଦୁଇଟି ଧାତୁ ଉପରେ ଚାପ ସୃଷ୍ଟି କରିଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆମେରିକୀୟ ଫେଡେରାଲ ରିଜର୍ଭ ଅଧିକ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି ନିବେଶକମାନେ ଆଶା କରୁଥିବାରୁ ଡଲାର ମଜଭୁତ ହୋଇଛି।
ଉଚ୍ଚ ସୁଧ ହାର ଏବଂ ଟ୍ରେଜେରି ୟିଲ୍ଡ ସାଧାରଣତଃ ସୁନା ପ୍ରତି କମ୍ ଆକର୍ଷଣ ସୃଷ୍ଟି କରିଥାଏ। କାରଣ ସୁନା କିମ୍ବା ନିବେଶକାରୀଙ୍କୁ ସେଭଳି କୌଣସି ସୁଧ ପ୍ରଦାନ କରେ ନାହିଁ। ଏହାକୁ ନେଇ ଅନ୍ତର୍ଜାତୀୟ ବଜାରରେ ସୁନା ବିକ୍ରି ବୃଦ୍ଧି ପାଇଛି।

