ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ ଭାବରେ ଓଡ଼ିଶାର ଘରେ ଘରେ ସାଇତା ହୋଇ ରହୁଥିଲା, ଏବେ କାହାଣୀ ପାଲଟି ଗଲାଣି l
ବର୍ଷାଦିନେ ଏବଂ ବିଲବାଡ଼ିରେ ଚାଷ କାମ ଜୋର୍‌ ସୋର୍‌ରେ ଆରମ୍ଭ ହୋଇଯାଏ l ଧାରା ଶ୍ରାବଣର ବରଷାରେ ହଳ ବଳଦଙ୍କ କାନ୍ଧରେ ଯୁଆଳି ଓ ଲଙ୍ଗଳ ଈଷ ବାନ୍ଧି ନିଜ କାନ୍ଧରେ କୋଡ଼ି,କୋଦାଳ ଓହଳାଇ ହାତରେ ପାଞ୍ଚଣ ଧରି ବିଲକୁ ବାହାରିଲା ବେଳେ ଆଗ ଖୋଜା ହୁଏ ପଖିଆ l ପଖିଆ ମୁଣ୍ଡରେ ଦେଇଦେଲେ ସାତତାଳ ବର୍ଷାକୁ ଡର ନ ଥାଏ l ଏହା ଚଷାପୁଅର ଶିରସ୍ତ୍ରାଣ, ଦେହର ରକ୍ଷାକବଚ ତଥା ବର୍ଷାରୁ ସୁରକ୍ଷା ପ୍ରଦାନକାରୀ ବର୍ଷାତି, ଯାହା ଆଜିକାଲିର ପିଲାଙ୍କ ଭାଷାରେ ‘ରେନ୍‌ କୋଟ୍‌’ l
ପଖିଆର ନିର୍ମାଣଶୈଳୀ ଆଧୁନିକ ଜ୍ଞାନକୌଶଳରୁ କୌଣସି ଗୁଣରେ ଊଣା ନୁହେଁ l
ତାଳପତ୍ରକୁ ଶୁଖେଇ ତାକୁ ଲମ୍ବା ଲମ୍ବା କରି କଟାଯାଏ l ତାଳବରଡ଼ାକୁ ଚିରି ମୋଟା ସୂତା ଭଳି କରି (କୋରଟ) ସେଥିରେ ସେହି ପତ୍ରକୁ ସିଲେଇ କରାଯାଏ l ମୁଣ୍ଡ ପାଖରେ ବରଡ଼ାକୁ ଅର୍ଦ୍ଧାକାର ମୁଣ୍ଡୁଳି ଭଳି (ମଥାନି) ଓ ଉଭୟ ପାର୍ଶ୍ୱକୁ ପାଖି ଭଳି ସିଲେଇ କରାଯାଇ ଏପରି ଭାବରେ ତିଆରି କରାଯାଏ ଯେ ଲୋକଟିଏ ତାକୁ ମୁଣ୍ଡ ପଛ ପଟରେ ଘେରେଇ ଦେଲେ ପିଠି ଦେଇ ତାହା ଅଣ୍ଟା ତଳ ପର୍ଯ୍ୟନ୍ତ ଭଲ ଭାବରେ ଆଚ୍ଛନ୍ନ କରିଦିଏ l ଏହା ଦେଖିବାକୁ କୁଲା ଭଳି l ପକ୍ଷୀମାନେ ସେମାନଙ୍କର ଡେଣାକୁ ଘୋଡ଼େଇ ନିଜର ଶାବକଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଭଳି ଏହା ତା’ର ବ୍ୟବହାରକାରୀଙ୍କ ଦେହକୁ ଘୋଡ଼େଇ ସୁରକ୍ଷିତ ରଖୁଥିବାରୁ ନାମ ପଖିଆ l ପବନ ବହିଲେ ସମ୍ପୃକ୍ତ ଦିଗକୁ ପିଠି କରିଦେଲେ ପବନ ତ ଦେହରେ ବାଜେନା ବରଂ ପଖିଆଟି ଦେହରେ ଅଧିକ ଜଡ଼ିଯାଏ l ପଖିଆଟିଏ ମୁଣ୍ଡରେ ଥିଲେ ଯେତେ ବର୍ଷା ହେଲେ ବି ଟିକିଏ ନଇଁ ପଡ଼ିଲେ ଦେହରେ ଟୋପାଏ ପାଣି ପଡ଼େନା; କାରଣ ଏହାର ଭିତରପଟ ଖୁବ୍‌ ଶୁଖିଲା ଥାଏ l ବର୍ଷା ଗାଳୁଥିବା ବେଳେ ଆଣ୍ଠୁଏ ପାଣିରେ ଦୁଇ ହାତରେ ଚାଷ କାମ ଯଥା ହଳ, ବେଉଷଣ, ମଞ୍ଜିବୁଣା ଛଡ଼ା ନଇଁକରି ତଳି ଓପଡ଼ା, ରୁଆ, ଘାସ, ବାଳୁଙ୍ଗା ଉପାଡ଼ିବା, ହିଡ଼ ହାଣିବା ଇତ୍ୟାଦି କାମ କରିବାକୁ ପଡ଼େ l ସେତେବେଳେ ପିଠି ଉପରେ ପଖିଆଟିଏ ଥିଲେ ମୁଣ୍ଡ ଓ ଦେହ ବର୍ଷା, ପାଣି, ପବନରୁ ରକ୍ଷାପାଏ, ତା’ ଛଡ଼ା ବିଜୁଳି ଓ ଘଡ଼ଘଡ଼ି ପାଇଁ ଏହା ଢାଲ ଭଳି କାମ କରେ; କାରଣ ପଖିଆର ଏକ ବିଶେଷତ୍ୱ ହେଲା ଏହାର ଏକମାତ୍ର ଉପାଦାନ ତାଳପତ୍ର ବିଦ୍ୟୁତ୍‌ର କୁପରିବାହୀ l ତେଣୁ ଆଗେ ଏହା ବହୁଳ ଭାବରେ ବ୍ୟବହୃତ ହେଉଥିଲା। ଚାଷ କାମ କରିବା ପାଇଁ ଛତା ବିଲ୍‌କୁଲ୍‌ ଅନୁପଯୋଗୀ; କାରଣ ଛତା ମଡ଼େଇବା ପାଇଁ ହାତ ଦରକାର, କିନ୍ତୁ ଦୁଇ ହାତ ନ ଲଗାଇଲେ ଚାଷ କାମ ହୋଇ ପାରିବ ନାହିଁ । ଅତଏବ ଛତା ପଖିଆର ବିକଳ୍ପ ନୁହେଁ। ତେଣୁ ଆଗେ ଗାଆଁ ଗଣ୍ଡାର ହାଟ ବାଟରେ ଚତୁର୍ମାସ୍ୟ ସମୟରେ ପଖିଆ ବିକ୍ରେତା, କ୍ରେତା ଓ ଗ୍ରାହକମାନଙ୍କର ପ୍ରବଳ ଭିଡ଼ ହେଉଥିଲା। ଏକ ନିର୍ଦ୍ଦିଷ୍ଟ ବର୍ଗ ଲୋକଙ୍କର ଏହା କୌଳିକ ବୃତ୍ତି ଥିଲା ଏବଂ ସେମାନେ ସ୍ବଳ୍ପ ମୂଲ୍ୟରେ ଏହାକୁ ଯୋଗାଉଥିଲେ। ବର୍ଷା ଓ ବଜ୍ରପାତରୁ ସୁରକ୍ଷିତ ରହିବା ପାଇଁ ଗାଆଁର ହାଟ ଚାଳିଆଗୁଡ଼ିକ ବରଡ଼ା ପତ୍ରରେ ଛପର ହେଉଥିଲା। ଯଜ୍ଞ ମଣ୍ଡପ ଏବଂ ସେଥି ସହିତ ସଂଲଗ୍ନ ବାରୁଆଳି ଘର ବି ତାଳପତ୍ରରେ ଛପର ହେଉଥିଲା l
ମାତ୍ର କ୍ଷୋଭର ବିଷୟ ଯେ, ଏବେ ଜନମାନସରୁ ପଖିଆ ଉଭେଇ ଗଲାଣି l ଏହାର ଏକ କାରଣ ହୋଇପାରେ ତାଳଗଛର ଅଭାବ l
ଅନ୍ୟାନ୍ୟ ବୃକ୍ଷଲତା ପରି ତାଳଗଛ କମି କମି ନିଶ୍ଚିହ୍ନ ହେବାକୁ ବସିଲାଣି l ତାଳଗଛ ଯେ କେତେ ଉପକାରୀ ଏହା ବୁଝିବାକୁ ଅନେକ ବିଳମ୍ବ ହୋଇଗଲା। ଏବେ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ସରକାରୀ ଓ ବେସରକାରୀ ଅନୁଷ୍ଠାନଠାରୁ ବ୍ୟକ୍ତିବିଶେଷ ଯାଏ ସେ ବିଷୟରେ ଅନୁଧ୍ୟାନ କରାଯାଇ ଶେଷରେ ଜ୍ଞାନୋଦୟ ହୋଇଛି ଯେ ତାଳଗଛ ହିଁ ବଜ୍ରପାତକୁ ରୋକିବାରେ ସହାୟତା କରେ l ତେଣୁ ତାଳଗଛ ଲଗେଇବା ପାଇଁ ପ୍ରୋତ୍ସାହନ ଦିଆଯାଉଛି l ଅଥଚ ତାଳପତ୍ର ଓ ବରଡ଼ାରେ ତିଆରି ହେଉଥିବା ପଖିଆ ଚାଷୀ ପାଇଁ ଯେ କେତେ ଉପକାରୀ ତାହା ହୃଦୟଙ୍ଗମ କରି ଅତ୍ୟାଧୁନିକ ଜ୍ଞାନକୌଶଳରେ ଉନ୍ନତ ଧରଣର ପଖିଆ ତିଆରି କରାଗଲେ ଅନେକ ଲୋକଙ୍କର ଗରଜ ମେଣ୍ଟନ୍ତା ତଥା ନୂତନ କ୍ଷୁଦ୍ର ଓ କୁଟୀରଶିଳ୍ପ ପ୍ରତିଷ୍ଠା ପାଇଁ ସୁଯୋଗ ସୃଷ୍ଟି ହୁଅନ୍ତା l

ଅଲେଖ ଚନ୍ଦ୍ର ମିଶ୍ର

ମୋ:୯୪୩୮୬୭୩୮୯୮

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

ଆଇନ କାହା ପାଇଁ କେମିତି

୨୦୨୬ ମସିହା ମେ’ ମାସରେ ମାଡ଼୍ରାସ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କାର୍ଯ୍ୟଧାରାର ତୀବ୍ର ସମାଲୋଚନା କରିଛନ୍ତି। ଏକ ନିର୍ବାଚନୀ ମାମଲାରେ ଆଇନର ବ୍ୟାଖ୍ୟାନକୁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିବାରୁ…

ପତିଆରା ଲଢ଼େଇ

ବିଶ୍ବରେ ଏବେ ଚାଲିଛି ପ୍ରଭୁତ୍ୱ ଓ ପତିଆରା ପାଇଁ ଲଢ଼େଇ, ଏସିଆରୁ ୟୁରୋପ ଚାରିଆଡ଼େ ଅଶାନ୍ତ। କୋଟି କୋଟି ସାଧାରଣ ଜନତାଙ୍କ ଜୀବନ ସହ ଖେଳ ଖେଳାଯାଉଛି।…

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri