ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ ଭାବରେ ଓଡ଼ିଶାର ଘରେ ଘରେ ସାଇତା ହୋଇ ରହୁଥିଲା, ଏବେ କାହାଣୀ ପାଲଟି ଗଲାଣି l
ବର୍ଷାଦିନେ ଏବଂ ବିଲବାଡ଼ିରେ ଚାଷ କାମ ଜୋର୍‌ ସୋର୍‌ରେ ଆରମ୍ଭ ହୋଇଯାଏ l ଧାରା ଶ୍ରାବଣର ବରଷାରେ ହଳ ବଳଦଙ୍କ କାନ୍ଧରେ ଯୁଆଳି ଓ ଲଙ୍ଗଳ ଈଷ ବାନ୍ଧି ନିଜ କାନ୍ଧରେ କୋଡ଼ି,କୋଦାଳ ଓହଳାଇ ହାତରେ ପାଞ୍ଚଣ ଧରି ବିଲକୁ ବାହାରିଲା ବେଳେ ଆଗ ଖୋଜା ହୁଏ ପଖିଆ l ପଖିଆ ମୁଣ୍ଡରେ ଦେଇଦେଲେ ସାତତାଳ ବର୍ଷାକୁ ଡର ନ ଥାଏ l ଏହା ଚଷାପୁଅର ଶିରସ୍ତ୍ରାଣ, ଦେହର ରକ୍ଷାକବଚ ତଥା ବର୍ଷାରୁ ସୁରକ୍ଷା ପ୍ରଦାନକାରୀ ବର୍ଷାତି, ଯାହା ଆଜିକାଲିର ପିଲାଙ୍କ ଭାଷାରେ ‘ରେନ୍‌ କୋଟ୍‌’ l
ପଖିଆର ନିର୍ମାଣଶୈଳୀ ଆଧୁନିକ ଜ୍ଞାନକୌଶଳରୁ କୌଣସି ଗୁଣରେ ଊଣା ନୁହେଁ l
ତାଳପତ୍ରକୁ ଶୁଖେଇ ତାକୁ ଲମ୍ବା ଲମ୍ବା କରି କଟାଯାଏ l ତାଳବରଡ଼ାକୁ ଚିରି ମୋଟା ସୂତା ଭଳି କରି (କୋରଟ) ସେଥିରେ ସେହି ପତ୍ରକୁ ସିଲେଇ କରାଯାଏ l ମୁଣ୍ଡ ପାଖରେ ବରଡ଼ାକୁ ଅର୍ଦ୍ଧାକାର ମୁଣ୍ଡୁଳି ଭଳି (ମଥାନି) ଓ ଉଭୟ ପାର୍ଶ୍ୱକୁ ପାଖି ଭଳି ସିଲେଇ କରାଯାଇ ଏପରି ଭାବରେ ତିଆରି କରାଯାଏ ଯେ ଲୋକଟିଏ ତାକୁ ମୁଣ୍ଡ ପଛ ପଟରେ ଘେରେଇ ଦେଲେ ପିଠି ଦେଇ ତାହା ଅଣ୍ଟା ତଳ ପର୍ଯ୍ୟନ୍ତ ଭଲ ଭାବରେ ଆଚ୍ଛନ୍ନ କରିଦିଏ l ଏହା ଦେଖିବାକୁ କୁଲା ଭଳି l ପକ୍ଷୀମାନେ ସେମାନଙ୍କର ଡେଣାକୁ ଘୋଡ଼େଇ ନିଜର ଶାବକଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ଭଳି ଏହା ତା’ର ବ୍ୟବହାରକାରୀଙ୍କ ଦେହକୁ ଘୋଡ଼େଇ ସୁରକ୍ଷିତ ରଖୁଥିବାରୁ ନାମ ପଖିଆ l ପବନ ବହିଲେ ସମ୍ପୃକ୍ତ ଦିଗକୁ ପିଠି କରିଦେଲେ ପବନ ତ ଦେହରେ ବାଜେନା ବରଂ ପଖିଆଟି ଦେହରେ ଅଧିକ ଜଡ଼ିଯାଏ l ପଖିଆଟିଏ ମୁଣ୍ଡରେ ଥିଲେ ଯେତେ ବର୍ଷା ହେଲେ ବି ଟିକିଏ ନଇଁ ପଡ଼ିଲେ ଦେହରେ ଟୋପାଏ ପାଣି ପଡ଼େନା; କାରଣ ଏହାର ଭିତରପଟ ଖୁବ୍‌ ଶୁଖିଲା ଥାଏ l ବର୍ଷା ଗାଳୁଥିବା ବେଳେ ଆଣ୍ଠୁଏ ପାଣିରେ ଦୁଇ ହାତରେ ଚାଷ କାମ ଯଥା ହଳ, ବେଉଷଣ, ମଞ୍ଜିବୁଣା ଛଡ଼ା ନଇଁକରି ତଳି ଓପଡ଼ା, ରୁଆ, ଘାସ, ବାଳୁଙ୍ଗା ଉପାଡ଼ିବା, ହିଡ଼ ହାଣିବା ଇତ୍ୟାଦି କାମ କରିବାକୁ ପଡ଼େ l ସେତେବେଳେ ପିଠି ଉପରେ ପଖିଆଟିଏ ଥିଲେ ମୁଣ୍ଡ ଓ ଦେହ ବର୍ଷା, ପାଣି, ପବନରୁ ରକ୍ଷାପାଏ, ତା’ ଛଡ଼ା ବିଜୁଳି ଓ ଘଡ଼ଘଡ଼ି ପାଇଁ ଏହା ଢାଲ ଭଳି କାମ କରେ; କାରଣ ପଖିଆର ଏକ ବିଶେଷତ୍ୱ ହେଲା ଏହାର ଏକମାତ୍ର ଉପାଦାନ ତାଳପତ୍ର ବିଦ୍ୟୁତ୍‌ର କୁପରିବାହୀ l ତେଣୁ ଆଗେ ଏହା ବହୁଳ ଭାବରେ ବ୍ୟବହୃତ ହେଉଥିଲା। ଚାଷ କାମ କରିବା ପାଇଁ ଛତା ବିଲ୍‌କୁଲ୍‌ ଅନୁପଯୋଗୀ; କାରଣ ଛତା ମଡ଼େଇବା ପାଇଁ ହାତ ଦରକାର, କିନ୍ତୁ ଦୁଇ ହାତ ନ ଲଗାଇଲେ ଚାଷ କାମ ହୋଇ ପାରିବ ନାହିଁ । ଅତଏବ ଛତା ପଖିଆର ବିକଳ୍ପ ନୁହେଁ। ତେଣୁ ଆଗେ ଗାଆଁ ଗଣ୍ଡାର ହାଟ ବାଟରେ ଚତୁର୍ମାସ୍ୟ ସମୟରେ ପଖିଆ ବିକ୍ରେତା, କ୍ରେତା ଓ ଗ୍ରାହକମାନଙ୍କର ପ୍ରବଳ ଭିଡ଼ ହେଉଥିଲା। ଏକ ନିର୍ଦ୍ଦିଷ୍ଟ ବର୍ଗ ଲୋକଙ୍କର ଏହା କୌଳିକ ବୃତ୍ତି ଥିଲା ଏବଂ ସେମାନେ ସ୍ବଳ୍ପ ମୂଲ୍ୟରେ ଏହାକୁ ଯୋଗାଉଥିଲେ। ବର୍ଷା ଓ ବଜ୍ରପାତରୁ ସୁରକ୍ଷିତ ରହିବା ପାଇଁ ଗାଆଁର ହାଟ ଚାଳିଆଗୁଡ଼ିକ ବରଡ଼ା ପତ୍ରରେ ଛପର ହେଉଥିଲା। ଯଜ୍ଞ ମଣ୍ଡପ ଏବଂ ସେଥି ସହିତ ସଂଲଗ୍ନ ବାରୁଆଳି ଘର ବି ତାଳପତ୍ରରେ ଛପର ହେଉଥିଲା l
ମାତ୍ର କ୍ଷୋଭର ବିଷୟ ଯେ, ଏବେ ଜନମାନସରୁ ପଖିଆ ଉଭେଇ ଗଲାଣି l ଏହାର ଏକ କାରଣ ହୋଇପାରେ ତାଳଗଛର ଅଭାବ l
ଅନ୍ୟାନ୍ୟ ବୃକ୍ଷଲତା ପରି ତାଳଗଛ କମି କମି ନିଶ୍ଚିହ୍ନ ହେବାକୁ ବସିଲାଣି l ତାଳଗଛ ଯେ କେତେ ଉପକାରୀ ଏହା ବୁଝିବାକୁ ଅନେକ ବିଳମ୍ବ ହୋଇଗଲା। ଏବେ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଥିବାରୁ ସରକାରୀ ଓ ବେସରକାରୀ ଅନୁଷ୍ଠାନଠାରୁ ବ୍ୟକ୍ତିବିଶେଷ ଯାଏ ସେ ବିଷୟରେ ଅନୁଧ୍ୟାନ କରାଯାଇ ଶେଷରେ ଜ୍ଞାନୋଦୟ ହୋଇଛି ଯେ ତାଳଗଛ ହିଁ ବଜ୍ରପାତକୁ ରୋକିବାରେ ସହାୟତା କରେ l ତେଣୁ ତାଳଗଛ ଲଗେଇବା ପାଇଁ ପ୍ରୋତ୍ସାହନ ଦିଆଯାଉଛି l ଅଥଚ ତାଳପତ୍ର ଓ ବରଡ଼ାରେ ତିଆରି ହେଉଥିବା ପଖିଆ ଚାଷୀ ପାଇଁ ଯେ କେତେ ଉପକାରୀ ତାହା ହୃଦୟଙ୍ଗମ କରି ଅତ୍ୟାଧୁନିକ ଜ୍ଞାନକୌଶଳରେ ଉନ୍ନତ ଧରଣର ପଖିଆ ତିଆରି କରାଗଲେ ଅନେକ ଲୋକଙ୍କର ଗରଜ ମେଣ୍ଟନ୍ତା ତଥା ନୂତନ କ୍ଷୁଦ୍ର ଓ କୁଟୀରଶିଳ୍ପ ପ୍ରତିଷ୍ଠା ପାଇଁ ସୁଯୋଗ ସୃଷ୍ଟି ହୁଅନ୍ତା l

ଅଲେଖ ଚନ୍ଦ୍ର ମିଶ୍ର

ମୋ:୯୪୩୮୬୭୩୮୯୮

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?