ନୂଆଦିଲ୍ଲୀ,୧୨।୯: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ଆରମ୍ଭ ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଚିନ୍ତା ବଢ଼ାଇବା ଭଳି ଖବର। ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ଅଭ୍ୟାସ ସମୟରେ ଇଶାନ କିଶନ ହଠାତ୍ ଅସହଜ ଅନୁଭବ କରିଥିଲେ। ଫଳରେ ତାଙ୍କୁ ମଝିରୁ ହିଁ ବ୍ୟାଟିଂ ପ୍ରାକ୍ଟିସ ବନ୍ଦ କରିବାକୁ ପଡ଼ିଥିଲା।
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସେପ୍ଟେମ୍ବର ୧୩, ୧୫ ଓ ୧୭ ତାରିଖରେ ୩ଟି ଟି-୨୦ ମ୍ୟାଚ ଖେଳାଯିବ। ଏହି ସିରିଜ ପାଇଁ ଟିମ ଇଣ୍ଡିଆ ଦିଲ୍ଲୀରେ ଜୋରଦାର ଅଭ୍ୟାସ କରୁଛି।
ପ୍ରାକ୍ଟିସ ସେସନରେ ଇଶାନ କିଶନଙ୍କ ଉପରେ ବିଶେଷ ନଜର ଥିଲା। ନିକଟରେ ଦୁଲୀପ ଟ୍ରଫିରେ ଇଷ୍ଟ ଜୋନର ଅଧିନାୟକ ଭାବେ ଖେଳିଥିବା ଇଶାନ ଫାଇନାଲରେ ୨୭୦ ରନର ଚମତ୍କାର ଇନିଂସ ଖେଳିଥିଲେ। ରେଡ ବଲ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ ପରେ ସେ ଏବେ ହୱାଇଟ ବଲ କ୍ରିକେଟ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲେ।
ନେଟ୍ସରେ ଆରମ୍ଭରୁ ଇଶାନ ବେଶ ଆକ୍ରମଣାତ୍ମକ ମୁଡରେ ଥିଲେ। ସେ ପ୍ରାୟ ପ୍ରତ୍ୟେକ ବୋଲରଙ୍କ ବିପକ୍ଷରେ ବଡ଼ ଶଟ ଖେଳିବା ସହ ରେଞ୍ଜ ହିଟିଂ ମଧ୍ୟ କରୁଥିଲେ। ତାଙ୍କ ବ୍ୟାଟିଂ ଦେଖି ଲାଗୁଥିଲା ଯେ ସେ ଆଫଗାନିସ୍ତାନ ସିରିଜ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
କିନ୍ତୁ ଏହି ସମୟରେ ଘଟିଥିଲା ଅପ୍ରତ୍ୟାଶିତ ଘଟଣା। ନେଟ୍ସରେ ବୋଲିଂ କରୁଥିବା ନବଦୀପ ସାଇନିଙ୍କ ଏକ ଶର୍ଟ ପିଚ ବଲ ଇଶାନଙ୍କୁ ଅସୁବିଧାରେ ପକାଇଥିଲା। ସାଇନିଙ୍କ ବାଉନ୍ସରକୁ ଡକ କରିବା ସମୟରେ ଈଶାନଙ୍କ ପିଠିରେ ହଠାତ୍ କ୍ରାମ୍ପ କିମ୍ବା ଟାଣ ଭଳି ସମସ୍ୟା ଦେଖାଦେଇଥିଲା।
ଘଟଣା ପରେ ଟିମ ଇଣ୍ଡିଆର ଫିଜିଓ ତୁରନ୍ତ ଇଶାନଙ୍କ ନିକଟକୁ ଯାଇ ତାଙ୍କ ଅବସ୍ଥା ଯାଞ୍ଚ କରିଥିଲେ। ଏହାପରେ ଇଶାନ ଆଉ ବ୍ୟାଟିଂ ଜାରି ରଖିନଥିଲେ ଏବଂ ନିଜର ନେଟ ସେସନ ବନ୍ଦ କରିଦେଇଥିଲେ। ପ୍ରାକ୍ଟିସ ଛାଡ଼ିବା ପରେ ମଧ୍ୟ ଇଶାନ ଦୀର୍ଘ ସମୟ ଧରି ନିଜ କମର ଓ ପିଠି ଅଞ୍ଚଳରେ ହାତ ରଖିଥିବା ଦେଖାଯାଇଥିଲା। ବ୍ୟାଟ ଓ ପ୍ୟାଡ ସହ ନେଟ୍ସରୁ ବାହାରି ଆସିବା ପରେ ସେ ଆରାମ କରିବାକୁ ନିଷ୍ପତ୍ତି ନେଇଥିଲେ। ଇଶାନଙ୍କ ସମସ୍ୟା କେତେ ଗୁରୁତର ଏବଂ ସେ ଆଫଗାନିସ୍ତାନ ବିପକ୍ଷ ସିରିଜରେ ଖେଳିପାରିବେ କି ନାହିଁ, ଏନେଇ ଏବେ ଟିମ ଇଣ୍ଡିଆର ନଜର ମେଡିକାଲ ଅପଡେଟ୍ ଉପରେ ରହିଛି।

