ଅମରପାଲି,୨୨ା୮(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଜଳସେଚନର ବିଶେଷ ସୁବିଧା ନାହିଁ। ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ସରକାରଙ୍କ ଉଠାଜଳସେଚନ ବିଭାଗ ପକ୍ଷରୁ ଡିପ୍ ବୋର୍ୱେଲ ପ୍ରକଳ୍ପ ହାତକୁ ନିଆଯାଇଛି। ତେବେ ବହଳପଦର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏହି ପ୍ରକଳ୍ପ କାର୍ଯ୍ୟକୁ ନେଇ ଅବ୍ୟବସ୍ଥା ଓ ନିମ୍ନମାନର କାମ ଅଭିଯୋଗ ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ କାମରେ ଅଧିକାଂଶ ନାବାଳକ ଶ୍ରମିକ ବୟସ ୧୪ରୁ ୧୫ ବର୍ଷ ମଧ୍ୟରେ ହେବ ନିୟୋଜିତ ହୋଇଛନ୍ତି। ବିଦ୍ୟୁତ୍ କାମ ସମୟରେ ଶ୍ରମିକମାନେ ହେଲ୍ମେଟ୍ ଓ ଆବଶ୍ୟକ ସୁରକ୍ଷା ସାମଗ୍ରୀ ବ୍ୟବହାର କରୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ସୁବର୍ଣ୍ଣପୁର ଜିଲା ଶ୍ରମ ଆୟୁକ୍ତ ଦିଲେଶ୍ୱର ଖାକାଙ୍କୁ ପଚାରିବାରୁ ଯଦି ଏହା ସତ୍ୟ ହୋଇଥାଏ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ଦୀର୍ଘବର୍ଷ ତଳେ ଚାଷୀମାନେ ଡିପ୍ ବୋର୍ୱେଲ ପାଇଁ ଆବେଦନ କରିବା ସହ ଆବଶ୍ୟକ ଅର୍ଥ ମଧ୍ୟ ପୈଠ କରିଥିଲେ। ଦୀର୍ଘଦିନ ଧରି ବୋର୍ୱେଲ ଖନନ ନ ହେବାରୁ ବାରମ୍ବାର ଅଭିଯୋଗ ପରେ ବହଳପଦର, ଅମରପାଲି, ଗୌଡ଼ଗାଡ଼, ଭାଲୁଡୁଙ୍ଗୁରୀ, ବିଶାଳପାଲି, ପାତ୍ରପାଲି ଓ ବଡ଼ମାଳ ଆଦି ଗ୍ରାମରେ ବୋର୍ୱେଲ ଖନନ କରାଯାଇଥିଲା। ବୋର୍ୱେଲ ଖୋଳାଯାଇଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ନ ହେବାରୁ ଚାଷୀମାନେ ପୁଣି ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଖରାଦିନେ କେତେଗୋଟି ଗ୍ରାମରେ ବିଦ୍ୟୁତ୍ ଖଣ୍ଟ ସ୍ଥାପନ କାମ ଆରମ୍ଭ ହୋଇଥିଲା। ମାତ୍ର କାମ ସମ୍ପୂର୍ଣ୍ଣ ନ କରି ଠିକା ସଂସ୍ଥା କାମ ଛାଡ଼ି ଚାଲିଯାଇଥିବା ଅଭିଯୋଗ ହୋଇଛି। ଏବେ ବର୍ଷାଋତୁରେ ଚାଷଜମିରେ ପାଣି ଭରି ରହିଥିବା ବେଳେ ପୁଣି ବିଦ୍ୟୁତ୍ କାମ ଆରମ୍ଭ ହୋଇଛି। ଅମରପାଲିରେ ଆଣ୍ଠୁଏ ପାଣି ଥିବା ଚାଷଜମି ମଧ୍ୟରେ ବିଦ୍ୟୁତ୍ ଖୁଣ୍ଟକୁ ସପୋର୍ଟ ଦେବା ଓ ସିମେଣ୍ଟ କାମ କରାଯାଉଥିବା ଦେଖାଯାଇଛି। ଏପରିକି ବିଦ୍ୟୁତ୍ ତାର ଟଣାଯିବା ସହ ଟ୍ରାନ୍ସଫର୍ମର ସ୍ଥାପନ ହେବାକୁ ଥିବା ସ୍ଥାନ ଚାରିପଟେ ପାଣି ମଧ୍ୟରେ ବାଡ଼ା ନିର୍ମାଣ କରାଯାଉଛି। କାମର ମାନକୁ ନେଇ ମଧ୍ୟ ସ୍ଥାନୀୟ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ଅଭିଯୋଗ, କାମ ଅତ୍ୟନ୍ତ ନିମ୍ନମାନର ହେଉଛି। ଏବେ କାମ ନ କରାଇଲେ ପରେ ଆଉ କାମ କରାଯିବ ନାହିଁ ବୋଲି ଠିକା ସଂସ୍ଥା ପକ୍ଷରୁ ଚାଷୀଙ୍କୁ କୁହାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ନିରୁପାୟ ହୋଇ ଚୁପ ରହୁଥିବା କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ନିର୍ମାଣ ଓ ବିଦ୍ୟୁତ୍ କାମ ସମୟରେ ସମ୍ପୃକ୍ତ ବିଭାଗର ଯନ୍ତ୍ରୀ କିମ୍ବା କୌଣସି ଅଧିକାରୀ ନିୟମିତ ତଦାରଖ କରୁ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଉଠାଜଳସେଚନ ବିଭାଗର ଯନ୍ତ୍ରୀ ସୁକାନ୍ତ ସାମଲଙ୍କୁ ପଚାରିବାରୁ କାମ ଖରାପ ହୋଇଥିଲେ ପୁଣିଥରେ କରାଯିବ ବୋଲି କହିଛନ୍ତି। ସୂଚନା ଅନୁସାରେ, ବହଳପଦର ପଞ୍ଚାୟତର ବିଭିନ୍ନ ଗ୍ରାମରେ ୨୨ରୁ ଅଧିକ ଡିପ୍ ବୋର୍ୱେଲ ପ୍ରକଳ୍ପ ହେବାକୁ ଥିବା ବେଳେ ଏଯାଏ କାମ ସମ୍ପୂର୍ଣ୍ଣ ହୋଇନାହିଁ। ଫଳରେ ଜଳସେଚନ ସୁବିଧା ପାଇବା ଆଶାରେ ଥିବା ଚାଷୀମାନେ ଏବେ ଆଶା ଓ ଆଶଙ୍କାରେ ଅଛନ୍ତି। ସରକାରୀ ଅର୍ଥରେ ଚାଲିଥିବା ଏହି କାମର ମାନ ଓ ଅନିୟମିତତା ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ସହ ପ୍ରକଳ୍ପକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ସାଧାରଣରେ ଦାବି ହୋଇଛି।
Dharitri – Odisha’s No.1 Odia Daily

