ଜଳବାୟୁ ସୁରକ୍ଷା-ଜୀବନ ରକ୍ଷା

ବାୟୁମଣ୍ଡଳ, ବାରିମଣ୍ଡଳ ଏବଂ ଭୂମଣ୍ଡଳର ଉପସ୍ଥିତି ତଥା ଏକ ସ୍ଥିର ସବୁଜଗୃହ ପ୍ରଭାବର କାର୍ଯ୍ୟକାରିତା ହେତୁ ପୃଥିବୀର ଜଳବାୟୁ ଅନ୍ୟ ଗ୍ରହମାନଙ୍କ ତୁଳନାରେ ଅନନ୍ୟ। ଏତଦ୍‌ବ୍ୟତୀତ, ସୂର୍ଯ୍ୟଙ୍କଠାରୁ ଏହାର ସର୍ବୋତ୍ତମ ଦୂରତାର ସମ୍ମିଳିତ ପ୍ରଭାବରେ ଏକ ଗତିଶୀଳ ବୈଶ୍ୱିକ ପ୍ରଣାଳୀ ପ୍ରତିଷ୍ଠିତ ହୋଇଛି, ଯାହା ଗ୍ରହର ବିଶାଳ, ବୈଶିଷ୍ଟ୍ୟପୂର୍ଣ୍ଣ ଜୈବବିବିଧତାକୁ ସମର୍ଥନ କରେ ଏବଂ ଜୀବନର ଅଭ୍ୟୁଦୟ ଓ କ୍ରମ ବିବର୍ତ୍ତନକୁ ପ୍ରୋତ୍ସାହିତ କରେ। ତେବେ ପୃଥିବୀର ଜଳବାୟୁରେ ପ୍ରାକୃତିକ ପ୍ରକ୍ରିୟାରେ ପରିବର୍ତ୍ତନ ସୂର୍ଯ୍ୟଙ୍କ ସହିତ ଏହାର ସ୍ଥିତିରେ ଦୀର୍ଘକାଳୀନ ବ୍ୟତିକ୍ରମ, ଆଗ୍ନେୟଗିରି ଉଦ୍‌ଗୀରଣ ପରି ଭୂତାତ୍ତ୍ୱିକ କାର୍ଯ୍ୟକଳାପ ଏବଂ ଚକ୍ରାକାର ସାମୁଦ୍ରିକ ସ୍ରୋତସବୁ ଦ୍ୱାରା ପରିଚ଼ାଳିତ ହୁଏ। ଲକ୍ଷ ଲକ୍ଷ ବର୍ଷର ଅବଧିରେ ଏହି କାରକଗୁଡ଼ିକ ଧୀରେ ଧୀରେ ବିଶ୍ୱ ତାପମାତ୍ରା ଏବଂ ପାଣିପାଗ ଢାଞ୍ଚାକୁ ପରିବର୍ତ୍ତନ କରୁଥିବା ବେଳେ, ସାମ୍ପ୍ରତିକ ସମୟର ଦ୍ରୁତ ଜଳବାୟୁ ପରିବର୍ତ୍ତନ ମୌଳିକ ଭାବରେ ଜୀବାଶ୍ମ ଇନ୍ଧନର ଅତ୍ୟଧିକ ବ୍ୟବହାର, ଜଙ୍ଗଲ ଧ୍ୱଂସ, ଅସହନୀୟ କୃଷି ପଦ୍ଧତି ଏବଂ ବିନାଶକାରୀ ଭୂମି ବ୍ୟବହାର ପ୍ରକ୍ରିୟା ପରି ନକାରାତ୍ମକ ମାନବୀୟ କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟ। ୧୮୦୦ ଦଶକର ଶେଷଭାଗ ତୁଳନାରେ ବିଶ୍ୱର ହାରାହାରି ଭୂପୃଷ୍ଠ ତାପମାତ୍ରା ସମ୍ପ୍ରତି ପ୍ରାୟ ୧.୪୪ ଡିଗ୍ରୀ ସେଲ୍‌ସିୟସ ଅଧିକ ଉଷ୍ମ ହୋଇସାରିଛି I ୨୦୧୫-୨୦୨୫ ଏଗାର ବର୍ଷର ଅବଧି ସର୍ବାଧିକ ଉତ୍ତପ୍ତ ସମୟର ଐତିହାସିକ ରେକର୍ଡ ସୃଷ୍ଟି କରିଛି, ଯାହା ବିଭୀଷିକାମୟ ପରିବେଶଜନିତ ବିପର୍ଯ୍ୟୟ ସୃଷ୍ଟିର କାରଣ ହୋଇଛି।
ସଭ୍ୟତାର ଅଗ୍ରଗତି ପ୍ରକ୍ରିୟାରେ ଶକ୍ତିର ପ୍ରୟୋଗ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହାର ଉତ୍ପାଦନର ମୁଖ୍ୟ ଉତ୍ସ କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନର ବ୍ୟବହାରରେ ବୃଦ୍ଧି ଘଟୁଛି I ଏସବୁର ଦହନରୁ ଅଙ୍ଗାରକାମ୍ଳ, ମିଥେନ ଏବଂ ନାଇଟ୍ରସ ଅକ୍ସାଇଡ ଭଳି ସବୁଜଗୃହ ବାଷ୍ପ (ଗ୍ରୀନହାଉସ ଗ୍ୟାସ) ନିର୍ଗତ ହେଉଛି। ଏହା ବାୟୁମଣ୍ଡଳରେ ଜମିରହି ଉପରକୁ ନିଷ୍କାସିତ ହେଉଥିବା ଅତିରିକ୍ତ ଉତ୍ତାପକୁ ଧରି ରଖେ ଏବଂ ବିଶ୍ୱ ତାପମାତ୍ରା ବୃଦ୍ଧିରେ ସହାୟକ ହୁଏ। ତାପମାତ୍ରା ପାଣିପାଗ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ କାରକ ହୋଇଥିବାରୁ ଏହାର କ୍ରମ ବୃଦ୍ଧି ବିଶ୍ୱ ଜଳବାୟୁରେ ପ୍ରଭୂତ ପରିବର୍ତ୍ତନ ଘଟାଉଛି I ଫଳରେ ପୃଥିବୀରେ ପ୍ରଳୟଙ୍କର ଗ୍ରୀଷ୍ମପ୍ରବାହ, ବର୍ଷା, ବନ୍ୟା, ଭୂସ୍ଖଳନ, ମରୁଡ଼ି, ଜଙ୍ଗଲାଗ୍ନି, ମେରୁଅଞ୍ଚଳୀୟ ବରଫ ଓ ପର୍ବତସ୍ଥ ହିମବାହ ତରଳିବା, ସମୁଦ୍ରପତ୍ତନ ବୃଦ୍ଧି ପରି ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି I ଏସବୁ ବିପର୍ଯ୍ୟୟ ସମଗ୍ର ଜୀବଜଗତ ଏବଂ ପ୍ରକୃତି-ପରିବେଶର ବହୁଳ କ୍ଷତି କରୁଛି I ବିଶ୍ୱର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ୨୦୨୬ ସୁଦ୍ଧା ବସବାସ କରୁଥିବା ପ୍ରାୟ ୩୬୦ କୋଟି ଲୋକ ଏଥିରେ ବିଶେଷ ରୂପେ ପ୍ରଭାବିତ ହେଉଛନ୍ତି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ବାର୍ଷିକ ପ୍ରାୟ ୨.୫ ଲକ୍ଷ ଅତିରିକ୍ତ ମୃତ୍ୟୁର କାରଣ ହେଉଛି ଏବଂ ୨୬ ନିୟୁତ ଲୋକ ଦାରିଦ୍ର୍ୟ ଆଡ଼କୁ ଠେଲିହୋଇ ଯାଉଛନ୍ତି I ବିକାଶଶୀଳ ରାଷ୍ଟ୍ରମାନଙ୍କର ସାମାଜିକ, ଅର୍ଥନୈତିକ, ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଭିତ୍ତିଭୂମି ପରି ସମସ୍ତ କ୍ଷେତ୍ର କ୍ଷୟକ୍ଷତିର ଶିକାର ହେଉଛି I
ଏପରି ଦୃଶ୍ୟପଟରେ, ଜାତିସଂଘ ଆନୁକୂଲ୍ୟରେ ୨୦୧୫ରେ ପ୍ୟାରିସ୍‌ରେ ଅନୁଷ୍ଠିତ ଜଳବାୟୁ ସମ୍ମିଳନୀରେ ଗୃହୀତ ଚୁକ୍ତିନାମାରେ ନିଷ୍ପତ୍ତି ହୋଇଥିଲା ଯେ ବିଶ୍ୱତାପନକୁ ୧.୫ ଡିଗ୍ରୀ (ସର୍ବାଧିକ ୨ ଡିଗ୍ରୀ) ସେଲସିୟସ ମଧ୍ୟରେ ସୀମିତ ରଖିବା ନିମନ୍ତେ ରାଷ୍ଟ୍ରମାନେ ଯଥୋଚିତ ପଦକ୍ଷେପ ଗ୍ରହଣ କରିବେ I
ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ରେ ଜଳବାୟୁ କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି, ଯାହା ଜଳବାୟୁ ପରିବର୍ତ୍ତନ ଏବଂ ଏହାର ପ୍ରଭାବର ମୁକାବିଲା ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣକୁ ଆହ୍ବାନ କରେ I ବିଶେଷ ରୂପେ, ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ସଂକୁଚିତ କରି ସୌର, ପବନ, ସମୁଦ୍ର ଢେଉ, ଭୂଉତ୍ତାପ, ଜୈବିକ, ନାଭିକୀୟ ଏବଂ ସବୁଜ ଉଦ୍‌ଜାନ ପରି ବିକଳ୍ପ ନବୀକରଣୀୟ, ସ୍ବଚ୍ଛ, ସବୁଜ ଶକ୍ତି ଉତ୍ସର ବ୍ୟବହାରକୁ ପ୍ରାଧାନ୍ୟ ଦେବା ହେଉଛି ସମୟର ଆବଶ୍ୟକତା I
ଜଳବାୟୁ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ନୀତି ପ୍ରଣୟନ, ନିବେଶର ବିନିଯୋଗ ଏବଂ ଆଚରଣଗତ ପରିବର୍ତ୍ତନ, ଯାହା ସବୁଜଗୃହ ବାଷ୍ପ ନିର୍ଗମନକୁ ନିମ୍ନଗାମୀ କରିବ (ପ୍ରଶମନ) ଏବଂ ବର୍ତ୍ତମାନ ତଥା ଭବିଷ୍ୟତର ପରିବେଶଗତ ପ୍ରଭାବ (ଅନୁକୂଳନ) ପ୍ରତି ସ୍ଥିରତା ଓ ସହନଶୀଳତା ସୃଷ୍ଟି କରିବ। ଜାତୀୟ ସ୍ଥିରୀକୃତ ଅବଦାନ (ଏନ୍‌ଡିସି)ରେ ହୋଇଥିବା ଜଳବାୟୁ ପ୍ରତିବଦ୍ଧତା ମୁଖ୍ୟତଃ ସହରାଞ୍ଚଳ ଏବଂ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ବାସ୍ତବତାରେ ପରିଣତ ହେବା ବାଞ୍ଛନୀୟ। ପୌର ଆବର୍ଜନା ପରିଚାଳନା, ସାର୍ବଜନୀନ ପରିବହନ, ଶକ୍ତି ଦକ୍ଷତା ବୃଦ୍ଧି ଏବଂ ସ୍ଥାନୀୟ ଅନୁକୂଳନ ରଣନୀତିକୁ କାର୍ଯ୍ୟକାରୀ କରିବା ନିମନ୍ତେ କର୍ତ୍ତୃପକ୍ଷ ପ୍ରତିବଦ୍ଧ ହେବା ଜରୁରୀ।
ବ୍ୟକ୍ତିଗତ ସ୍ତରରେ, ଦୈନନ୍ଦିନ କାର୍ଯ୍ୟରେ ଆଚରଣବିଧି ଓ ପଦ୍ଧତିଗତ ପରିବର୍ତ୍ତନ ତଥା ନାଗରିକ ସମାଜର ସମର୍ଥନ ଅନ୍ତର୍ଭୁକ୍ତ, ଯାହା ସବୁଜଗୃହ ବାଷ୍ପ ନିର୍ଗମନକୁ ହ୍ରାସ କରେ। ପ୍ରମୁଖ ପଦକ୍ଷେପଗୁଡ଼ିକ ମଧ୍ୟରେ ଅଧିକ ଉଦ୍ଭିଦ-ଆଧାରିତ ଖାଦ୍ୟ ଖାଇବା, ନିଜ ଗାଡ଼ି ପରିବର୍ତ୍ତେ ସ୍ବଳ୍ପ ଦୂରତା ନିମନ୍ତେ ଚାଲିବା, ସାଇକେଲ ଚଳାଇବା କିମ୍ବା ସାର୍ବଜନୀନ ପରିବହନର ବ୍ୟବହାର କରିବା; ନବୀକରଣୀୟ ଶକ୍ତିକୁ ପ୍ରାଧାନ୍ୟ ଓ ଶକ୍ତି-ଦକ୍ଷ ଉପକରଣର ବ୍ୟବହାର କରିବା; ଖାଦ୍ୟ ଅପଚୟର ହ୍ରାସ ଏବଂ ଜୈବିକ ବର୍ଜ୍ୟକୁ କମ୍ପୋଷ୍ଟ କରିବା; ଶକ୍ତି, ଜଳ ଏବଂ ଅନ୍ୟାନ୍ୟ ସମ୍ବଳ ବ୍ୟବହାରରେ ହ୍ରାସ ଘଟାଇବା; ଏକକ-ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ; ଭଲଥିବା ପୁରୁଣା ପଦାର୍ଥକୁ କ୍ରୟ କରିବା ଏବଂ ନିଜ ସମ୍ପ୍ରଦାୟ ମଧ୍ୟରେ ସ୍ଥାୟୀ ନୀତିର କାର୍ଯ୍ୟକାରିତାକୁ ସମର୍ଥନ କରିବା; ବୃକ୍ଷରୋପଣ ମାଧ୍ୟମରେ ସବୁଜିମାର ପ୍ରସାର ଇତ୍ୟାଦି ଅନ୍ତର୍ଭୁକ୍ତ। ଏକ ସହନୀୟ ଜୀବନଶୈଳୀକୁ ପରିବର୍ତ୍ତନ ବ୍ୟକ୍ତିଗତ ପସନ୍ଦର ଛଅଟି ମୁଖ୍ୟ କ୍ଷେତ୍ର ଉପରେ ନିର୍ଭର କରେ – ଖାଦ୍ୟ, ଶକ୍ତି, ପରିବହନ, କିଣାକିଣି ଅଭ୍ୟାସ, ସମ୍ପ୍ରଦାୟର ପ୍ରଭାବ ଏବଂ ସକ୍ରିୟ ନାଗରିକତା। ସ୍ଥାନୀୟ ଜଳବାୟୁ ପଦକ୍ଷେପରେ ଅଂଶଗ୍ରହଣ, ପରିବେଶ ସୁରକ୍ଷାରେ କାର୍ଯ୍ୟରତ ଗୋଷ୍ଠୀଙ୍କୁ ସମର୍ଥନ, ଜଳବାୟୁ ବିଷୟରେ ସଚେତନତାର ବୃଦ୍ଧି ଏବଂ ନିଜର ଅଙ୍ଗାରକ ପଦଚିହ୍ନ ହ୍ରାସ କରି ବ୍ୟକ୍ତିମାନେ ନିଜସ୍ବ ଅବଦାନ ରଖିପାରିବେ।
ଜଳବାୟୁ କାର୍ଯ୍ୟକ୍ରମ ମୁଖ୍ୟତଃ ନବୀକରଣୀୟ ଶକ୍ତିକୁ ପରିବର୍ତ୍ତନ, ଅଙ୍ଗାରକ ଭଣ୍ଡାର (କାର୍ବନ ସିଙ୍କ୍‌)ରେ ବୃଦ୍ଧି ଘଟାଇବା ଏବଂ ସ୍ଥିର, ସହନଶୀଳ ସମ୍ପ୍ରଦାୟ ଗଠନ ଉପରେ ଧ୍ୟାନ କେନ୍ଦ୍ରିତ କରେ। ବୈଶ୍ୱିକ ଲକ୍ଷ୍ୟ ହେଉଛି ଶକ୍ତି ପରିବର୍ତ୍ତନରେ ୨୦୫୦ ସୁଦ୍ଧା ନେଟ-ଶୂନ୍ୟ ନିର୍ଗମନ ହାସଲ କରି ସବୁଜଗୃହ ବାଷ୍ପକୁ ନିୟନ୍ତ୍ରିତ କରିବା। ଏଥି ନିମନ୍ତେ ପ୍ରମୁଖ କ୍ଷେତ୍ରଗୁଡ଼ିକ ହେଉଛି ନବୀକରଣୀୟ ଶକ୍ତି ନିୟୋଜନକୁ ତ୍ୱରାନ୍ବିତ, ଶକ୍ତି ଦକ୍ଷତାରେ ବୃଦ୍ଧି, ସ୍ମାର୍ଟ ଗ୍ରୀଡ୍‌ର ସ୍ଥାପନ, ପରିବହନ/ଶିଳ୍ପର ବିଦ୍ୟୁତୀକରଣ ଏବଂ ଶକ୍ତି ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ଶକ୍ତି ସଞ୍ଚୟ ପଦ୍ଧତିରେ ବିକାଶ ଘଟାଇବା। ଏ ସମସ୍ତ ଲକ୍ଷ୍ୟ ହାସଲ ନିମନ୍ତେ ବିକଶିତ ରାଷ୍ଟ୍ର, ଘରୋଇ ପ୍ରତିଷ୍ଠାନ ଏବଂ ସରକାରଙ୍କଠାରୁ ‘ଜଳବାୟୁ ପାଣ୍ଠି’ ସଂଗ୍ରହ ଆବଶ୍ୟକ, ଯାହା ଦୁର୍ବଳ ଅଞ୍ଚଳ ଏବଂ ସବୁଜ ପରିବର୍ତ୍ତନକୁ ସମର୍ଥନ କରିବ। ଅନ୍ୟପକ୍ଷରେ, ତୃଣମୂଳ ସ୍ତରୀୟ ପରିବେଶୀୟ ପ୍ରଗତିକୁ ସୁନିଶ୍ଚିତ କରିବା ନିମନ୍ତେ ମହିଳା ନେତୃତ୍ୱାଧୀନ ଅନୁଷ୍ଠାନମାନଙ୍କୁ ପ୍ରୋତ୍ସାହିତ କରାଯିବା ବିଧେୟ।

ଡ. ଜୟକୃଷ୍ଣ ପାଣିଗ୍ରାହୀ
କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ:୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?